Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ଅନୁଭୂତି କଥା - ଅପୂର୍ବ ଅନୁଭବ - ରମେଶ ଚନ୍ଦ୍ର ମିଶ୍ର


ବର୍ଷା ଋତୁ । ଖାଇ ପିଇ ରାତି ଦଶଟା ବେଳକୁ ଶୋଇବାକୁ ଗଲି । ବାଟଘରେ ମୁଁ ଶୁଏ । ବାଟଘର କହିଲେ ୮ଫୁଟରେ ୬ଫୁଟ ମାପର ମାଟିଘର । ଘରର ପ୍ରବେଶ କୋଠରୀ । ଦକ୍ଷିଣ ଦିଗକୁ ପ୍ରବେଶ ଦ୍ବାର । ଦକ୍ଷିଣ ଦିଗର ୬ଫୁଟ କାଠର ଜାଫ୍ରିନ୍ ସାଙ୍ଗକୁ ୩ଫୁଟର କାଠପଟାର କବାଟ । ସେଇଠି ମୁଁ ଘରର ଦ୍ବାରପାଳ ହୋଇ ଜଗେ ।

ଖଟରେ ପଡୁ ପଡୁ ନିଦ ଆସିଗଲା । ପାଞ୍ଚ ମିନିଟ୍ ଶୋଇଥିବି, ଲାଗିଲା ଘଣ୍ଟାଏ ଶୋଇଛି । ତା'ରି ଭିତରେ ସ୍ବପ୍ନ ..... । ସାପଟିଏ, ବୋଧହୁଏ ଚିତିସାପ ହେବ କି କ'ଣ, ଜାଫ୍ରିନ୍ ଦେହରେ ରହି ଚଗଲ୍ ବଗଲ୍ ହେଉଛି, ତଳକୁ ଆସିବାକୁ ଚେଷ୍ଟା କରୁଛି । ନିଦ ଚାଉଁକିନା ଭାଙ୍ଗିଗଲା । ଉଠିପଡି ସ୍ବପ୍ନରେ ଦେଖିଥିବା ଜାଫ୍ରିନର ସେହି ସ୍ଥାନକୁ ଦେଖିଲି । ଜିରୋ ବଲ୍ବର ସ୍ତମିତ ଆଲୁଅରେ କିଛି ପାଇଲି ନାହିଁ । ପୁଣି ଶୋଇଲି । ମୋର ଚରିତ୍ରର ଗୋଟିଏ ବିଶେଷତ୍ବ ଏହି ଯେ ଶେଯରେ ପଡୁ ପଡୁ ନିଦ ଆସିଯାଏ । ସେଥିପାଇଁ ମୋ ସ୍ତ୍ରୀ କହନ୍ତି- ଧନ୍ୟ କହିବା ତୁମକୁ, ଶେଯ ଶୁଙ୍ଘିଲେ ନିଦ । ଠିକ୍ ସେମିତି ଦଶ ମିନିଟ୍ ଶୋଇଥିବି, ଲାଗିଲା ଘଣ୍ଟାଏ ଶୋଇଛି । ସେଇ ନିଦରେ ପୁଣି ପୂର୍ବର ସେଇ ସାପର ସ୍ବପ୍ନ । ଏଥର କିନ୍ତୁ ସାପଟି ପୂର୍ବସ୍ଥାନରୁ ମୋ ଆଡକୁ ଅଗ୍ରସର ହେଉଛି । ଏଥର ନିଦରୁ ଉଠିପଡି ତକିଆ ତଳୁ ଟର୍ଚ୍ଚ ବାହାର କରି ସେହି ସ୍ଥାନକୁ ଆଲୁଅ ପକେଇଲି । ସ୍ବପ୍ନରେ ଦେଖିଥିବା ସାପର ଅବସ୍ଥାନ ଯାଗାରେ ପ୍ରକୃତରେ ସାପଟି ଥିଲା । ଠିକ୍ ସେଇ ରଙ୍ଗ, ସେଇ ଆକାର ପ୍ରକାର । ଚିତି ସାପ । ପାଟିକଲି ବାଡିଟିଏ ଆଣିବାକୁ । ମୋ ପାଟି ଶୁଣୁ ଶୁଣୁ ଘରଣୀ ବାଡି ଆଣି ହାଜର୍ । ଆମ ଘର ଜଙ୍ଗଲିଆ, ନିରୋଳା ଓ ନିଛାଟିଆ ଯାଗାରେ ହୋଇଥିବାରୁ ବର୍ଷାଦିନେ ଅନେକ ସାପ ଘରକୁ ଚାଲିଆସନ୍ତି । ମୋ ଗାଁ'ର ନାମ ସହଜେ ସାପଘରା । ତେଣୁ ସାପର ଭୟ ମନରେ ସଦା ସର୍ବଦା ଥାଏ । ଘରଣୀଙ୍କ ହାତରୁ ବାଡି ନେଇ ସାପକୁ ବାଡେଇଲି । ତା'ପରେ ଆଉ ସେଇଠି ନଶୋଇ ଭିତର କୋଠରୀରେ ଯାଇ ଶୋଇଲି ।

