Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

କ୍ଷୁଦ୍ରଗଳ୍ପ - ଶହୀଦ ର ସମାଧି - ସିପ୍ରା ନାମତା (ନମ୍ରତା)


ସେଦିନ ମୁକ୍ତା ପୁର ଗାଁ ଟି ଉଠୁଥାଏ ପଡୁଥାଏ ।ମୋହନ ସିଂ ଙ୍କ ଘରେ ଶୋକ ର ଛାୟା । ପୁଅ ଆକାଶ ସିଂ ଶହୀଦ ହୋଇଯାଇଛି । ଦେଶ ପାଇଁ ନିଜ ଜୀବନ ଦେଇଛି । କେତେ ଗର୍ବ ଓ ଗୌରବ ର କଥା । ଖବର କାଗଜ ରେ ଖବର ବାହାରିବ । ସମସ୍ତେ ତ ଦିନେ ନା ମରିବେ କିନ୍ତୁ ଗୌରବ ନେଇ କେତେ ଜଣ ମରୁଛନ୍ତି ? ରାଜଧାନୀ କୁ ଆସିବ ମୃତ ଦେହ । କମାଣ ରୁ ଫୁଟିବ ଗୁଳି । ସେଇ ମହାନ ନେତା ମାନଙ୍କ ସମାଧି ପାଖରେ ଦିଆଯିବ ତାକୁ ସମାଧି । ୟେ, କେତେ ଜଣଙ୍କ ଭାଗ୍ୟ ରେ ଯୁଟେ  ?

----ହଇରେ ମାଧିଆ, ଆମେ ସବୁ ରାଜଧାନୀ କୁ ଯିବୁ ? ସରକାର କଣ ଆମ ଗାଁ ଵାଲା ଙ୍କ ପାଇଁ ଗାଡି ପଠେଇବେ ?

ମୃତ ଆକାଶ ର ଗୋସବାପ ପଚାରୁଛି ଆଉ ଜଣେ ଯୁବକଙ୍କୁ । ଆଦିବାସୀ ଭାଷା ମିଶ୍ରିତ ଓଡିଆ ରେ ଖଣ୍ଡି ଖଣ୍ଡି କରି  ସେ ବିଷୟରେ କିଛି ଜାଣିନାହିଁ ବୋଲି ଉତ୍ତର ଦେଲା । ଧକି ଧକି କାନ୍ଦୁଥିଲା ଆକାଶ ର ମାଆ ଆଉ ନବ ବିବାହିତ ପତ୍ନୀ ।କେତେଥର ଯେ ମୂର୍ଚ୍ଛା ଗଲେଣି ଆଉ ସାଷ୍ଟାମ କଲେଣି ସେ ଦୁହିଁଙ୍କୁ ମନୁଆ ମା ,ରାଧି ମା ଜାଣୁ ଥାଆନ୍ତି ।ଅସ୍ପଷ୍ଟ ସ୍ୱର ରେ ଦୁହିଁଙ୍କ ଆଲୋଚନା କୁ ଅନ୍ୟ କେଇଜଣ ସ୍ତ୍ରୀ ଲୋକ ଶୁଣି ଶୁଣି ମୁଣ୍ଡ ଟୁଙ୍ଗାରୁ ଥାଆନ୍ତି ।

-----କି ଭାଗ୍ୟ ନେଇ ଆସିଥିଲା ଲୋ ଝିଅ ଟା ସ୍ୱାମୀ କୁ ଖାଇଲା । ଏଇଲେ କୋଉଠି ରହିବ ...କଣ କରିବ ...ଯୁଆନ ଝିଅ,.କିଏ ତା କଥା ବୁଝିବ ?( ଈଶାରା କିଛି ଅନ୍ୟ ଦିଗ ପ୍ରତି ) । ଆରେ ,ମାଆ ଟା କୁ ସମ୍ଭାଳି ରଖ ରେ  ।ତା ଚେତା ବୁଡିଯାଉଛି ।
----ହାଏ ରେ ଭଗବାନ ତୁ କି କଲୁ ?କାଲି ସନ ଆସିଥିଲା ବୋହୁ ହୋଇ ,ସିନ୍ଦୁର ପୋଛି ନେଇ ଗଲୁ । ଆକାଶ ର ମାଆ ମଥା ରେ ଆକାଶ ଟା ଛିଡିଗଲା ଯେ ।ହେ ଭଗବାନ ତୁମେ କିଆଁ ଏତେ ନିର୍ଦୟ ହେଲ ?

