ମୋ ଜୀବନ ପଛେ ନର୍କେ ପଡ଼ିଥାଉ - ବିଷ୍ଣୁ ପ୍ରସାଦ ମିଶ୍ର

0
ମାଗିବି କାହିଁକି ଶରଧାବାଲି ରୁ
କଣିକାଏ ଅବା
ସରଗ ଦୁଆରୁ ଜାଗା ଚ଼ାଖଣ୍ଡେ,
ଅଭଡ଼ା କି ସତେ ନିହାତି ଜରୁରୀ
ଏ ଜୀବନେ ମୋର
ରହିବି କାହିଁକି ତୋ ବଡ଼ ଦାଣ୍ଡେ.
ଇଶ୍ବର ଦେଇଛି ନଶ୍ବର ଶରୀର
ତାହାରି ଦାନରେ
ମରତ ମଣ୍ଡଳେ ହୋଇଛି ଠିଆ,
ସବୁ ଦେଇଅଛି ସବୁ ଥୋଇଅଛି
ଯାହା ମୁଁ ପାଉଛି
ଏତିକି ସବୁତ ତାହାରି ଦୟା.
ଆଜି ସିନା ସବୁ କହେ ମୋର ମୋର
ମଲା ବେଳେ କିଏ
ଥିବେ କି ନଥିବେ ଜାଣିନି ଦିନେ,
ସଞ୍ଚିତ ରଖଛି ବାଞ୍ଛିତ କରୁଛି
ଲୋଭେ ଲାଭେ ସବୁ
ଆପଣାର ବୋଲି ଗରବ ମନେ.
କି ଅବା ମୁଁ ନେବି କି'ଅବା ରଖିବି
ହିସାବ କରିନି
କରୁ କରୁ ମୋର କରମ ମାନ,
କିଏବା ମୋହର କିଏ ଅବା ପର
ମିଛ ମାୟା ଘୋରେ
ସ୍ଵାର୍ଥପର ଏଠି ସବୁ ସମାନ.
ଜୀବନଟା ଖେଳ କରିବାଟା କାଳ
କରାଳ ଗତିରେ
କାଲିକି ନଥିବ ଆଜିର କଥା,
ଆସିବା ଜାଣିନି ଯିବା ବି ଜାଣିନି
କେଉଁଠୁ ଆସିଲି
କେଉଁଠିକି ଯିବି ତାହାରି ଚିନ୍ତା.
ଯାହା ସାଥେ ନେବି ତାହା ମୁଁ ଭୋଗିବି
ଯାହା ଛାଡ଼ିଥିବି
ତାହା ପାଇବି ମୁଁ ନିମିତ୍ତ ମାତ୍ର, 
ଦେଖଣାହାରୀ ଏ କହିବେ ଶେଷରେ
ଯମ ନିକିତିରେ
ତଉଲ କରିବେ ଏ ଚ଼ର୍ମ ଗାତ୍ର. 
ଅନ୍ତର୍ଯ୍ୟାମୀ ତୁମେ କରିବା କରମେ
ମୋ ଖେଳ ପାଊଣା
ତୁମକୁ ଅବା କି ମାଗିବି ଆଉ, 
ମୋ ଜୀବନ ପଛେ ନର୍କେ ପଡ଼ିଯାଉ
ଏତିକି ମାଗୁଣି
ଛନ୍ଦା ଚ଼ରଣରେ
ପାପରୁ ଜଗତ ଉଦ୍ଧାର ହେଉ.
****************************
ବିଷ୍ଣୁ ପ୍ରସାଦ ମିଶ୍ର
ରଥଶର୍ମା କଲୋନୀ
କୋରାପୁଟ
9124049129

Post a Comment

0Comments
Post a Comment (0)