OUR READERS STATUS AROUND THE GLOBE : INDIA-362119 CANADA-354 CHINA-881 FRANCE-1727 GERMANY- 2083 QATAR - 61 SINGAPORE - 1114 UNITED STATES - 14819 UNITED KINGDOM - 553 UNITED ARAB EMIRATES - 926 UKRAINE-47 UNKNOWN REGIONS-5627

କ୍ଷୁଦ୍ରଗଳ୍ପ - ଭୁଲି ହେବକି ସେ ଅଭୁଲା ମୁହୂର୍ତ୍ତ - ନାରାୟଣ ଚନ୍ଦ୍ର ସେନାପତି

କ୍ଷୁଦ୍ରଗଳ୍ପ - ଭୁଲି ହେବକି ସେ ଅଭୁଲା ମୁହୂର୍ତ୍ତ - ନାରାୟଣ ଚନ୍ଦ୍ର ସେନାପତି


ପାହାନ୍ତାର କୁକୁଡା ରାବ ସାଥେ ସାଥେ ଅନାଥାଶ୍ରମର ସହାୟିକାଙ୍କ ହୁଇସିଲର ସ୍ୱର କନ୍ୟାମାନଙ୍କୁ ଶୀଘ୍ର ଶଯ୍ୟାତ୍ୟାଗ କରିବାପାଇଁ ଆହ୍ୱାନ ଦେଲା । ହେଲେ ଆଜି ସଭିଙ୍କ ମନରେ ଦୁଃଖର ଛାୟା... କିନ୍ତୁ କାହିଁକି ? ଆଶ୍ରମର ତତ୍ୱାବଧାରୀକା ସଭିଙ୍କ ବିଳମ୍ବ ଦେଖି ଆସିଲେ କୋଠରୀ ଭିତରକୁ । କହିଲେ... ଆରେ କୁନି, ମୁନି, କବିତା, ଅନୀତା... ଆଜି ପରା ରାକ୍ଷୀ ପୁନେଇଁ... ଉଠିପଡ ଏଥର । ଶୀଘ୍ର ସ୍ନାନ ଶୌଚ ସାରି ବାହାରିପଡ, ରାକ୍ଷୀ ପୁନେଇଁ ପାଳିବାପରା । ଦିଦି ଚାଲି ଯାଉଁ ଯାଉଁ, ତାଙ୍କ କର୍ଣ୍ଣକୁ ସ୍ପର୍ଶକଲା କାହାର କ୍ରନ୍ଦନର ସ୍ୱର । ଅବାକ୍ ହୋଇ ପଛକୁ ଚାହିଁ ଦେଖିଲେ ସେ । ସ୍ୱର ଆଉ କାହାର  ନୁହଁ, ସେଇ ହତଭାଗିନୀ ବାଳିକାମାନଙ୍କର । ଦିଦି ପାଖକୁ ଆସି  କୋମଳ ଦରଦୀ କଣ୍ଠରେ ଶ୍ରଦ୍ଧାରେ ପଚାରନ୍ତେ, ଉତ୍ତର ପାଇଲେ.. "ଦିଦି, ଆମେ ପରା ଅନାଥ, ଆମର ତ ଭାଇ ନାହିଁ.. ଆମେ କଣ କାହା ହାତରେ ରାକ୍ଷୀ ବାନ୍ଧିପାରିବୁ ?" ଛଳଛଳ ଆଖି ଓ ବୁକୁଥରା ହୃଦୟରେ ଦିଦି କହିଲେ, "ମୋ ସୁନାଟା ପରା... କିଏ କହିଲା ତୁମର ଭାଇ ନାହିଁ ବୋଲି ? ଆରେ ତୁମେ ସବୁ ପ୍ରସ୍ତୁତ ହୁଅ, ମୁଁ କଥା ଦେଉଛି.. ଆଜି ନିଶ୍ଚୟ ତୁମ ଭାଇଙ୍କ ହାତରେ ମୁଁ ରାକ୍ଷୀବନ୍ଧା କରାଇବି ।"
    