କିଛି ଲୋକ ଆକାଶ ର ବାପା ମୋହନ କୁ ଧରା ଧରି କରି ପିଣ୍ଡା କୁ ଟେକି ନେଲେ । ଗାଁ ବୈଦ୍ୟ କୁ ଡକା ହୋଇଥାଏ । ସେ ଆସି ପହଞ୍ଚି କିଛି କବିରାଜି ମୋଦକ ଦେଇ ସୁସ୍ଥ ହୋଇଯିବେ ବୋଲି ଆଶ୍ୱାସନା ଦେଇ ଚାଲିଗଲେ । ମୋହନ ର ବନ୍ଧୁ ବାନ୍ଧବ ଙ୍କୁ ଖବର ପଠାଇଦେଇଥାନ୍ତି ଗାଁ ର ମୁଖିଆ ।ସେମାନେ କିଏ ରାତି ବେଳକୁ ଓ କିଏ ନିଜର ସୁବିଧା କରି ଆସିବାର ଖବର ଦେଇଥାନ୍ତି । ୟା ଭିତରେ ଦୁଇଦିନ ଅତିକ୍ରାନ୍ତ ହେଲାଣି ।ଆକାଶ ବିଷୟରେ କିଛି ସୂଚନା ମିଳୁନାହିଁ ।ମୁଖିଆ ଙ୍କ ଘରେ ଓ ଅନ୍ୟ କେଇଜଣ ଙ୍କ ଘରେ ଟି ଭି .ରୁ ପ୍ରଚାରିତ ସମ୍ବାଦ ଉପରେ ଭରସା ତାଙ୍କର । କିଏ ବା  କଣ ଜାଣିଛି ଯେ ସେ ବିଷୟରେ ,କାହାକୁ କଣ କହିବେ ।ଖାଲି ଟୁପୁର ଟାପୁରୁ ,ଫୁସୁର ଫାସୁରୁ ଗାଁ ଟା ସାରା ।କାହା ମୁହଁରେ ବାଡ଼ ଦେବ ନା ବତା !! ମୋହନ ଉଠି ବସି ପାରୁନାହିଁ ।ଦୁଇଟା ଦିନ ରେ ସେ କୋତରାଲଗା ହୋଇଗଲାଣି ।ଆଉ ଆକାଶ ର ମାଆ ଗେରସ୍ତ କୁ ଏମିତି ଦେଖି ତା ସୀମନ୍ତ କୁ ଆୟୁଷ ଦେବାପାଇଁ ନିଜେ ମନ କୁ ଦମ୍ଭ କରି ଛିଡା ହେଉଛି ।ସ୍ୱାମୀ କୁ ସେବା ଶୁଶ୍ରୁଷା କରି ବଞ୍ଚାଇ ବାକୁ ହେବ । ସନ୍ଧ୍ୟା ସମୟ ରେ ପୁଣି ଏକ ଆତଙ୍କବାଦୀ ର ଯୁଦ୍ଧ ଖବର ଘୋଷଣା ହେଲା ଟି ଭି ରେ । ସେଇ ଖବର ଭିତରେ ପୁଣି ଏକ ଦ୍ୱନ୍ଦତ୍ମକ ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଲା । "ଆକାଶ ସିଂ ଗତ ଦୁଇଦିନ ତଳେ ଶହୀଦ ହୋଇଥିବା ସ୍ଥଳେ ତାଙ୍କର ମୃତ ଶରୀର  ମିଳୁନାହିଁ "। ବନ୍ଧୁ, ଜ୍ଞାତି, ସ୍ୱଜନ ମୁଣ୍ଡ ରେ ହାତ ଦେଇ କାନ୍ଦିଲେ ।କିନ୍ତୁ କଣ ଆଉ କରାଯାଇ ପାରେ ?? କାହିଁ ଆଖି ପାଉନାହିଁ ସୁଦୂର ରାଜ୍ୟ ବାହାର ର କଥା  ଜାଣିବାକୁ ।

