Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

କ୍ଷୁଦ୍ରଗଳ୍ପ - ସନ୍ଧିକାଳ - ବିନୟ ମହାପାତ୍ର


ନାଉରିଆ କହିଲା, ଗଣ୍ଠୁଲିଟା ଏଇଠି ରଖ, ସେ ପାରିକୁ ଏ ସବୁ ନେବାର ଅନୁମତି ନାହିଁ । ଏ ସବୁର ଆବଶ୍ୟକତା ବି ସେଠି ପଡିବନି । ତୁମର ଏ ଗଣ୍ଠୁଲିଟି ତୁମକୁ ଏପଟେ ଛାଡିଦେଇ ଯିବାକୁ ହେବ । ଦେଖୁନ ଏଡିକି ଛୋଟ ନାଆଟିରେ ତୁମେ ବସିଲା ପରେ ଆଉ ଜାଗା ବଳୁଛି ? କେମିତି ନେଇକି ଯିବ ଏସବୁ ? କଣ କଣ ସବୁ ବାନ୍ଧିଛ ଏ ଗଣ୍ଠୁଲି ଭିତରେ? ବହୁତ ଭାରିଥିଲା ପରି ଜଣାପଡୁଛି । ଆଗରୁ ଅନେକ ସମୟରେ ତୁମ ଘର ରାସ୍ତାରେ ଗଲାବେଳେ କେତେଥର ମୁଁ ଦେଖିଛି ତୁମକୁ, ସବୁବେଳେ କାର୍ଯ୍ୟରେ ବ୍ୟସ୍ତ ରହୁଥିଲ । ଏତେ ବ୍ୟସ୍ତ ରହୁଥିଲ ଯେ ନିଜ ଘର ପରିବାର ବନ୍ଧୁ ବାନ୍ଧବ ମାନଙ୍କ ପାଇଁ ବି ଟିକିଏ ସମୟ ରହୁ ନଥିଲା ତୁମ ପାଖରେ । କଣ ସବୁ ଏତେ କାମ କରୁଥିଲ, ଆଉ କାହିଁକି ? ଅଧିକ ଉପାର୍ଜନ ପାଇଁ ? ଜୀବନରେ କଣ କଣ ସବୁ ଉପାର୍ଜନ କଲ ?

ଏକା ନିଶ୍ୱାସରେ ଏତେ ସବୁ କଥା କହି ନାଉରୀଆ ନାଆର ମଙ୍ଗ ଉପରେ ଥକାମାରି ବସି ପଡିଲା । ଦିଗମ୍ବର ଦାଶେ ଗଣ୍ଠୁଲିଟା ସେତେବେଳ ଯାଏ ମୁଣ୍ଡରେ ବୋହି ଠିଆହୋଇ ନାଉରୀଆର ବକବାସ ଶୁଣୁଥିଲେ । ସେପାରିକୁ ଯିବାପାଇଁ ଏଇ ଗୋଟିକ ନାଆ, ଆଉ ଏଇ ଗୋଟିଏ ନାଉରୀ, ଆଉ କୌଣସି ଅନ୍ୟ ରାସ୍ତା ନାହିଁ, ସେଇଥି ପାଇଁ ବିରକ୍ତ ଅନୁଭବ କରୁଥିଲେ ବି ନାଉରୀଆର ବକବାସକୁ ବରଦାସ୍ତ କରୁଥିଲେ । ଭାବୁଥିଲେ କିଛି ଦେଇ ନେଇ ନାଉରୀଆକୁ ପଟେଇ ନେବେ । ସବୁତ ଆଣି ପାରିଲେନି କିନ୍ତୁ ଯେତିକି ଆଣି ପାରିଛନ୍ତି ତାକୁ ନିଜ ସାଙ୍ଗରେ ନେଇକି ଯିବେ । ଗଳାକୁ ଟିକିଏ ନରମ କରି ଦିଗମ୍ବର କହିଲେ, ଆରେ ଭାଇ, ତୁମେତ ନାଆ ବାହିବା ଲୋକ, ତୁମେ କଣ ଜାଣିବ ଧନ ଅର୍ଜନ କରିବା କେତେ କଷ୍ଟକର କାମ । ଦିନର ଚବିଶ ଘଣ୍ଟା ବି କମ ପଡେ କାମ କରିବାକୁ । ସେପାରିକୁ ଗଲେ ରାଜାଙ୍କୁ କହିବି ଦିନର ସମୟସୀମା ଆଉ ଦୁଇଚାରି ଘଣ୍ଟା ବଢେଇ ଦେବେ । ଏଠି ସିଧା ଆଙ୍ଗୁଠିରେ ଘିଅ ବାହାରେନି ବୋଲି ଲୋକଙ୍କ ଉପରେ ଜୋର ଜୁଲମ କରିବାକୁ ହୁଏ । ଯେତିକି କରି ପାରିଲି ସେତିକି କଲି । ସିଧା ରାସ୍ତାରେ ବି ଧନ ଅର୍ଜନ କରି ହୁଏନା, ସିଧା ରାସ୍ତାରେ ଯାହା ଧନ ମିଳେ ସେଥିରେ ଭଲରେ ଦିମୁଠା ଭାତ ବି ଖାଇ ହୁଏନି । ତେଣୁ ରାସ୍ତା ଯେମିତି ହେଉ ପଛେ ଧନ ଅର୍ଜନ ପାଇଁ ମୁଁ କେବେ ପଛେଇନି, ସତ ଅସତ୍, ଧର୍ମ ଅଧର୍ମ କଥା କେବେ ମନରେ ଭାବିନି । ବହୁତ ଧନ ଅର୍ଜନ କଲି, ଅମାପ ଧନ, ଜମି ବାଡି, ଆଲିଶାନ ରାଜପ୍ରସାଦ ପରି ଘର, ଗାଡି ଘୋଡା ସବୁ କିଛି ଅଛି ମୋ ପାଖରେ । ହେଲେ, ଏତେ ଗୁଡାଏ ଜିନିଷ ତୁମ ଡଙ୍ଗାରେ ନେଇ ହେବନି । ତେଣୁ ଅଳ୍ପ କିଛି ବହୁମୂଲ୍ୟ ସଂପତ୍ତି ନେଇ ଯାଉଛି । ତୁମେ ଚାହିଁଲେ, ଏଥିରୁ କିଛି ବହୁମୂଲ୍ୟ ସମ୍ପତ୍ତି ମୁଁ ତୁମକୁ ଦେଇଦେବି । ମୋତେ ଏ ସବୁ ସାଙ୍ଗରେ ନେବାକୁ ଦିଅ, ପ୍ଲିଜ୍ ।

