ସତେ ଦୁନିଆଁ ଭୁଲାଇ ଦେଲ - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

ସତେ ଦୁନିଆଁ ଭୁଲାଇ ଦେଲ - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

ପ୍ରଣୟ ଛନ୍ଦରେ ବାନ୍ଧି ଦେଲ ବନ୍ଧୁ ଫୁଟାଇ ପ୍ରୀତି ର ଫୁଲ
ନିଥର ମରୁରେ ପ୍ରେମ ମନ୍ଦାକିନୀ  ହୋଇ ସହୀ ଜଡିଗଲ
ବହଳ ଅନ୍ଧାର ଗହଳ ରାତିରେ ପ୍ରେମ ଦୀପ ଜାଳି ଦେଲ 
ସହୀ ଏମିତି କେମିତି କଲ 
ପତ୍ରଝଡା ବୃକ୍ଷ ଡାଳେ  ଫୁଲ ହୋଇ ହସି ହସି ଝରିଗଲ   ।।
ନିଦାଘେ ବନାନୀ ଜ୍ଵଳନ ସମାନ ଜଳୁଥିବା ବେଳେ, ଜଳ
ସିଞ୍ଚନ କରିଲ, ସ୍ନେହ ବାରିଧାରା ପ୍ରୀତିରେ ଭିଜାଇ ଦେଲ
ମୋ ମନ ମନ୍ଦିରେ ପୁଜିରିଣୀ ସାଜି ସଜାଇଲ ପ୍ରୀତି ଫୁଲ
ସହୀ ଏମିତି କେମିତି କଲ
ବାଟ ଓଗାଳିଲ ଅଜଣା ଆଦରେ ପ୍ରୀତି ହାଟେ ନେଇଗଲ  ।।
ଅନ୍ଧାର ଆକାଶେ ତାରା ଫୁଲ ବୁଣେ ଜହ୍ନ ର ରୂପା ଚାଦର
ସରାଗେ ସୁହାଗେ ସୁହାସିନ ବାଳା କେତେ ରଙ୍ଗେ କରୁ କୋଳ
ଏ ମନ ମୟୂର ଚନ୍ଦ୍ରିକା ତୋଳି ନାଚେ ପ୍ରେମେ ହୋଇ ଭୋଳ
ସହୀ ଏମିତି କେମିତି କଲ
ସତେକି କିମିଆଁ ମୋହନୀ ଲଗାଇ ଦୁନିଆଁ ଭୁଲେଇ ଦେଲ  ।।
ମନ ଆକାଶରେ ସାତରଙ୍ଗ ବୁଣି ମୋତେ ତ ରଙ୍ଗାଇ ଦେଲ
ପ୍ରେମ ସୁଧା ସର ସରଜି ତା କୂଳ ତଟେ ନେଇ ବସାଇଲ
ଆନନ୍ଦେ,ଉଲ୍ଲାସେ,ତୋ ପ୍ରେମରେ ସଖୀ ହୋଇଗଲି ମୁଁ ବିହ୍ଵଳ
ସହୀ ଏମିତି କେମିତି କଲ
ଅଧାବାଟେ ମୋତେ ଏକା ଛାଡ଼ି ଦେଇ କେମିତି ବା ଭୁଲିଗଲ  ।।
ଏତେ ଯେ କପଟ ସେ ମିଛ ପ୍ରେମରେ କିପାଇଁ ହଟ ରଚିଲ
କୁହୁକିନୀ ମାୟା କାମନା ଜ୍ଵାଳାର ପ୍ରଦାହେ ଆହୁତି ଦେଲ
ନାରୀ ମାୟା ନାରାୟଣେ ଅଗୋଚର ଛାର ମୁଁ ମାତର ନର 
ସହୀ ଏମିତି କେମିତି କଲ
ମୋ ସାରା ଦୁନିଆଁ ଭୁଲାଇ ଶେଷରେ କୁହ କିଆଁ ଭୁଲିଗଲ  ।।

0 Comments