ଘର ଭିତରେ ନୂଆ କରି ବିଭା ହୋଇଥିବା ବୋହୁ ଟି କାନ୍ଥ କୁ ଆଉଜି ବସିଛି । ସ୍ୱାମୀ କୁ ଭଲ କରି ଚିନ୍ହିବା ,ଜାଣିବା ଆଗରୁ ତା ମଥାର ସିନ୍ଦୁର ଯେ ଲିଭିଯିବ ସେ କଥା କୁ ସେ ବିଶ୍ୱାସ କରି ପାରୁନି ଯେମିତି । ଆଖି ଦୁଇଟିରେ ପୋଷେ ଚାଉଳ ଧରିବ ।ନିରୀମାଖୀ ହୋଇ ବସିଥାଏ ।ମୁଣ୍ଡ ବାଳ ଫୁରୁ ଫୁରୁ ହୋଇ ଉଡ଼ିଲାଣି ।ଓଠ ପାଟି ଶୁଷ୍କ ,ଚକ୍ଷୁ ନୀମିଳିତ , ସ୍ଥାଣୁ ହୋଇ କେବଳ ଅପେକ୍ଷା କରିଛି କେବେ ସେଇ ଅସାଡ଼ ଶରୀର ଟା ଆସିବ । ଆକାଶ ର ଶାଶୁ ଶଶୁର ଖବର ପାଇ ପହଞ୍ଚି ଥିଲେ ।ଝିଅକୁ ଧରି ଅନେକ କାନ୍ଦି ଥିଲେ ଦୁହେଁ ।ନିୟତି ର କ୍ରୁର ପରିହାସ ଆଗରେ ମଥାନତ କରି ଫେରିଯାଇଥିଲେ । ଏ ଭିତରେ କିଛିଦିନ ପର୍ଯ୍ୟନ୍ତ କୌଣସି ଖବର ପ୍ରସାରିତ ହୋଇ ନ ଥାଏ ।ସବୁ ଟି ଭି ଆଡକୁ ନଜର ରଖୁଥିବା ଆଖି ଧୀରେ ଧୀରେ ନିଜ କାମ ଦାମ ଉପରକୁ ଧ୍ୟାନ ଦେବାକୁ ଲାଗିଲେଣି ।ଆକାଶ ର ପରିବାର ରେ ଯୋଗ ଦେଇଥିବା ଜ୍ଞାତି ମାନେ ମଧ୍ୟ ଯେ ଝା ସ୍ଥାନ କୁ ଚାଲିଗଲେଣି ।କେତେ ଦିନ ଆଉ ନିଜ ଘର ଦ୍ୱାର ଛାଡି ପଡ଼ି ରହିଥାନ୍ତେ  ?ମୋହନ ସିଂ କୋତରାଲଗା ହୋଇ ସେମିତି ପଡିଥାଏ ।ମୋହନ ର ପତ୍ନୀ , ଆକାଶ ର ଛୋଟ ବେଳର ସବୁତକ ଜିନିଷ କୁ ରଖି ଏପଟ ସେପଟ କରି କରି ସବୁବେଳେ ଆଖିରୁ ଲୁହ ପୋଛୁଥାଏ ତ ତା ପ୍ୟାଣ୍ଟ ସାର୍ଟ କୁ ଛାତିରେ ଚାପି ଧରି କଇଁ କଇଁ ହୋଇ କାନ୍ଦୁଥାଏ ।ବୋହୁ ଟି ର ଫୁଙ୍ଗୁଳା ହାତ କୁ ଧରି ସେ କାନ୍ଦ ର ସ୍ୱର ଲମ୍ବି ଯାଉଥାଏ କେଉଁ  ପୋଖରୀ ଆଡ଼ି ଡେଇଁ ଗହୀରମଥା ବିଲ ଆଡକୁ ।
ରାତିଦିନ ର ସମୟ ର ବାଛ ବିଚାର ତା ଘରେ ଜଣା ପଡୁ ନଥାଏ ।କେତେ ଥର ମୋହନ ଆକାଶ... ଆକାଶ ହୋଇ ଖଟ ରୁ ଗଡି ପଡେ  । ଗେରସ୍ତ କୁ ଏଣିକି ସବୁ ସମୟରେ ନିଘା ରଖିଥାଏ  ସୁନି ତା ସ୍ତ୍ରୀ । ଯାହା ଗଣ୍ଡେ ଫୁଟେଇ ଦେଉଥିଲା ବୋହୁ ଟା, ତା ବି ସମ୍ଭବ ହେଉନାହିଁ ବର୍ଷା ଯୋଗୁଁ ।ଘରେ କାଠ ନାହିଁ କି ସରକାର ଙ୍କ ପ୍ରବର୍ତ୍ତିତ ପ୍ରାକୃତିକ ଗ୍ୟାସ ଯୋଗାଣ କାର୍ଯ୍ୟକ୍ରମ ରେ ତାଙ୍କ ଗାଁ ର ସିରିଏଲ ଏ ପର୍ଯ୍ୟନ୍ତ ଆସିନାହିଁ । ଯିଏ ତା'ର ନିଜର ଗୋବର ଗ୍ୟାସ କରୁଛି ,ସେ କିଛି ଟା ଚଳି ଯାଉଛି ।ବୋହୂ ଟା ଗୋଡେ ଗୋଡେ ଜଗିଛି ଦୁଇଜଣଙ୍କୁ ।କଣ କରିବ ?ରାତି ଅନ୍ଧାରରେ ଆକାଶ ର ଛୋଟିଆ ଫୋଟୋ ଟିକୁ ଛାତି ରେ ଜଡେଇ ସକେଇ ସକେଇ ଯେତେକ ଲୁହ ନିଗାଡି ଦେଉ ଦେଉ କେତେ ଅଭିମାନ ଭରା  ଅସ୍ପଷ୍ଟ କଥା ସବୁ ବାହାରି ଆସେ , "କାଇଁ ମୋତେ ଏମିତି ହୀନିମାନ କରିବା ପାଇଁ ଛାଡି ଚାଲିଗଲ,,କାହା ପାଇଁ ଏବେ ବଞ୍ଚିବି ? ଜୀଇଁବା ଓ ମରିବା ମୋ  ଲାଗି ସବୁ ସମାନ ,"କହୁ କହୁ କେତେବେଳେ କୁଆଁତାରା ଫୁଟିଉଠନ୍ତି ସମୟ ର ଚକ ଆଗକୁ ଗଡେଇବା ପାଇଁ । ଏଇଟା ବୋଧହୁଏ ଜୀବନର ଚରମ ସତ୍ୟ ଯେ ତୁମେ ଯେତେ ଦୁଃଖ ରେ ଥାଅ ତୁମ ପାଇଁ ପେଟ ର କେବେ ସହାନୁଭୁତି ଆସେନା ।ଭାତ ଗୁଣ୍ଡା ଟା ଏ ବି ପାଟି ଭିତରକୁ ଯାଏନା ।କିନ୍ତୁ ପେଟବିକଳ ରେ ଦି'ଟା ନେବାକୁ ପଡେ । ଯାହା ଯେମିତି ଲୁଣ ଭାତ ହେଉ ପଛେ ଯୋଗାଉଥିଲା ବୋହୂ ଖଣ୍ଡକ ,,କିନ୍ତୁ ଲଗାତାର ବର୍ଷା ସବୁ ନତିଛତି କରିଦେଉଛି ।ରନ୍ଧା ନାହିଁ ,ଚୁଲ୍ଲୀ ରେ ବର୍ଷାପାଣି ଭର୍ତ୍ତି ।  ନିମାଇ ଦାଦା ଘର କୁଅରୁ  ପାଣି ମୁନ୍ଦେ ଆଣିବା କଷ୍ଟ ହୋଇଯାଉଛି ।ମୋହନ  ଏଣେ ପାଣି  ଖୋଜୁଛି । 

