Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ଆସ ମାତ ଧରା ଅବତରି - ବିଶ୍ଵେଶ୍ୱର ମାଝୀ


ଆଧ୍ୟାତ୍ମିକ ଦେଶ ଭାରତରେ ମାତୃ ଜାତିର ଉପଯୁକ୍ତ ସମ୍ମାନ ଏକ ମହାନ ପରଂପରା, "ଯତ୍ର ନାର୍ଯ୍ୟାଷୁ ପୂଜ୍ୟନ୍ତି ରମ୍ୟନ୍ତି ତତ୍ର ଦେବତା ।" 

ଦେବତାଗଣ ମହିଷାସୁରର ଅତ୍ୟାଚାରରେ ଅତିଷ୍ଠ ହୋଇ ଅସହାୟ ଭାବେ ପ୍ରାର୍ଥନା କରିବାରୁ ଏକ ଦିବ୍ୟ ନାରୀ ମୁର୍ତ୍ତି ଆକାଶଲୋକରୁ ଅବତରଣ କଲେ ‌। ଦେବତାଙ୍କ ଦୁର୍ଗତିରୁ ଜାତ ହେତୁ ତାଙ୍କ ନାମ ହେଲା ଦୁର୍ଗା । ଦେବଗଣଙ୍କ ଦିବ୍ୟାସ୍ତ୍ର ଦଶ ହସ୍ତରେ ଧରି ମଧ୍ୟ ମହିଷାସୁର ନିଧନରେ ସେ ଅସମର୍ଥ ହେଲେ କାରଣ ବ୍ରହ୍ମାଂକ ବଳରେ ସେ ଥିଲା ବଳିୟାନ। ତେଣୁ ଦେବୀଙ୍କୁ ନିର୍ବସ୍ତ୍ର ହେବାକୁ ପଡ଼ିଥିଲା ଓ ହୀନବୀର୍ଯ୍ୟ ମହିଷାସୁରକୁ ସେ ନିଧନ କରିଥିଲେ ଆଶ୍ୱିନ ମାସ ଶୁକ୍ଳ ପକ୍ଷ ଦଶମୀ ତିଥିରେ। ସେଥିପାଇଁ ଏହା ବିଜୟା ଦଶମୀ ନାମରେ ଖ୍ୟାତ । ସପ୍ତମାବତାର ଶ୍ରୀରାମ ରାବଣ ବଦ୍ଧ କରିବାକୁ ସେହି ଦେବୀ ଦୁର୍ଗାଙ୍କ ଆବାହନ କରିଥିଲେ ଅଷ୍ଟମୀ ତଥା ନବମୀର ସନ୍ଧିକ୍ଷଣରେ ଏବଂ ରାବଣ ବଦ୍ଧ କରିଥିଲେ ସେହି ଦଶମୀରେ ଯେଉଁଥି ପାଇଁ ଦୁର୍ଗାପୂଜାକୁ ଦଶମଥାହରା ବା ଦଶହରା ମଧ୍ୟ କୁହାଯାଏ। ତେଣୁ ଶକ୍ତିର ପ୍ରତୀକ ଭାବେ ଦୁର୍ଗାଂକୁ ଗ୍ରହଣ କରାଯାଇଛି । 

ଭାରତରେ ଆଉଥରେ ଦୁର୍ଗା ପୂଜା ର ବିଧାନ ହୋଇଥାଏ ଚୈତ୍ର ମାସର ଶୁକ୍ଳପକ୍ଷ ରେ ଯାହାକୁ ଚୈତ୍ର ବଂଶର ରାଜା ସୁରଥଂକ ସ୍ମୃତିରେ ବାସନ୍ତିକ ଦୁର୍ଗା ପୂଜା କୁହାଯାଏ । କିନ୍ତୁ ଶାରଦୀୟ ଦୁର୍ଗାପୂଜା ଲୋକପ୍ରିୟ । ଭାରତର ପ୍ରତିଟି ଶିଳ୍ପୀ ପରିବାର ତାଙ୍କର ହାତହତିୟାରକୁ ସଜ ବସାଇ  ଏବଂ କ୍ଷତ୍ରିୟ ମାନେ ଖଣ୍ଡା ପୂଜା କରି ଦୁର୍ଗାପୂଜା ପାଳନ କରିଥାନ୍ତି ।

