ବନ୍ଦେ ଉତ୍କଳ ଜନନୀ - ବିଷ୍ଣୁ ପ୍ରସାଦ ମିଶ୍ର

0


ବନ୍ଦେ ଉତ୍କଳ ଜନନୀ
ବନ୍ଦେ ଉତ୍କଳ ତା, ପୂଣ୍ୟ ବୀରସୁତେ
କାବ୍ୟ କଳା ପୂର୍ଣ୍ଣବନ୍ତା,
ସଂସ୍କୃତି, ସଂସ୍କାର, ପଟ୍ଟପ୍ରଭା ଯାର
ଶୋଭାମୟୀ, ପୂଣ୍ୟସ୍ରୋତା.
ଖଚିତ, ରଚିତ, ଖୋଦିତ, ବିଦିତ, 
ରୁଚିବନ୍ତ, ରତ୍ନଗର୍ଭା,
ତଟରେ ପ୍ଲାବିତ, ନୀଳ ବିଚିମାଳା 
ବଙ୍ଗୋପସାଗର ଶୋଭା.
ସଂନ୍ଦର୍ଭିତ, ପୂଣ୍ୟ ପୀଠ, ପୂଣ୍ୟ ଧାମ, 
ପୂଣ୍ୟମୟୀ, ପୂଣ୍ୟ ଦାୟୀ,
ବୀର ସନ୍ତାନର, ଜନନୀଟି ଇଏ 
ପବିତ୍ର ଉତ୍କଳ ଭୂଇଁ.
ପୂଣ୍ୟ ଗୋଦାବରୀ ପଦ ଧୁଏ ଯାର
ବକ୍ଷରେ ଧଉଳି ସ୍ମୃତି,
ବିଦିତ ଭୂବନ ଜଗନ୍ନାଥ ଧାମ
ବାରବାଟୀ, ରାଜକୀର୍ତ୍ତି.
ବଙ୍ଗ ନରବର ଚଣ୍ଡାଶୋକ ବୀର
ଯେଉଁ ମାଟି ସ୍ପର୍ଶ କରି,
ଧର୍ମାଶୋକ ରୂପେ ପରିଚିତ ହୋଇ
ରଟିଲେ ଉତ୍କଳ ଶୀରି.
ଭଞ୍ଜ, ଅଭିମନ୍ୟୁ, ଦୀନ, ଜୟଦେବ, 
ରାଧାନାଥ, ଗଙ୍ଗାଧର,
ଭକ୍ତ ସାଲବେଗ, ଦାସିଆ ବାଉରୀ
ବଳଦେବ, ମାୟାଧର.
ପଠାଣି ସାମନ୍ତ, ସେ ସାରଳା ଦାସ 
ଦୀନକୃଷ୍ଣ, ଜଗନ୍ନାଥ, 
କୃଷ୍ଣସିଂହ କୁହ, ଗଜପତି ସହ 
ରଚିଲେ ନାନାଦି ଗ୍ରନ୍ଥ. 
ସାହିତ୍ୟ ସଉଧେ ଯୋଡ଼ି ପଦ ଛନ୍ଦ
ରଚିତ ଓଡ଼ିଶୀ ନୃତ୍ୟ,
ନବରଙ୍ଗ, ଶୋଳ କଳା, ପରିପୂର୍ଣ୍ଣ 
ବିଶ୍ଵ ଜନତା ଆଦୃତ.
କେତେ ବୀର ସୁତ ଓଡ଼ିଆ ପାଇକ
ଏ ମାଟିରେ ଜନ୍ମିଛନ୍ତି,
ଇତିହାସ କୁହେ ଉତ୍କଳ ଗାରିମା
ପୁରାତନ ଯେତେ ସ୍ମୃତି.
ମଧୁ, ଗୋପବନ୍ଧୁ, ଯଯାତି କେଶରୀ
ଗଜପତି, ଜଗବନ୍ଧୁ,
ଲକ୍ଷ୍ମଣ, ବାଜିଆ, ବଳିଆରସିଂହ 
ରାଜଗୁରୁ, କୃପାସିନ୍ଧୁ.
ଫକୀରମୋହନ, ବୀର ସୁରେନ୍ଦର
ନିଳକଣ୍ଠ, ମାୟାଧର,
ଫେରାଇ ଆଣିଲେ ପୁରୁବ ଗୌରବ
ସହି କେତେ ଦୁଃଖ ଘୋର.
ଭାଷାରେ ସରସ ଓଷା ବାରମାସ
ଯୋଶା ଯାର କୂଳବଧୁ,
ରାଜି ଅର୍କକ୍ଷେତ୍ର, ଚନ୍ଦ୍ରଭାଗା ତୀର୍ଥ, 
ନୀଳଗିରି, ନିଳସିନ୍ଧୁ.
ବକୁଳବନ ଓ ପୂଣ୍ୟ ଲିଙ୍ଗରାଜ
ରାଜରାଣୀ, ଖଣ୍ଡଗିରି,
ଗୁପ୍ତେଶ୍ଵର, ଦେଓମାଳୀ, ହୀରାକୁଦ
ଏ ଉତ୍କଳ ଶୋଭା ଶୀରି.
ରତ୍ନଗର୍ଭା ଏହି ପବିତ୍ର ଓଡ଼ିଶା
ଓଡ଼ିଆ ଯା ମାତୃଭାଷା,
ମାତୃଭୂମି ଏହି ଉତ୍କଳ ଜନନୀ
("ୟାର") ଶ୍ରେଷ୍ଠ ଭାଷା,ଯୋଶା,ଚଷା.
ରଖିବା ଆସ ରେ ପୁରୁବ ଗୌରବ
ଗାରିମା ର ପୂର୍ବ ଘୋଷ,
ହୋଇଛେ ଯଦି ରେ ଉତ୍କଳ ସନ୍ତାନ
ଗାଇବା ଉତ୍କଳ ଯଶ.
**************************
ବିଷ୍ଣୁ ପ୍ରସାଦ ମିଶ୍ର
ରଥଶର୍ମା କଲୋନୀ
କୋରାପୁଟ
9124049129

Post a Comment

0Comments
Post a Comment (0)