----ବାସ ରେ ,ମୁଁ ବାପା କୁ ଜଗିଛି ତୁ ଟିକେ ନିମାଇ ଦାଦା ଘରୁ ପାଣି ଟିକେ ଆଣିବୁ ଗଲୁ  । ଶାଶୁ କଥାରେ ବୋହୂ ବର୍ଷା ରେ ତିନ୍ତି ବୁଡି ଧାଇଁଲା ନିମାଇ ଦାଦା ଘରକୁ ।ଅଣଶୁଦ୍ଧିଆ କୁ କିଏ ବା କାହିଁକି କୂଅ ଛୁଇଁବାକୁ ଦେବ ? ସର୍ବାଙ୍ଗ ଓଦା ସର ସର ହୋଇ ବହୁ କଷ୍ଟ ରେ ପାଣି  ନେଇ ଆସିଲା ସେ । ସ୍ୱାମୀ ହରା ଯୁଆନ ମାଇକିନିଆ ,,ଦେହରେ ଯୌବନ ଢେଉ ,,ସଙ୍କୁଚିତ ହୋଉଯାଉଥାଏ ମନ ,କିଏ କାଳେ ଅନେଇବ ,,କଣ ଦି ପଦ କହିଦେଲେ ମାନ ମହତ ଆଉ ରହିବ ଟି ?ଏଣେ ନ କଲେ ନ ହୁଏ !! ସ୍ୱାମୀ ନାହିଁ ,ଶ୍ୱଶୁର ଟା କୁ ବଞ୍ଚେଇ ରଖିବାର ଅଛି ନୋହେଲେ ମାଇପି ଲୋକ ଦି ଟା ହନ୍ତ ସନ୍ତ ହୋଇଯିବେ ।

----ହଇଲୋ , ବାସ  ...ଏତେ ଡେରି କାହିଁକି ହେଲା ?
----ବର୍ଷା ଟାରେ କେହି ନ ଥିଲେ କୂଅ ରୁ ପାଣି ମୁନ୍ଦେ କାଢି ଦେବାକୁ ।ବାଧ୍ୟ ହୋଇ ଅପେକ୍ଷା କରିବାକୁ ପଡିଲା  ମା ।
---ଓଃ ......କହି ମୁଣ୍ଡରେ ହାତ ଦେଲା ସୁନି ।

