Information

"ସ୍ଵାଗତିକା" ସାହିତ୍ୟ ପତ୍ରିକା ନିମନ୍ତେ ଇ-ମେଲ, ହ୍ଵାଟସଆପ ଓ ଡାକ ମାଧ୍ୟମରେ କବିତା ପଠାନ୍ତୁ । କବିତା ପଠାଇବାର ଶେଷ ତାରିଖ ୩୦/୧୧/୨୦୧୮ ଏବଂ କବିତାର ପରିଧି ୧୬ ରୁ ୨୦ ଧାଡି ମଧ୍ୟରେ ରହିବା ଆବଶ୍ୟକ । Email - swagatika.nishikanta@gmail.com / WhatsApp - 8018646704 / By Post - The Chief Editor, Swagatika, At - Lokipur, PO - Gadamanatir, Dist - Khordha, Pin-752062, Odisha.

ଅନୁଭୂତି କଥା - ଶିକ୍ଷକର ପାରିଶ୍ରମିକ - ଅଧ୍ୟାପିକା ଦେବାହୁତି ପଟ୍ଟନାୟକ


ଶିକ୍ଷକତା ଏକ କଳା ଏହା ଏକ ବୃତ୍ତି ନୁହେଁ ଏହି କଳାଟିକୁ ଯିଏ ଆହରଣ କରିଛି ଏବଂ ଅନୁଭବ କରିଛି, ସେ ନିଶ୍ଚୟ ଏହାର ସ୍ୱର୍ଗୀୟ ଅନୁଭବରେ ବିଭୋର ହୋଇଛି  । ସେହି ସ୍ୱର୍ଗୀୟ ଅନୁଭୁତିରୁ ପଦେ କହୁଛି । ମୁଁ ଦିନେ ଭୁବନେଶ୍ୱର ଉପାନ୍ତରେ ଥିବା ସଂସ୍କୃତି ବିଶ୍ୱବିଦ୍ୟାଳୟକୁ ଯାଇଥାଏ ମୋର ପିଏଚ୍.ଡି. କଥା ବୁଝିବା ପାଇଁ  । ବିଶ୍ୱବିଦ୍ୟାଳୟର ଅଫିସରେ ଠିଆ ହୋଇଥାଏ ବର୍ତ୍ତମାନ ସମାଜର ପ୍ରେମଶୂନ୍ୟ ହୃଦୟହୀନ ମଣିଷର ବ୍ୟବହାରରେ ଅନ୍ୟମନସ୍କ ହୋଇ  । ମୁଁ ସେଠି ଠିଆ ହୋଇ ଭାବୁଥାଏ ବର୍ତ୍ତମାନର ପ୍ରତିଯୋଗିତାପୂର୍ଣ୍ଣ ଯୁଗରେ ମଣିଷ ଭିତରୁ ସମସ୍ତ ମଧୁରତା ସରସତା କିଏ ଯେମିତି ଲୁଟି ନେଇଛି । ମଣିଷ ଏକ ଯନ୍ତ୍ର ଚାଳିତ ମେସିନ୍ ଭଳି ତା'ର ଜୀବନ ଅତିବାହିତ କରୁଛି  । ନା ସେଥିରେ ତାର ଅଛି ହୃଦୟବତ୍ତା ନା ମାନବିକତା । ମୋର ଏହି ଭାବନାରେ ପୂର୍ଣ୍ଣଛେଦ ପକାଇ ହଠାତ ପିଲାଟିଏ ଦୌଡି ଆସି ମୋତେ ପାଦପ୍ରଣାମ କଲା, ତାକୁ ତଳୁ ଉଠାଇ ଚାହିଁଲି, ସେ ଥିଲା କିସ୍ ବିଦ୍ୟାଳୟର ଓଡିଆ ବିଭାଗର ଶେଷ ବର୍ଷର ଛାତ୍ର ମୋତେ ଦେଖି ସେ ଖୁସିରେ ଯେମିତି ନାଚିଯାଉଥିଲା । ମୋ ପ୍ରତି ତା'ର ଏହ ଭକ୍ତି ଅନୁରାଗ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଉଥିଲେ ଅନ୍ୟମାନେ କାରଣ ବର୍ତ୍ତମାନ ସମାଜରେ ଛାତ୍ର ଶିକ୍ଷକ ଭିତରେ ଅନାବିଳ ଅନୁରାଗ କାହିଁ ? ସେ ଖୁସିରେ ସମସ୍ତଙ୍କୁ ମୋତେ ଚିହ୍ନାଇ ଦେଉଥାଏ ଏବଂ କହୁଥାଏ ମ୍ୟାଡାମଙ୍କ ପାଠପଢ଼ା  ଥରେ ଯିଏ କ୍ଲାସରୁମରେ ଦେଖିଛି ସେ ମ୍ୟାଡାମଙ୍କୁ ଭୁଲିପାରିବ ନାହିଁ  । ମୁଁ ତା ସାଙ୍ଗରେ ତାର ଛାତ୍ରାବାସ ବୁଲି ତା'ର ସାଙ୍ଗ ମାନଙ୍କ ସଙ୍ଗେ ଦେଖା କରି ଅଫିସ କଥା ବୁଝି ଫେରି ଆସିଲି  । ମନଟା କାହିଁକି କେମିତି ଏକ ଅଜଣା ଆନନ୍ଦରେ ପୁରି ଉଠୁଥିଲା ।

