ବାପା - ଉଷାରାଣୀ ଦାସ

0

ତମେ ଗଲା ପରେ
ବାପା ଚାରିଆଡେ ଖାଲିଖାଲି
ସେ ଘର ଅଗଣା ଦାଣ୍ଡ ଦୁଆର
ତମେ ବସୁଥିବା ଆରାମ ଚୌକି
ସବୁଆଡେ ଶୂନ୍ୟତାର ମରୁବାଲି।

ଏଭିତରେ 
ବଦଳି ଯାଇଛି ଅନେକ କିଛି
ବଦଳିଛି ସେ ଘର
ତମ ହାତ ତିଆରି ଗୁହାଳ
କଙ୍କ ବାଛୁରୀ ତମ ଖାଉନାହିଁ ଘାସ
ତମ ଅବର୍ତ୍ତମାନରେ ତମ କାଳୀଗାଈ
ଆଖିରୁ ଅସରା ଲୁହ ଦେଉଛି ବୁହାଇ।

ଦେଖିଦେଇ ତୁମେ ହୋଇଯାଅ ଖୁସି
ପଚାର ଉଷା ଚା ପିଇବୁ
ହେଉ ସେ ସକାଳ ଅପରାହ୍ନ
ଅବା ଦ୍ବିପ୍ରହର ତାତି

ନଇଁ ନଇଁ ଚାଲି
ତମେ  ଆଣ ତୋଳି
ବାଡି ନେଉଟିଆ
ଝିଅ ମାନଙ୍କ ପାଇଁ
ପାରିଦିଅ ଗଛରୁ ସଜନା ଛୁଇଁ
ଆଉ ଅମୃତ ଭଣ୍ଡା
କସି ଶିମ୍ବ ଆଉ ମଟର ଛୁଇଁ

ସଜାଡି ଦିଅ ଲୁଣ ତେନ୍ତୁଳି
ଆଉ ଆମ୍ବୁଲ
ବନେଇଲା ବାଡି ଆମ୍ବ
ପାରିଦିଅ ଗଛରୁ କାଗିଜି ଲେମ୍ବୁ
ଅବା ପାଚିଲା କରମଙ୍ଗା।

ଯିବାକୁ ଥିଲେ କର୍ମକ୍ଷେତ୍ରେ
ତମେ ଥାଅ ସଦା ମୋ ପଛେ
ଉଷା ତ' ସମୟ ହୋଇଯିବ
ଜଲଦି ବାହାରି ଯା'
ମନେ ରଖିଥିବୁ ସଦା
" କର୍ମ ହିଁ ଭଗବାନ" ।

ଆଜି ଚାରିଆଡେ ଶୁନଶାନ ଖାଁଖାଁ
ସହି ହେଉନି ରହି ହେଉନି
ହୃଦୟ ଫଟାଇ ଝରୁଛି ଲୁହ
ବାପା ସତେ କଣ ତମେ
ଫେରିବନି କେବେ
ସେ ଅପହଁଚ ଇଲାକାରୁ
ଆମ ପାଇଁ।

ଖାନନଗର,ବାଲେଶ୍ବର

Post a Comment

0Comments
Post a Comment (0)