ଆର ଗାଁ ପଦନା ( ପଦ୍ମନାଭ ) ଆସିଛି  ।ସେ ବି ଯବାନ ।ସରକାରୀ କାମ କରିବା ଦଳ ରେ ଆସିଛି କୁଆଡେ ।ବନ୍ୟା ହୋଇଯିବାର ଆଶଙ୍କା ରେ ସେନାବାହିନୀ ରୁ କିଛି ମୁତୟନ ହୋଇଛନ୍ତି  । ଗାଁ ରେ କଥା ରାଷ୍ଟ୍ର ହୋଇଯାଇଥାଏ । ତା ସାଙ୍ଗକୁ ଆକାଶ ସମ୍ବନ୍ଧ ରେ ଗୁଡ଼ାଏ ୟାଡୁ ସ୍ୟାଡୁ କଥା ସେ କହୁଥିବାର ଶୁଣିବାକୁ ମିଳୁଥାଏ । ଗାଁ ମୁଖିଆ ଘରକୁ ସେଇ ବର୍ଷା ପାଗ ରେ ବି କିଛି ଲୋକ ଆତୁର ହୋଇ ଖବର ଶୁଣିବାକୁ ଦୌଡୁଥାନ୍ତି । ସେ ଦିନ ର କଥା ଶୁଣି ମୋହନ ଆତ୍ମା ଛଟପଟ ହେବାକୁ ଲାଗିଲା ।ଆକାଶ କୁଆଡେ ମାଓ ମାନଙ୍କୁ ସାହାଯ୍ୟ କରୁଥିଲା ।ସେ ପ୍ରକୃତରେ ଯବାନ ନ ଥିଲା ।ସେ  ସେନା ଓ ପୋଲିସ ର ମିଳିତ ଉଦମ୍ୟ ରେ ଏନକାଉଣ୍ଟର ରେ ମରିଛି 
ଆଉ ଶହୀଦ କଣ ??

----ନା ---ନା---ସେ କଥା କିଏ ଏଇ ପଦନା କହୁଛି ??ତାକୁ ତୁମେ ସବୁ ବିଶ୍ୱାସ କରୁଛ ?? ମରିଗଲା ପରେ ବି ସେ ଜଣକ ନାଁ ରେ କୁତ୍ସା କରିବାକୁ ପଛାଉ ନାହିଁ । ଛିଃ ଛିଃ ,, ମୋହନ ଅନେକ କଷ୍ଟ ରେ ଏତକ କହି ଢ଼ୋକ ଗିଳିଲା ।କେମିତି ବୁଝେଇବ ସେ ଗାଁ ଵାଲା ଙ୍କୁ । ସେ ତ ସମ୍ପୂର୍ଣ୍ଣ କୋତରାଲଗା ହୋଇପଡିଛି ଯେ ଉଠିବାକୁ ବଳ ପାଉନାହିଁ ।ଯିବ କେମିତି ମୁଖିଆ ଘରକୁ ?? ତା ସ୍ତ୍ରୀ ,ବୋହୁ ସବୁ ନିଶ୍ଚଳ ,ଏତେ ବଡ କଥା କହିପାରିଲା ପଦନା !!

--ହଇରେ ଜଗତ ,ତୁ ବିଶ୍ୱାସ କରୁଛୁ ଏଇ ଉଡା ଖବର ରେ ? 
--ମୁଁ ଏକା ନୁହେଁ ମ ,ସବୁ ପରା ସେଇ କଥା କୁ ଟୁପୁର ଟାପୁରୁ ହେଉଛନ୍ତି ।ବିଶ୍ୱାସ କରିବା ଉପରେ କେମିତି କିଛି କହିହେବ ? କାହା ମନ କଣ ??

