
ଶୀତ ଗୀତ ଗାଏ ମିତ ରେ ଏଯେ ପଉଷ ମାସ
ଶିଶିର ପତନେ ଧବଳ ଦିସେ ପ୍ରକୃତି ବେଶ ।।
ସବୁଜ ଦୁର୍ବା କି ଗାଲିଚା ଅଙ୍କେ ଧବଳ ବର୍ଣ୍ଣା
କୁଟିକମ କରା ହୀରକ ପୁଷ୍ପ ଖଞ୍ଜିଲା ସିନା ।।
ବିହି ଚିତ୍ରକର ସୁଠାମ ସୁଢଳ ଚିତ୍ରକଳା
ଶୀତ ର ସ୍ଵାଗତ ପାଇଁକି ଆଙ୍କି ଅଛନ୍ତି ପରା ।।
ଦାସକେରଣ୍ଡା ର ସୁବର୍ଣ୍ଣ ବର୍ଣ୍ଣା କୁସୁମେ ମହୀ
ଝୁମ୍ପା କଣ୍ଟା ଡାଳେ ଭ୍ରମର ଶୀତ ବସିହସଇ ।।
କଣ୍ଟେଇ କୋଳି ର କୋଳିରେ ଦେଖ ଶୀତ ଆସିଛି
ମଣ୍ଡା ମକମଲୀ ସେବତୀ ରଙ୍ଗେ ଶୀତ ହସୁଛି ।।
ଶୀତ ଆସି ହିତ ମନାସେ ଗୀତ ଗାଅ ରେ ମିତ
ବଣଭୋଜି ବଣ ଗହଳେ ଏଯେ ପଉଷ ମାସ ।।
ସକାଳ କଅଁଳ ଖରାରେ ନୀଳ ସୁନ୍ଦର ନଭ
ଖରା ଛାଇ ଶୁଭ୍ର ରଙ୍ଗରେ ଶୀତ ହୁଏ ଉଦ୍ଭବ ।।
କୁବ୍ଝଟିକା ମୟ ସରଣୀ ଶୀତ ଚଦର ତଳେ
ଶୀତ ଥରାଉଛି ଧରାକୁ ଚିତ୍ର ତାରକା ମେଳେ ।।
ଚୁତ ମହୀରୁହ ରସାଳ ଡାଳେ ବକୁଳ କଳି
ଅଙ୍ଗେ ଶୀତ ଆସି ବିରାଜେ ମଧୂମକ୍ଷିକା ମେଳି ।।
ଗୁଣୁଗୁଣୁ ତାନେ ବିତାନେ ବାଣୀ ବୀଣାର ସ୍ଵର
ପ୍ରତିତ ହୁଅଇ ସତେ କି ସମ ବୀଣା ଝଙ୍କାର ।।
ଋତୁ ମଧ୍ୟେ ଏହି ଶିଶିର ମାଘ ପଉଷ ମାସ
ସଉଖିନ ବେଶ ପୋଷାକେ ଶୀତ ହୁଅଇ ସଜ ।।
ସୁଖ ଦୁଃଖ ଫେଣ୍ଟା ମଧୂର ଏହି ଶିଶିର କାଳ
ବିହି ଙ୍କ ରଚନା ବିଚିତ୍ର ଗୀତେ କହେ ପ୍ରଫୁଲ୍ଲ ॥
ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର, ମଙ୍ଗଳାଯୋଡି, ଖୋର୍ଦ୍ଧା