Information

ପ୍ରବନ୍ଧ - କୃଷ୍ଣାୟଣ ଶ୍ରୀମଦ୍ : ପରମ ଶାସ୍ତ୍ର ଭାଗବତ - ଅଧ୍ୟାପକ ଡ଼କ୍ଟର ଲକ୍ଷ୍ମଣ ସାହୁ


ଭାଗବତ  କ'ଣ  (?),  ଏହାର  ସରଳତମ  ଓ  ଯଥାର୍ଥ  ଉତ୍ତର  ହେଉଛି,  ଏହା  ଏକ  ମହାପୁରାଣ  ।  ଭାରତୀୟ  ପରମ୍ପରାରେ  ପୁରାଣର  ଯଥେଷ୍ଟ  ଗୁରୁତ୍ୱପୂର୍ଣ୍ଣ  ଭୂମିକା  ରହି  ଆସିଛି  ।  ଏହାକୁ  ଚାରି  ଭାଗରେ  ବିଭକ୍ତ  କରାଯାଏ,  ଯଥା-  ମହାପୁରାଣ,  ଉପପୁରାଣ,  ଔପପୁରାଣ  ଓ  ସ୍ଥଳପୁରାଣ  ।  ଏହି  ପୁରାଣଗୁଡିକ  ମଧ୍ୟରୁ  ମହାପୁରାଣ  ସର୍ବାଧିକ  ଗୁରୁତ୍ୱପୂର୍ଣ୍ଣ  ସ୍ଥାନ  ଗ୍ରହଣ  କରେ  । ଚାରିଲକ୍ଷ  ଶ୍ଳୋକ  ସମନ୍ୱିତ  ଅଷ୍ଟାଦଶ  ସଂଖ୍ୟକ  ମହାପୁରାଣ  ଭାରତୀୟ  ସାହିତ୍ୟର  ଚିରନ୍ତନ  ସମ୍ପଦ  ।  ଦେବୀ  ପୁରାଣ  (1/9)ରେ  ଏହି  ପୁରାଣ  ଗୁଡିକର  ନାମ  ଶ୍ଳୋକରେ  ଉଲ୍ଲେଖ  ରହିଛି  ।

"ମଦ୍ୱୟଂ  ଉଦ୍ୱୟଂ  ଚୈବ  ବ୍ରତ୍ରୟଂ  ବ  ଚତୁଷ୍ଟୟଂ
ନାଲିଂପାଗ୍ନି  ପୁରାଣାନି  କୂସ୍କଂ  ଗାରୁଡ  ମେବଚ  ।"

ଅର୍ଥାତ୍  ଏହି  ଅଷ୍ଟାଦଶ   ମହା ପୁରାଣ  ଗୁଡିକ  ହେଉଛି-   ମର୍ତ୍ସ୍ୟ  ପୁରାଣ,  ମାର୍କଣ୍ତେୟ  ପୁରାଣ,    ଭବିଷ୍ୟ  ପୁରାଣ,  ଭାଗବତ  ପୁରାଣ,    ବ୍ରହ୍ମବୈବର୍ତ୍ତ  ପୁରାଣ,  ଭାଗବତ  ପୁରାଣ,  ବ୍ରହ୍ମ  ପୁରାଣ,  ବ୍ରହ୍ମାଣ୍ତ  ପୁରାଣ,   ବିଷ୍ଣୁ  ପୁରାଣ,  ବାୟୁ  ପୁରାଣ, ବାବନ  ପୁରାଣ, ବରାହ  ପୁରାଣ,  ନାରଦ  ପୁରାଣ,  ଲିଙ୍ଗ  ପୁରାଣ,  ପଦ୍ମ  ପୁରାଣ,  ଅଗ୍ନି  ପୁରାଣ,  କୂର୍ମ  ପୁରାଣ,  ସ୍କନ୍ଦ  ପୁରାଣ  ଓ  ଗାରୁଡ  ପୁରାଣ  ।  ପୁନଶ୍ଚ  ଏହି  ମହାପୁରାଣ  ଗୁଡିକୁ  ତିନୋଟି  ଭାଗରେ  ଯଥା- ସାତ୍ତ୍ୱିକ,  ରାଜସିକ  ଓ  ତାମସିକ  ଭେଦରେ,  କ୍ରମନ୍ୱୟରେ  ଛଅଟି  ଲେଖାଏଁ   ପୁରାଣରେ  ଅନ୍ତର୍ଭୁକ୍ତ  କରାଯାଇଛି  ।  ସ୍ୱାତ୍ତ୍ୱିକ  ଦୃଷ୍ଟିରୁ-  ବିଷ୍ଣୁ  ପୁରାଣ, ନାରଦ,  ଗରୁଡ,    ଭାଗବତ,  ବରାହ  ଓ  ପଦ୍ମ  ପୁରାଣକୁ  ଗ୍ରହଣ  କରାଯାଇଥିବା  ବେଳେ,  ରାଜସିକ  ଭେଦରେ  ବ୍ରହ୍ମାଣ୍ତ  ପୁରାଣ,  ବ୍ରହ୍ମବୈବର୍ତ୍ତ,  ମାର୍କଣ୍ତେୟ,  ଭବିଷ୍ୟ,  ବ୍ରହ୍ମ  ଓ  ବାମନ  ପୁରାଣକୁ  ବୁଝାଉଥିବା  ବେଳେ,  ତାମସିକ   ଭେଦରେ  ମର୍ତ୍ସ୍ୟ  ପୁରାଣ,  କୂର୍ମ,  ଲିଙ୍ଗ,  ସ୍କନ୍ଦ,  ଅଗ୍ନି   ଓ  ବାୟୁ  ପୁରାଣ  ଗୁଡିକ  ଚିହ୍ନଟ  କରାଯାଇଛି  ।  ପାରମ୍ପାରିକ  ଦୃଷ୍ଟିରୁ  ଏହି  ଅଷ୍ଟାଦଶ  ପୁରାଣ  ଗୁଡିକର  ସ୍ରଷ୍ଟା  ବ୍ୟାସ  ଦେବଙ୍କୁ  ଗ୍ରହଣ  କରାଯାଏ  ।

ଅଷ୍ଟାଦଶ  ମହାପୁରାଣମାନଙ୍କ  ଭିତରୁ  ଭାଗବତ  ମହାପୁରାଣ  ସଂସ୍କୃତ  ସାହିତ୍ୟର  ଏକ  ଅନୁପମ  ରତ୍ନ  ।  ଭାଗବତର  ଗୃଢାର୍ଥ  ବ୍ୟକ୍ତ  କରିବା  ନିମନ୍ତେ,  ପ୍ରତ୍ୟେକ  ବୈଷ୍ଣବ  ସଂପ୍ରଦାୟ  ସ୍ୱକୀୟ  ମତାନୁକୂଳ  ବାଖ୍ୟା  କରିଛନ୍ତି  ।    ଭାଗବତ  ପୁରାଣରେ  ଅଦ୍ୱୈତ  ତତ୍ତ୍ୱର  ଅବତାରଣା  କରାଯାଇଛି  ।  ଭଗବାନଙ୍କୁ  ନିର୍ମଳ  ଶ୍ରଦ୍ଧା  ଓ  ଭକ୍ତି  ଭାବଧାରା  ପ୍ରାପ୍ତ  କରାଯାଇପାରେ-  ଏହାହିଁ  ଭାଗବତ  ପୁରାଣର  ସାରତତ୍ତ୍ୱ  ।  ଭକ୍ତ  ଓ  ଭଗବାନ ଅଭିନ୍ନ  ।  ଭକ୍ତର  ହୃଦୟ  ଭଗବାନଙ୍କୁ  ପାଇବା  ପାଇଁ   ବ୍ୟାକୁଳ  ହେବା  ଉଚିତ୍  ।  ଯେପରି  ପକ୍ଷହୀନ   ପକ୍ଷୀଶାବକ   କ୍ଷୁଧାରେ  ମା'ପାଇଁ  ବ୍ୟାକୁଳ  ହୁଏ,  ଗୋ'ବତ୍ସା  ମାତୃ  ଦୁଗ୍ଧ  ପାଇଁ  ଯେଭଳି  ବ୍ୟାକୁଳ  ଓ  ପ୍ରିୟତମର  ବିରହରେ  ସୁନ୍ଦରି  ପତ୍ନୀ  ତା'ର  ପତି  ପାଇଁ  ଯେଭଳି  ବ୍ୟାକୁଳ  ହୋଇଊଠେ,  ସେଭଳି  ଭକ୍ତର  ହୃଦୟ  ଭଗବାନଙ୍କୁ  ପାଇବା  ପାଇଁ  ବ୍ୟାକୁଳ  ହୋଇଉଠିବା  ଦରକାର :  ଭାଗବତରେ   (6/11/26) କୁହାଯାଇଛି-