ନୈରାଶ୍ୟର ସାହାରା ମରୁବାଲିରେ ସ୍ୱର୍ଗର ନନ୍ଦନକାନନର ପାରିଜାତ ଫୁଟିଲା ପରି ଅନାଥ କନ୍ୟାମାନଙ୍କ ହୃଦୟରେ ହସଖୁସିର ଜୁଆର ଖେଳିଗଲା । ଉତ୍କଣ୍ଠାର ଆକାଶରେ ଛବିଳ ଇନ୍ଦ୍ରଧନୁ ସତେ ଯେମିତି  ଆବିର୍ଭାବ ହେଲା । ଚଳଚଞ୍ଚଳ ମନରେ ନିଜର ପ୍ରାରମ୍ଭିକ କାମସାରି ସଜାଇଲେ ସେମାନେ ଅତି ଶରଧାରେ ରକ୍ଷାବନ୍ଧନର ଥାଳି । ଆଶ୍ରମରେ ପାଳିତ ହେଲା ରକ୍ଷାବନ୍ଧନ । ଏହା ଭିତରେ ସେମାନଙ୍କର ଭାଇଙ୍କୁ ଦେଖିବା ଓ ରାକ୍ଷୀବାନ୍ଧିବାର ଜିଜ୍ଞାସା ତ୍ୱରାନ୍ୱିତ ହେଉଥାଏ । ଦିଦି ଡାକିଲେ, "ପିଲେ.. ଆସ ଯିବା ରାକ୍ଷୀ ବାନ୍ଧି ।" ମନପବନର ଉଜାଣି ସ୍ରୋତରେ.. ଆବେଗର ଚିରସ୍ରୋତା ସୁଅ ଓ ଉଦବେଗର ତରଙ୍ଗ ଟାଣିନେଲା  ରାକ୍ଷୀବାନ୍ଧିବାକୁ । ଏ ଭିତରେ ପହଞ୍ଚିଯାଇଥିଲେ ସଭିଏଁ ଗୋଟିଏ ଫାଟକ ନିକଟରେ । ତାହାଥିଲା ଆମ ଦେଶର ସୁରକ୍ଷାକାରୀ ମହାମାନବ ଯବାନଙ୍କର ଆବାସସ୍ଥଳୀ ।

ଆଜି ବି ଉଦାରତାର ବାଦଲରେ ଆଚ୍ଛାଦିତ ମାଟିର ମଣିଷ ଏ ଯବାନଙ୍କ ମନରେ ଦୁଃଖର କଳାବାଦଲ । ପାଖରେ ନାହାଁନ୍ତି ପରିବାର ଲୋକ ଆଉ ସେମାନଙ୍କର ଅନାବିଳ ସ୍ନେହ । ଆଜି ପବିତ୍ର ରକ୍ଷାବନ୍ଧନ ପର୍ବ । ଭାରତୀୟ ପବିତ୍ର ସଂସ୍କୃତିରେ ଭଉଣୀ ବାନ୍ଧିବ ମମତାର ରାକ୍ଷୀ ତା ଭାଇ ହାତରେ । ମାତ୍ର ଆଜି ଆମ ପାଖରେ ନାହିଁ ଭଉଣୀ.. କିଏ ବାନ୍ଧିବ ଏ ମମତାର ରାକ୍ଷୀ !!!
     
ହଠାତ୍ ଆଖିର ଲୁହଧାର ଚିରସ୍ରୋତା ହୋଇ ବୋହିନେଲା ଫାଟକ ଆଡକୁ । କେତେକ କୁନି ଝିଅ ଓ ଭଦ୍ର ମହିଳାମାନଙ୍କୁ ଦେଖି ମନେ ପଡିଲା ଭଉଣୀମାନଙ୍କ କଥା, ସ୍ନେହ, ମମତା ଓ ସମ୍ପର୍କର ସେ ଅଭୁଲା ମୁହୂର୍ତ୍ତ ॥ ସୁରକ୍ଷାକାରୀ ଫାଟକଟିକୁ ଖୋଲିବାପରେ ସହାସ୍ୟ ବଦନରେ ପ୍ରବେଶକଲେ କନ୍ୟାଏ । ହାତରେ ରକ୍ଷାବନ୍ଧନର ଅର୍ଘ୍ୟଥାଳି । ଉଦାସ ମନରେ ବସିଥିବା ଯବାନ ମାନଙ୍କ ପାଖକୁ ଯାଇ ଦିଦି କହିଲେ.."ଏଇ ମାନେ ତୁମ ମାନଙ୍କ ଭାଇ ।" "ଦିଦି ଏମାନେ !!! ଏମାନେ କ'ଣ କରନ୍ତି ଯେ ?" ଉତ୍ତରରେ ପୁନଶ୍ଚ କହିଲେ, "ଯେଉଁ ଜନ୍ମଭୂମିରେ ଆମେ ଜନ୍ମ, ଯେ ତା'ର ସର୍ବସ୍ୱ ଦେଇ ଆମକୁ ଖୁସି କରାଏ, ସେଇ ଭାରତମାତାକୁ ଶତ୍ରୁ କବଳରୁ ରକ୍ଷା କରିଥାନ୍ତି ଏଇମାନେ । ଖରା ବର୍ଷା ଶୀତ କାକର ଭ୍ରୁକ୍ଷେପ ନ କରି, ଦିବାରାତ୍ର ଆମ ଦେଶର ସୀମାନ୍ତକୁ ଜଗି, ଆମକୁ ଆନନ୍ଦରେ ଶୁଆନ୍ତି...ଏଇମାନେ । ନିଜ ଜୀବନକୁ ଜଳାଞ୍ଜଳି ଦେଇ ଆମ ଓଠରେ ଗୋଲାପି ହସ ଭରନ୍ତି ଏଇମାନେ । ବିଶ୍ୱ ଏମାନଙ୍କ ତ୍ୟାଗପାଇଁ ମଥାନତ କରେ । ଏମାନେ ମା', ଭଉଣୀ, ଭାଇ ପରିବାର ସମସ୍ତଙ୍କୁ ଦୂରକରି ଆପଣାନ୍ତି ଦେଶର ଆବାଳ ବୃଦ୍ଧବନିତାଙ୍କୁ ।"
     
