
ହୃଦ ବିଦାରଣ ଦେଖି ସେ କଷଣ
ହଜାରେ ଆଖିରୁ ଝରଇ ଲୁହ
କାନ୍ଦେ କଇଁ କଇଁ ଦେଶ ଯାହା ପାଇଁ
ଗୋପନେ ବସିଛି ଲୁଚାଇ ମୁହଁ...
ଖେଳେ ଯେବେ ଗୁଳି ରକତର ହୋଲି
ଖୋଜୁଛି ପ୍ରମାଣ ତୁମରି ନେତା
ଠିକଣା ହଜେଇ ଦେଇଛି ସନ୍ତାନ
ଖୋଜେ ଗାଆଁ ମାଟି ଖୋଜଇ ମାତା..
କେତେଦିନ ପୁଣି ମୋଦେଶ ଜନନୀ
କାନ୍ଦୁଥିବ ଦେଖି ସୀମାନ୍ତେ ରଣ
ଉଦାସ ଆଖିରେ ଅସୀମିତ ସ୍ବପ୍ନ
ବିବଶ ନୁହେଁ ସେ ଭାଙ୍ଗିବ ପଣ
ଦେଇକି ପାରିବ ତା' ମୁହଁରେ ଖୁସି
ପୋଛିକି ପାରିବ ଆଖିରୁ ଲୁହ
ବୁଝିକି ପାରିବ ମାଆ ମନ କଥା
ବୁକୁଫଟା କାନ୍ଦ ହୃଦୟେ କୋହ...
ଲିଭିବନି ଆଉ ଜଳେ ଦାଉ ଦାଉ
ସଭିଙ୍କ ମନରେ କ୍ରୋଧର ନିଆଁ
ଝରୁନି ଲୋତକ ଝରୁଛି ରକତ
ଜାଳିଦେବ ସିଏ ଶତ୍ରୁର ହିଆ...
ପବିତ୍ର କୁମାର ନାୟକ, କେଲୁଆପଲ୍ଲୀ, ଗଞ୍ଜାମ
ଆପଣ ଯଦି ଏହି ବିଷୟଟି ପଢି ସାରିଛନ୍ତି, ତେବେ ଗଠନ ମୂଳକ ପ୍ରତିକ୍ରିୟା ପ୍ରଦାନ କରନ୍ତୁ ।