ବାହାରୁ ପାଟି ଶୁଭିଲା ,"ଆରେ ଶୁଣିଲୁ ନା ପୁଅର କରାମତି ,ଆଉ ଆମେ ସବୁ ଏଠି ପାଗ ଭିଡୁଥିଲୁ ଶହୀଦ ର ସଂସ୍କାର ପାଇଁ ।ହେଃ ,ଥୁ ଥୁ ।ଏମିତି କରି ଗାଁ ର ନାକ କାଟିବା କଣ ଦରକାର ଥିଲା ହୋ ?? ଜଣାପଡୁଥାଏ କିଛି ଗ୍ରାମଵାସୀ ଉତ୍ୟକ୍ତ ହୋଇଯାଇଛନ୍ତି ।ତା ଭିତରେ ଧେଡା ପାଗଳ ଗୋଟେ ଥାଏ ସେ ତାଳି ମାରି ମାରି ଦୁଇଧାଡି ,ରଟୁଥାଏ ।"ବାଃ ବାଃ କେମିତି ମଜା ,,ଶହୀଦ ର ବାଜୁଛି ବାଜା ।" ମୋହନ ର ସ୍ୱାସ୍ଥ୍ୟ ଅତୀବ ଶୋଚନୀୟ ହୋଇପଡୁଥାଏ ।ସୁନି କେତେ ଗୁହାରୀ କରିସାରିଲାଣି ଟିକେ ବୈଦ୍ୟ କୁ ଡାକିଦେବା ପାଇଁ ।ହେଲେ କେହି ଶୁଣୁନାହାଁନ୍ତି । ଗାଁ ମୁଣ୍ଡ ଆରମ୍ଭ ରେ ଛୋଟିଆ ଡାକ୍ତର ଖାନା  ହେଲେ ଏବେ ସେଠି କେହି ନ ଥିବେ ପୁଣି ଏଇ ବର୍ଷା ଟା ବି ଦାଉ ସାଧୁଛି । ହଠାତ ସୁନି ଉଚ୍ଚ ସ୍ୱର ରେ କାନ୍ଦି ଉଠିଲା । "ମୋ ସଂସାର ଭାସିଗଲା ରେ ......." ବାସ ( ବୋହୁ ) କିଂକର୍ତବ୍ୟମୁଢ ହୋଇଗଲା ।ଦାଣ୍ଡ ପଟରେ କେହି ସ୍ତ୍ରୀଲୋକ ଜଣେ ହେଲେ ଦେଖାଯାଉନଥାନ୍ତି । ବାଧ୍ୟ ହୋଇ ମୁଣ୍ଡଉପରକୁ ଲୁଗା ଟିକୁ ଟାଣି ଦେଇ ସେ ଘର ବାହାର କୁ ଆସି ମୋହନ ର ଦେହାନ୍ତ ହୋଇଯିବାର ସମାଚାର ଶୁଣାଇଲା । ନିଆଁ ରେ ପାଣି ପଡିବା ପରି ଗୁଞ୍ଜରଣ ଶାନ୍ତ ପଡ଼ିଗଲା ।ସବୁ ନୀରବ ହୋଇ ପରସ୍ପରକୁ ଚାହାଁ ଚୁହିଁ ହେଲେ । ଏବେ ତ କିଛି କରିବାର ଯୁ ନାହିଁ । କଣ କରାଯିବ ଏଇ ବର୍ଷା ରାତି ଟାରେ ।ନା --ଆଉ କିଛି ଉପାୟ ନାହିଁ  ମୁଖିଆ ଙ୍କ ପାଖକୁ ଯିବାକୁ ହେବ । ସେ ଯାହା କହିବେ । ରାତି ପାହିଲେ ଅଗଷ୍ଟ ପନ୍ଦର ।ବାସ ଭାବୁଥାଏ  ସ୍କୁଲ ଶିକ୍ଷକ ଙ୍କୁ ଦେଖା କରିବ । ଏଇ ରାସ୍ତା ଦେଇ ସ୍କୁଲ ପିଲାଏ ପ୍ରଭାତ ଫେରୀ କରି ଯିବେ ନିଶ୍ଚୟ ।ସେତିକିବେଳେ ତାଙ୍କୁ ଦେଖା କରି ପଚାରିବ ଆକାଶ ବିଷୟରେ ।ସେ ତ ଜାଣିଥିବେ । ମୋହନ ସେମିତି ଖଟିଆ ରେ ପଡିଥାଏ ଆଉ ସୁନି ସେ ଖଟିଆ ବାଡା କୁ ଧରି ପଥର ପରି ବସିଥାଏ ।ତାଆରି ପାଖକୁ ଲାଗି ବସି ପଡିଲା ବାସ ।

