
ସିଂହବାହିନୀ ଦୁର୍ଗତିନାଶିନୀ
ଜୟ ମାତା ଦଶଭୂଜା
ପତିତପାବନୀ ପବିତ୍ରକାରିଣୀ
ସଗର୍ବେ ପାଉଛୁ ପୂଜା ।।
ତୁହି ମା ଅମ୍ବିକା ତୁହି ଭଟ୍ଟାରିକା
ଖଣ୍ଡା ଖର୍ପର ଧାରିଣୀ
ଜଗତର ହିତ ପାଇଁ ଆବିର୍ଭୂତା
ତୁ ମା' ସଙ୍କଟହାରିଣୀ ।।
ତୁହି ଜଗଦ୍ଧାତ୍ରୀ ଏ ସଂସାର କର୍ତ୍ତୀ
ବିଶ୍ବମାତା ବିଶ୍ବରୂପା
ଘନ ଅନ୍ଧକାରେ ତୁ ଆଲୋକ ବର୍ତ୍ତିକା
ଦିବ୍ୟମାତା ଅପରୂପା ।।
ଶରତ ସୌରଭେ ତୋର ଆବିର୍ଭାବ
ଧରା ହୁଏ ପୁଲକିତ
ତୋର ଆବାହନୀ ମନ୍ତ୍ର ଉଚ୍ଚାରଣେ
ଜୀବନ ହୁଏ ପୁଷ୍ପିତ ।।
ତୁ ମା' ଭଗବତୀ ତୁ ମା' ଆଦ୍ୟାଶକ୍ତି
ତୁହି ମାତା କାତ୍ୟାୟନୀ
ପାପବିନାଶିନୀ ଧର୍ମସଂସ୍ଥାପନୀ
ତୁହି ମା ଜଗଜ୍ଜନନୀ ।।
ସଂହାରକାରିଣୀ ଦୁଷ୍ଟବିନାଶିନୀ
ଶାନ୍ତିପ୍ରଦାୟନୀ ମାତା
ଯୁଗେ ଯୁଗେ ମାତ ପୂଜାପାଉଅଛୁ
ମର୍ତ୍ତେ ହୋଇ ସୁସଜ୍ଜିତା ।।
ତୁ ମା' କ୍ଷମାମୟୀ ତୁ କରୁଣାମୟୀ
ଆଶିଷର ବାରିଧାରା
ଅମୃତର ଧାର ଝରିପଡୁ ଭବେ
ତୋ ପୂଜା ହେଉ ନିଆରା ।।
ତୁହି ମା ଭବାନୀ ଶକ୍ତିସ୍ବରୂପିଣୀ
ଜଗଦମ୍ବା ବିଶ୍ବମାତା
ଅନ୍ୟାୟ ଅନୀତି ଲିଭିଯାଉ ଯେତେ
କୃପାକର ଜଗଜ୍ଜିତା ।।
ଅଧ୍ୟାପକ ଶରତ କୁମାର ଦାସ
ରାଜନୀତି ବିଜ୍ଞାନ ବିଭାଗ,
ବଡବିଲ ମହାବିଦ୍ୟାଳୟ, ବଡବିଲ, ଜିଲ୍ଲା-କେନ୍ଦୁଝର