"ଅଜାତଦ  ପକ୍ଷୀ  ଇବ  ମାତରଂ  ଖଗାଃ
ସ୍ତନ୍ୟଂ  ଯଥା  ବତ୍ସାତରାଃ  କ୍ଷୁଧାର୍ତ୍ତାଃ
ପ୍ରିୟ  ପ୍ରିୟେବ  ବ୍ୟୁଷିତଂ  ବିଷର୍ଣ୍ଣା  
ମନୋଃରବିନ୍ଦାକ୍ଷ  ଦିଦୃକ୍ଷତେ  ତ୍ୱମ୍  ।"

ସକଳ  ବେଦକଳ୍ପତରୁର  ସାର  ରସାତ୍ମକ  ଫଳ  ଶ୍ରୀମଦ୍  ଭାଗବତ  ।  ଗୋଟିଏ  ଶ୍ଳୋକ(1/3)ରେ  ଏହାର  ବୈଶିଷ୍ଟ୍ୟ  ଓ  ଉପାଦେୟତା  ସୂଚାଇ  ଦିଆଯାଇଛି -

"ନିଗମ  କଳ୍ପତ  ରୋର୍ଗଳିତଂ  ଫଳଂ
ଶୁକ  ମୁଖାଦମୃତ  ଦ୍ରବ  ସଂଯୁତମ୍  ।
ପିବତ  ଭାଗବତଂ  ରସାମାଲୟଂ
ମୁହୁରହୋ  ରସିକା  ଭୁବି  ଭାବୁକାଃ  ।"

ଭାଗବତ  ଯାହା  ଶୁକ  ମୁଖ  ଦ୍ୱାରା  ଆସ୍ପାଦିତ  ଓ  ଅମୃତମୟ  ।  ଏହା  ଏକାଧାରାରେ  ରସିକ  ଓ  ଭାବୁକର  ପରମ  ଆଦରଣୀୟ  ଗ୍ରନ୍ଥ  ।  ଏଥିରେ  ଭରି  ରହିଛି  ଅନୁଭୂତି  ଓ  ଦର୍ଶନ,  ରସିକ  ଓ  ରସର  ଉପଲବ୍ଧି  ।  କୋମଳ  ଲଳିତ  ପଦ୍ୟାବଳୀରେ  ଶ୍ରୀକୃଷ୍ଣଙ୍କର  ଲୀଳାଭ୍ୟୁଦୟ   ରସର  ଚମତ୍କାରିତା,  ଦାର୍ଶନିକ  ତତ୍ତ୍ୱରାଶି  ଯାହା  ଦାର୍ଶନିକ,    ପଣ୍ତିତମାନଙ୍କ  ହୃଦୟରେ  ରେଖାପାତ  କରିବା  ସଙ୍ଗରେ  ଭୂମାନନ୍ଦରେ  ରସସିକ୍ତ  କରେ  ଓ  ଶ୍ରୀକୃଷ୍ଣଙ୍କ  ପ୍ରେମ  ତରଙ୍ଗିଣୀରେ  ସମସ୍ତଙ୍କୁ  ଭସାଇ  ଦିଏ  । ଏଭଳି  ପ୍ରେମ  ଭକ୍ତିର  ପ୍ରତିନିଧି  ହେଉଛନ୍ତି  ବ୍ରଜକୁଳର  ଗୋପିକାଗଣ,  ସେମାନଙ୍କ  ବିମଳ  ପ୍ରେମର  ରହସ୍ୟମୟ  ବର୍ଣ୍ଣନା  'ରାସ  ପଞ୍ଚାଧ୍ୟାୟୀ'ରେ  ଦିଆଯାଇଛି । ତେଣୁ  ପ୍ରେମଭକ୍ତି  ଦ୍ୱାରା  ଯେ  ମୋକ୍ଷ  ପ୍ରାପ୍ତି  ଘଟେ,  ତାହାହିଁ  ହୋଇଛି  ଭାଗବତର  ପ୍ରଧାନ  ସାଧନମାର୍ଗ,  ଭକ୍ତି  ଦ୍ୱାରା  ମୁକ୍ତି  ପ୍ରାପ୍ତ  ଭାଗବତ(12/13/18)ର  ବାର୍ତ୍ତା  :

"ଶ୍ରୀମଭାଗବତଂ  ପୁରାଣାମମଳଂ  ଯଜ୍  ବୈଷ୍ଣବାନଂପ୍ରିୟଂ
ଯସ୍ମିନ୍  ପାରମହଂସ୍ୟମେକମମଳଂ  ଜ୍ଞାନଂ  ପରଂଗୀୟତେ
ତତ୍ର  ଜ୍ଞାନବିରାଗ  ଭକ୍ତିସହିତଂ  ନୈଷ୍କର୍ମ୍ୟମାବିଷ୍କୃତଂ
ତଚ୍ଛୃଣ୍ୱନ୍  ବିପଠନ୍  ବିଚାରଣପରୋ  ଭକ୍ତ୍ୟା  ବିମୁଚ୍ୟେନ୍ନରଃ  ।"

ଭାଗବତରେ  ପ୍ରେମଭକ୍ତି  ସହିତ  ଭାରତୀୟ  ଧର୍ମ  ସାଧନାର  ଏହି  ଚତୁର୍ବିଧ  ମାର୍ଗର  ବିସ୍ତୁତ  ବର୍ଣ୍ଣନା  ରହିଛି   ।  ଏଥିରେ   ଭକ୍ତିମାର୍ଗକୁ  ଅଧିକ  ଗୁରୁତ୍ୱ  ଦିଆଯାଇଛି  ।  ରାମାୟଣରେ  ଯେଭଳି  ରାମଙ୍କ  ଚରିତ/ମାନସ,  ଭାଗବତରେ   ସେଭଳି  କୃଷ୍ଣଙ୍କ  ଚରିତର  ଗୁରୁତ୍ୱ  ଉପଲବ୍ଧି  କରିହୁଏ  ।  କିନ୍ତୁ  କୃଷ୍ଣଙ୍କ  ଚରିତ  ନେଇ  ମହାଭାରତକୁ  କେବେ   କୃଷ୍ଣାୟଣ  କହିବା  କିଛି  ଅଯୁକ୍ତିକର,  ଅଯଥା  ତର୍କ  କରିବା  ଶୋଭନୀୟ  ନୁହେଁ  ।  କାରଣ  ମହାଭାରତରେ  ଶ୍ରୀକୃଷ୍ଣ  ଥିଲେ  ମଧ୍ୟ  ରାମାୟଣରେ  ରାମଚନ୍ଦ୍ର  ଯାହା,  ମହାଭାରତର   ଶ୍ରୀକୃଷ୍ଣ  ସେଭଳି  ନୁହଁନ୍ତି  ।  ଏଣୁ  ମହାଭାରତକୁ  'କୃଷ୍ଣାୟଣ'ଭାବରେ  ଗ୍ରହଣ  କରିବା  ଠିକ୍  ନୁହଁ  କି  ତାକୁ  କୃଷ୍ଣାୟଣ  କୁହାଯାଇ  ପାରିବ  ନାହିଁ  ।  କିନ୍ତୁ   'କୃଷ୍ଣାୟଣ'  କେବଳ  ହରିବଂଶ  ଓ  ଶ୍ରୀମଦ୍  ଭାଗବତକୁ  ଦିଆଯିବାରେ  କୌଣସି  ତର୍କ  ନାହିଁ  ।  ଭାଗବତରେ  ଶ୍ରୀକୃଷ୍ଣଙ୍କୁ  ସ୍ୱଂୟ  ଭଗବାନ  ବୋଲି  ଦର୍ଶାଯାଇଛି-

"ଏତେ  ଚାଂଶ  କଳାଃପୁଂସଃ  କୃଷ୍ଣାସ୍ତୁ  ଭଗବାନ  ସ୍ୱୟଂ
ଇନ୍ଦ୍ରାରି  ବ୍ୟାକୁଳଂ  ଲୋକଂ  ମୃଙୟନ୍ତି  ଯୁଗେ  ଯୁଗେ  ।"

ଭାଗବତର  କୃଷ୍ଣ  କେବଳ  ରାଧାମୋହନ  ନୁହଁନ୍ତି,  ସେ  ପ୍ରକୃତରେ  ଗୋପିବଲ୍ଲଭ  ଅଟନ୍ତି  ।  ଯଦ୍ୟପି  ଭାଗବତରେ  ଗୋଟିଏ  ଶ୍ଳୋକ  ଦ୍ୱାରା  ରାଧାଙ୍କର  ସ୍ଥିତି ପ୍ରମାଣ  କରାଯାଇଛି,  କିନ୍ତୁ  ତାହା  ସର୍ବ  ଗ୍ରହଣୀୟ  ହୋଇନାହିଁ  ।  ଶ୍ଳୋଳକଟିକୁ  ଦର୍ଶାଇ  ଦିଆଯାଏ  :

"ଅନୟା  ରାଧିତୋ  ନୂନଂ  ଭଗବାନ୍  ହରିରୀଶ୍ୱରଃ
ଯନ୍ନୋ  ବିହାୟ  ଗୋବିନ୍ଦ  ପ୍ରୀତୋ  ଯାମନୟ  ହ୍ରଦଃ  ।"

