Information

"ସ୍ଵାଗତିକା" ସାହିତ୍ୟ ପତ୍ରିକା ନିମନ୍ତେ ଇ-ମେଲ, ହ୍ଵାଟସଆପ ଓ ଡାକ ମାଧ୍ୟମରେ କବିତା ପଠାନ୍ତୁ । କବିତା ପଠାଇବାର ଶେଷ ତାରିଖ ୩୦/୧୧/୨୦୧୮ ଏବଂ କବିତାର ପରିଧି ୧୬ ରୁ ୨୦ ଧାଡି ମଧ୍ୟରେ ରହିବା ଆବଶ୍ୟକ । Email - swagatika.nishikanta@gmail.com / WhatsApp - 8018646704 / By Post - The Chief Editor, Swagatika, At - Lokipur, PO - Gadamanatir, Dist - Khordha, Pin-752062, Odisha.

ରମ୍ୟରଚନା - ଟ୍ରେଣ୍ଡିଙ୍ଗ୍ - ଜୟନ୍ତ ମହାପାତ୍ର


“ଭାଇ ଓ ଭଉଣୀ ମାନେ, ଆଜିକୁ ସାତଦିନ ହେଲାଣି ଆମେ ଏଠି ଧାରଣାରେ ବସିଛେ । କିନ୍ତୁ ଲାଗୁନି ଆମମାନଙ୍କର ବା ଆମ କଲେଜର ଏ ଦେଶରେ କୈାଣସି ମୂଲ୍ୟ ଅଛି । ଶତ ଚେଷ୍ଟା କରି ମଧ୍ୟ ଆମେ ଥରେ ହେଲେ ଫେସବୁକ ବା ଟୁଇଟରରେ ଟ୍ରେଣ୍ଡ୍ କରିପାରିଲେନି । ଆଜତକ କଥା ଛାଡ଼ ନକ୍ଷତ୍ରବାଲାବି ଆମକୁ ଏଯାଏଁ ଭାଉ ଦେଉ ନାହାଁନ୍ତି । ଫସର ଫାଟିଲା ବେଳକୁ ଯାହାହେଉ ଏ ସାମ୍ବାଦିକ ଜଣକ ଆମକୁ ମିଳିଛନ୍ତି । ମୋର ଆଶା ଓ ବିଶ୍ୱାସ ଯେ ସେ ଆମର ସହାୟକ ହେବେ ।” ମୋ ଆଡ଼କୁ ଇଙ୍ଗିତ କରି ଛାତ୍ରନେତା ସେଠାରେ ଧାରଣାରତ ଛାତ୍ରଛାତ୍ରୀ ମାନଙ୍କୁ ଭାବବିହ୍ୱୋଳ ହେଇ କହୁଥିଲେ ।

ଥିଲା ଥିଲା ଗହଳି ଭିତରୁ କିଏ ଗୋଟେ କିଳିକିଳା ରଡ଼ିଟେ ଛାଡିଲା, “ଏ ସାମ୍ବାଦିକ ଜଣକ ଆମକୁ ଟ୍ରେଣ୍ଡ୍ କରେଇ ପାରିବେ ତ ?”

ଛାତ୍ରନେତା ଅଧାରୁ କଥା ଛାଡ଼ି ମୋତେ ଚାହିଁଲେ । କ’ଣ ଆଶା କରୁଛନ୍ତି ଠିକ୍ ବୁଝି ପାରିଲି । କ’ଣ କହିବି ବା ନକହିବି ବୋଲି ଭାବି ପ୍ରସ୍ତୁତ ହେଉଥିଲା ବେଳେ ହଠାତ୍ ଗୋଟେ ରାଢ଼ୁଆ ଟୋକାଟା ମୋ ଆଡ଼କୁ ଧପଡ଼ି ଆସି ପକେଟରୁ ଚଟକିନା ମୋବାଇଲ୍ ଟା ଝିଙ୍କି ନେଲା । ଦାଢ଼ୀ ମଚମଚ, ମଦ ଭଣଭଣ ପାଟିରେ ଧୀରେକିନା କହିଲା, “ଦେଖ ଭାଇ, ମୋତେ ବେଜ୍ଜତ କରେଇବୁ ଯଦି ଖେଳ କରିଦେବି । ମୋବାଇଲଟା ବନ୍ଧା ରହିଲା, ବେଶୀ ସିଆଣିଆ ହେଲେ ଗାଏବ ହେଇଯିବ ।” 

