Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ଶିଶୁଗଳ୍ପ - ବିଚରା ବିଲୁଆ - ଅଧ୍ୟାପକ ଶରତ କୁମାର ଦାସ


ଜଙ୍ଗଲିଆ ରାସ୍ତା । ଚାରିଆଡେ ଶୂନଶାନ । ଆଗରେ କେହି ନାହିଁ କି ପଛରେ କେହି ନାହିଁ । ଜଙ୍ଗଲକୁ କିଏ କାହିଁକି ବା ଆସିବ ସକାଳୁ ସକାଳୁ । ଏମିତି ତ ତୁହାକୁ ତୁହା ବର୍ଷା ଲାଗିରହିଛି । ଶୀତୁଆ ପବନ ବି ବହୁଛି । ଆକାଶରେ କଳାହାଣ୍ଡିଆ ମେଘ ।

-'ଏ ବିଲୁଆ ନନା ! ତରବର ହୋଇ ସକାଳୁ ସକାଳୁ କୁଆଡେ ଧାଉଁଛ ?'  -ପଛରୁ କିଏ ଡାକିଲା ଭଳି ଶୁଭିଲା ।
-'ଆରେ ତମେ ବି ତ ଧାଉଁଛ କୁକୁର ଭାଇ ।'  -ବିଲୁଆ ନନା ହଡବଡ ହୋଇ ପଛକୁ ଚାହିଁ ଜବାବ ଦେଲା ।
-'ଜଙ୍ଗଲରେ ଆଜି ଗୋଟିଏ ଜରୁରୀ ସଭା ଡକାଯାଇଛି । ମୁଁ ସେଇଠିକୁ ଧାଉଁଛି ।' -ବିଲୁଆ ନନା ଟିକେ ମୁରୁକି ହସି ଉତ୍ତର ଦେଲା ।
-'ମୁଁ ତ ସେହି ସଭାକୁ ବାହାରିଛି ।' -କୁକୁର ଭାଇ ଖନେଇ ଖନେଇ କହିଲା । 
- 'ଗଧିଆ ଭାଇ ସଭା ଡାକିଛି । ଏ ଜଙ୍ଗଲରେ ଯେତେ ପଶୁ ପକ୍ଷୀ ଅଛନ୍ତି ସବୁ ଏକାଠି ହେବେ । ସିଂହ ରଜାଙ୍କ ଅତ୍ୟାଚାର ଦିନକୁ ଦିନ ବଢି ଚାଲିଛି । ସେ ଆଉ ଆମ ଦୁଃଖ ଶୁଣୁନାହାଁନ୍ତି । ଖାଲି ଚିଡି ଚିଡି ହଉଛନ୍ତି ।  ନିଜେ ମଉଜ ମଜଲିସ୍ ରେ ଦିନ କାଟୁଛନ୍ତି । ଗଧିଆ ଭାଇ ରାଜା ହେବ । ସିଂହ ରାଜାକୁ ଆଛାକି ପାନେ ଦେବ ।' -ବିଲୁଆ ଏକ ନିଶ୍ବାସ ରେ କହିଦେଲା ।
                    
ବିଲୁଆ ତ ବଡ ଚତୁର । ସେ ବି ସୁଯୋଗ ଅପେକ୍ଷା ରେ ଥିଲା । ଗଧିଆ ହେବ ଜଙ୍ଗଲରେ ରାଜା ସେ ଏ କଥା ସହଜରେ ହଜମ କରିପାରୁନଥିଲା । ମନେ ମନେ ଭାବିଲା, କୁକୁରକୁ ହାତ କରି ଗଧିଆକୁ ପାନେ ଦେଲେ କେମିତି ହୁଅନ୍ତା । ଏହି କଥା ଚିନ୍ତା କରି କରି ତା' ଦେହରୁ ଝାଳ ଗମଗମ ବହିଯାଉଥିଲା । ସିଂହାସନ ପ୍ରତି କାହାର ବା ଲୋଭ ନ ଥାଏ !

-'ଏତେ କ'ଣ ଭାବୁଛ ମ ।' -କୁକୁର ପଚାରିଲା ।
-'ନାଇଁ ଯେ....। ମୁଁ କ'ଣ ଭାବୁଥିଲି କି !'
-'ହଁ କ'ଣ କହୁ ନ ।'

ବିଲୁଆ ଦେଖିଲା ଏଇଟା ଠିକ୍ ସମୟ । ତା ମନ କଥା ଟା କୁକୁରକୁ ଜଣାଇଦେଲେ କେମିତି ହେବ । ଅବଶ୍ୟ ତା କଥାରେ କୁକୁର ରାଜି ହୋଇନପାରେ । ଗଧିଆ ତା ପିଲାଦିନର ସାଙ୍ଗ । ସେ କ'ଣ ତାକୁ ଧୋକା ଦେଇପାରିବ । ହଉ ପଛେ ତା'କୁ ଥରେ ପଚାରି ଦେଲେ କ୍ଷତି କ'ଣ ? ମନରେ ସାହାସ ବାନ୍ଧିଲା ବିଲୁଆ । ଦରକାର ହେଲେ ଲାଂଚ ବି ଯାଚିବ । ମନେ ମନେ  ସେ ସ୍ଥିରକଲା ।