କନ୍ୟାମାନଙ୍କର ଆନନ୍ଦର ସୀମା କହିଲେ ନ ସରେ । ମନ କୁଣ୍ଢେମୋଟ ହେଉଥାଏ... ଏଭଳି ମହାନ ଦେଶଭକ୍ତଙ୍କୁ ଭାଇରୂପେ ପାଇ । ରକ୍ଷାବନ୍ଧନ ଥାଳି ନେଇ ଆଗେଇ ଯାଆନ୍ତି ରାକ୍ଷୀବାନ୍ଧିବାକୁ । ଯବାନମାନେ ହାତ ବଢେଇଦିଅନ୍ତି... ଆନନ୍ଦର ଅଶ୍ରୁ ଝରିଯାଉଥାଏ ତାଙ୍କ ଆକୁଳ ନୟନରୁ । ଅପୂର୍ବ ଏ  ମୁହୂର୍ତ୍ତ । କନ୍ୟାଏ ଭାଇଙ୍କର ଆଖିରୁ ଲୁହ ପୋଛି.. ତୀଳକ ପିନ୍ଧାଇ ସତେ ଯେମିତି କହୁଥିଲେ ଭାଇ, "ତୁ ସଦା ବିଜୟୀ ହୁଅ" ଚନ୍ଦନ ଲଗାଇ ଅନ୍ତରେ କହୁଥାନ୍ତି.. "ଭାଇ.. ତୁ ଏମିତି କାମ କର ଯେମିତି ତା'ର ମହକ ଚଉଦିଗ ମହକାଉ ।" ହାତରେ ପବିତ୍ର ରାକ୍ଷୀ ବାନ୍ଧି ଭିତରେ କହୁଥାଏ,  "ଭାଇ, ଏ ମମତାର ରାକ୍ଷୀ ବାନ୍ଧିଲି.. ତୁ କେବଳ ମୋର ନୁହେଁ.. ସବୁ ମା' ଭଉଣୀଙ୍କର ମାନ ସମ୍ମାନ ରଖିବୁ, ସୁରକ୍ଷା ଦେବୁ.. ଆଉ ମୋ ଭାରତମାତାର ଶିର ଉନ୍ନତ କରିବାକୁ କେବେ ଭୁଲିବୁ ନାହିଁ ।" ଯବାନ ମାନେ ଭଉଣୀଙ୍କ ହାତରୁ ଶ୍ରଦ୍ଧାର ମିଠାଖାଇ ହୃଦୟର ଗଭୀରତମ ପ୍ରଦେଶରୁ ସତେ ଯେମିତି କହୁଥାନ୍ତି... "ହଁ ଲୋ ଭଉଣୀ...ଏ ଭାଇଟା ତା'ର ଜୀବନ ଉତ୍ସର୍ଗ କରିଦେବ ପଛେ... ମା' ଭଉଣୀ ଓ ଦେଶର ଇଜ୍ଜତକୁ କେବେ ତଳେ ପକାଇଦେବ ନାହିଁ ।"
     
ସକାଳ ସୁରୁଯର ସୁନେଲି କିରଣ ଏସବୁ ଦେଖି ସତେ ଯେମିତି ମୁରୁକି ହସୁଥିଲା ! ମନ୍ଦ ସମୀରଣ ଗର୍ବରେ କହୁଥିଲା.. ବାଃ ବାଃ ରେ ଭାରତୀୟ ସଂସ୍କୃତି !! ଭାଇ ଭଉଣୀର କି ପବିତ୍ର ଓ ଅକାଟ୍ୟ ବନ୍ଧନ !!! ଭାଇ ଭଉଣୀର ଏ ରକ୍ଷାବନ୍ଧନର ଦୃଶ୍ୟ ଦେଖି ସତେ ଯେମିତି ରାକ୍ଷୀପୁନେଇଁ ହସିହସି କହୁଥିଲା.. "ଭୁଲିହେବନି.... ଭୁଲିହେବକି "ଏ ଅଭୁଲା ମୁହୂର୍ତ୍ତ" ॥

ନାରାୟଣ ଚନ୍ଦ୍ର ସେନାପତି, ଶିକ୍ଷକ
ସରକାରୀ ଉ.ପ୍ରା.ବିଦ୍ୟାଳୟ, ଡିମିରିଆ
ଜିଲ୍ଲା-କେନ୍ଦୁଝର, ପିନ୍-୭୫୮୦୧୯
ଯୋଗାଯୋଗ-୭୯୭୮୩୭୯୯୬୬

0 Comments