ଭଲ କଲେଜ ଛକ ବରା ଖାଇ ଆସିଥିଲି ଯେ, ଏ ଗାଲୁଆଟା ମୋତେ ଟେକିଆଣି ଏଠି ଠୁକେଇ ଦେଲା । ଠୁକେଇଲା ତ ଠୁକେଇଲା, ତାଉପରେ ସାମ୍ବାଦିକର ଟ୍ୟାଗଟା ବି ଟାଙ୍ଗି ଦେଲା । ଆଜିକା ସବୁ ନାମିଦାମି ସାମ୍ବାଦିକଙ୍କୁ ପେଷ୍ଟିଚୁଡ କହି ହୋ ହାଲ୍ଲା କଲାବାଲା ଲୋକକୁ, ଚଟକଣାଟେ ମାରିଥିଲେ ବି ଚଳିଥାନ୍ତା କିନ୍ତୁ ସାମ୍ବାଦିକ ଭାବେ ସମ୍ବୋଧନ କରି ସବୁ କଳଙ୍କିତ କରିଦେଲା । ଯଦି ଜଣା ପଡିଯିବ ଖଟିବାଲାଏ କେଁ କଟର କରି ଖାଇଯିବେ । କଲେଜରେ ସିନା ପଢ଼ୁଛନ୍ତି କିନ୍ତୁ ଆଜିକା ଆଧୁନିକ ମୋବାଇଲ କୈନ୍ଦ୍ରିକ ସାମାଜିକ ସଂସ୍କାର ବିଷୟରେ କାଣିଚାଏ ବି ଜ୍ଞାନ ନାହିଁ । ଅନ୍ୟର ମୋବାଇଲରେ ହାତ ମାରିବା କିଛି ବଳାତ୍କାର ଠାରୁ କମ ନୁହେଁ, ସେ ସାମାନ୍ୟ କଥାବି ଏମାନଙ୍କୁ ଏଯାଏଁ ଜଣା ନାହିଁ । ରାଗରେ ଜଳୁଥିଲେ ବି ଏୟାର୍ ହୋଷ୍ଟେଜର ହସ ମୁଁହ ରଖିବାର କଷ୍ଟ ଅଧିକ ଲାଗୁଥିଲା ।

“ମୁଁ ରେଡ଼ିଓର ଲୋକ, ଖବରକାଗଜ ବାଲା ନୁହେଁ । ‘ପୁରୁଣା ରେଡ଼ିଓ, ରେଡ଼ିଓ ଯାହା କହେ ଥରେ’ ।” ପରିଚୟ ପ୍ରଦାନ ଆରମ୍ଭ କରିଛି କି ସେପଟୁ “ଅଛି ଅଛି, ଟୁଇଟରରେ ଖୋଜିକି ପାଇଗଲି”, କହି କିଏ ଗୋଟେ ହାଉଳି ପକେଇଲା ।

ନିଜକୁ ସମ୍ଭାଳି ପୁଣି ଆରମ୍ଭ କଲି, “ନିଧିବୁଢା, ବଡସାର, ସ୍ଟାଲିନ ଦାସଙ୍କ ଭଳି ବଡ଼ ବଡ଼ କବି ଦାର୍ଶନିକ ଆମ ସଂପାଦକ ମଣ୍ଡଳୀର ଶୋଭା । ଆମ ଅଣୁଗଳ୍ପ, ରାତିଅଧିଆକବିତା, ମଠଖାଦ୍ୟ ଆଦି ହାସଟ୍ୟାଗ୍ ଓଡିଶାରେ ବିଶ୍ୱ ପ୍ରସିଦ୍ଧ । ଏହା ଛଡ଼ା ରସଗୋଲା ଦିବସ, ପଖାଳ ଦିବସ ଭଳି ବିଶେଷ ଦିନ ମାନଙ୍କରେ ଆମେ ଖାଉ କମ, ଟ୍ରେଣ୍ଡ୍ କରୁ ବେଶୀ । ଆମେ ଏତେ ପାରିବାର ଲୋକଯେ ଆମ ଡରରେ ଓଡ଼ିଶାର ଅଧା ବେପାରୀ ରଜୋ ଛାଡ଼ି ରଜ ଲେଖିବା ଆରମ୍ଭ କରି ସାରିଲେଣି ।”

“ସାର୍ ଆଜି ପାଇଁ ସେତିକି ଥାଉ” କହି ଠିକ ଫ୍ଲୋ’ଟା ଆସିଲା ବେଳକୁ କିଏ ଗୋଟେ ବ୍ରେକଟାକୁ ମାରି ଦେଲା । କଥା କଟାହେବାର ରାଗ ଆସୁଥିଲେ ବି, କାଳ୍ପନିକ ପରିଚୟ ପ୍ରଦାନର ଜଞ୍ଜାଳରୁ ମୁକ୍ତି ମିଳିଯାଇଥିବାରୁ ଚୁପ ରହିଗଲି ।