: ନାଉରୀଆ ଟିକେ ହସିଲା । ପଚାରିଲା, ବହୁମୂଲ୍ୟ ସମ୍ପତ୍ତି ? କଣ ସେ ସବୁ ବସ୍ତୁ?

ଦିଗମ୍ବର କହିଲେ ଗଣ୍ଟୁଲିଟା ନାଆ ଉପରେ ରଖିବାକୁ ଅନୁମତି ଦିଅ, ତାପରେ ମୁଁ ଗଣ୍ଟୁଲି ଖୋଲି ତୁମକୁ ସବୁ ଦେଖେଇ ଦେବି, ତୁମେ ଯାହା ନେବାକୁ ଚାହିଁବ ତୁମକୁ ଦେଇଦେବି, ଲାଞ୍ଚ ବୋଲି ଭାବିବନି, ସେଇଟା ମୁଁ ଖୁସିରେ ତୁମକୁ ଉପହାର ଦେଇଦେବି । ନାଉରୀଆ ଟିକିଏ ହସି କହିଲା ନାହିଁ ଆଜ୍ଞା,  ନାଆ ଉପରେ ଆଉକିଛି ରଖିବାକୁ ମୋତେ ମୋ ମାଲିକର ଅନୁମତି ନାହିଁ । ସେ କେବଳ ତୁମକୁ ନେଇଯିବା ପାଇଁ ନାଆ ପଠେଇଛନ୍ତି । ତୁମ ଗଣ୍ଠିଲିଟି ସେଇ ତଳେ ରଖିକି ଖୋଲ ।

ଅଗତ୍ୟା ଦିଗମ୍ବର ବାବୁ କିଛି ଚାରା ନଦେଖି ଗଣ୍ଟୁଲିଟି ତଳେ ଥୋଇ ଚାରି ଦିଗକୁ ନିରୀକ୍ଷଣ କଲେ, କେହି ଦେଖୁ ନାହିଁ ତ ? ଦୂର ଦୂର ପର୍ଯ୍ୟନ୍ତ ଶୁନଶାନ, କେହି କୁଆଡେ ନାହିଁ । କେବଳ ସିଏ ନିଜେ, ଡଙ୍ଗା ଏବଂ ନାଉରୀଆ ବ୍ୟତୀତ ଆଉ କେହି ଦୃଷ୍ଟିକୁ ଆସୁନି, କାଉ କୋଇଲିର ରାବ ବି ଶୁଭୁନି । ବଡ ସନ୍ତର୍ପଣରେ ଦିଗମ୍ବର ନିଜ ଗଣ୍ଠିଲି ଖୋଲିଲେ । ସୁନା ରୂପା ହୀରା ମୋତି ମାଣିକରେ ଭରି ରହିଥିଲା ଗଣ୍ଠିଲିଟି । ରତ୍ନ ସବୁ ଚମକ୍ ଝକ୍ ମକ୍ କରୁଥାଏ । ଗଣ୍ଟିଲିଟି ଖୋଲି ସାରି ବଡ ଗର୍ବରେ ଛାତି ଫୁଲେଇ କହିଲେ, କେବେ ଦେଖିଥିଲ ଏତେ ମୂଲ୍ୟବାନ ସମ୍ପତ୍ତି ? କୁହ, ତୁମର କଣ ଦରକାର, ଏଗୁଡିକ ସବୁ ବହୁମୂଲ୍ୟ ରତ୍ନ, ଏକରୁ ଆରେକ ବଳି । ଏଥିରୁ ଗୋଟିଏ ପାଇଲେ ତୁମକୁ ସାରା ଜୀବନ ଆଉ ନାଆ ବାହିବାର ଦରକାର ପଡିବନି । ତୁମର ବାକି ଜୀବନ ବଡ ଆରାମରେ କଟିଯିବ । ଏଥିରୁ ତୁମର ଯାହା ଇଚ୍ଛା ତୁମେ ନିଅ, ଏବଂ ମୋତେ ବାକି ସବୁ ସାଥିରେ ନେଇ ଯିବାକୁ ଦିଅ ।

