
ମୋ ଦେଶ ଅବସ୍ଥା ଦେଖିଲା ବେଳକୁ
ଆଖିରୁ ବୁହଇ ଲୁହ,
ଦୁଃଖ ଯନ୍ତ୍ରଣା ରେ ରୁନ୍ଧି ହୋଇ ଯାଏ
ଚାପି ରଖେ ନିଜ କୋହ II
ମୋ ଦେଶ ଶିଶୁର ପଞ୍ଜରା ଦିଶୁଛି
ଖାଇବାକୁ ନାହିଁ ଦାନା,
ରାସ୍ତା କଡେ ଶୋଇ ପିଏ ନଳା ପାଣି
ପିନ୍ଧିବାକୁ ନାହିଁ କନା II
ମାଆର ଅବସ୍ଥା କହିଲେ ନ ସରେ
ଭିକ ମାଗେ ଦ୍ୱାରେ ଦ୍ୱାରେ,
ନିଜକୁ ବଞ୍ଚାଇ ରଖିବାକୁ ଯାଇ
ନିଜ ଛୁଆ ବିକ୍ରି କରେ II
ସ୍ୱାସ୍ଥ୍ୟ କଥା ଏବେ ନ କହିଲେ ଭଲ
ଛୁଆ ଭଲ ନI ତା ମାଆ,
ରୋଗ ବ୍ୟାଧି ନେଇ ପଡି ରହିଛନ୍ତି
କହିବ କେ ତାଙ୍କୁ ଆହା II
ଶିକ୍ଷା ଅଭାବରେ ଗରିବ ଛୁଆ ଯା
ଏଠି ସେଠି ବୁଲୁ ଥାଏ ,
ପାଠ ପଢିବା ତା ସୀମିତ ରୁହଇ
ମଧ୍ୟାନ୍ନ ଭୋଜନ ଯାଏଁ II
ଶିଶୁ ଯୁବା ଆଉ ବୃଦ୍ଧା ନିତି ଦିନ
ନିର୍ଯାତିତ ହେଉ ଥାଏ ,
ଅତ୍ୟାଚାର ବେଶୀ ସହି ନ ପାରି ସେ
ଶେଷକୁ ପ୍ରାଣ ହରାଏ II
ଯୌତୁକ ନିଆଁରେ ଜଳୁଛନ୍ତି କେତେ
ଝିଅ ଆଉ ପରିବାର ,
କେହି ବୁଝେ ନାହିଁ କନ୍ୟାର ମୂଲ୍ୟକୁ
ଭୃଣ ହତ୍ୟା ହୁଏ ସାର II
ଚାଷୀ ହାରେ ନିଜ ଜୀବନକୁ ପୁଣି
ଦେଶ ଜନତା ର ପାଇଁ ,
ତା କଥାକୁ କେହି ଅନ୍ତରେ ଭIବେନା
କାହିଁ ସେ ଚାଷ କରଇ II
ବଡବଡିଆଙ୍କ ଖେଳ ଚାଲେ ଏଠି
ଟଙ୍କା ଅଟେ ମୂଳଲକ୍ଷ୍ୟ,
ଯେ ଯେତେ ଲୁଟିଲା ସେ ସେତେ ଉଠିଲା
ଭାବେ ନିଜକୁ ସେ ଦକ୍ଷ II
ଦିନ ଦୁଃଖୀ ଦେଖି ଶୋଷଣ ଚାଲିଛି
କହିବାକୁ ନାହିଁ କେହି ,
ଯେ ମୁହଁ ଖୋଲିଲା ସେ ପାନେ ପାଇଲା
ପାରିବନି ଆଉ ରହି II
ଭୋଟ ନିଅନ୍ତି ନୋଟ ଦେଖେଇ
ସବୁ କରିଦେବୁ କହି,
ଜିତିଗଲା ପରେ ସରିଗଲା ନାଟ
ଜମି ଯିବ ତାଙ୍କ ବହି II
ତେଲିଆ ମୁଣ୍ଡରେ ତେଲ ନିଗୁଡୁଛି
ନୁଖୁରା ମୁଣ୍ଡରେ ପାଣି ,
କେଉଁ କାମ ଏଠି ମାଗଣା ହୁଏନା
ପଇସା ନିଅନ୍ତି ଗଣି II
ଜାତି ଧର୍ମ ପାଇଁ ହଣା କଟା ଚାଲେ
ମଣିଷ ଧରମ ନାହିଁ ,
ଅନ୍ୟାୟ ପଥରେ ଚାଲିବାକୁ ଯାହା
ଲୋକ ହୁଏ ହIଇଁପାଇଁ II
ପରମୁଣ୍ଡେ ଏଠି ଅଠା ବୋଳିବIକୁ
ଯାହାକୁ ଦେଖିବ ଯେତେ,
ପରଧନ ନେଇ ଅୟଶ କରନ୍ତି
କାହାକୁ କହିବୁ କେତେ II
ଠକେଇ ଦୁଷ୍କର୍ମ ଭ୍ରଷ୍ଟାଚାର ଏଠି
କେଉଁ ଜାଗାରେ ବା ନାହିଁ ,
ପରିଶ୍ରମ ବିନା ଭୋଗିବା ପାଇଁ କି
ଲୋକେ ବସିଛନ୍ତି ଚାହିଁ II
ଦେଶ ସେବା ଏଠି ଲୋକ ଦେଖାଣିଆ
ପକେଟ ଭରିବା ଧନ୍ଦା ,
ଭୋଗ ଖାଇ ଖଟୁଲୀକୁ ନ ଛାଡ଼ନ୍ତି
କରନ୍ତି ସଭିଙ୍କୁ ଚନ୍ଦା II
ସ୍ନେହ ଦୟା ଧର୍ମ ନ୍ୟାୟ ସମ୍ମାନ
କେଉଁଠି ପାଇବୁ ନାହିଁ ,
ଯେଉଁଠି ପାଇବୁ ଜାଣି ଯିବୁ ତୁହି
ସ୍ୱାର୍ଥ ରହି ଥିବ ତହିଁ II
ବିଦେଶୀ ଶାସନ ଠାରୁ ବଳିଗଲା
ନିଜ ଲୋକ ଲୁଟେ ବେଶୀ,
କଛାଟାକୁ ତୋର କାଟି ନେଇ ଯିବେ
ଆଗେ ତୋର ହସି ହସି II
ସସ୍ମିତା ସାହୁ, ନାଶିକ, ମହାରାଷ୍ଟ୍ର