
କୁହ କୁହ ଚକା ଆଖି
ଜଗତ ମଙ୍ଗଳ ପୁରୁଷ ମୋ ଧନ
ମୋ ଡାକ କି ନ ଶୁଭୁଛି
ମୋର ଦୁଃଖ ଦେଖି କେମିତି ସହିଛ
କଳାଚାନ୍ଦ କଳାନିଧି … କୁହ କୁହ ଚକା ଆଖି ।।
କୋଟି କୋଟି କାମ ରୂପି ଭଗବାନ
ଔଜ୍ଜ୍ଵଲ୍ୟ ମୟ ସେ ରୂପ
ତବ କଞ୍ଜପଦେ ଆଶ୍ରୟ ଜୀବନ
କିଆଁ ହୀନ ମଣୁଅଛ
ଦୁଃଖ ପରେ ଦୁଃଖ ଦୁଃଖୀ ଭୋଗୁଅଛି
କିଆଁ କର ନିରିମାଖି….. କୁହ କୁହ ଚକା ଆଖି ।।
ଅଖିଳ ବ୍ରହ୍ମାଣ୍ଡନାଥ ଲକ୍ଷ୍ମୀ କାନ୍ତ
ରମା ରମଣ ଶ୍ରୀହରି
ଜଗତ କଲ୍ୟାଣ ପତିତପାବନ
ବାନା ଉଡେ ଚକ୍ରଧାରି
ଦୁଃଖ ର ଦରିଆ ଭସାଇ ନିଅଇ
ସହା ହୁଅ ଦୟାନିଧି… କୁହ କୁହ ଚକା ଆଖି ।।
ମୁଁ ଜଣେ ଅନାଥ ଡାକେ ଆହେ ତାତ
ତୁମେ ତ ବଡ ସାଆନ୍ତ
ପ୍ରଫୁଲ୍ଲ ଆତୁରେ ଜଣାଣ କରୁଛି
ଦୁଃଖୀ ର ଦୁଃଖ ଶୁଣତ
ହନ୍ତ ସନ୍ତ କରି କି ଲାଭ ପାଇବ
ଆହେ ନୀଳାଚଳ ପତି … କୁହ କୁହ ଚକା ଆଖି… ।।
ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର, ମଙ୍ଗଳାଯୋଡି, ଖୋର୍ଦ୍ଧା