ଭାଗବତ  ଏକ  ମହାପୁରାଣ  ଏହା  ନିଃସନ୍ଦେହ  ।  କେତେକ  ଶାକ୍ତିଙ୍କ  ମତରେ  ଭାରତୀୟ  ଅଷ୍ଟାଦଶ  ପୁରାଣର  ଅନ୍ତର୍ଭୁକ୍ତ  ଭାଗବତ  ହେଉଛି,  ପ୍ରକୃତରେ    ଦେବୀଭାଗବତ,  ଶ୍ରୀମଦ୍  ଭାଗବତ  ନୁହେଁ,  କିନ୍ତୁ  ଏହା  ନିସ୍ଫଳ  ଦାବୀ  ବ୍ୟତୀତ  ଆଉକିଛି  ନୁହେଁ  ।  ପଣ୍ତିତ  ଗୋପୀନାଥ  ନନ୍ଦଶର୍ମାଙ୍କ  ମତ-"ନିଖିଳ  ଉପନିଷଦ  ମାନଙ୍କରେ  ପ୍ରତିପାଦ୍ୟ  ପରମ  ରହସ୍ୟ  ଭଗବତତ୍ତ୍ୱମାନ  ଏଥିରେ  ପ୍ରତିପାଦିତ  ହୋଇଥିବାରୁ,  ଅପରିମେୟ  ସୁବିସ୍ତୁତ  ଅଖିଳ  ବେଦସମୂହର  ବିଭାଜକ  ଆଉ  ସମସ୍ତ  ପୁରାଣାଦି  ସଦଗ୍ରନ୍ଥ  ପ୍ରଣେତା  ଭଗବାନ  ସ୍ୱଂୟ  ବ୍ୟାସଦେବ  ଭଗବତ୍-ଗୁଣସମୁଦାୟ-ସମୁଦାୟର  ପ୍ରଧାନତାରେ  ଏହାକୁ  ରଚନା  କରିଥିବାରୁ  ଶ୍ରୀମଦ୍  ଭାଗବତ  ଗ୍ରନ୍ଥଟି  ମାର୍ତ୍ସ୍ୟ,  ଗାରୁଡ,  ବ୍ରହ୍ମାଣ୍ତାଦି  ପୁରାଣ  ଗୁଡିକ  ମଧ୍ୟରେ  ସର୍ବୋକୃଷ୍ଟ  ଅଟେ  ।  ଊପପଦ  ବିନା  ଗୀତା,  ସହସ୍ର  ନାମ  ଓ  ରାମାୟଣ,  ଏହିନାମମାନ  ଅଭିହିତ  ହେବାକ୍ଷଣି  ଯେପରି  ଯଥାକ୍ରମେ  ଭଗବତଗୀତା,  ବିଷ୍ଣସହ୍ରସନାମ, ଓ  ବାଲ୍ମିମୀକ  ରାମାୟଣ  ବାଚକତ୍ୱ  ଲୋକରେ  ପ୍ରତିପନ୍ନ  ହୋଇଥାଏ  ।  ସେପରି  ଉପପଦ  ବିହୀନ  ଭାଗବତ  ନାମର  ସମଖ୍ୟାନରେ  ଶ୍ରୀମଦ୍  ବିଷ୍ଣୁ  ଭାଗବତ  ବାଚକତ୍ୱ  ସମଗ୍ର  ସୁଗୁଣ  ବିଶିଷ୍ଟ  ଶିଷ୍ଟ  ସମାଜରେ  ସ୍ୱୀକୃତ  ଅଟେ  ।"

ଭାଗବତ  କଥା  ଶ୍ରୀଭଗବାନ  ପ୍ରଥମେ  ବ୍ରହ୍ମାଙ୍କୁ  କହିଛନ୍ତି,  ପରେ  ବ୍ରହ୍ମା  କହିଛନ୍ତି  ନାରଦଙ୍କୁ  ଓ  ନାରଦ  ସେହିକଥାକୁ  ବ୍ୟାସଦେବଙ୍କୁ  କହିବାପରେ  ବ୍ୟାସ  ଶୁକଦେବଙ୍କୁ  କହିଛନ୍ତି  ।  ଶେଷରେ  ଶୁକ୍  ଦେବ  ପରିକ୍ଷୀତଙ୍କୁ  କହିଛନ୍ତି  । ଶ୍ରୀମଦ୍  ଭାଗବତ  ତତ୍ତ୍ୱର  ଅମୃତବାଣୀକୁ  ଭକ୍ତକବି  ଅତିବଡୀ  ଜଗନ୍ନାଥ  ଦାସ  ଅନୁବାଦ  କରିଥିବା  ନିଜେ  ସ୍ୱୀକାର  କରିଛନ୍ତି,  ଦାର୍ଢ୍ୟତାଭକ୍ତିର  ରଚୟତା  ରାମଦାସ  ବିପ୍ରଜଗନ୍ନାଥ  ଚରିତ  ଲେଖିବା  ବେଳେ  ଉଲ୍ଲେଖ  କରିଛନ୍ତି  ।  ଏକଦା  ଭଗବାନ  ଚତର୍ଭୂଜ  ମୂର୍ତ୍ତିରେ  ସ୍ୱପ୍ନରେ  ଜଗନ୍ନାଥଙ୍କ  ନିକଟରେ  ଆବିର୍ଭୂତ  ହୋଇ  ତାଙ୍କୁ  ପ୍ରାକୃତବନ୍ଧରେ  ଭାଗବତ  ଲେଖିବାକୁ  ଆଶୀର୍ବାଦ  ଦେଲେ,  ଏଥିରେ  ସେ  ନିଜେ  ପବିତ୍ର  ହେବା  ସହ  ନିଖିଳ  ପ୍ରାଣୀଗଣଙ୍କୁ  ପବିତ୍ର  କରାଇବେ  । ଏପରିକି  ପ୍ରଭୃ  ଜଗନ୍ନାଥ  ଦାସଙ୍କୁ  ଆଶ୍ୱାସନା  ଦେଲେ  ଯେ  ସେ  ତାଙ୍କ  ହୃଦୟରେ  ରହି  ଭାଗବତର  ପ୍ରତ୍ୟେକ  ରହସ୍ୟକୁ  ଉଦ୍ଘାଘାଟିତ  କରିବେ  ।  ତେଣୁ  ସଂସ୍କୃତରୁ  ନବାକ୍ଷରୀ  ଛାନ୍ଦରେ  ଓଡିଆ  ଭାଗବତରେ  ରୂପାନ୍ତର  ହେଲା  ।  ଶ୍ରୀଭଗବାନ  ଥିଲେ  ତାଙ୍କ  ଅନ୍ତରର  ପ୍ରେରଣା  ଦାତା,  ଜ୍ଞାନାଲୋକର  ପରାମର୍ଶ  ଦାତା  ।

"ଏ  ମହାପୁରାଣ  ଚରିତ  ।  ପ୍ରାକୃତ  ବନ୍ଧେ  କଲେ  ଗୀତ
ତୁ  ନିଜେ  ପବିତ୍ର  ହୋଇବୁ  । ଅଶେଷ  ପ୍ରାଣୀଙ୍କୁ  ତାରିବୁ  ।
ଭୟ  ନକର  ତୁମ୍ଭେ   କିଛି  ।  ଗୀତତୁ  କର  ମୁହିଁ  ଅଛି
ତୋ  ହୃଦ  ପଦ୍ମେ  ବସିଥାଇ  ।  ମୁଁ  ଯାହା   ଦେଉଥିବି  କହି
ତାହା  ତୁ  ପତ୍ର  ଘେନି  ଲେଖ  ।  କହି  ଚଳିଲେ  ପଦ୍ମମୁଖ  ।"

ଭକ୍ତ  କବି  ଜଗନ୍ନାଥ  ଦାସଙ୍କ  ପ୍ରତି  ପ୍ରଭୃଙ୍କ  ଅଶେଷ  କୃପା,  ଯାହା  ଭକ୍ତ  ଓ  ଭଗବାନଙ୍କ  ମହାମିଳନ  ।  କିନ୍ତୁ  କିମ୍ବଦନ୍ତୀ  ଅନୁଯାୟୀ  ମାତା  ପଦ୍ମାବତୀ  ଅର୍ଥାଭାବରୁ  ପୁରାଣ  ପଣ୍ତାଙ୍କ  ନିକଟରୁ  ଭାଗବତ  ଶୁଣିବାକୁ  ଅସମର୍ଥ   ହେବାରୁ  ମା'ଙ୍କ  ପାଇଁ  ସରଳ  ଭାଷାରେ  ଭାଗବତ  ରଚନା  କରିଥିଲେ  ।  ଓଡିଆରେ  ଭାଗବତ  ସର୍ଜନା  ତାଙ୍କର  ଅପୂର୍ବ  ସାଧନା-ଅମୋଘ  ପ୍ରୟାସ  ।  ସେ  ଭଗବଦାଦିଷ୍ଟ  ହୋଇ  ଶ୍ରୃତିସାର  ଏ  ପୁରାଣ  ଲେଖିଥିବା  ସ୍ୱୀୟ  ଭାଗବତରେ  ସ୍ୱୀକାର  କରିଛନ୍ତି  ।  ଭାଗବତ  ଦଶମ  ସ୍କନ୍ଦ  ପଞ୍ଚମ  ଅଧ୍ୟାୟରେ  ଲେଖିଛନ୍ତି  ।

