
କାଉଟିଏ ଦିନେ ଗଛର ଡାଳରେ
ବସିଥିଲା ମନମାରି
ରୂପ ତା'ର କଳା କେଡେ ଅସୁନ୍ଦର
ହେଉଥିଲା ମନେ ଘାରି
କଣ୍ଠରେ ନାହିଁ ମିଠା ସୁର ଟିକେ,
ଭଲ ପାଆନ୍ତିନି କେହି
କଳା ହେଲେ ବି ତ କୋଇଲି କଣ୍ଠରେ
ମିଠା ସୁର ଦେଲା ବିହି
ସେଥିପାଇଁ ସିଏ ଆଦର ପାଏ
କେତେ ସୁଖେ ସତେ କୋଇଲି ରହିଛି
ମୋତେ ପଚାରୁଛି ଜଗତେ କିଏ ?୧
କୋଇଲି ପାଖକୁ ଧୀରେ ଧୀରେ ଯାଇ
କହିଲା-" ତୁ ବଡ ସୁଖୀ
ତୋହରି କଣ୍ଠରେ ମଧୁ ସୁର ବିହି
ଦେଇଛି ତୋ ମନଲାଖି
ଦୁନିଆଯାକର ଆଦର ସେନେହ
ନେଇ ସୁଖ ଭୋଗୁଥାଉ
ତୋହଠାରୁ ବଳି ସୁଖୀ କିଏ ଅଛି
ଦୁନିଆ ଭିତରେ ଆଉ ?"
କାଉ କଥା ଶୁଣି କୋଇଲି ହସି
କହିଲା-" ନାନୀ ଲୋ, ମିଛେ ଗୁଣ ଗାଉ
ବିହି ଛଡାଇଛି ମୋଠାରୁ ଖୁସି ।୨
ସୁର ସିନା ମିଠା ରଙ୍ଗ ତ କଳା,
ସ୍ଥାୟୀ ଘର ଗୋଟେ ନାହିଁ
ଖରା, ବର୍ଷା, ଶୀତ ସହିବା ଶକତି
ଏ ପୋଡା ଶରୀରେ ନାହିଁ
କଉଣସି ଥାନେ ରହିପାରେ ନାହିଁ
ଘୂରିବୁଲେ ଦେଶ ଦେଶ
ମୋହଠାରୁ ଦୁଃଖୀ ଆଉ କିଏ ଅଛି
ଦେଖ ତୁ ବଗକୁ ଦେଖ
ଧଳା ଫିନ୍ ଫିନ୍ ଶରୀର ଧରି
କେଡେ ସୁଖରେ ସେ ଦିନ ବିତାଉଛି
ଆଉ କିଏ ହେବ ତାହାର ସରି ?" ୩
କାଉ ଓ କୋଇଲି ବଗପାଖେ ଗଲେ
ବୁଝିବାକୁ ସୁଖ ତା'ର
କାଉ କହେ," ଭାଇ, ନପାଉ ତୁ ପଛେ
କାହାରିଠାରୁ ଆଦର
ତୋହଠାରୁ ସୁଖୀ କହ କିଏ ଆଉ
ଏଇ ଦୁନିଆରେ ଅଛି
ରୂପ ତୋ ସୁନ୍ଦର ଧ୍ୟାନ ଚମତ୍କାର
ଖାଦ୍ୟ ତ ମିଳିଯାଉଛି ।"
ବଗ କହେ," ତାହା ନୁହେଁ ରେ ନୁହେଁ
ଖରା, ବର୍ଷା, ଶୀତ ଖଟଣି ଅନେକ,
ଠକ ବୋଲି ମୋତେ ଜଗତ କହେ ।୪
ଦେଖ ଏ ମୟୁର ସୁନ୍ଦର ଶରୀର
ପୁଚ୍ଛ ତା'ର ମନୋହର
କମନୀୟ ଠାଣୀ ଭାରି ମନଲୋଭା
ସୁଖ ତା'ର ଅସୁମାର ।"
ପରଖିବା ପାଇଁ ମୟୁର ପାଖକୁ
ଚାଲିଲେ ଏ ପକ୍ଷୀଦଳ
ମୟୁର କହିଲା," ଦେଖିବାକୁ ସିନା
ସୁନ୍ଦର ମୋ ଶରୀର
ବେଶୀ ବାଟ ମୁହିଁ ପାରେନା ଉଡି
ସେଥିପାଇଁ ମୋର ସଦା ପ୍ରାଣଭୟ,
ଯମ ମୁହେଁ କାଳେ ଯିବି ମୁଁ ପଡି ।"୫
ମନ ବୁଝିଗଲା, ସଭିଏଁ ଏଥର
ଏକାଠି ବିଚାର କଲେ
ସୁଖ ଦୁଃଖ କିଛି ଜଗତରେ ନାହିଁ,
ସବୁ ଏ ମନର ମୂଳେ
ସୁଖ ପଛପାଖେ ଦୁଃଖ ଲୁଚିଥାଏ
ଦୁଃଖ ପଛପାଖେ ସୁଖ
ଆପଣାକୁ ଯାହା ଦେଇଛି ଦଇବ,
ତାହା ଆମପାଇଁ ଟେକ
ସେତିକିରେ ଆମେ ଖୁସି ହିଁ ହେବା
ରୂପ କିଛି ନୁହେଁ, ଗୁଣରେ ଜଗତ-
ଜନଙ୍କ ହିତରେ କାମ କରିବା ।୬
ତାପସ କୁଟୀର, ବଇଣ୍ଡା, ଅନୁଗୋଳ
ମୋ- ୯୪୩୮୪୮୧୧୩୬