ନାଉରୀଆ ଥରେ ଗଣ୍ଟିଲିର ରତ୍ନ ମାନଙ୍କୁ ଦେଖିଲା, ଆଉଥରେ ଦିଗମ୍ବର ବାବୁଙ୍କ ମୁଁହକୁ ଚାହିଁ ହୋ ହୋ ହୋଇ ହସି ଉଠିଲା । କହିଲା, ଏସବୁ ମୂଲ୍ୟବାନ ସମ୍ପତ୍ତି ? ଏଇ ସବୁ ମୂଲ୍ୟବାନ ସମ୍ପତ୍ତି ଏକାଠି କରିବାକୁ ତୁମେ ତୁମର ମୂଲ୍ୟବାନ ଜୀବନର ଅତିମୂଲ୍ୟବାନ ସମୟ ସବୁ ନଷ୍ଟ କରିଦେଲ? ଠିକ୍ ଅଛି, ତୁମକୁ ଯାହା ଠିକ୍ ଲାଗିଲା ତୁମେ କଲ । କିନ୍ତୁ, ତୁମର ଏ ମୂଲ୍ୟବାନ ରତ୍ନ ସବୁ ମୋର କିଛି କାମର ଜିନିଷ ନୁହେଁ, ମୋ ପାଇଁ ଏସବୁର କିଛି ମୂଲ୍ୟନାହିଁ । ଛାଡ ସେ ଯାହାହେଉ ! ମନେକର, ମୁଁ ତୁମକୁ ଏ ସବୁ ସମ୍ପତ୍ତି ସାଙ୍ଗରେ ନେଇ ଯିବାକୁ ଅନୁମତି ଦେଇଦେବି, ଏସବୁ ସାଥିରେ ନେଇ ତୁମକୁ ସେଠି ପହଞ୍ଚାଇ ଦେବି, କିନ୍ତୁ ତୁମେ ମୋର ଗୋଟିଏ ପ୍ରଶ୍ନର ଉତ୍ତର ଦିଅ, ଏସବୁ ନେଇ, ତୁମେ ସେଠି କରିବ କଣ ?

ଦିଗମ୍ବର ବାବୁ ନାଉରୀଆକୁ କହିଲେ ମୋ ପାଖକୁ ଆସ, ମୁଁ ତୁମ କାନରେ କହିବି, ଆଉ କିଏ ଶୁଣିଦେବ ଏ ଗୁମର କଥା । ତୁମେ ଜାଣିନ, ଏ କମ୍ପିଟେସନ ଯୁଗରେ ବିଜିନେସ ସିକ୍ରଟସ କେତେ ଗହନ କଥା । ଏ କାନ କଥା ଆର କାନକୁ ଖବର ହେବନି । ନାଉରୀଆ ଟିକେ ମୁଚୁକି ହସିଲା, କହିଲା ଦେଖୁନ, ଆଖପାଖ ତ ଦୂରର କଥା, ଜୋଜନ ଜୋଜନ କୋସ ଦୂର ପର୍ଯ୍ୟନ୍ତ ଜନ ମାନବ କେହି ନାହାନ୍ତି । ଏଇଠି କେବଳ ତୁମ ମୋ ଛଡା ତୃତୀୟ କେହି ନାହିଁ । ଦିଗମ୍ବର ଟିକେ ଆସ୍ୱସ୍ଥ ହେଲେ । କହିଲେ ଆଜି ଯୁଗରେ ଧନ ସବୁଠି ଦରକାର । ଧନ ନଥିଲେ କେହି ବି କାହାକୁ ବାସିମୁହଁରେ ପଚାରିବେ ନାହିଁ । ଆରେ, ମୁଁ ନୁଆ ଦେଶ, ନୁଆ ଜାଗା ଯାଉଛି, ଏ ଦେଶର କରେନ୍ସି ନୋଟ ତ ସେଠି ଚାଲିବନି, କିନ୍ତୁ ସୁନା, ରୂପା, ହୀରା, ମୋତି ମାଣିକ ସବୁଠି ଚାଲିଯିବ । ତେଣୁ ସେଠି ଏ ସବୁ ବଦଳେଇ, ଜାଗାଖଣ୍ଡେ କିଣି ନିଜର ମହଲଟିଏ ତିଆରି କରିବି ତାପରେ ଲୋକଙ୍କୁ ଟଙ୍କା ପଇସା, ମଦ, ମାଂସ ଖୋଇ ପେଇ ଇଲେକ୍ସନରେ ଠିଆ ହୋଇ ମନ୍ତ୍ରୀ ବନିଗଲେ ପୁଣି ଦେଖିବ ମୋ କମାଲ, ଦିନେ ତୁମର ସେ ଦେଶରେ ରାଜା ବି ହୋଇଯିବି ।

