
ତିନି ବରଷିଆ ନାତି ଟାକୁ ନେଇ
ପୁଅ ବୋହୂ ଙ୍କ ର କଳି।
ଅଙ୍ଗନବାଡି ରେ ପାଠ ପଢାନାଇଁ
ଖେଳୁଚି କଣ୍ଡେଇ ଧୂଳି,
ଦେହ ରେ ଭରତି ମଳି।
ଅଣ୍ଡା, ସୋୟା ବଡି ଡାଲମା ଖାଇକି
ସମୟ ଯାଉଚି ଚଳି।
ପାଠ ପଢୁନେଇଁ ତିନି ବରଷରୁ
ପୁଅ ବୋହୂ ଙ୍କର ଚିନ୍ତା।
ଦିହିଙ୍କ ଭିତରେ ଖେଣ୍ଟିଆ ଖେଣ୍ଟେଇ
ଖାଲି ପାଠ ପଢ଼ା କଥା।
ପୁଅ ଦେଲା ଗୋଟେ ମୁଥା,
ବୋହୁ ରାଗିଯାଇ ପୁଅ ଉପରକୁ
ଫୋପାଡିଲା ହେମ ଦସ୍ତା।
ମୁଣ୍ଡ ଫାଟିଯାଇ ରକତ ସ୍ନାହାନ
ହୋଇଗଲା ମୋର ପୁଅ।
ଡାକ୍ତରଖାନା ରେ ଦିଇ ମାସ ରହି
ବହିଲା ଖରଚ ସୁଅ।
ୟାକୁ ଦେଖି ମୋର ଦିହ,
ବଢି ଯାଇଅଛି ପ୍ରେସର,ସୁଗାର
ତୁଟୁଚି ବଞ୍ଚିବା ମୋହ।
ଅଣ୍ଡର ମାଟ୍ରିକ ବୋହୂ ର ଜିଗର
ଗାଆଁ ରେ ରହିବ ନାଇଁ।
ଭୁବନେଶ୍ୱର ରେ ଘରଭଡା ନେଇ
ପିଲା ପଢ଼ାଇବ ରହି।
ଭଲ ସ୍କୁଲ ମୁନା ପେଇଁ,
ସେଠି ମାଳମାଳ ସେଇ ଷ୍ଟାଣ୍ଡର୍ଡ ର
ଗାଆଁରେ ଗୋଟେ ବି ନାଇଁ।
ବୋହୁ ର ଆଦେଶ ପୁଅ ଶୁଣିବନି
ଜଗତେ କୋ ପୁଅ ଅଛି ?
ଗାଡି ଡାକିଦେଇ ଜିନିଷ ପତର
ବେଗି କଲେ ଗୋଛା ଗୋଛି ।
ମୁଁ ଥୁଣ୍ଟା ଦେଖୁଅଛି,
ଲଅମ୍ବ ଲଅମ୍ବ ଗୋଡ କାଢ଼ି ଦୁହେଁ
ମଟର ରେ ଗଲେ ପଶି।
ମୁନା କାନ୍ଦୁଥିଲା ଜମା ଯିବନେଇଁ
ଜେଜେ ଜେଜିମା କୁ ଛାଡି।
ବିଚରା ପିଲାଟା କି ଅବା କରିବ
କାନ୍ଦି କରୁଥିଲା ରଡି।
ମା କଲା ରୁ ବାଡାବାଡି,
ଜବର ଦଅସ୍ତ ମଟର ଭିତରେ
ପେଲି ହୋଇ ଗଲା ଚଢି।
ଦଣ୍ଡେ ଠିଆ ହୋଇ ଦାଣ୍ଡେ ଭାବୁଥିଲି
କି ଯୁଗ ଆସିଲା ଆହା।
ଏଭଳି କାଣ୍ଡ ଟା ଶିଶୁ ନିର୍ଯାତନେ
ଗଣା ନ ହୋଇବ କିଆଁ ?
ଘରେ ନିଜ ବାପା ମାଆ,
ପାଠପଢ଼ା ନାମେ ତିନି ବରଷ ରୁ
ପିଲା ଙ୍କୁ ଚେଙ୍ଗନ୍ତି ନିଆଁ।
ମୁନା ବୋହୁଅଛି ସ୍କୁଉଲୁ ବ୍ୟାଆଗ
ଅନ୍ଦାଜ ରେ ଦଶ କିଲୋ।
କୁଲି ମଜୁରିଆ ତଳୁ ଉଠାଇଲେ
ମାଗିବେ ଆଗୁଆ ମୂଲ।
ବାପା ମା'ଙ୍କୁ ଲାଗେ ଭଲ,
ପୁଅଟା ତାଙ୍କର ଗାଆଁ ରେ ନ ପଢି
ପଢ଼ୁଚି ଇଂରାଜୀ ସ୍କୁଲ।
ଜୟ ଜଗନ୍ନାଥ ସ୍ୱାମୀ।
ଅମ୍ଳାନ ପ୍ରହରାଜ (ବ୍ୟଙ୍ଗ ଗୋସେଇଁ)
ନିରାକାରପୁର, ଖୋରଧା