"କହଇ  ବିପ୍ର  ଜଗନ୍ନାଥ  ।  ଗୀତ  ବୋଇଲା  ଭାଗବତ 
ପଣ୍ତିତେ  ନଧରିବ  ଦୋଷ  ।  ହରି  ଚରିତ  ସୁଧା  ରସ
କୃଷ୍ଣ  ସବୁରି  ଦେହେ  ଥାଇ  । ଯାହାକୁ  ଯେମନ୍ତେ  ବୁଝାଇ
ଏଣୁ  ମୋହର  ଜ୍ଞାନ  ନାହିଁ  ।  ବାଳୁତ  ଜନ  ପ୍ରାୟ  ହୋଇ
ସୁଜନେ  ଏଣେ  ମନ  ଦେଲେ  ।  କୃଷ୍ଣ  ଭେଟିବ  ତୁମ୍ଭେ  ଭଲେ  ।"

ପ୍ରକୃତରେ  ଭକ୍ତକବି  ଜଗନ୍ନାଥ  ଦାସଙ୍କ  ଦିବ୍ୟ  ମଧୁର  ଭାବର  ସ୍ଫୁର୍ତ୍ତି  ଘଟିଛି  ଶ୍ରୀକୃଷ୍ଣାୟଣଙ୍କ  ଲୀଳାଚରିତ୍ର  ବର୍ଣ୍ଣନାରେ,  ସୁଲଳିତ  ପଦ୍ୟାବଳୀରେ  ସେ  ତନ୍ମୟ  ହୋଇଛନ୍ତି  ।  ନିଜେ  ଭଗବତ୍  ଆଦେଶ  ସ୍ୱପ୍ନରେ  ଲାଭ  କରିଥିବା  ଭାଗବତ(47  ଓ  90ତମ  ଅଧ୍ୟାୟ)ରେ  ଉଲ୍ଲେଖ  କରିଛନ୍ତି  :

"ବ୍ରାହ୍ମଣ  କୁଳେ  ଜାତ  ହୋଇ  ।  ବିଷ୍ଣୁ  ବାସନା  ମୋର  ନାହିଁ  
ସ୍ୱପନେ  କହିଲେ  ମୁରାରୀ  ।  ପୁରାଣେ  ଗୀତ  ନାଦ  କରି
ଏଣୁ  ମୋହର  ଭୟ  ନାହିଁ  ।  ସୁଜନେ  ତର  ଏହା  ଗାଇ  ।"
ସେ  ହରି  ଆଜ୍ଞା  ଶିରେ  ବହି  ।  ଗୀତେ  ପାରିଲି  ଯାହା  କହି
ପ୍ରାକୃତ  ଭାଷା  ଏ  ପ୍ରବନ୍ଧ  ।  ଫିଟେ  ଅନ୍ଧାର  ଭବବନ୍ଧ
ମୁଁ  ଛାର  ହୀନ  ମୃଢ  ମତି  ।  କୃଷ୍ଣ  ଚରଣେ  ହେଉ  ମତି  ।"

ପ୍ରତ୍ୟେକ  ସର୍ଜନ  ସନ୍ଥ  ମହାପୁରୁଷଙ୍କ  ହୃଦୟରେ  ଭଗବତ୍  ଭକ୍ତିର  ଉଦ୍ରେକ  ଘଟେ,  ପରମତତ୍ତ୍ୱର  ଉପଲବ୍ଧରେ  ।  'ଅହୋ  ବିକୀଯଂ  ସ୍ତନ  କାଳକୂଟ(3/2/23)  ।"  ଅର୍ଥାତ୍  ପୁତନା  ତାଙ୍କର  ବିରୋଧାଚରଣ  କରି  ମଧ୍ୟ  ଧାତ୍ର୍ୟୁଚିତା  ପରମଗତି   ଅର୍ଥାତ୍  ସାଯୁଜ୍ୟ  ପଦ  ଲାଭ  କରିଥିଲା  ।  ଶ୍ରୀହରିଙ୍କ  ଦୟାରେ  ଏପରି  ଏକ  ଅଭକ୍ତ,  ନାସ୍ତିକ,  ହୀନ,  ପତିତ  ପ୍ରତି  ଏଭଳି  ମହୀୟସୀ  କରୁଣା  ପ୍ରକାଶ  ଦେଖି  ତପସ୍ୱୀ  ଶୁକଦେବ  ଭାଗବତ  ଶ୍ରବଣ  ପାଇଁ  ଆକୃଷ୍ଟ  ହୋଇଥିଲେ  ଓ  ପରୀକ୍ଷିତଙ୍କ  ସଭାରେ  ହରିଲୀଳା  କୀର୍ତ୍ତନ   କରିଥିଲେ  ।  ସେହିପରି   ଅତିବଡୀ   ଜଗନ୍ନାଥ  ଦାସ  ସଂସ୍କୃତ  ଭାଗବତର  ଶ୍ଳୋକ  ଦ୍ୱୟର  ସାରବତ୍ତା  ଉପଲବ୍ଧି  କରିଥିଲେ  ଓ  ସ୍ୱକୀୟ  ଜୀବନଧାରାରେ  ଧ୍ରୁବତାରା  ସଦୃଶ  ଅନୁସରଣ  କରି  ଭାଗବତ  ରଚନାରେ  ପ୍ରୟାସୀ  ହୋଇଥିଲେ  ।ସେବେଠାରୁ  ଭାଗବତ  ପାଲଟି  ଯାଇଛି  ମାନବ  ଜୀବନର  ବେଦ,  ଅବିଚ୍ଛେଦ୍ୟ  ଅଙ୍ଗ  ଓ  ସାମାଜିକ  ଜୀବନର  ମୂଳ  ଉତ୍ସ  ।  ମାନବ   ଜୀବନକୁ  ସୁସ୍ଥ  ଓ  ସୁନ୍ଦରର  ମାର୍ଗ  ଦର୍ଶାଉଛି  ।  ସତେ  ଯେପରି  ଧର୍ମ,  ନୀତି,  ନ୍ୟାୟ,  ଆଦର୍ଶ  ଓ  ଜନ୍ମରୁ  ମୃତ୍ୟୁ  ପର୍ଯ୍ୟନ୍ତ  ଜୀବନ  ଯେମିତି  ମିଳିଯାଇଛି  ଗୋଟିଏ  ବିନ୍ଦୁରେ...।
xxxxxx

ଭାଗବତ  ସକଳ  ଓଡିଆଙ୍କ  ଜୀବନକୁ  ଭାବଗତଭାବେ  ଧରି  ରଖିଛି  ।  ବଳରାମ  ଦାସଙ୍କ  'ଦାଣ୍ତୀ  ରାମାୟଣ' ,  ଅଚ୍ୟୁତାନଂଦ  ଦାସଙ୍କ  'ହରିବଂଶ'  ଯେଭଳି   ଆମ  ସଂସ୍କୃତିର  ଧାରକ  ଓ  ବାହକ  ଅତିବଡୀ  ଜଗନ୍ନାଥ  ଦାସଙ୍କ  'ଭାଗବତ'  ସେଇଭଳି  ଆମ  ପରଂପରାର  ଏକ  ଉଜ୍ଜ୍ୱଳ  ଆଲୋକସ୍ତମ୍ଭ  ।  କୋମଳ  ସରଳ  ଭାଷା,  ଗଭୀର  ଗମ୍ଭୀର  ଭାବମୟତା  ତଥା  ଉଚ୍ଚତର ଦାର୍ଶନିକତା  ଦୃଷ୍ଟିରୁ  ଏହି  ଗ୍ରନ୍ଥ  ଅତୁଳନୀୟ  ।  ପ୍ରତ୍ୟହ  ସଂଧ୍ୟାରେ  ଘରେ  ଘରେ  ପଦେ  ଅଧେ  ଭାଗବତ  ପଢିବା  ଓଡିଆଙ୍କ  ଜୀବନଚର୍ଯ୍ୟାର  ଅଂଶ  ବିଶେଷ  ।  ଧର୍ମ,  ଅର୍ଥ,  କାମ  ସହିତ  ମୋକ୍ଷ  ପ୍ରଦାନ  କରିବାରେ  ଭାଗବତ  ସମର୍ଥ  ।