ଅଟୋରେ ବସି ମୋର କଲେଜକୁ  ଫେରୁଥାଏ । ବାଟରେ ଛୁଆଟିଏ ଅଟୋ ଅଟକାଇଲା, ଯେହେତୁ ରିଜର୍ଭ ଅଟୋ, ତେଣୁ ଅଟୋବାଲା ମନାକଲା କିନ୍ତୁ ମୁଁ କହିଲି, ଖରା ହେଉଛି ଛୁଆଟିକୁ ନେଇଆସ  । ୨୩ ରୁ ୨୪ବର୍ଷକର ଯୁବକଟି ଅଟୋ ଭିତରକୁ ପଶି ଆସିଲା । ମୁଁ ତାକୁ ଅନେଇଲି  । ସେ ମୋତେ ଦେଖି ଯେମିତି ଆନନ୍ଦର ଜୁଆର ଉଠେଇ ଡାକିଲା, "ମ୍ୟାଡାମ୍ ମୋତେ ଚିହ୍ନିପାରୁଛନ୍ତି  ? ମୁଁ ଅଶୋକ କୁମାର ମୁଦୁଲି, ଆପଣଙ୍କ ଛାତ୍ର ୨୦୦୬ ବ୍ୟାଚର ।" ମୁଁ କହିଲି, ହଁ ହଁ . . ତୁମେ ପରା ଓ.ଏ.ଏସ୍ ପାଇଛ... ଅଶୋକ କହିଲା, "ହଁ ମୋ ଭଳି ଜଣେ ଗରିବ ଆଦିବାସୀ ଆଜି ଓ.ଏ.ଏସ୍ ହୋଇ ପାରିଛି । କେବଳ ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ହାତଗଢା ଅନୁଷ୍ଠାନ ପାଇଁ ।" ସେ କହି ଚାଲିଥାଏ... ପ୍ରଗଳ୍ଭ ଭଳି କହିଲା, "ମ୍ୟାଡାମ୍ ମୁଁ ଆଜି ସେକ୍ରେଟେରିଏଟରୁ ଫେରୁଛି, ଆଜି ମୋର ଚାକିରୀରେ ଯୋଗଦେବାର ଥିଲା । ଓ.ଏ.ଏସ୍ ପାଇବା ପରେ କିସ୍ ଯାଇଥିଲି ଆପଣଙ୍କୁ ଭେଟି ପାରିନଥିଲି ଅବଶୋଷ ରହିଯାଇଥିଲା । ଆଜି ଭଗବାନ ପୂରଣ କଲେ ।" ଏହା କହି ସାରି ଅଶୋକ ମୋତେ ପୁଣି ପଚାରିଲା, "ମ୍ୟାଡାମ ଏତେ ଖରାରେ ଆପଣ କୁଆଡେ ଯାଇଥିଲେ ?" ମୁଁ କହିଲି, "ବାବା, ପିଏଚ୍.ଡି. କଥା ବୁଝିବାକୁ ମଦନପୁର ସଂସ୍କୃତି ବିଶ୍ୱବିଦ୍ୟାଳୟକୁ ଯାଇଥିଲି, କାରଣ ବର୍ତ୍ତମାନ ବିଶ୍ୱବିଦ୍ୟାଳୟ ପାଇଁ ପିଏଚ୍.ଡି. କରିବା ଜରୁରୀ ।" ଏକଥା ଶୁଣି ଅଶୋକ ମୋତେ କହିଲା, "ମ୍ୟାଡାମ୍ ଆପଣଙ୍କର ପିଏଚ୍.ଡି. କ’ଣ ହେବ ? ଆମେମାନେ ହିଁ ଆପଣଙ୍କର ଥେସିସ୍ ଆମମାନଙ୍କର ସଫଳତା ହିଁ ଆପଣଙ୍କର ଥେସିସ୍ । ମ୍ୟାଡାମ ଆପଣ ଜାଣିନାହାନ୍ତି ଆପଣଙ୍କ ଉପଦେଶଭରା ମିଠାକଥା, ଅନ୍ତରକୁ ଛୁଇଁ ଯାଉଥିବା ଶିକ୍ଷାଦାନ ଆମ ଜୀବନରେ କେତେ ପ୍ରେରଣାଦାୟୀ ହୋଇଛି । କେବେ ଏକଥା କହିବାର ସୁଯୋଗ ପାଇନଥିଲି ଆଜି କହୁଛି ।" 