ଦିଗମ୍ବରଙ୍କ କଥା ଶୁଣି ନାଉରୀଆ ଖୁବ୍ ଜୋରରେ ହୋ ହୋ ହୋଇ ହସି ଉଠିଲା ପାଗଳଙ୍କ ପରି, ହସି ହସି ବେଦମ ହୋଇଗଲା । ତାପରେ ହସ ବନ୍ଦକରି ଟିକେ ଦମ୍ ନେଇ କହିଲା, ଆଚ୍ଛା ଦିଗମ୍ବର, ତୁମେ ଯେଉଁ ଦେଶକୁ ଯାଉଛ ସେ ଦେଶ ବିଷୟରେ କିଛି ଜାଣିଛ ? ମୋତେ ଲାଗୁଛି ତୁମେ କିଛି ଜାଣିନ କି ଶୁଣିନ । ହଁ ତୁମେ ତ ସାରା ଜୀବନ ଧନ ଅର୍ଜନରେ ବ୍ୟସ୍ଥ ରହିଲ, ଏସବୁ ଜ୍ଞାନ ପାଇଁ ତୁମ ପାଖରେ ସମୟ କେଉଁଠି ଥିଲା । ଜାଣିନ ଯଦି ମୁଁ କହୁଛି ଶୁଣ । ତୁମେ ଯେଉଁ ଦେଶକୁ ଯାଉଛ ସେ ଦେଶରେ ଦୁଇଟି ଜାଗା ଅଛି । ଗୋଟିଏ ହେଉଛି ସ୍ୱର୍ଗଲୋକ, ଆରଟି ନର୍କଲୋକ । ତୁମେ ତା ମଧ୍ୟରୁ କେଉଁ ଜାଗାକୁ ଯିବ ସେକଥା ସେଠି ପହଞ୍ଚିଲା ପରେ ତୁମକୁ ଜଣାଇ ଦିଆଯିବ । ଦ୍ୱିତୀୟ କଥା, ତୁମେ ସେଠି ପହଞ୍ଚିଲା ବେଳକୁ ତୁମର ଏ ଶରୀର ସେଠି ନଥିବ । ସେଠି କହାର ବି ଶରୀର ନାହିଁ । ଶରୀର ନାହିଁ ତ ନାମ ବି ନାହିଁ । ଶରୀର ନାହିଁ, ତ ପୋଶାକର ଆବଶ୍ୟକତା ନାହିଁ, ଶରୀର ନାହିଁ ତ ଭୋକ ବି ନାହିଁ, ଶୋଷ ବି ନାହିଁ, କାମନା ନାହିଁ । କିଛି ଅନୁଭବ ବି ନାହିଁ, ଶୀତ ଖରା ବର୍ଷାର ଡର ନାହିଁ, କାହା ସହିତ କାହାର କିଛି ସମ୍ପର୍କ ନାହିଁ, ଲୋଭ ନାହିଁ, ପ୍ରେମ, ଘୃଣା, ଇର୍ଷା, ହିଂସା, ଦୟା, କ୍ଷମା, ମାୟା ମମତା କିଛିନାହିଁ । କିଛି ନାହିଁର ସେ ସଂସାରରେ କେବଳ ଅଛି ଆନନ୍ଦ, ପରମାନନ୍ଦ । ପାଇବା, ହରାଇବା କିଛି ନାହିଁ ସେଠି । କିନ୍ତୁ ଅବଶୋଷ, ଗୋଟିଏ ବଡ ଦୁଃଖର କଥା କଣ ଜାଣ? ପ୍ରଶ୍ନିଳ ଆଖିରେ ଦିଗମ୍ବର ନାଉରୀଆ ମୁହଁକୁ ଚାହିଁ ରହିଁଲେ । ନାଉରୀଆ ନିର୍ବିକାର ଭାବେ କହିଲା, ଦିଗମ୍ବର, ତୁମକୁ ବଡ ଦୂର୍ଲଭ ମଣିଷ ଜନ୍ମ ମିଳିଥିଲା । କିନ୍ତୁ ତୁମେ ଅସଲ ମୂଲ୍ୟବାନ ସମ୍ପତ୍ତି ଏକାଠି ନକରି କେବଳ ମାଟି ଗୋଡି, ପଥର ଏକାଠି କରିବାରେ ତୁମର ସାରା ଜୀବନ ବ୍ୟର୍ଥରେ ବିତେଇ ଦେଲ ।

ଦିଗମ୍ବର ବଡ ନିରାଶ ନୟନରେ ନାଉରୀଆ ମୁହଁକୁ ଚାହିଁ ପଚାରିଲେ, ଏସବୁ ସୁନା, ରୂପା ହୀରା, ମୋତି, ମାଣିକ ଯଦି ମାଟି ଗୋଡି ପଥର ତେବେ ଅସଲ ମୂଲ୍ୟବାନ ସମ୍ପତ୍ତି ପୁଣି କାହାକୁ କହୁଛ ତୁମେ? ନାଉରୀଆ ଟିକିଏ ହସି କହିଲା, କେବେ କେଉଁ ଦୁଃଖି ମୁହଁରେ ଟିକେ ହସ ଦେଲା ବେଳେ ଯେଉଁ ଆତ୍ମ ତୃପ୍ତି ମିଳେ, କେଉଁ ଭୋକିଲା ଲୋକକୁ ମୁଠାଏ ଖାଇବାକୁ ଦେଇ ଯେଉଁ ଆଶିର୍ବାଦ ମିଳେ । କେଉଁ ଅସହାୟ ବ୍ୟକ୍ତିକୁ ଟିକେ ସହାୟତା ଦେଇ ଯେଉଁ ଖୁସି, ନିଜର ଆତ୍ମୀୟ ଜନଙ୍କ ସହିତ ଦିଘଢି ସମୟ ବିତେଇବାର ଆନନ୍ଦ, ବନ୍ଧୁମାନଙ୍କର ଶୁଭେଚ୍ଛା, ଗୁରୁଜନମାନଙ୍କୁ ସେବା କରିବାରେ ସେମାନଙ୍କର ଯେଉଁ ଆଶିର୍ବାଦ ମିଳେ, ଛୋଟ ମାନଙ୍କୁ ସ୍ନେହ ପ୍ରେମ ଦେଇ ଯେଉଁ ଆନନ୍ଦ ମିଳେ ଏବଂ ସେମାନଙ୍କର ଯେଉଁ ଶ୍ରଦ୍ଧା ମିଳେ ସେସବୁ ହେଉଛି ଅସଲ ମୂଲ୍ୟବାନ ସମ୍ପତ୍ତି । କିନ୍ତୁ ତୁମେ ସେସବୁ କାଣିଚାଏ ବି ଅର୍ଜନ କରି ପାରିଲନି । ତୁମେ ସବୁ ଜିନିଷକୁ ପଇସାରେ ତଉଲିକରି ଦେଖିଲ । ଭାବିଲ ସବୁ କିଛି ପଇସା ବଦଳରେ କିଣି ହୋଇଯିବ । ଅବଶୋଷ ତୁମେ ଯେଉଁ ସମ୍ପତ୍ତି ଏକାଠି କଲ ସେସବୁ ଆଜି ତୁମର କିଛି କାମରେ ଆସିବନି । ସେସବୁ ତୁମେ ସାଥିରେ ବି ନେଇ ପାରିବନି । ଏତେ କଷ୍ଟରେ ଅର୍ଜନ କରିଥିବା ତୁମର ଏ ସମ୍ପତ୍ତି ଏଇଠି ଏମିତି ଅନ୍ୟର ଭୋଗ ବିଳାଶ ପାଇଁ ତୁମକୁ ଛାଡିଦେଇ ଯିବାକୁ ହେବ । ତୁମକୁ ଛୋଟ ଗୋଟିଏ ଗପ କହୁଛି ଶୁଣ, ମାଠିଆ ଆଉ ପଲମର କାହାଣୀ;