ମହାମାୟା ଦେବୀ ଦୁର୍ଗା ସ୍ୱୟଂ ଶକ୍ତି ସ୍ୱରୂପିଣୀ, ଯାହାବିନା ଶିବ ଶବ। ତାଙ୍କ ପୁତ୍ର ଜଣେ ଅଗ୍ରପୂଜ୍ୟ, ଆଉଜଣେ କୁମାରତ୍ୱର ପ୍ରତୀକ । ଭଷ୍ମ ବିଲେପିତ, ବାଘଛାଲ ପରିହିତ, ଗଳାରେ ସ ସେର୍ପ ମଣ୍ଡିତ, ନନ୍ଦୀ ଭୃଂଗୀ ବେଷ୍ଟିତ, ଜଟାଧାରୀ, ବୃଷଭାଋଢ ଅଦ୍ଭୁତ ଦେବତା ଶିବ, ସେ ପରିବାର ମୁଖ୍ୟ । କଥାରେ ଅଛି ସର୍ବସ୍ୱ ଦାନ କରି ଶିବ ଶ୍ମଶାନ ବାସୀ । ମାନବ ଦେବ ଦାନବ ଯକ୍ଷ ଗଂଧର୍ବ ସମସ୍ତଙ୍କର ଅତି ପ୍ରିୟ ସେ ଦେବାଧିଦେବ ମହାଦେବ ।

ଆଜିର ବିଜିନେସ୍ ଗୁରୁମାନେ ଶିବଙ୍କୁ ବ୍ୟବସାୟ ଅନୁପଯୁକ୍ତ ଭାବରେ ବର୍ଣନା କରନ୍ତି କାରଣ ଆଶା ଆକାଂକ୍ଷା କିଛି ନଥାଏ ଶିବଙ୍କର । ମାତ୍ର ଥରେ ଦେବାଧିଦେବ ଶିବ ହୋଇ ସାରିଲା ପରେ ଆଉ କେଉଁ ଆକାଂକ୍ଷା ପୁରଣ ବାକି ରହିଯାଏ, ବୁଝିହୁଏ ନାହିଁ ! ଦେବାରେ ଆନନ୍ଦ ଥାଏ ଯାହାର ସେ ଦେବତା । ଶିବ ମହାଦାନୀ । ଅସୁର ମାନେ ବିଷ୍ନୁଙ୍କୁ ବିରୋଧ କରନ୍ତି କିନ୍ତୁ ଶିବଙ୍କୁ ପ୍ରଗାଢ ଭକ୍ତି କରନ୍ତି । କାରଣ ଶିବ ସମସ୍ତଙ୍କୁ ସମ ଦୃଷ୍ଟିରେ ଦେଖନ୍ତି । ସଂସାରର ଦୁଖ ହରଣ ପାଇଁ ସେ ସଦା ତତ୍ପର । ସାଗର ମନ୍ଥନ ପରେ ଦେବତା ମାନେ ଅମୃତ ପାନ କଲେ, ଅମରତ୍ୱ ପାଇଁ । ଅଥଚ ବାସୁକୀ ନାଗର ଗରଳ ନିର୍ଗତ ହଳାହଳ ବିଷ ବଳୟରୁ ଜୀବ ଜଗତ ତ୍ରାହି ତ୍ରାହି ଡାକଦେଲା ବେଳକୁ ଆଗେଇ ଆସିଲେ ଶିବ, କଂଠସ୍ଥ କଲେ ସେ ହଳାହଳ ବିଷକୁ, ହେଲେ ନୀଳକଂଠ । ସେଥିପାଇଁ ଶିବ ଗଳାରେ ସର୍ପ ଧାରଣ କରିଥାନ୍ତି ବିଷଜ୍ୱାଳାରୁ ଉପଶମ ପାଇଁ।