“ଆମ କଲେଜଟା ୧୦ ବର୍ଷ ପୁରୁଣା, କିନ୍ତୁ କମ୍ପାନୀ ବାଲାଏ ନା କ୍ୟାମ୍ପସକୁ ଆସୁଛନ୍ତି ନା ରିଜୁମରେ କଲେଜକୁ ଚିହ୍ନୁଛନ୍ତି । ଯଦିବା କାହାକୁ ଭୁଲରେ ଚାକିରୀଟେ ମିଳିଗଲା, ଝିଅମାନେ ବି ବାହା ହେବାକୁ ରୋକଠୋକ ଭାବେ ମନା କରି ଦେଉଛନ୍ତି। ତେଣୁ ଜେ.ଏନ.ୟୁ. ଭଳିଆ କାଣ୍ଡ କରିବୁ ଆଉ ଟୁଇଟରରେ ଟ୍ରେଣ୍ଡ୍ କରି କଲେଜର ନାଁ ଲୋକଲୋଚନକୁ ଆଣିବୁ ବୋଲି ଚାହୁଁଛୁ । ଥରେ ଟ୍ରେଣ୍ଡ୍ କଲେ, ବାକି କଥା ଆପେ ଆପେ ଠିକ ହେଇ ଯିବ ବୋଲି ଆମର ଆଶା ଓ ବିଶ୍ୱାସ ।” ଏତିକି କହୁ କହୁ ଛାତ୍ରନେତାଙ୍କ ଉତ୍ସାହରେ ଭଟ୍ଟା ପଡ଼ିଗଲା ଏବଂ ଆଖି ଛଳଛଳ ହୋଇଗଲା କିନ୍ତୁ ଅଭିମାନର ସହ କଥା ଚାଲୁ ରଖିଲେ, “ସାତ ଦିନ ହେଲାଣି ପ୍ରିନ୍‌ସ୍‌ପାଲ୍‌ଙ୍କୁ ଅଫିରେ ତାଲା ଦେଇ ରଖିଛୁ । ହଜାର ଥର ଖବର ଦେଲାପରେବି କେହି ଟିଭି ବାଲାଙ୍କ ଏଯାଏଁ ଖୋଜ ଖବର ନାହିଁ । ଆମ ଛଡ଼ା ଅନ୍ୟ କେହି ଏ ବିଷୟରେ ସୋସିଆଲ୍ ମିଡ଼ିଆରେ ପୋଷ୍ଟ କରୁ ନାହାଁନ୍ତି କିନ୍ତୁ ଏପଟୁ ମାଗଣା ମଟନ୍ ବିରିୟାନୀ ଖାଇ ଖାଇ ପ୍ରିନସପାଲ ମସ୍ତ ଘୁଙ୍ଗୁଡ଼ି ମାରି ଘରକୁ ଯିବାକୁ ବି ଆଉ ମଙ୍ଗୁ ନାହାଁନ୍ତି ।” 

ପିଲାମାନଙ୍କର ଅସହାୟତା ଆଉ ଆବଶ୍ୟକତାକୁ ବୁଝିବାକୁ ମୋତେ ବେଶୀ ସମୟ ଲାଗିଲାନି । ଆଜିକା ସମୟରେ କହ୍ନେୟା ଛିଙ୍କିଲେ ବି ଜାତୀୟ ଖବର । କିନ୍ତୁ ଜେ.ଏନ.ୟୁ.ର କାଣ୍ଡ ଜେ.ଏନ.ୟୁ.କୁ ହିଁ ସୁନ୍ଦର । ସତେ ଯେମିତି ପୁରା ଜିଆଇ ଟ୍ୟାଗ ବାଲା । ଶତ ଚେଷ୍ଟା କଲେ ବି ଅନ୍ୟଠି କାମ ଦବନି । ଜଣେ ବିଶେଷଜ୍ଞ ନ ହେଲେ ମଧ୍ୟ ଏ ସମସ୍ୟାର ସମାଧାନ ପାଇଁ ନିଜ ଅନୁଭୂତିରୁ ଏକ ଅମୋଘ ଅସ୍ତ୍ରଟା ସେମାନଙ୍କୁ ବତେଇ ଦେଲି ।

ମୋ ଗୁମର କଥା ଶୁଣି କ୍ୟାମ୍ପସରେ ଉତ୍ସାହର ମାହୋଲ ଖେଳିଗଲା । ମୋବାଇଲଟା ଫେରସ୍ତ ପାଇ ପକେଟରେ ପଡ଼ିଲାପରେ ସବୁକିଛି ମୋର ସ୍ୱାଭାବିକ ହୋଇଗଲା, ଛାତି ବିନ୍ଧାଟା ବନ୍ଦ, ନିଶ୍ୱାସଟା ସ୍ଥିର ଓ ଆମ୍ବିଳା ହାକୁଟିଟା ବି ଉଭା ହୋଇଗଲା । ଏତିକି ବେଳକୁ ହାତରେ କିଏ ଗୋଟେ ବରା ପ୍ୟାକେଟଟେ ଆଣି ଧରେଇ ଦେଲା । ଥିଲା ଥିଲା କିଛି ପିଲା ମତେ କାନ୍ଧରେ ଟେକିନେଇ ଗେଟ୍ ବାହାରେ ଖୁସି ଖୁସିରେ ଛାଡ଼ି ଦେଇ ଆସିଲେ ।