ଓଡିଆ  ଭାଗବତ  କହିଲେ  ସ୍ଥୂଳ  ଅର୍ଥରେ-ଭାବ-"ଭାବାନୁଭାବା  ସଂଯୋଗାନ୍  ରସ  ନିଃସ୍ପତି  ।"

ଯାହା  ହୃଦୟକୁ   ଉଦ୍ବେଳିତ  କରେ,  ପ୍ରାଣ  ବିଚଳିତ  କରାଏ,  ତାହାହିଁ  ଭାବ  ।  ଜ୍ଞାନ  ବଳରେ  ଏଗୁଡିକ  ଆପେ  ଭାବ-ସୃଷ୍ଟି  କରି  ଶିକ୍ଷାପ୍ରଦାନ  କରେ  ।  ଭାଗବତ  ଅର୍ଥ-  ଭାବ,  ଜ୍ଞାନ,  ଆଚରଣ,  ଦର୍ଶନ  :
ବୈରାଗ୍ୟ-ବୈରାଗ୍ୟ
ରାଗ-ଅନୁରାଗ,  ତତ୍ତ୍ୱ-ଦର୍ଶନ  ଆଦି  ଭାଗବତରେ  ପ୍ରକାଶିତ  ହୁଏ  ।  ତେଣୁ  ଭାଗବତକୁ  ଯଦି  ବିଶ୍ଳେଷଣ  କରାଯାଏ  :
ଭା-:  ଦୀପ୍ତି  ବା  ପ୍ରଭା  ।  ଯାହା  ସକଳ  ଅଂଧକାରକୁ  ଆଲୋକରେ  ପ୍ରଭାମୟ  କରେ  ।  ପୂର୍ଣ୍ଣାତ୍  ପୂର୍ଣ୍ଣ  ବିବିଧଂ  ସଦା  ପରିପୂର୍ଣ୍ଢ  ।
ଗ-:  ଗତି,  ପ୍ରକାଶନ,  କାର୍ଯ୍ୟ  ବା  ଲୀଳା  ।  ଅର୍ଥାତ୍  ଗତି  ଲୀଳାମୟ  ଶକ୍ତିର  ପ୍ରଭାବ  କାର୍ଯ୍ୟକାରୀ  ହୁଏ  ।
ବ-:  ବିଭା, ଗତିର  ବିଶେଷ  ପ୍ରକଟିତ  ଆଲୋକ,  ଅର୍ଥାତ୍  ଲୀଳା  ପ୍ରକଟନ  ।  ଯାହା  ବିଶ୍ୱରେ  ପ୍ରକଟିତ  ହୁଏ ।  ବିଶେଷ  ଭାବେ  ପ୍ରଭାବତୀ  ସଂଗମ୍ୟବତ୍  ବା  ପରି  ପରମବ୍ରହ୍ମ  ଲୀଳାଖେଳା  ପ୍ରକଟିତ  ଆଧାର  ଦ୍ୱାରା  ପ୍ରକଟିତ  ହୁଅନ୍ତି  ।
ତ-:  ପୃଥିବୀ  ବା  ଜଗତ୍  ।  ଜଗତ  ଭିତରେ  ଯେଉଁ  ଲୀଳା  ପ୍ରକଟିତ  ହୁଏ,  ତେଣୁ  ଭାଗବତକୁ  ଏକାକ୍ଷରୀ  ବା  ଓଁ   ଏକ  ଜ୍ଞାନମାର୍ଗ   ଉପରେ  ପର୍ଯ୍ୟବେଶିତ  ।  ତେଣୁ  ଭାଗବତ  ତତ୍ତ୍ୱଦର୍ଶୀ  କରାଏ,  ଜଗତ୍  ମନୁଷ୍ୟ-  ଈଶ୍ୱରକୁ  ପରିଚିତ  କରାଏ  ।

ଓଡିଆ  ଭାଗବତ  ନାମରେ  ତେରଖଣ୍ତ  ସ୍କନ୍ଧ   ନାମରେ  ପ୍ରଚଳିତ  ହୋଇଆସିଛି  ।  କିନ୍ତୁ  ଭାଗବତ  ପ୍ରକୃତରେ  ବାରଟି  ସ୍କନ୍ଧରେ  ରଚିତ  ।  କବି  ଜଗନ୍ନାଥ  ଦାସ  ପ୍ରଥମରୁ   ଏକାଦଶ  ପର୍ଯ୍ୟନ୍ତ  ଏଗାରଟି  ସ୍କନ୍ଧର  ସରଳ  ଅନୁବାଦ  କରିଥିବା  ବେଳେ, ପରେ   ମହାଦେବ  ଦାସ  ନାମକ  ବ୍ୟକ୍ତି  ଦ୍ୱାଦଶ  ସ୍କନ୍ଧର  ଅନୁବାଦ  କରି  ତାକୁ  ଜଗନ୍ନାଥ  ଦାସଙ୍କ  ନାମରେ  ଭଣିତ  ବୋଲି  ଉଲ୍ଲେଖ  କରିଛନ୍ତି  ।  ଭାଗବତର  ଏହି  ସ୍କନ୍ଧ  ସମୂହ  ବହୁ  ଉପବିଭାଗରେ  ବିଭକ୍ତ  ଓ  ଉପବିଭାଗ  ଗୁଡିକ  ଅଧ୍ୟାୟ  ନାମରେ  ପ୍ରଥମ  ସ୍କନ୍ଧରୁ  ଦ୍ୱାଦଶ  ସ୍କନ୍ଧ  ମୋଟରେ   ତିନିଶହ  ଏକଚାଳିଶଟି  ଅଧ୍ୟାୟରେ  ରଚିତ  ହୋଇଛି  ।  ଏକ  ବ୍ୟାପକ  ଦୃଷ୍ଟି  କୋଣରୁ  ବିଷୟବସ୍ତୁ  ବିଚାରକୁ ନିଆଯାଇ  ସଂପୂର୍ଣ୍ଣ  ଭାଗବତ  ଗ୍ରନ୍ଥକୁ  ମୁଖ୍ୟତଃ  ଚାରୋଟି  ଭାଗରେ  ବିଭକ୍ତ  କରାଯାଏ  ।  ପ୍ରଥମ  ଭାଗ - ପ୍ରଥମ  ସ୍କନ୍ଧ  ପ୍ରସ୍ତାବନା  ଭାବରେ  ଧରି  ନିଆଯାଇଥିବା  ବେଳେ,  ଦ୍ୱିତୀୟଭାଗ-ଦ୍ୱିତୀୟରୁ  ନବମସ୍କନ୍ଧ  ପର୍ଯ୍ୟନ୍ତ  କୃଷ୍ଣ  ଚରିତରେ  ପୃଷ୍ଠଭୂମି,  ବିଷ୍ଣୁ-କୃଷ୍ଣ  ସମନ୍ୱୟ,  ପୌରାଣିକ  ଲକ୍ଷଣ  ରକ୍ଷା  ଜନିତ  ବିବିଧ  ବର୍ଣ୍ଣନା  କରାଯାଇଛି  ।  ସେଭଳି  ମଧ୍ୟ  ତୃତୀୟ  ଭାଗରେ- ଦଶମ  ଓ  ଏକାଦଶ  ସ୍କନ୍ଧରେ-ଶ୍ରୀକୃଷ୍ଣଙ୍କ  ଜୀବନୀ  ଓ  ଦର୍ଶନକୁ  ଉପସ୍ଥାପନ  କରାଯାଇଥିବା  ବେଳେ  ଚତୁର୍ଥ  ଭାଗରେ- ଦ୍ୱାଦଶ  ସ୍କନ୍ଧରେ  କେବଳ  ଭାଗବତର  ଉପସଂହାର  ଦିଆଯାଇଛି  ।

