
ଟୋଣ୍ଟି ଏଇଟିନି ଫେଆର ଉଏଲ
ଚୁଚା ତିରିଶିରେ ଦେଲା
ରବିବାରଟାରେ ସାଂଗସହ ମିଶି
ମସ୍ତ ଭୋଜି କରିଥେଲା
ମଦ ମାଉଁସ ଖାଇଲା
ବାକାଡି ଲେମନ ଅଷ୍ଟ୍ରେଲିଆ ବାର୍ଡ
ବିଦାୟୀ ମେନୁରେ ଥିଲା ।
ସୋଁ'ବାରେପଡିଲା ଵର୍ଷ ଶେଷଦିନ
ଆଇଁଷ ଖାଇଲା ନାଇଁ
ଶିବଙ୍କ ବାରରେ ଆଇଁଷ ଖାଇଲେ
ନର୍କରେ ବି ଠାବ ନାଇଁ
ପିଇଲେ ତ ଦୋଷ ନାଇଁ
ଫଳରୁ ତିଆରି ଫରେନ ଲିକର
ସଂଜବେଳେ ଦେଲାପିଇ ।
ଓଡିଆ ମାନଙ୍କ ନୂଆ ବରଷଟା
ପଡେକେବେ ଜାଣିନାହିଁ
ହିନ୍ଦୁ ନବବର୍ଷ ଜୀବନ କାଳରେ
କେବେ ମଧ୍ୟ ପାଳିନାହିଁ
ଥାଟିଫାଷ୍ଟ କରେ ବାଇ
ଫାଷ୍ଟ ଜାନୁଆରୀ ହେତୁ ପାଇବାଠୁ
କରେ ସେଲିବ୍ରେଟ ସେଇ ।
ଏଭ୍ରି ନ୍ଯୁୟରରେ କରେ ସଂକଳପ
ଛାଡିବାକୁ ପାନବିଡି
ଆଉକେବେ ମଦ ପିଇବନି ବୋଲି
କହେ ଛୁଇଁ ସ୍ତିରୀ ବଡି
ପାରେନାହିଁ କିନ୍ତୁ ଛାଡି
ଅଳପ ଦିନରେ ସଙ୍ଗଦୋଷେ ପଡି
ପଥ ଯାଏ ପୁଣି ହୁଡି ।
ରିଜୋଲୁସନ'ଟା ବଦଳି ଯାଇଛି
ଏଇ ନୂଆ ବରଷରେ
ମଦ ପିଇବାଟା ନିହାତି ଦର୍କାର
ବୁଝେଇ ଦେଇଚି ଘରେ
ମଦ ପିଇ ପଛେ ମରେ
ଏକ୍ସାଇଜ ଡ୍ଯୁଟି କମିଲେ ରାଜ୍ୟର
ଭାସିଯିବ ଦରିଆରେ ।
ସଲିଳ କୁମାର ସ୍ଵାଇଁ, ଶିକ୍ଷକ
ସୁନ୍ଦରପୁର ପ୍ର ଉ ପ୍ରା ବିଦ୍ୟାଳୟ