
ରାତି ଚାରିଟାରୁ ମାଇକିରେ ବାଜେ
ଗୋପାଳ ସହସ୍ରନାମ
ପାହାନ୍ତିଆ ନିଦ ଭାଙ୍ଗିଯାଏ ଆମ
ପବିତ୍ର ହୁଅଇ କର୍ଣ୍ଣ ।
ଗୀତାଭବନରେ କମଳା ମଂଦିରେ
ଡାକବାଜି ବାଜେ ନିତି
ପେଟ ପୁରିଉଠେ ଏ କଳିକାଳରେ
ଦେଖି ଈଶ୍ୱର ପୀରତି ।
ବଡି ଅନ୍ଧାରରୁ ଚୁଚା ଉଠିଯାଏ
ମଣିଙ୍ଗ ଓ୍ଵାକରେ ଯାଏ
ଗାଧେଇପାଧେଇ ମଂଦିରକୁ ଯାଇ
ଚନ୍ଦନ ତିଳକ ନାଏ ।
ଦିନ ବେଳଟାରେ ଲାଉଡୁ ସ୍ପିକର
ଜାଗାଅଜାଗାରେ ବାଜେ
ଶିକ୍ଷା ଅନୁଷ୍ଠାନ ଡାକତରଖାନା
ଭିତରେ ଶବଦ ଗୁଂଜେ ।
ରୋଗୀର ଯନ୍ତ୍ରଣା ବିଦ୍ୟାଳୟପଢା
ହୁଅଇ ପରଭାବିତ
ଫୁଲୁ ଭଲୁମୁରେ ଗୀତ ବଜେଇବା
ଅଧିକାର ଜନ୍ମଗତ ।
ମଠାଯୋଡ ପିନ୍ଧି ଖୋଳଗିନି ଧରି
ଅତି ଧରମାନୁରାଗୀ
ମନ୍ଦିର ପ୍ରତିଷ୍ଠା ଜାଗଯଜ୍ଞ ପାଇଁ
ଅଟରେ ଆସନ୍ତି ମାଗି ।
ନଡ଼ିଆ ଚାଉଳ ପଇସା ସୁନ୍ଦୁର
ଯାହାଦେଲେ ତାହାନେବେ
ମାଇକି ଫଟେଇ ଦାତା ନାଆଁଡାକି
କଇଲାଣ କରୁଥେବେ ।
ସଂଜ ନଇଁଗଲେ ଭଗତ ଘରରେ
ଡାକବାଜି ଲଗାଅନ୍ତି
ସାଇରେ ସାଇରେ ମଠ ମନ୍ଦିରରେ
ଉଚ୍ଚସ୍ଵରେ ରଡୁଥାନ୍ତି ।
ପାଠପଢା ନଷ୍ଟ ହଉ ପିଲାଙ୍ଗର
ବୋପା'ତ ଜଂଜାଳମୁକ୍ତ
ଗଭୀର ଗିଆନ ରଡୁଚି ପୁରାଣ
ହେବାକୁ ଈଶ୍ୱରପ୍ରାପ୍ତ ।
ଆସିଲେ ବାରାତି ଗାଆଁକୁ ଆମର
ଡିଜେ ଦୁଲୁକାଏ ଛାତି
ଦୁଲୁକାଏ ଘର ଫାଟିଯାଏ କାନ
ନାହିଁ ଜ୍ଞାନ ନାହିଁ ଗତି ।
ଇସ୍ତାହାର ଦେବେ ପଙ୍କଫିଙ୍ଗାଫିଙ୍ଗି
ଆସିଲା ନିରିବାଚନ
ସାକାଳ ଆଆଠୁ ସଂଜ ସାତ ଯାଏଁ
ଉଠିବପଡିବ ଗ୍ରାମ ।
ବରଷ ତମାମ ଦିନରେ ରାତିରେ
ଶବ୍ଦ ପ୍ରଦୂଷଣ ହୁଏ
ପୁଲିସି ନୀରବ ସ୍ଥାଣୁ ପ୍ରଶାସନ
କହିଲେ ଶୁଣିବ କିଏ ?
ଆଇନ ତିଆରି ଆମେ ତ କରୁଚେ
ଭାଙ୍ଗିବା ବି ଆମ କାମ
ସଲିଳ ସିଲଟ କରଇ ଗୁହାରୀ
ଛାଡରେ ମାଇକି ପ୍ରେମ ।
ସଲିଳ କୁମାର ସ୍ଵାଇଁ, ଶିକ୍ଷକ
ସୁନ୍ଦରପୁର ପ୍ର ଉ ପ୍ରା ବିଦ୍ୟାଳୟ
ସୁନ୍ଦରପୁର, ଖୋରଧା, ଓଡିଶା