“ବାପା ଦେଖିବ ଆସ । ଆମ ଏଠିକା କଲେଜର ଖବର ସବୁ ନିଉଜ ଚାନେଲରେ ।” ଝିଅର ଡାକ ଶୁଣି ଅଧା କାମ ଛାଡ଼ି ଦାଣ୍ଡ ଘରକୁ ଆସି ଟିଭି ଉପରେ ନଜର ପକାଇଲି । ଚାନେଲ ବଦଳାଇ ଦେଖୁଥିଲା ବେଳେ ନକ୍ଷତ୍ର ନିଉଜଠି ଆଖି ଅଟକି ଗଲା, “ମୋଦି ସରକାର ସ୍ୱଛ ଭାରତର ସଫଳତାକୁ ନେଇ ଚାରିଆଡ଼େ ଡିଣ୍ଡିବ ବାଡ଼େଇ ପ୍ରଚାର କରୁଥିବା ବେଳେ, ଏହାର ବିଫଳତାର ଏକ ନିନ୍ଦନୀୟ ଉଦାହରଣ ଆଜି ଆମ ସମ୍ମୁଖକୁ ଆସିଛି । କୋରାପୁଟ ଜିଲ୍ଲାର ଗୋପାଳକୃଷ୍ଣ ଇଞ୍ଜିନିୟରିଂ କଲେଜରେ ଆଜି ଛାତ୍ର ଉତ୍ତେଜନା ଚରମ ସୀମାରେ ପହଞ୍ଚିଥିଲା ଯେତେବେଳେ ମେସର ଖାଦ୍ୟ ଖାଇ ବହୁ ଛାତ୍ର ଅସୁସ୍ଥ ହୋଇ ଏକା ସାଙ୍ଗରେ ପାଇଖାନା ଧାଇଁ ଥିଲେ, କିନ୍ତୁ ନିଅଁଟ ପଡ଼ିବାରୁ ବାଧ୍ୟ ହୋଇ ପାଖ ପଡ଼ିଆର ସାହାରା ନବାକୁ ବାଧ୍ୟ ହେଇଥିଲେ। ପାଇଖାନା ସଂଖ୍ୟା ବଢ଼ାଇବା ପାଇଁ ଛାତ୍ରମାନଙ୍କ ପକ୍ଷରୁ ଗତ ସାତ ଦିନ ଧରି ଧାରଣା ଦିଆ ହେଇଥିଲା । କିନ୍ତୁ କଲେଜ କର୍ତୃପକ୍ଷ ବା ସରକାରୀ ଅଧିକାରୀ ସେ କଥାକୁ ଅଗୋଚର କରିଦେଇଥିଲେ । କଣ ଆମ ଦେଶରେ ଏତେ ଅସହିଷ୍ଣୃତା ବଢ଼ି ଗଲାଣି ଯେ ରାଜନୈତିକ ଦ୍ୱେଷ ରଖି କୋମଳ ଛାତ୍ରଛାତ୍ରୀ ମାନଙ୍କୁ ଆବଶ୍ୟକ ଅନୁସାରେ ପାଇଖାନା ବି ଯୋଗାଇବାରେ ପ୍ରସାଶନକୁ ଅସୁବିଧା ହେଉଛି... ?”

ଅଧାରୁ ଟିଭି ଛାଡ଼ି ଭିତର ଘରକୁ ଫେରିଲା ବେଳକୁ ବୁଝି ପାରୁଥିଲି ଯେ, ଆଜିକା ଦୁନିଆରେ ବଦନାମ ହେଲେବି ନାଁ ହୁଏ ଏଠି । ତା ଛଡ଼ା ଯାହା ବି କାରଣ ହେଉ, କେନ୍ଦ୍ର ସରକାରଙ୍କୁ ଦୋଷ ଦେଲାବାଲା କାମ କରିପାରିଲେ ଟିଭିରେ ପ୍ରଚାର ସହିତ ସୋସିଆଲ୍ ମିଡ଼ିଆରେ ମଧ୍ୟ ଟ୍ରେଣ୍ଡିଙ୍ଗ୍ କରିବ ହିଁ କରିବ ।

(ଏହି ରମ୍ୟରଚନାଟି ପ୍ରଥମେ medium.com personal blog site ରେ ପ୍ରକାଶିତ ହେଇଥିଲା )

Jayanta Mohapatra,
Royal Lagoon, Bhubaneswar

Post a Comment

0 Comments