ଅନେକ ଦିନ ତଳର କଥା, ଉଡ୍ର ଦେଶରେ ସୋମନାଥ ନାମରେ କୁମ୍ଭାରଟିଏ ଥିଲା । ସେ ନିତି ମାଟିରେ ବିଭିନ୍ନ ପ୍ରକାରର ପାତ୍ର ତିଆରି କରେ । ମାଟିରେ ପାଣି ପକାଇ ତାକୁ ନିଜ ଗୋଡରେ ଦଳି ଚକଟି ପାତ୍ର ତିଆରି ପାଇଁ ମାଟି ପ୍ରସ୍ତୁତ କରେ, ତା ପରେ ସେଇ ମାଟି ପିଣ୍ଡୁଳାକୁ ଚକରେ ବୁଲାଇ ଆକାର ଦିଏ ପୁଣି ସେଇ ଆକାର ଗୁଡିକୁ ପଟିପିଟି ଠିକ୍ ଆକାରର ବିଭିନ୍ନ ବସ୍ତୁ ହାଣ୍ଡି, ମାଠିଆ କଡେଇ ପଲମ ଆଦି ତାଆରି କରେ । ତାପରେ ସେଇ କଞ୍ଚମାଟିର ପାତ୍ର ସବୁକୁ ନିଆଁ ଭାଟିରେ ପୋଡି ମଝଭୂତ କରିଦିଏ ।

ନିଜେ ତିଆରି କରିଥିବା ପାତ୍ର ସବୁ ନେଇ ବଜାରରେ ବିକ୍ରି କରିଦିଏ । ଦିନେ ଜଣେ ସୌଦାଗର ସେଇ ପାତ୍ର ମଧ୍ୟରୁ ଗୋଟିଏ ତାୱା (ପଲମ) ଆଉ ଗୋଟିଏ ମାଠିଆ କିଣିନେଲେ । ସୌଦାଗର ପ୍ରତିଦିନ ମାଟି ମାଠିଆଟିରେ ପାଣି ଭରିଦିଅନ୍ତି ଏବଂ ସୌଦାଗରଙ୍କ ପତ୍ନୀ ପଲମଟି ନେଇ ପିଠା କରିବା ପାଇଁ ଚୁଲିରେ ବସାଇ ଦିଏ । ସବୁ ଦିନ ଏପରି ହୁଏ । ପ୍ରତିଦିନ ପାଣି ସରିବା ଆଗରୁ ମାଠିଆରେ ପାଣି ଭରିଦିଆଯାଏ ଆଉ ପଲମକୁ ପିଠା କି ରୋଟି ସେକିବା ପାଇଁ ଚୁଲିରେ ନିଆଁ ଉପରେ ବସେଇ ଦିଆଯାଏ । ପିଠା ପୋଡି ଯିବା ଆଗରୁ ପିଠାକୁ ବାହାର କରି ଦିଆଯାଏ । ଦିନେ ପଲମ ଦୁଃଖି ହୋଇ ମାଠିଆକୁ କହିଲା, ଭାଇ, ତୁମେ କେତେ ଭାଗ୍ୟବାନ । କେହି ତୁମ ପେଟ ଖାଲି ହେବାକୁ ଦେଉନି । ତୁମ ପେଟ ଖାଲି ହେବା ଆଗରୁ କେହିନା କେହି ପୁଣି ଶିତଳ ଜଳରେ ତୁମ ପେଟ ଭରି ଦେଉଛ । କିନ୍ତୁ ମୋତେ ସବୁବେଳେ ଗରମ ଚୁଲା ଉପରେ ବସେଇ ଦିଆ ଯାଉଛି । ମୋତେ ଖାଇବାକୁ ପିଠା ଦେଉଛନ୍ତି କିନ୍ତୁ ମୁଁ କିଛି ଖାଇବା ଆଗରୁ ସୌଦାଗର ପତ୍ନୀ ମୋ ଖାଦ୍ୟ ମୋ ମୁହଁରୁ ବାହାର କରି ନେଉଛି । ମୁଁ ପିଠା ତିଆରି କରୁଛି ହେଲେ ସବୁଦିନ ଭୋକିଲା ରହୁଛି । ମୋର ଏତେ କଷ୍ଟସାଧ୍ୟ ପରିଶ୍ରମର ଫଳ ଅନ୍ୟମାନେ ଭୋଗ କରୁଛନ୍ତି । ମାଠିଆ ପାଖରେ ପଲମ ପାଇଁ କିଛି ସାନ୍ତ୍ୱନାବାଣୀ ଶୁଣାଇବାକୁ ନଥିଲା ତେଣୁ ସେ ଚୁପ ରହିଲା ।