 -'ହଇ ହୋ ବିଲୁଆ ନନା ଏତେ କ'ଣ ଭାବୁଛ ?'  
 -''ମୁଁ କ'ଣ ଭାବୁଛିକି.......।' କହୁ କହୁ ଅଟକି ଗଲା ବିଲୁଆ ।
 -'ହଁ କୁହ ।'
-ଆଛା, କହିଲ ଭାଇ ଗଧିଆ ଜଙ୍ଗଲରେ ରାଜା ହେବ ଏ କଥା ତମ ମନକୁ କ'ଣ ଯାଉଛି ? -ଅନେକ ଭାବିଚିନ୍ତି ବିଲୁଆ ପଚାରିଲା ।

କୁକୁର ତ  ଏତେ ମୁର୍ଖ  ନୁହେଁ ଯେ ବିଲୁଆ କଥାରେ ସେ ସହଜରେ ଭୁଲିଯିବ । ବିଲୁଆର ଚାଲାଖିକୁ ସେ ବୁଝିପାରିଲା । ଟିକେ ମୁରୁକି ହସି ଭାବିଲା, ବିଲୁଆ ନିଜକୁ ଅତି ସିଆଣା ଭାବୁଛି । ଆଗରୁ ତ ବିଲୁଆ ଉପରେ  ଏମିତି ରାଗ ଥିଲା । ଏଇ ମଉକାରେ ସୁଜେଇ ଦେବ ।

-'ଆଛା ! ତୁମେ ତାହେଲେ କ'ଣ ଭାବୁଛ  ?'
- 'ଗଧିଆ ବଦଳରେ ମୁଁ ରାଜା ହେବାକୁ ଚାହୁଁଛି । ତୁମେ ଖାଲି ମୋ କଥା ଟିକେ ମାନିଲେ ହେଲା । ତୁମେ ଯାହା ଚାହିଁବ ମୁଁ ତାହା ଦେବି ।'
-'ତେବେ  ମୋତେ କ'ଣ କରିବାକୁ ପଡିବ ?'
-'ତୁମେ କେବଳ ମୋ ନାଁ ଟି ଉଠାଇଲେ ହେଲା । ତା ପର କଥା ମୁଁ  ସମ୍ଭାଳି  ଦେବି ।'

ଯଥା ସମୟରେ ସଭା ଆରମ୍ଭ  ହେଲା । ଜଙ୍ଗଲର ସବୁ ପଶୁ ପକ୍ଷୀ  ଏକାଠି ହେଲେ । ଗଧିଆ ସିଂହ ରଜାଙ୍କ ଦୁର୍ଗୁଣ ବଖାଣି ବସିଲା । ସେ ନିଜେ ରାଜା ହେବା କଥା କହିଲା । ସମସ୍ତେ କରତାଳି  ମାରିଲେ । କଜଳପାତି ଅଭିନନ୍ଦନ ଜଣାଇଲା । ହଳଦୀବସନ୍ତ ସମର୍ଥନ କଲା । ହେଲେ କୁକୁର ଚୁପ ଚାପ ବସିଥିଲା । ଏପଟରେ ବିଲୁଆ କିନ୍ତୁ ରାଗରେ ଗରଗର ହେଉଥିଲା କୁକୁର ଉପରେ  । ଏଥର ଆଉ ବସିପାରିଲାନି । ଛିଡା ହେଲା । ରାଗକୁ ଚାପିରଖି କହିଲା -

-'ଆଜ୍ଞା, ମୋତେ ଯଦି ଅନୁମତି ମିଳିବ ତେବେ ମୁଁ  ଗୋଟିଏ କଥା କହିବି ।'
-'ହଁ  କୁହ ।' -ଗଧିଆ କହିଲା ।
-'ତେବେ ସମସ୍ତେ ଶୁଣ ।'
-'ଗଧିଆ ଭାଇ ରାଜା ହେବା କଥା ମୋର କାହିଁକି ମୋଟେ ପସନ୍ଦ ହେଉନି । ଏମିତି ତ ସେ ବହୁତ ବୋକା । ଦୁର୍ବଳ ବି । ସେ ରାଜା ହେଲେ ବହୁତ ଅସୁବିଧା ହେବ । ଶତୃ ମାଡିଆସିବେ ତେଣୁ ମୋତେ ରାଜା କରାଯାଉ । ନାଁ କ'ଣ କହୁଛ କୁକୁର ଭାଇ ?'