ଭାଗବତ  କେବଳ  ଏକ  ସଂଳାପମୟ  ରଚନା,  ନୈମିଷ୍ୟାରଣ୍ୟରେ  ଶୌନକ  ପ୍ରମୁଖ  ମୁନିଗଣ  ସୂତଙ୍କଠାରୁ  ଏହା  ଶ୍ରବଣ  କରିଛନ୍ତି  ।  ଏହା  ଥିଲା  ଭାଗବତର  ମୂଳ  ଯୋଜନା,  କିନ୍ତୁ  ପ୍ରକୃତ  ପକ୍ଷରେ  ପ୍ରଥମ  ବକ୍ତା  ଓ  ଶ୍ରୋତା  ହେଉଛନ୍ତି  ଯଥାକ୍ରମେ  ବ୍ୟାସ  ନନ୍ଦନ  ଶୁକଦେବ  ଓ  ରାଜା  ପରୀକ୍ଷିତ  ।  ଋଷିଙ୍କ  ବାଳକ  ପୁତ୍ର  ପରୀକ୍ଷିତ  ରାଜାଙ୍କୁ  ସାତ  ଦିନ  ଭିତରେ    ମୃତ୍ୟୁ  ଘଟିବାର  ଅଭିଶାପ  ଦେଇଥିଲେ  ।  ଫଳତଃ  ମୃତ୍ୟୁରୁ  ରକ୍ଷା  ପାଇବାକୁ  ଓ  ପାପ  ମୁକ୍ତ  ହେବା  ପାଇଁ  ଶୁକ   ମୁନିଙ୍କ  ଠାରୁ  ଭାଗବତ  ଶୁଣିଛନ୍ତି  ।  ଭାଗବତର  ପ୍ରଥମ  ସ୍କନ୍ଧ  ଶେଷ  ପର୍ଯ୍ୟାୟ  ପର୍ଯ୍ୟନ୍ତ  ପ୍ରସ୍ତାବନଟି   ପ୍ରଦତ୍ତ  ଥିବା  ବେଳେ  ଦ୍ୱାଦଶ  ସ୍କନ୍ଧର  ଷଷ୍ଠ  ଅଧ୍ୟାୟରେ  ପରୀକ୍ଷିତଙ୍କ  ମୃତ୍ୟୁ  ଘଟିଛି  ।  କିନ୍ତୁ  ଭାଗବତର  ଶେଷ  ପର୍ଯ୍ୟାୟରେ  ଦୃଶ୍ୟ  ଉପରକୁ  ପୁନରପି  ଓହ୍ଲାଇ  ଆସିଛନ୍ତି  ସୂତ  ଓ  ଶୌନକ  ।  ବାସ୍ତବରେ  ସୂତ  ଓ  ଶୌନକ  ହେଉଛନ୍ତି   ଏହାର  ମୁଖ୍ୟ  ଯୋଗସୂତ୍ରକାରୀ  ସୂତ୍ରଧର  ।  ଉଭୟଙ୍କ  ବିନା  ଭାଗବତର  ନାଟକୀୟତା  ଗତିଶୀଳ  ହୋଇପାରିନଥାନ୍ତା  ।  ଯଦିଓ  ଏହା  ମାନବକୁ  ପରମାର୍ଥର  ପଥ  ଦର୍ଶାଇବା  ଉଦେଶ୍ୟ  ସାଧନ  କରିଛି  ।  ଭାଗବତର  ଏହି  ବର୍ଣ୍ଣନା  ଭିତରେ  ପ୍ରତ୍ୟେକ  ଚରିତ  ଯିଏ  ଯେତେବେଳେ  ନାଟକୀୟ  ଢଙ୍ଗରେ  ମଞ୍ଚ  ଉପରକୁ  ଆସିଛନ୍ତି  ନିଜ  ନିଜର  ସଂଳାପ  ମାଧ୍ୟମରେ  ସେମାନେ  ନିଜେ  ନିଜେ  କହିଛନ୍ତି  ।  ଫଳତଃ  ନିଜ  ଉବାଚ  କ୍ରମରେ  ଭାଗବତରେ  ତାହା  କେବଳ   ସଂଯୋଜିତ  ହୋଇପାରିଛି  ।  ଏସବୁ  ଦୃଷ୍ଟିରୁ  ଭାଗବତ  ଏକ  ସଂଳାପମୟ  ଗ୍ରନ୍ଥ  ।  ବକ୍ତାଙ୍କ  ଭିତରେ  ବକ୍ତା  ଓ  ଶ୍ରୋତାଙ୍କ  ଭିତରେ  ସେଭଳି  ଶ୍ରୋତା,  ଏଭଳି  ଏକ  ନାଟକୀୟ  ଢଙ୍ଗରେ  ଭାଗବତ  ଗ୍ରନ୍ଥ  ରଚିତ   ।  ମୂଳ  ପ୍ରତିପାଦ୍ୟ  ପ୍ରସଙ୍ଗ  'ଶ୍ରୀକୃଷ୍ଣ  ବିଷୟେ  ଭାଗବତ'  ଦୃଷ୍ଟିରୁ  ଦଶମ  ଓ  ଏକାଦଶ  ସ୍କନ୍ଧ  ସବୁଠାରୁ  ମହତ୍ତ୍ୱପୂର୍ଣ୍ଣ  ଅଟେ  । ଏହି  ଦୁଇଟି  ସ୍କନ୍ଧ  ମଧ୍ୟରେ  ଶ୍ରୀକୃଷ୍ଣଙ୍କ  ଜନ୍ମଠାରୁ  ତାଙ୍କ  ମହାପ୍ରୟାଣ  ପର୍ଯ୍ୟନ୍ତ  ଏକ  ପୃଷ୍ଠଭୂମି  ରହିଛି  ।  ସେଭଳି   ଦ୍ୱାଦଶ  ସ୍କନ୍ଧରେ  ଭାଗବତ  ବିଷୟ  ବସ୍ତୁକୁ  ଏକ  ଉପସଂହାରକୁ  ଅଣାଯାଇଛି  ।  ଏଥିରେ ଶ୍ରୀକୃଷ୍ଣଙ୍କୁ  ଶ୍ରେଷ୍ଠ  କରି  ଦର୍ଶାଇବା  ନିମନ୍ତେ  ("ଧର୍ମ  ସଂସ୍ଥାପନାର୍ଥାୟ  ସମ୍ଭବାମି  ଯୁଗେ  ଯୁଗେ"/ଗୀତା),  ଏକ  ଧର୍ମୀୟ  ଉଦ୍ୟମ  ଯେ  କରାଯାଇଛି,  ତାହା  ସ୍ପଷ୍ଟ  ବାରି  ହୁଏ  ।  ଏଭଳି  ଏକ ମହାପୁରାଣର  ପରିକଳ୍ପନା,  ଉପସ୍ଥାପନା,  ରୀତି  ଓ  ସ୍ୱୟଂ  ଭାଗବତ  ପୁରାଣର  ମହିମା  ଭିତରେ   ଯେ  ଲୁକାୟିତ  ତାହା  କେହି  କେବେ  ଅସ୍ୱୀକାର  କରିପାରିବେ  ନାହିଁ  ।

ମହାପୁରାଣ  ଭାଗବତର  ବିଷୟ  ବସ୍ତୁକୁ  ନାରଦୀୟ  ପୁରାଣରେ  ସଂକ୍ଷିପ୍ତାକାରରେ  ଶ୍ଳୋକରେ  ସଂଯୋଗଭୁକ୍ତ  କରାଯାଇଥିବା  ବେଳେ  ଜଗନ୍ନାଥ  ଦାସଙ୍କ  ସର୍ବାଦ୍ୟ  ଜୀବନୀକାର  କବି  ଦିବାକାର  ଦାସ  ଏହାର  ବିଷୟ  ବସ୍ତୁକୁ  ଅତି  ସଂକ୍ଷିପ୍ତ  ଶ୍ଳୋକାରରେ   ସଜ୍ଜାଇଛନ୍ତି -

"ଅଦୌ  ଦେବକୀ  ଦେବୀ  ଗର୍ଭ  ଜନନଂ  ଗର୍ଭେଗୃହେ  ବର୍ଦ୍ଧନଂ
ମାୟା  ପୂତନଜୀ  ବିତାପ  ହରଣଂ  ଗୋବର୍ଦ୍ଧନୋଦ୍ଧରଣଂ
କଂସ  ଚ୍ଛେଦନ  କୌରବାଦିନିଧନେ  କୁନ୍ତୀସୁତା  ପାଳନମ୍
ଏତନ  ଭାଗବତଂ  ପୁରାଣ  କଥିତଂ  ଶ୍ରୀକୃଷ୍ଣ  ଲୀଳାମୃତମ୍  ।"

ଉଲ୍ଲେଖନୀୟଯେ,  ଭାଗବତ  ମହାପୁରାଣର  ବିଷୟବସ୍ତୁ  ସଂପର୍କରେ  ସ୍ୱଂୟ  ଭାଗବତକାର  ଅତିବଡୀ  ଜଗନ୍ନାଥ  ଦାସ  ଏକ  ଗୀତି  କବିତା  ଭାଗବତ  ରଚନା  କାଳରେ  କରିଛନ୍ତି  ।  ଗୀତି  କବିତାଟି  ବେଶ୍  ହୃଦୟ  ସ୍ପର୍ଶୀ  ।  କବି  ଏଥିରେ  ଭାଗବତର  ପୂର୍ଣ୍ଣାଙ୍ଗ  ଚିତ୍ର  ଦେଇଛନ୍ତି,  କବିତାଟିର  ପ୍ରାରମ୍ଭ "ଭାଗବତ  ଭଜନ  ମାଳା,  ମନ  ସୂତ୍ରେ  ଗ୍ରନ୍ଥ  ନକର  ହେଳା  ।"