ଗପଟିକୁ ଏଇଠି ଶେଷକରି ନାଉରୀଆ ଦିଗମ୍ବରକୁ ପଚାରିଲା, ଏବେ କୁହ ଦିଗମ୍ବର, କୁମ୍ଭାର ମାଠିଆ ଆଉ ପଲମକୁ ଏକା ପ୍ରକାର ପ୍ରଣାଳୀରେ ଗଢିଲା । ମାଟିକୁ ପାଦରେ ଦଳି ଚକଟିଲା, ଚକରେ ବୁଲାଇ ପୁଣି ଦୁହିଙ୍କୁ ଆକାରଦେଲା, ପିଟି ପିଟି ପଲମ ଆଉ ମାଠିଆ ଗଢିଲା, ପୁଣି ନିଆଁ ଭାଟିରେ ପୋଡି ଦୁହିଙ୍କୁ ମଝଭୂତ କଲା । ହେଲେ ମାଠିଆ ଆଉ ପଲମ ଦୁହିଙ୍କର ଭାଗ୍ୟ ଅଲଗା । ଜଣେ ଶାନ୍ତିରେ ଶିତଳତା ଭିତରେ ଆରାମରେ ଦିନ କାଟୁଛି, ଆଉଜଣେ ନିତି ନିତି ପୁଣି ସେଇ ନିଆଁରେ ପୋଡୁଛି ଏବଂ ଭୋକିଲା ବି ରହୁଛି । ପଲମ ମାଠିଆକୁ ତାର ଯେଉଁ ଦୁଃଖ କାହାଣୀ ଶୁଣାଇଲା ତାର ଉତ୍ତର ତୁମକୁ ଜଣାଥିଲେ କୁହ ।

ଦିଗମ୍ବର ଟିକେ ଭାବିଚିନ୍ତି କହିଲେ, ଏ ସବୁ ତ ଭାଗ୍ୟର ଫଳ, ପଲମ ଭାଗ୍ୟରେ ନିତି ନିଆଁରେ ଜଳି ବି ଭୋକିଲା ରହିବା ଲେଖା ହୋଇଛି ଏବଂ ମାଠିଆ ଭାଗ୍ୟ ବହୁତ ଭଲ ତା ପେଟ ସବୁବେଳେ ଶୀତଳ ଜଳରେ ଭରି ରହୁଛି । ଦିଗମ୍ବରଙ୍କ ଉତ୍ତର ଶୁଣି ନାଉରୀ ଟିକେ ମୁଚୁକି ହସି କହିଲା, ନା' ଏସବୁ ଭାଗ୍ୟର ଫଳ ନୁହେଁ । ଏ ସବୁ କର୍ମର ଫଳ ! ମଣିଷର କର୍ମ ହିଁ ତାର ଭାଗ୍ୟ ଲେଖିଥାଏ । ଯେପରି କର୍ମ କରିବ ଭାଗ୍ୟ ସେହି ପରି ଫଳ ଦେବ । ଏଇ ଦେଖୁନ, ସବୁଦିନ ମାଠିଆରେ ଜଳ ତ ଭରି ଦିଆଯାଉଛି, କିନ୍ତୁ ମାଠିଆ ତାର ଯେତିକି ଆବଶ୍ୟକ ସେତିକି ପିଇ ବାକି ପାଣିକୁ ନିର୍ଲୋଭ, ନିର୍ବିକାର ଚିତ୍ତରେ ତୃଷାର୍ତ୍ତ ମାନକୁ ପିଇବାକୁ ଦେଇଦେଉଛି । ତିଳେ ବି କୃପଣତା ଦେଖାଉ ନାହିଁ, ତେଣୁ ତା ପେଟ ଖାଲି ହେବା ପୂର୍ବରୁ ସେଥିରେ ପାଣି ଭରି ଦିଆଯାଉଛି, କିନ୍ତୁ ପଲମର ଅବସ୍ଥା ପୁରା ଓଲଟା, ପଲମର ପ୍ରକୃତି ସବୁକିଛି ଆତ୍ମସାତ କରିବା । ଯଦି ତା ଉପରେ ପିଠାକୁ ଛାଡି ଦିଆଯାଏ ତେବେ କଣ ହେବ? ପଲମ ସମ୍ପୂର୍ଣ୍ଣ ପିଠାକୁ ଆତ୍ମସାତ କରି ଖାଇଯିବ (ଜାଳିଦେବ) କିଛି ବି ଛାଡିବନି କାହାପାଇଁ । ସେଥିପାଇଁ ଠିକ୍ ସମୟରେ ପିଠାକୁ ବାହାର କରି ନିଆଯାଏ, ଆଉ ପଲମ ନିତି ନିଜେ ଜଳେ କିନ୍ତୁ ତାର ପରିଶ୍ରମର ଫଳ ଭୋଗକରି ପାରେନା, ତା ପରିଶ୍ରମର ଫଳ ଅନ୍ୟମାନେ ଭୋଗ କରନ୍ତି । ସେମିତି ତୁମେ ତୁମ ଜୀବନକୁ ପଲମଟିଏ ପରି କରିଦେଲ । ଦିନରାତି କଠିନ ପରିଶ୍ରମ କଲ, ଅମାପ ଧନ ଅର୍ଜନ କଲ କିନ୍ତୁ ତୁମ ଶ୍ରମର ଫଳ ଅନ୍ୟମାନେ ଭୋଗକଲେ ଏବଂ ଆଜି ଯାହା କିଛି ବି ବଳିଛି ସେସବୁ ତୁମର କିଛି କାର୍ଯ୍ୟରେ ଆସିବନି । ସେଇ ଧନ ସବୁ ଏଇଠି ଅନ୍ୟମାନଙ୍କର ଭୋଗ ବିଳାଶ ପାଇଁ ଛାଡିଦେଇ ଯିବ । ଯଦି ତୁମେ ତୁମ ଜୀବନକୁ ମାଠିଆ ପରି କରିପାରି ଥାଆନ୍ତ, ତେବେ ସାରା ଜୀବନ ସୁଖ ଭୋଗି ଥାଆନ୍ତ ଏବଂ ଆଜି ତୁମ ପାଖରେ ଅଜସ୍ର ଅସଲ ମୂଲ୍ୟବାନ ସମ୍ପତ୍ତି ଜମା ଥାଆନ୍ତା, ଯାହା ତୁମଠାରୁ କେହି ଛଡାଇ ନେଇ ପାରି ନଥାନ୍ତା, ଏବଂ ସେ ସମ୍ପତ୍ତି ଆର ପାରିରେ ତୁମକୁ ସ୍ୱର୍ଗସୁଖ ଦେଇପାରି ଥାଆନ୍ତା । ଏତିକି କହି ନାଉରୀଆ ଚୁପ୍ ହୋଇଗଲା ।

