
ସେକାଳ ସୂରୁଯ ବିଛୁରି ମୁରୁଜ
ଦେଉଥିଲା ଯେଉଁ ସୁନେଲି ଖରା
ଉଭେଇ ଯାଇଛି ଜ୍ୱଳନକୁ ମାଖି
ଲୁଚି ଯାଇଛି ସେ ସଞ୍ଜୁଆ ତାରା..
ପୂରୁବା ପବନ ଛୁଇଁଦେଇ ମନ
କହୁଥିଲା ଯେଉଁ ପୀରତି ଗପ
ସପନ ବେଳାରେ ସୁପ୍ତ ନଈ ଧାରେ
ମୁରୁକି ହସୁଛି ମାଡୁନି ପାଖ..
ମୃଦୁ ପରଶର ଶୀତଳ ସମୀର
ହଜେଇ ଦେଇଛି ଠିକଣା ତା'ର
ତପତ ବୈଶାଖୀ ନେଇଛି ପରଖି
ଶିଶିର ନିଶିରେ କରିଛି ଘର..
ବଇଶାଖୀ ବାଆ ଡହ ଡହ ନିଆଁ
ଧରଣୀ ଦେହରେ ପରଷେ ତାତି
ଦିନ ଦିପହରେ କାଳର କରାଳେ
ଟାଇଁ ଟାଇଁ ଖରା ବଡାଏ ଭୀତି..
ଜ୍ୟେଷ୍ଠ ଆକାଶର ଘଡ ଘଡ ସ୍ୱର
ଆଶାଦେଇ ମନେ ଉଭେଇ ଯାଇ
ଆଷାଢ଼ ବୁକୁରେ ଚପଳା କାନିରେ
ବସିଛି ଗୁମାନେ ମୁହଁ ଲୁଚେଇ..
ଶ୍ରାବଣର ତନୁ ଛୁଇଁଦେବା ଦିନୁ
ଅଲାଜୁକି ଝଡ଼ ଝଅଟେ ଆସି
ଭୋଦୁଅ ସେପାରି ଆଶ୍ୱିନକୁ ଠାରି
ଲୁଟି ନେଇଗଲା ସବୁରି ଖୁସି..
ସୁପ୍ତ ପାରାବାର ଝରଣାର ଝର
ଶୁଖି ଯାଇଛି ସେ ତଟିନୀ ଧାର
ସାଗର ବୁକୁରେ ସୁନାମୀର ଢ଼େଉ
ଛାରଖାର କରେ ହୋଇ ଅସ୍ଥିର..
କୋଇଲିର ତାନ ସାଜିଛି ସପନ
ଶେଫାଳୀ ତନୁରୁ ରୁଧିର ଝରେ..
ମଳିନ ପଡ଼ିଛି ପୂନେଇଁର ଶଶୀ
ବସନ୍ତ ହଜିଛି ଫଗୁଣ ତୀରେ..
ପବିତ୍ର କୁମାର ନାୟକ
କେଲୁଆପଲ୍ଲୀ, ଗଞ୍ଜାମ