ସଭାରେ ବସିଥିବା ସମସ୍ତ ପଶୁ ପକ୍ଷୀ ବିଲୁଆ କଥା ଶୁଣି  ଠୋ ଠୋ କରି ହସିଲେ । ଗଛ ଡାଳରେ ହନୁମାଙ୍କଡ ବିଲୁଆ କୁ ଚାହିଁ  ଖତେଇ ହେଉଥିଲା ଖେଁ ଖେଁ.......। କକୁର ସବୁ କଥା ଚୁପ ଚାପ୍  ବସି ଶୁଣୁଥିଲା । ହଠାତ୍ ଉଠିପଡି ଠିଆ ହେଲା । 

-'ମୋତେ ଅନୁମତି ଦିଆଗଲେ ମୁଁ ମୋ କଥା କହିବି । '-କୁକୁର ଅନୁମତି ମାଗିଲା । 
-'କୁହ ତେବେ ।' -ଗଧିଆ କହିଲା । 
-'ଆଜ୍ଞା ! ବିଲୁଆ ନନାର ବୁଦ୍ଧି ବହୁତ ଖରାପ । ସେ ନିଜକୁ ଅତି ଚାଲାକ ଭାବେ । ତା ଆଖିରେ ଅନ୍ୟମାନେ ନିହାତି ବୋକା । ନିଜେ ରାଜା ହେବା ପାଇଁ ଷଡଯନ୍ତ୍ର କରିଥିଲା । ମୋତେ ତା ସପକ୍ଷରେ  କହିବାକୁ ଲାଂଚ ବି ଯାଚୁଥିଲା । ତେଣୁ ତାକୁ ଉଚିତ ଦଣ୍ଡ ଦିଆଯାଉ ।'     

କୁକୁର ମୁହଁ ରୁ ସତ କଥା ଶୁଣି  ସମସ୍ତେ ବିଲୁଆ କୁ ଛି ଛି କଲେ । ଦୁଷ୍ଟକୁ ଦଣ୍ଡ ମିଳୁ ବୋଲି କହିଲେ । ହା ହୋଲ୍ଲା ବେଶ୍ କିଛି  ସମୟ ଧରି ଚାଲୁରହିଲା । କୋକିଶିଆଳୀ ପଛରେ ବସି ସବୁ ଶୁଣୁଥିଲା । ତା ମୁଣ୍ଡ କୁ କି ବୁଦ୍ଧି ପଶିଲା କେଜାଣି ହଠାତ ଆଗକୁ  ଆସି କହିଲା -'ମୁଁ  ଗୋଟିଏ କଥା ଭାବୁଛି କହିବା ପାଇଁ ।' 

-'ଆମ ଭିତରୁ କେହି ବି ରାଜା ହେଲେ ନିଶ୍ଚୟ ଅସୁବିଧା ହେବ । ଗଣ୍ଡଗୋଳ ଲାଗିରହିବ । ଏହାର ସୁଯୋଗ ମଣିଷମାନେ ନେବେ । ତା'ଛଡା  ବଣରେ ସିଂହ ହିଁ ରାଜା  ରହିବା ଉଚିତ । ନ ହେଲେ କାହାରି ଭୟ ରହିବ ନାହିଁ । ଚାଲ ଆମେ ସମସ୍ତେ ଏକାଠି ହୋଇ ସିଂହ ରାଜାଙ୍କ ପାଖକୁ ଯିବା । ତାଙ୍କୁ ବୁଝେଇ ସୁଝେଇ ବାଟକୁ ଆଣିବା । ସେ ଆମ କଥା ନିଶ୍ଚୟ  ରଖିବେ ।'

କୋକିଶିଆଳୀର କଥା ସମସ୍ତଙ୍କ ମାନକୁ ପାଇଲା ସମସ୍ତେ ତା' ବୁଦ୍ଧି କୁ ପ୍ରଶଂସା କଲେ । ଏକତା  ହିଁ  ବଳ । ଖଳ ପ୍ରକୃତିର ପ୍ରାଣୀଙ୍କ ପାଖରୁ ଦୂରେଇ ରହିବା ଉଚିତ ବୋଲି ସମସ୍ତେ ଅନୁଭବ କଲେ । ସବୁ ପଶୁ ପକ୍ଷୀ ଏକାଠି ହୋଇ ଏକଲୟରେ ସିଂହ ରାଜାଙ୍କ ପାଖକୁ  ଧାଇଁଲେ । ବିଚରା ବିଲୁଆ ମୁଣ୍ଡରେ ହାତ ଦେଇ ଏକୁଟିଆ ବସିରହିଥିଲା । କରିଥିବା କର୍ମ ପାଇଁ ନିଜକୁ ଧିକାର କରୁଥିଲା । ଚତୁରତା ଖରାପ ନୁହେଁ । ମାତ୍ର ଅଧିକ ଚତୁରତା ଖରାପ ବୋଲି ପ୍ରମାଣିତ ହେଲା  । 

ଶରତ କୁମାର ଦାସ 
ବଡବିଲ ମହାବିଦ୍ୟାଳୟ, ବଡବିଲ 

Post a Comment

0 Comments