ନାଉରୀଆର କଥା ଶୁଣି ଦିଗମ୍ବର ନିଜ ମଥାରେ ହାତବାଡେଇ ତଳେ ଥକା ମାରି ବସିଗଲେ । କହିଲେ ହେ ନାଉରୀଆ ଆପଣ ଠିକ୍ କହିଲେ । ମଣିଷ ତାର ଜୀବନରେ ଭାଗ୍ୟର ଫଳ ନୁହେଁ ନିଜ କର୍ମର ଫଳ ହିଁ ଭୋଗିଥାଏ । ଆପଣ ମୋର ଆଖି ଖୋଲିଦେଲେ । ହେଲେ ମୁଁ ହତଭାଗା, ଆଜି ନିଜକୁ ସୁଧାରିବା ପାଇଁ ମୋ ପାଖରେ ତିଳେ ବି ସମୟ ବଳକା ନାହିଁ । ହେ ନାଉରୀଆ, ହେ ମହାଜ୍ଞାନୀ, ଆପଣ ଜଣେ ସାମାନ୍ୟ ନାଉରୀଆ ହୋଇ ନପାରନ୍ତି । ଆପଣ ଦୟାକରି ମୋତେ ନିଜ ପରିଚୟ ଦିଅନ୍ତୁ, ଆପଣ କିଏ?

ନାଉରୀଆ କହିଲା ସମସ୍ତେ ଭାବନ୍ତି ମୁଁ ସମସ୍ତଙ୍କର ପରମ ଶତ୍ରୁ, ମୁଁ ବିକରାଳ ମୁହଁ ଦେଖାଇ ଅଟ୍ଟହାସ୍ୟ କରେ । ଯିଏ ବି ମୋତେ ଥରେ ଦେଖିଛି, ଯିଏ ମୋତେ ଥରେ ଜାଣିଛି, ସିଏ ତ କେବେ ବି ଫେରି ଯାଇ ପାରିନି ତେବେ ଏତେକଥା ସମସ୍ତଙ୍କୁ କିଏ କହିଲା । ହେ ବନ୍ଧୁ, ମୁଁ ତୁମ ଜନ୍ମଦିବସର ପ୍ରଥମ ଦିନରୁ ପ୍ରତି ମୁହୁର୍ତ୍ତରେ ତୁମ ସାଥିରେ ଅଛି । ତୁମେ ମୋତେ ଦେଖି ପାରୁନ, କେବେ ଦେଖିବାକୁ ବି ଚାହୁଁନ । କେହି ମୋତେ ଭଲ ପାଏନା । ଶୁଣା କଥାରେ ବିଶ୍ୱାସ କରି ସମସ୍ତେ ମୋତେ ସତରେ କେତେ ଘୃଣା କରନ୍ତି ! ମୁଁ ତୁମ ପାଇଁ ଯେପରି ଆସିଛି, ସମସ୍ତଙ୍କ ପାଇଁ ଦିନେ ନା ଦିନେ ସେହିପରି ଠିକ୍ ସମୟରେ ଆସିବି । ନା’ ସମୟର ଆଗରୁ ଆସିବି ନା’ ପଛରେ, ମୂହୁର୍ତ୍ତକର ଫରକ ବି ରହିବନି ।