ରଘୁପତି ରାଘବ ରାଜା ରାମ........ ଧ୍ୱନୀ ରେ ବାୟୁମଣ୍ଡଳ ମୁଖରିତ । ଧଡ଼ ପଡ  ହୋଇ ଉଠି ବସିଲା ବାସ । ଧାଇଁ ଆସିଲା ବାହାର କୁ । ମନେ ପଡିଗଲା ରାତିରେ ଭାବିଥିବା କଥା । ଖୋଜିଲା ଆଖିରେ ଅନୁସନ୍ଧାନ କଲା ଶିକ୍ଷକ ଙ୍କୁ । ଶେଷ ଧାଡି ଆଡକୁ ତାଙ୍କୁ ଲକ୍ଷ୍ୟ କରି କ୍ଷିପ୍ର ଗତି ରେ ତାଙ୍କ ପାଖରେ ପହଞ୍ଚି ଯାଇ ଆକାଶ ପ୍ରସଙ୍ଗ ଉତ୍ଥାପନ କରିବାରୁ ସେ ଯେଉଁକଥା କହିଲେ ବାସ ଆଖି ଯୋଡାକ ଗର୍ବ ରେ ଚକ ଚକ ଦେଖାଗଲା । ମାଷ୍ଟ୍ରେ ଙ୍କ କହିବା ଅନୁସାରେ ,ଆକାଶ ପ୍ରକୃତରେ ଶହୀଦ ହୋଇଛି ।ଜଣେ ବୀର ସୈନିକ ଭାବରେ । ଅନ୍ୟ କଥା ସବୁ ମିଛ ।ପଦନା ଠିକ୍ ଭାବରେ ବୁଝିନାହିଁ । ସେ ଈର୍ଷ୍ୟା ରେ ଅପପ୍ରଚାର କରିଛି । ତେବେ ବ୍ୟସ୍ତ ହେବାର କିଛି ନାହିଁ । ଆଜି ବୋଧହୁଏ ଗାଁ କୁ ଆସିପାରେ ତା'ର ସଂସ୍କାର ପାଇଁ ।ଗତ ରାତିର ଖବର ଅନୁସାରେ । ସୁନି କୁ ଆସି ସବୁକଥା କହି ବସିଥାଏ ବାସ ।ଗାଁ ମୁଣ୍ଡରେ କିଛି ଶବ୍ଦ ଆସୁଥିବାର ଶୁଣାଗଲା ।ପ୍ରତ୍ୟେକ ଘରୁ ଲୋକମାନେ ବାହାରି ଆସୁଥାନ୍ତି ।ଲୋକଙ୍କ ମୁହଁରେ ଗୁଞ୍ଜରଣ ,ଆକାଶ ର ବଡି ଆସୁଛି ।ପିଲା ରୁ ବୁଢା ଯାଏଁ ସମସ୍ତେ ଆଚମ୍ବିତ । କାଲି ସରିକି ପଦନା କହୁଥିଲା ଆକାଶ ର କଳଙ୍କ ହେଲେ ଆଜି ପୁଣି ସ୍ବାଧୀନତା ଦିବସ ପରି ଦିନ ରେ ଆକାଶ କୁ ନେଇ ସରକାରୀ ଗାଡି ଆସିଛି ।ବିଶ୍ୱାସ ହେଉନଥାଏ ସେମାନଙ୍କ ର । ଗାଡି ଆସୁଥାଏ ,କିଛି ଯବାନ ଓ ପୋଲିସ ଗାଡି ସହିତ ଥାଆନ୍ତି । କେତେ ଆଶ୍ଚର୍ଯ୍ୟ ର ଆଖି ଲାଖି ରହିଥାଏ ।ବାସ ଆଉ ସୁନି ପିଣ୍ଡା ରୁ ହିଁ ଚାହିଁଥାନ୍ତି ।ଗାଁ ସାରା ପରିକ୍ରମା କରିବା ସମୟରେ  ବନ୍ଦେ ମାତରମ , ଶହୀଦ ଆକାଶ ସିଂ କି ଜୟ ହୋ ,ଇତ୍ୟାଦି ଧ୍ୱନୀରେ ଚତୁର୍ଦ୍ଦିଗ ପ୍ରକମ୍ପିତ ହେଉଥାଏ ।ସବା ଆଗରେ ସେ ଅଞ୍ଚଳ ର ଲୋକ ପ୍ରତିନିଧି ସୁବାଷ ବାବୁ ଥାନ୍ତି । ମୋହନ ଘର ଆଗରେ ପହଞ୍ଚିବାରୁ ଜଣେ ସୈନିକ ବନ୍ଧୁକ ରୁ ଗୁଳି ଟିଏ ଫୁଟାଇଦେଲା ।ପୋଲିସ ମୁଖ୍ୟ ତାକୁ ବଡ ବଡ ଆଖିରେ ଚାହିଁଲେ ।ସରି କହି ସୈନିକ ମୁହଁ ପୋତିଲା ।ସେ ଗୁଳି ର ଶବ୍ଦ ରେ ମୋହନ ର ଘର ଥରିଉଠିଲା ।ସୁବାଷ ବାବୁ ସୁନି ଓ ବାସ ସହ ଭିତରକୁ ଆସିଲେ ।

----ମୋହନ ,ଆରେ କଣ ହେଲା ,ଦେଖ ତମ ପୁଅ ଆସିଲାଣି ପରା ....।ଉଠ ...ଉଠି କି ଦେଖ ।
----ସେ ଆଉ ନାହିଁ ଗୋ ବାବୁ , ସୁନି ଭୋ। ଭୋ କରି କାନ୍ଦି ଉଠିଲା ।