ହରିହର ଅଭିନ୍ନ, କିନ୍ତୁ ଚେତନା ଭିନ୍ନ । ଶିବଙ୍କ ସେବା କରିବା ପାଇଁ ନାରାୟଣ ହେଲେ ନାରାୟଣୀ । ଅଥଚ ରାମ ନାମ ଜପ କରି ଶିବ ମୃତ୍ୟୁଂଜୟ । ହରିହର ଭେଟ(ଲକ୍ଷ୍ମଣ ମିଶ୍ର) ଅନୁସାରେ କେନ୍ଦରା ବଜାଇ ଘରେ ଘରେ ବୁଲୁଥିବା ନାଥ ଯୋଗୀ ମାନେ ଶିବଙ୍କ ପ୍ରତୀକ । ପ୍ରତିଟି ଘଟରେ ଥିବା ବିଷ୍ନୁଙ୍କୁ ଭୋଗବାଦ ମଧ୍ୟରେ ବୁଡି ନିଦ୍ରା ଯାଇଥିବା ବେଳେ ଚେତନା ଜାଗ୍ରତ କରିବା ପାଇଁ ସେମାନେ ଗାନ କରନ୍ତି ବୈରାଗ୍ୟ ବ୍ୟଂଜକ ଗାଥା "ଭଜୁକି ନା ରାମ ନାମରେ ରାଜନ ଭଜୁକି ନା ରାମ ନାମ । ଭଜି ନପାରିଲେ କୁଳ ଚଂଦ୍ରମାରେ ବାଂଧିନେବ କାଳ ଯମ ।"

 ଶିବ ଅଥର୍ବ ବେଦର ରଚୟିତା ତଥା ନାଟ୍ୟ ଶାସ୍ତ୍ରର ଜନକ, ସ୍ୱୟଂ ନଟରାଜ । କୁହାଯାଏ ଶିବ କୋପ କଲେ ତାଣ୍ଡବ ନୃତ୍ୟ କରନ୍ତି । ଶିବ ସଂଘାର କର୍ତ୍ତା ମଧ୍ୟ ଏକଥା ସମସ୍ତେ ଜାଣନ୍ତି । ମହିଷାସୁର ବଦ୍ଧ କଲା ପରେ ଦେବୀ ଦୁର୍ଗା ଭୟଙ୍କର ରୂପ ଧାରଣ କରି ହେଲେ କାଳୀ । ତାଙ୍କୁ ଶାନ୍ତ କରିବାକୁ ସମସ୍ତ ଦେବଗଣ ଅସାମର୍ଥ୍ୟ ପ୍ରକାଶ କରିବାରୁ ଶିବ ଆଗେଇ ଆସିଲେ ଓ ରାସ୍ତା ଅବରୋଧ କରି ଶୋଇଲେ । କାଳୀଙ୍କ ପାଦ ଶିବଙ୍କ ଛାତି ଉପରେ ପଡିବାରୁ ତାଙ୍କର ଚେତନା ଜାଗ୍ରତ ହେଲା ଓ ସେ ସମ୍ବିତ୍ ଫେରି ପାଇଲେ, ଏପରି ମହାନ ଶିବ । ଶିବ ପୌରୁଷତ୍ବର ପ୍ରତୀକ ଏବଂ ଦୁର୍ଗା ଶକ୍ତିର ପ୍ରତୀକ।

ପାଶ୍ଚାତ୍ୟ ସଭ୍ୟତାର ଚାକଚକ୍ୟରେ ଆମେ ଆମ ସଂସ୍କୃତି ଭୁଲି ସଂସ୍କାର ବଦଳରେ ଭୋଗବାଦକୁ ଆଦରି ନେଉଛୁ । ତେଣୁ ଦୁର୍ଗାପୂଜା ଏକ ବିଳାସମୟ ପର୍ବରେ ପରିଣତ ହୋଇଛି ।  ମହିଷାସୁର ଠାରୁ ବଳି ଅତ୍ୟାଚାରୀ ମାନେ ସମାଜର ପୁରୋଧା। ଶତ ରାବଣର କୁକର୍ମ କରିଥିବା ବ୍ୟକ୍ତି ରାବଣ ପୋଡିରେ ସାଜନ୍ତି ପୁରୋଧା । ଏବର ସାମାଜିକ ବ୍ୟବସ୍ଥା ଦେଖି ମହାମାୟା କରୁଥିବେ ଶତ ଧିକ୍କାର । ଆମ ସଂସ୍କୃତି ର ମହକ ଆମକୁ ଆକର୍ଷିତ କରୁ ଏହାହିଁ କାମନା ।

ବିଶ୍ଵେଶ୍ୱର ମାଝୀ

Post a Comment

0 Comments