ସମସ୍ତେ ଦିନେ ମୋ ସାଥିରେ ଏଇ ଶୂନ୍ୟତାର ସଂସାରକୁ ଆସିବେ । ଏଇ ଶୂନ୍ୟତାର ସଂସାର ପରମ ଆନନ୍ଦରେ ପରିପୂର୍ଣ୍ଣ । ନା’ ଏଠି କଷ୍ଟ ଅଛି, ନା’ ଲୁହ’ ନା’ ହସର ଜୁଆର ଅଛି । ଆସକ୍ତିର ବହୁ ଦୂରରେ ନିରାସକ୍ତର ଏଇ ଦୁନିଆ, ନା ଏଠି ସମ୍ପର୍କ ଥାଏ, ନା କେହି ବନ୍ଧୁ ନା କେହି ଶତ୍ରୁ, ନା କିଛି ମାୟାର ବନ୍ଧନ ଥାଏ । ନିର୍ମାୟା, ନିର୍ଲିପ୍ତ, ଅନାଶକ୍ତର ଏଇ ମୋର ସଂସାର । ଲୋଭ ନାହିଁ, ହିଂସା ନାହିଁ, ପ୍ରେମ ନାହିଁ କିମ୍ବା ବିରହ ଜନ୍ତ୍ରଣା ବି ନାହିଁ । ଏଇଠି କାହାର ରୂପ ନାହିଁ, ଯୈବନ ନାହିଁ, ବୟସର କିଛି ଫରକ ନାହିଁ, କାମ କାମନାର ଜ୍ୱଳନ, କ୍ଷୁଧା, ତୃଷା ଲୋଭ ଅଂହକାର କିଛିବି ନାହିଁ । ଏଇଠି ନା’ ଜନ୍ମ ଅଛି ନା’ ପୁଣି ମୃତ୍ୟୁର ଭୟ ଅଛି । କିଛି ନାହିଁର ଏଇ ମୋର ଦୁନିଆ । ଏଇ ଶୁନ୍ୟତାରେ ନିରାନନ୍ଦ, ନିରାଶକ୍ତ ନିର୍ଲିପ୍ତତାର ପରମାନନ୍ଦକୁ ସମସ୍ତେ କାହିଁକି ଏତେ ଡରନ୍ତି କେଜାଣି ? ମୁଁ ସମସ୍ତଙ୍କୁ ପରମ ଶାନ୍ତି ପ୍ରଦାନ କରିଥାଏ, ସଂସାରର ସମସ୍ତ ଦୁଖ ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ । ମୁଁ ଆଉ କେହି ନୁହେଁ ମୁଁ ସମସ୍ତ ଜୀବ ଜଗତର ପରମ ମିତ୍ର 'ମୃତ୍ୟୁ' !

ଥରେ ଦେଖାହେଲା ପରେ, ତୁମେ ମୋର ହୋଇଯିବ ଆଉ ମୁଁ ତୁମର ହୋଇଯିବି । ଏବଂ ତୁମ, ମୋ ମଝିରେ ଆଉ କେହି ବି ନଥିବ । ମୋ ନିବିଡ ବାହୁ ବନ୍ଧନରୁ ନା ତୁମେ ଯାଇ ପାରିବ ନା ତୁମେ ଯିବାକୁ ଚାହିଁବ । କେବଳ ମୁଁ ହିଁ ସମସ୍ତ କଷ୍ଟରୁ ମୁକ୍ତି, ସମସ୍ତ ମାୟା ବନନ୍ଧନରୁ ମୁକ୍ତି ଦେଇପାରେ ।

ଦିଗମ୍ବର ହାତଯୋଡି ମୃତ୍ୟୁଙ୍କୁ ପ୍ରଣାମ କରି କହିଲେ, ହେ ପରମ ମିତ୍ର, ମୋତେ ଯଦି ଆଉ ଥରେ ମାନବ ଜନ୍ମ ମିଳେ ମୁଁ ମାଟିର ମାଠିଆଟିଏ ପରି ହେବାକୁ କାୟା ମନ ବାକ୍ୟରେ ସମ୍ପୁର୍ଣ୍ଣ ଚେଷ୍ଟାକରିବି । ମୁଁ ଆଜି ମୋର ସମସ୍ତ ସମ୍ପତ୍ତି ଏଇଠି ଛାଡି ରିକ୍ତ ହସ୍ତରେ ଆପଣଙ୍କ ସହିତ ଯିବାପାଇଁ ପ୍ରସ୍ତୁତ । ଆପଣ ମୋତେ ଆପଣଙ୍କର ଶରଣରେ ନିଅନ୍ତୁ । ମୃତ୍ୟୁ ନିଜର ବାହୁ ପଶାରୀ ଦିଗମ୍ବରଙ୍କୁ ଆପଣାର ନିବିଡ ବାହୁବନ୍ଧନରେ କୁଣ୍ଢେଇ ଧରିଲେ । (ଗଳ୍ପଟି ମୋ କବିତା "ମୃତ୍ୟୁ"ର ଛାୟାରେ ଲିଖିତ) ।

ବିନୟ ମହାପାତ୍ର
ପଟିଆ, ଭୂବନେଶ୍ୱର, ଓଡିଶା

Post a Comment

0 Comments