ବାସ  ମୋହନ ର ଦେହରେ ଚାଦର ଗୋଟେ ପକେଇବାକୁ ଗଲାବେଳେ ଶ୍ୱଶୁର ର ଆଙ୍ଗୁଳି ଗୁଡିକ ହଲୁ ଥିବାର ଲକ୍ଷ୍ୟ କରି ଚିତ୍କାର କରି ଉଠିଲା । ସୁବାଷ ବାବୁ ଓ ଅନ୍ୟ ମାନଙ୍କ ସହାୟତା ରେ ମୋହନ କୁ ଘର ବାହାର କୁ ଅଣାଯାଇ କିଛି ଶୁଶ୍ରୁଷା କରିବାରୁ  ସେ  ପାଣି ଟିକେ ଖୋଜିଲା । ୟା ମଧ୍ୟରେ ପଦନା ର ପ୍ରଚାରିତ ଖବର ସମସ୍ତଙ୍କ ଠାରୁ ଯବାନ ,ପୋଲିସ ଓ ସୁବାଷ ବାବୁ ଙ୍କ କାନ ରେ ପଡିସାରିଥାଏ । ମୋହନ କୁ ସାଷ୍ଟାମ କରିବା ପାଇଁ ଡାକ୍ତର ଆସି ସାରିଥାନ୍ତି । ସୁବାଷ ବାବୁ ଯବାନ ଙ୍କ ମଧ୍ୟରେ ଥିବା ମୁଖ୍ୟ ଅଧିକାରୀ ଙ୍କୁ ଅନୁରୋଧ କରି ଆକାଶ ସମ୍ପର୍କିତ ସତ୍ୟାସତ୍ୟ କୁ ଉନ୍ମୋଚନ କରିବାକୁ କହିଲେ । ସେନା ମୁଖ୍ୟ ଙ୍କ ର ବିବରଣୀ ପ୍ରତ୍ୟେକଙ୍କ ହୃଦୟ କୁ ଚିପୁଡି ଦେଲା ।ବର୍ଷା ର ଗତି ଥମି ଯାଇଥାଏ । ମାଓ ଶିବିରରେ ଆକାଶ ଦୁଇ ସପ୍ତାହ ପର୍ଯ୍ୟନ୍ତ ବିତେଇ ସେମାନଙ୍କୁ ଧରିବାର ରାସ୍ତା ପରିଷ୍କାର କରିସାରିଥାଏ ।କିନ୍ତୁ ଶେଷ ଦିନ ରେ ହିଁ ସେ  ସେନା ବିଭାଗର  ଜଣେ ବୋଲି ଜଣାପଡିଯାଇଥିଲା । ତା' ପରେ ଅତି ନୃଶଂସ ଭାବରେ  ସେମାନେ ତାକୁ ହତ୍ୟା କରି ଥିଲେ । ଯଦିଓ ସେଇ ମୁହୂର୍ତ୍ତରେ ଅନ୍ୟ ଯବାନ ଙ୍କ ଦ୍ଵାରା କେତେଜଣ ବନ୍ଦୀ ହେଲେ ଆଉ କେତେଜଣ ଗୁଳି ଦ୍ୱାରା ନିହତ ହେଲେ । ଆକାଶ ର ଶରୀର କୁ ସେମାନେ ଖଣ୍ଡ ଖଣ୍ଡ କରି ଚତୁର୍ଦ୍ଦିଗ ରେ ଫିଙ୍ଗି ଦେଇଥିଲେ ।ତା ମଧ୍ୟରୁ କିଛି ନଦୀ ରେ ଭାସି ଯାଇଥିଲା । ଅନେକ କଷ୍ଟ ରେ ସେ ଦୁର୍ଗମ ଅଞ୍ଚଳ ରୁ କେବଳ ଗୋଟିଏ ହାତ  ସେନାବାହିନୀ ଉଦ୍ଧାର କରିପାରିଛନ୍ତି । ତାହା ପୁଣି ତା ହାତ ରେ ଚିତା କୁଟା ହୋଇ ଲେଖା ହୋଇଥିବା ନାମ ଯୋଗୁଁ ସମ୍ଭବହେଲା  । ବର୍ଷା ର ଗତି ଥମି ଯାଇଥାଏ ଓ ସକାଳ ର କଁଅଳିଆ  ଖରା ର ଚକ ଚକ କିରଣ ରେ ସାରା ଗ୍ରାମ ଆଲୋକିତ ହେଉଥାଏ ।ସତେ ଯେପରି କେତୁଗ୍ରସ୍ତ ଗ୍ରହଣ ପରେ ଆକାଶ ନିର୍ମଳ ହେବା ପରି ଶାନ୍ତ ।ମୋହନ ର ଶୋକାର୍ତ୍ତ ହୋଇ ମୂର୍ଛିତ ହେବା ଓ ଆକାଶ ର କଥା ଶୁଣିବା ପରେ ଚେତନା କୁ ଆସିବା ରେ ସମସ୍ତ ଙ୍କ ଆଖିରୁ ଲୁହ ଧାର ଧାର ହୋଇ ବୋହି ଆସୁଥାଏ । ସେନା ଙ୍କୁ ସମାଧି ଦେବା ର ଚିରାଚରିତ ପ୍ରଥାରେ ଅନ୍ତିମ ପର୍ଯ୍ୟାୟ ଉପସ୍ଥିତ । ହାତ ହଁ ସେଇ ଗୋଟିଏ ହାତ  ,ସେ ହାତ ରେ ମାଂସ ଖଣ୍ଡ ଖଣ୍ଡ ଗଳି ଯାଇଥାଏ । ତଥାପି ସେଇ ହାତ ରେ ଅନ୍ତିମ ସଂସ୍କାର କରିବା ର ଆୟୋଜନ ର ପ୍ରବନ୍ଧ କରାଗଲା । ମୋହନ ବାପ ହୋଇ ପୁଅର ଅନ୍ତେଷ୍ଟି କ୍ରିୟା ରେ ନିଜ ହାତ ର ସ୍ପର୍ଶ ଦେବାକୁ ମାନସିକ ସ୍ତର ରେ ନିଜକୁ ପ୍ରସ୍ତୁତ କରୁଥିଲା ଶହୀଦ ର ସମାଧି ଦେବାକୁ ।

ସିପ୍ରା ନାମତା  (ନମ୍ରତା) 
ବାରିପଦା, ମୟୁର ଭଞ୍ଜ, ମୋ - 8249850168

Post a Comment

0 Comments