କବିତାରେ  ତାଙ୍କ  ଅନୁଦିତ  ଭାଗବତର  ପ୍ରତ୍ୟେକ  ସ୍କନ୍ଧ  ସଂପର୍କରେ  ଦର୍ଶାଇଛନ୍ତି;  ପ୍ରଥମ,  ଦ୍ୱିତୀୟ  ଓ  ତୃତୀୟ  ସ୍କନ୍ଧରେ  ବ୍ରହ୍ମଣ୍ତ  ସର୍ଜନା ,  ଚତୁର୍ଥ  ସ୍କନ୍ଧରେ  ଧ୍ରୁବର  ତପ  ଆଚରଣ  ଓ  ଦିବ୍ୟ  ଜ୍ଞାନ  ପ୍ରାପ୍ତି,  ପଞ୍ଚମ  ସ୍କନ୍ଧରେ  ପୃଥ୍ୱୀକୁ  ସପ୍ତଭାଗ  କରି  ବାଣ୍ଟିଣ  ଭରତ  ପୁତ୍ରଙ୍କୁ  ଦେବା,  ଷଷ୍ଠ  ସ୍କନ୍ଧରେ  ପାପୀ  ଅଜାମ୍ବୀଳ  ଅନ୍ତଃକାଳେ  ନାରାୟଣ  ନାମ  ମୁଖେ  ଧରିବା  କଥା  ଉଲ୍ଲେଖ  କରିଛନ୍ତି   ।  ସେଭଳି  ସପ୍ତମ  ସ୍କନ୍ଧରେ  ପ୍ରହ୍ଲାଦ  ଜନ୍ମ  ଓ  ହିରଣାକ୍ଷ   ବିଦାରଣ  ହେବା,  ଅଷ୍ଟମ  ସ୍କନ୍ଧରେ  ପୁନରପି  ସମୁଦ୍ର  ମନ୍ଥନ  ସହ  ଗଜରାଜ  ଓ  କୁମ୍ଭୀରଙ୍କ  ଯୁଦ୍ଧ  ବର୍ଣ୍ଣନା  ରହିଛି  ।  ନବମ  ସ୍କନ୍ଧରେ  ବଂଶାନୁ  ଚରିତ,  ଦଶମ  ସ୍କନ୍ଧରେ  କହ୍ନାଇର  ଜନ୍ମ  କଥା  ଉଲ୍ଲେଖ  ସହ  ଗୋପ  ବୃନ୍ଦାବନ,  ମଥୁରା,  ଦ୍ୱାରକା  ସହ  ବାଲ୍ୟ  ଲୀଳା  ଭାବ  ବର୍ଣ୍ଣନା  ରହିଛି  ।

ଏକାଦଶ  ସ୍କନ୍ଧରେ  କେବଳ  ତତ୍ତ୍ୱ  ନିରୂପଣ  ଉଦ୍ଧବ  ଓ  ଶ୍ରୀହରିଙ୍କର  ଉଲ୍ଲେଖ  ରହିଛି ,   ଶ୍ରୀହରିଙ୍କ  ଠାରୁ  ଉଦ୍ଧବର  କରୁଣା  ଲାଭ :  "ସକଳ  ତୀର୍ଥ  ତୋ  ଚରଣେ,  ବଦ୍ରିକା  ଯିବି  କି  କାରଣେ ।"  ଅନ୍ତିମ  ଦ୍ୱାଦଶ  ସ୍କନ୍ଧରେ  ଆଗତ  ଭହିଷ୍ୟ  ସଂପର୍କରେ  ବର୍ଣ୍ଣନା  କରିଥିବା   ଉଲ୍ଲେଖ  କରିଛନ୍ତି  ।  ଏକଥା  ମଧ୍ୟ  ସୂଚେଇଛନ୍ତି  ପ୍ରଥମରୁ  ଦ୍ୱାଦଶ  ସ୍କନ୍ଧଯାଏଁ   ଶୁକମୁନିଙ୍କ   ମୁଖରୁ  ରାଜା  ପରୀକ୍ଷିତଙ୍କ   ଶୁଣିଥିଲେ  ଓ  ଶ୍ରୀକୃଷ୍ଣଙ୍କ  ପାଦପଦ୍ମରେ  ଚିତ୍ତବୃତ୍ତି  ରହିଲେ   ଅନ୍ତିମକାଳେ  ଭଗବାନ  ସହ  ମିଳନ  ଘଟିବ  ।  ଶ୍ରୀକୃଷ୍ଣାୟଣ  ଭାଗବତ  ମହାପୁରାଣର  ସାରମର୍ମକୁ  ଗୀତିକବିତାରେ  କବି  ଜଗନ୍ନାଥ  ଦାସ  ଚମତ୍କାର  ଭାବେ  ବୁଝାଇ  ଦେଇଛନ୍ତି  ।

ଓଡିଶାର  ସମାଜ  ଓ  ସାହିତ୍ୟକୁ  ଜଗନ୍ନାଥ  ଦାସଙ୍କ  ଭାଗବତ  ଦୀର୍ଘ  ପାଞ୍ଚ/ଛଅଶହ  ବର୍ଷଧରି  ପ୍ରଭାବିତ  କରିଆସିଛି  ।  ଭାଗବତ  ମାଧ୍ୟମରେ  ଜାତି-କୁଳ-ବର୍ଣ୍ଣ  ବୈଷମ୍ୟହୀନ  ସମାଜ  ଗଢିବାର  ସ୍ୱପ୍ନ  ଦେଖାଇଛି  ।  ଭାଗବତର  ମର୍ମବାଣୀ  :  "ସକଳ  ଘଟେ  ନାରାୟଣ,  ଅନାଦି  ପରମ  କାରଣ  ।"  ଜାତିଭେଦର  ବିଦ୍ୱେଷଭାବ,  ପରୋପକାର,  ଜୀବେଦୟା  ଓ  ସକଳ  ଦେବଗୁଣ  ଗୁଡିକ  ସମାଜକୁ  ବିକଶିତ  କରେ  ତାହା  ଉପଦେଶ  ଛଳରେ  ଦର୍ଶାଯାଇଛି  ।

"ଧନ  ଅର୍ଜ୍ଜନେ  ଧର୍ମ  କରି,  ଧର୍ମେ  ପ୍ରାପତ  ନରହରି  ।
ପୁତ୍ର  ନିବେଶି  ପତ୍ନୀପାଶେ,  ଅଥବା  ଚଳିବ  ସନ୍ନ୍ୟାସେ  ।
ଭକ୍ତରେ  ପ୍ରୀତି  ନାହିଁଯାର,  ସେକାହୁଁ  ଜାଣେ  ମୋ'ପୟର  ।
ସ୍ତିରୀ  ସଂଗମ  ଋତୁମତେ,  କେବଳ  ପୁତ୍ର  ଜନ୍ମ  ଅର୍ଥେ  ।
ଦୁର୍ଲ୍ଲଭ  ନର  କଳେବର,  ନରକ  ନିସ୍ତାରଣ  ଦ୍ୱାର  ।
ବୁଦ୍ଧି  ବିବେକ  ଜ୍ଞାନବଳେ,  ମରଣ  ଜିଣିପାରେ  ହେଳେ  ।
ଅନିତ୍ୟ  ଅଟେ  ଏ  ସଂସାର,  କେବଳ  ଭକତିଟି  ସାର  ।
ଦଣ୍ତିବା  ଶକ୍ତି  ଯାର  ଥାଉ,  ସେପୁଣି  କ୍ଷମା  ଆଚରଇ  ।
କାଳର  ବଶ  ଏଜଗତ,  ପ୍ରାଣୀଏ  କାଳର  ଆୟତ୍ତ  ।
ମର୍ତ୍ତ  ମଣ୍ତଳେ  ଦେହ  ବହି,  ଦେବତା  ହୋଇଲେ  ମରଇ  ।
ମନଟି  ସୁଖ  ଦୁଃଖ  ଦାତା,  ସେ  ପାପ  ପୁଣ୍ୟର  କରତା  ।"

ଏସବୁ  ସମାଜର  ଅନ୍ତଃହକରଣରେ  ଏହାର  ସଂସ୍କାରଶୀଳ  ଆଭିମୁଖ୍ୟ  ଓ  ଉପଦେୟତା  ମହତ୍ୱପୂର୍ଣ୍ଣ  ।  ଇତିହାସ  ସାକ୍ଷୀ,  ଜଗତର  ନାଥ  ପରମବ୍ରହ୍ମଙ୍କୁ  ସାଇତି  ରଖିବାରେ  ଏ  ଜାତି  ଯେମିତି  ଘାତ  ପ୍ରତିଘାତ  ସହି  ସାଇତି  ରଖିବାରେ  ଜଗନ୍ନାଥଙ୍କ  କୃପାରୁ  ସଫଳ  ହୋଇଛି,  ସେଭଳି  ଆରମ୍ଭରୁ  ଓଡିଆ  ଭାଷାକୁ  ମଧ୍ୟ  ବହୁ  ପ୍ରତିବନ୍ଧକର  ସାମ୍ନା  କରିବାକୁ  ପଡିଛି,  ପଡୁଛି,  ଯାହାର  ଅବସାନ  ଏବେ  ବି  ଶେଷ  ହୋଇନାହିଁ  ।  ଜଗନ୍ନାଥ  ଦାସ  ଓଡିଆ  ଭାଷା  ପ୍ରତି  ନିଜର  କର୍ତ୍ତବ୍ୟ  ପରମ  ନିଷ୍ଠାର  ସହ  ସାଧନ  କରି  ଏ  ଜାତିକୁ  ସୁରକ୍ଷିତ  କରିଯାଇଛନ୍ତି  ସତ,  କିନ୍ତୁ  ଓଡିଆ  ଭାଷା  ସରକାରି  ସ୍ତରର  ଭାଷା  ହୋଇ  ପୂର୍ଣ୍ଣମର୍ଯ୍ୟାଦା  ପାଇପାରି  ନାହିଁ   ।  ଭାଗବତରେ  ଅଛି :  " ଆପଣା  ହସ୍ତେ  ଜିହ୍ୱା  ଛେଦି,  କେ  ଅଛି  ତାର  ପ୍ରତିବାଦୀ  ।"

