
କାହାଲାଗି ଖେଳ ବିନାଶର ଖେଳ
ଅବନୀ ବୁକୁରେ ଦିନ ଓ ରାତି
ପ୍ରଶ୍ୱାସ ବି ଶ୍ରାନ୍ତ ନିଶ୍ୱାସ ବି ସୁପ୍ତ
କୁହ କେଉଁ ଦିଗେ ତୁମର ଗତି...
ନାହିଁ ସେ ସମୟ ମନେ ଖାଲି ଭୟ
ପ୍ରତି ପାହୁଣ୍ଡରେ ଜଳୁଛି ଜୁଇ
ପବନରେ ଭାସି ଯାଇଛିତ ମିଶି
ଜହର ସାଜିଛି ଜୀବନ ନଈ...
ଭାଳେଣି ପଡ଼ିଛି ତପନ ହସୁଛି
ଅନ୍ଧକାର ଦିଶେ ପୂନେଇଁ ରାତି
ଶରତ ବା ଶୀତ ବସନ୍ତ ହେମନ୍ତ
ଧରଣୀ ଦେହରେ ଅସହ୍ୟ ତାତି...
ଭବିଷ୍ୟତ କରେ ଇଙ୍ଗିତ ମୋଠାରେ
ବର୍ତ୍ତମାନ କହେ ସରିଲା ଖେଳ
ଦୂର ପାହାଡ଼ର ସେ ମଧୁର ସ୍ୱର
ଦିଶୁନାହିଁ ଆଉ ଗୋଧୂଳି ବେଳ...
କରି କସରତ ବାନ୍ଧ ହେ ତୁରିତ
ସମୟ ସୁଅରେ ଯାଉଛି ବହି
ଅଫେରା ବାଟରେ ଚାଲିଗଲା ପରେ
ବହିବିନି ଆଉ ଉଜାଣି ହୋଇ...
ପବିତ୍ର କୁମାର ନାୟକ, କେଲୁଆପଲ୍ଲୀ, ଗଞ୍ଜାମ