ତା'ର ଏସବୁ କଥା ଶୁଣି ମୋ ହୃଦୟ ଆତ୍ମତୃପ୍ତିରେ ଭରିଯାଉଥାଏଏବଂ ଆଖିପତା ଓଦା ହୋଇ ଯାଉଥାଏ । ମୋର ଦୀର୍ଘ ୧୨ ବର୍ଷର ଅଧ୍ୟାପନା ଜୀବନର ପ୍ରକୃତ ପାରିଶ୍ରମିକ ମୁଁ ସେଦିନ ଅନୁଭବ କରୁଥିଲି । ତେଣୁ ମୁଁ ଏଠି ଆଜିର ଶିକ୍ଷକ ସମାଜକୁ କହି ରଖେ, ଭାଗ୍ୟ ବଳରେ ଈଶ୍ୱର ଆମକୁ ଶିକ୍ଷାଦାନର ସୁଯୋଗ ଦେଇଛନ୍ତି । ଆମେ ଶିକ୍ଷକତାର ସୌରଭକୁ ଅନୁଭବ କରିବା ଏବଂ ସମାଜକୁ ସୁରଭିତ କରିବା ।        

ଅଧ୍ୟାପିକା ଦେବାହୁତି ପଟ୍ଟନାୟକ                    
ଓଡ଼ିଆ ବିଭାଗ, କିସ୍ ମାନିତ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର

Post a Comment

1 Comments

ଉପରୋକ୍ତ ବିଷୟଟି ଆପଣଙ୍କୁ କେମିତି ଲାଗିଲା ଦୟାକରି ନିଜର ମତାମତ ରଖନ୍ତୁ । ଆପଣଙ୍କ ଗଠନ ମୂଳକ ମତାମତ ନିଶ୍ଚୟ ବଣମଲ୍ଲୀର ମହକର ସମସ୍ତ ଲେଖକ ଲେଖିକା ମାନଙ୍କ ନିମନ୍ତେ ପ୍ରେରଣାଦାୟକ ହୋଇ ପାରିବ । ନିମ୍ନୋକ୍ତ କୋଠରୀ ମଧ୍ୟରେ ଆପଣଙ୍କ ମତାମତ ପ୍ରଦାନ କରନ୍ତୁ ।