ଭାଗବତ  ସବୁ  ଓଡିଆ  ଜାତିକୁ  କାଳ  କାଳ  ଧରି  ସାହସ  ଓ  ସାମର୍ଥ  ଦେଇଆସିଛି  ।  ଶ୍ରୀଜଗନ୍ନାଥ  ଭଳି  ଓଡିଆଙ୍କ  ଅନ୍ତରଙ୍ଗ  ବନ୍ଧୁ  ପାଲଟିଯାଏ  ଭାଗବତ  ।  ଶ୍ରୀଜଗନ୍ନାଥ  ଓ  ଓଡିଆ  ଭାଗବତ  ଯେପରି  ନିଜସ୍ୱ  ପରିଚୟ  ଦେଇଆସିଛି  ତାହାର  ନମୂନା  ଭାଗବତର  ନିୟମିତ  ପାରାୟଣ  ତଥା  ଅନୁଶୀଳନ ପାଇଁ    ଓଡିଶାର  ପ୍ରତି  ଗ୍ରାମେ  ଗ୍ରାମେ  ଭାଗବତ  ଟୁଙ୍ଗୀମାନ  ସ୍ଥାପିତ  ହୋଇଥିଲା,  ଯଦିଅ  ତାହା  ଆଜି  ନାଇଟ୍  କ୍ଳବରେ  ପରିଣତ  ହେଲାଣି  ।  ସେଦିନର  ଭାଗବତ  ଟୁଙ୍ଗୀ  ଥିଲା  ଭାବଗତ  ସଂହତି  ଓ  ଗ୍ରାମ୍ୟ  ଏକତା  ପ୍ରତିଷ୍ଠା  କରିବାର  ଆଦର୍ଶ,  ନ୍ୟାୟାଳୟ,  ଚାଟଶାଳୀ,  ପଠନର  ପୁସ୍ତକାଳୟ,  ସର୍ବୋପରି   ଅତିଥିଶାଳା  ।  ଯେଉଁଠି  ମଣିଷକୁ  ସୁଖ-ଦୁଃଖର  ଉର୍ଦ୍ଧ୍ୱକୁ  ଯିବାର  ପ୍ରେରଣା  ମିଳେ  ।  ମଣିଷର  ମଣିଷ  ପଣିଆ  ଉଦ୍ଭାସିତ  ହୁଏ  ।  ଗର୍ବୀ, ଅହଂକାରୀ, କ୍ଷମତାଶାଳୀ,  ଦୁର୍ନୀତିଗ୍ରସ୍ତ,  ଲୋଭି,  ନୀତିହୀନ,  ମିଥ୍ୟାବାଦୀ,  କପଟୀ  ମଣିଷକୁ  ଭଲ  କର୍ମରେ  ଭଲ  ଫଳ,  ମନ୍ଦ  କର୍ମରେ  ମନ୍ଦ  ଫଳର  ଧାରଣା  ଜାଗ୍ରତ  କରାଏ  ।  ଯେ  ଜୀବ  ହିଂସା  କରେ,  ସେ  ପ୍ରାଣୀ  ଯେତେ  ଦେବତା  ପୂଜା  କଲେ  ମଧ୍ୟ  ଏ  ସଂସାରରୁ  ଉଦ୍ଧାର  ପାଇପାରେ  ନାହିଁ,  ଅହିଂସା  ପନ୍ଥା  ଅନୁସରଣ  କରିବାର  ସତ୍  ମାର୍ଗର  ପଥ  ଦର୍ଶାଏ  ।  ଆଜିର  ଯୁଦ୍ଧଖୋର  ମଣିଷ  ନିଜକୁ  ଏକ  ନଷ୍ଟ  ପୃଥିବୀର  ଧୂସର  ଅପରାହ୍ଣ  ଠିଆ  ହୋଇଛି  ।  ଆଶା  ଆଶ୍ୱାସନା  ହୀନ  ଏ  ରଙ୍ଗ  ହୀନ  ପୃଥିବୀରେ    ଅନ୍ତଃସାରହୀନ  ବୋଝବୋଝ  କ୍ଳାନ୍ତି,  ହତାଶା,  ବିଷାଦକୁ  ପାଥେୟ  କରି  ଏକ  ନିମୂଳୀ  ଜୀବନ  ନେଇ  ବଞ୍ଚିଥିବା  ବେଳେ,  ଭାଗବତର  ପ୍ରଶାନ୍ତ  ଆଧ୍ୟାତ୍ମିକ  ଚେତନା  ନିଃସଙ୍ଗ  ମଣିଷକୁ  ଯେ  କିଛି  ଆଶା,  ଆଶ୍ୱାସନା,  ବିଶ୍ୱାସ,  ଅନୁରାଗ,  ଆଗ୍ରହ,  ଆଲୋକ  ଓ  ଉଲ୍ଲାସର  ଏକ  ପ୍ରତ୍ୟୟମୟ  ଅମୃତର  ସନ୍ଧାନ  ଦିଏ  ।

ଗତାୟୁମାନ  ସମୟର   ସ୍ରୋତରେ  କେଉଁ  ଏକ  ମାହେନ୍ଦ୍ର  ଅମୃତବୋଳା  ଲଗ୍ନରେ  ଜଗନ୍ନାଥ  ଦାସଙ୍କ   ଭାଗବତ  ସୃଷ୍ଟିର  ପ୍ରଣବଧ୍ୱନି  ଉଚ୍ଚାରିତ  ହୋଇଛି,  ତାହା  ଓଡିଶାର  ସାମାଜିକ,  ସାଂସ୍କୃତିକ,  ଆଧ୍ୟାତ୍ମିକ  ଜୀବନକୁ  ପରିପୂର୍ଣ୍ଣ  କରିଛି ।  ପଠନ  ଓ  ଶ୍ରବଣରେ  ସାଂସାରିକ  ଜୀବନ  ସୁଖ,  ଶାନ୍ତି  ଓ  ଭକ୍ତିର  ଜାଗରଣ  ସୃଷ୍ଟି  କରାଇ,  ଶାନ୍ତି-ମୈତ୍ରୀ-ଦୟା, କ୍ଷମା,  ଜାତୀୟବୋଧ  ଓଡିଆ  ସଂସ୍କୃତିକୁ  ମହୀୟାନ  କରିଆସିଛି  ।  ଏପରିକି  ବିଶ୍ୱ  ସାହିତ୍ୟରେ  ଭାଗବତ  ଭଳି  ଦୁର୍ଲ୍ଲଭ  ଅଦ୍ୱିତୀୟ  ଗ୍ରନ୍ଥର  ସଂଖ୍ୟା   ନାହିଁ,  ସେହି   ମହାପୁରାଣ  ଭାଗବତର  ପ୍ରଚାର  ଓ  ପ୍ରସାର  ଲାଗି  ପୂର୍ବ  ଭଳି  ପ୍ରତ୍ୟେକ  ଗ୍ରାମରେ  ଭାଗବତ  ଟୁଙ୍ଗି  ଓ  ଗାଦିର  ପ୍ରତିଷ୍ଠା  ପାଇଁ  ସରକାରଙ୍କ   ପକ୍ଷରୁ  ପ୍ରୋତ୍ସାହନ  ଦିଆଗଲେ,  ହୁଏତ  ସମବେତ  କଣ୍ଠରୁ  ପୁନରପି  ଉଚ୍ଚାରିତ  ଧ୍ୱନି  ପ୍ରତିଧ୍ୱନିତ   କରିବ  :  
"ପରମ  ଶାସ୍ତ୍ର  ଭାଗବତ,  ଅଭ୍ୟାସ  କରୁଥିବ  ନିତ୍ୟ  ।

ଅଧ୍ୟାପକ ଡ଼କ୍ଟର  ଲକ୍ଷ୍ମଣ  ସାହୁ
ଓଡିଆ  ଭାଷା  ଓ  ସାହିତ୍ୟ  ବିଭାଗ
ମହାନଦୀବିହାର  ମହିଳା  ସ୍ନାତକ  ମହାବିଦ୍ୟାଳୟ,  କଟକ

Post a Comment