ଆଉ ନିଦ ହେଲାନାହିଁ । ଘଟଣା ସମ୍ପର୍କରେ ମୋ ସ୍ତ୍ରୀ ଓ ମୁଁ ଅନୁଶୀଳନ କଲୁ । ମୁଁ ଜାଣେ, ସ୍ବପ୍ନ ଯୋଡି ହୁଏ ନାହିଁ । ମାତ୍ର ଆଜିର ଏ ବିଚିତ୍ର ସ୍ବପ୍ନ ଯୋଡି ହୋଇ ମୋତେ ବାରମ୍ବାର ବିପଦର ସୂଚନା ଦେଲା । ଦ୍ବିତୀୟ କଥା ହେଲା, ଦଶ ମିନିଟ୍ ର ନିଦ ଘଣ୍ଟାଏର ନିଦ ଭଳି ଲାଗିଲା କେମିତି ? ମନେ ପକାଇଲି, ମଣିଷ ଦେହରେ ଥିବା ଊର୍ଜ୍ଜା କଥା । ଆଧ୍ୟାତ୍ମିକ ପତ୍ରିକା "ଯୁଗଶକ୍ତି ଗାୟତ୍ରୀ" ରେ ପଢିଥିଲି ଏଇ ଊର୍ଜ୍ଜା କଥା । ଯାହାର ଧର୍ମବଳ ଯେତେ ଅଧିକ, ଆଧ୍ୟାତ୍ମିକ ଶକ୍ତି ସେତେ ଅଧିକ । ଏହି ଶକ୍ତି ଶରୀରରେ ଊର୍ଜ୍ଜା ସୃଷ୍ଟି କରିଥାଏ । ଊର୍ଜ୍ଜା ବଳୟ ଏକ ଶକ୍ତି ତରଙ୍ଗ । ଏହି ବଳୟ ପରିସରକୁ ଶତ୍ରୁ ଆସିଗଲେ ବ୍ୟକ୍ତି ଚେତନରେ ହେଉ ବା ଅବଚେତନରେ ହେଉ, ଘଟଣାର ସୂଚନା ପାଇଯାଇଥାଏ । ବୋଧହୁଏ ମୋ ଶରୀରର ଊର୍ଜ୍ଜା ବଳୟ ପରିସର ଭିତରକୁ ସାପଟି ପଶି ଆସିଥିଲା ଓ ସେଇଥିପାଇଁ ଏହି ଶକ୍ତି ତରଙ୍ଗ ମୋ ମନରେ ସ୍ବପ୍ନ ସୃଷ୍ଟି କରି ମୋତେ ଜଣାଇଦେଲା, ଥରେ ସ୍ବପ୍ନ ଭାଙ୍ଗିଗଲା ପରେ ବି ପୁନର୍ବାର ଯୋଡିଦେଇ ।

ମୁଁ ଚିନ୍ତା କଲି, ମୋ ଶରୀରରେ ଏ ଊର୍ଜ୍ଜାର ଏତେ ବଡ ବଳୟ ସୃଷ୍ଟି ହେଲା କିପରି । ଥରେ ମୁଁ ତରୁଣ ବୟସରେ ଯୁଗଶକ୍ତି ଗାୟତ୍ରୀ ବହି ପଢି ଲିଖିତ ବିଧି ବିଧାନ ଅନୁସାରେ ପଚାଶ ହଜାର ଗାୟତ୍ରୀ ସାଧନା କରିଥିଲି । ସେହି ସାଧନା ଓ ସରଳ, ନିଷ୍ପାପ ଜୀବନ ଧାରଣର ଧାରା ତଥା ଜଗତ ମଙ୍ଗଳର ଚିନ୍ତନ ବୋଧହୁଏ ମୋର ଶକ୍ତିବୃଦ୍ଧି କରିଦେଲା । ତା'ପରଠାରୁ ମଧ୍ୟ ମୁଁ ଅନୁଭବ କରିଛି, କୌଣସି ବିପଦ ଆସିବା ପୂର୍ବରୁ ମୋର ମନଟା କେମିତି ଗୋଳେଇଘାଣ୍ଟି ହୁଏ ଓ ମୋତେ ବିପଦର ଗନ୍ଧ ମିଳିଯାଏ । ସେଦିନ ଅନେକ ସମୟ ମାନସ ମନ୍ଥନ କରୁ କରୁ ମୁଁ ଶୋଇ ପଡିଥିଲି । ଏହି ଊର୍ଜ୍ଜା ବଳୟର ଶକ୍ତିକୁ ନିଜର ଅଙ୍ଗନିଭା ଅନୁଭୂତିରେ ହୃଦବୋଧ କରିବା ପରେ ତା'ପରଠାରୁ ସର୍ବଦା ସତ୍ ଚିନ୍ତନ ଓ ସତ୍ ମାର୍ଗ ଅନୁସରଣ କରି ଏହି ଶକ୍ତି ବଳୟକୁ ବୃଦ୍ଧି କରିବାରେ ଯତ୍ପରୋନାସ୍ତି ଚେଷ୍ଟା କରି ଆସିଛି ।

ରମେଶ ଚନ୍ଦ୍ର ମିଶ୍ର,
ସମ୍ପାଦକ, ତ୍ରିଧାରା ସାହିତ୍ୟ ସଂସଦ, ବଇଣ୍ଡା, ଅନୁଗୋଳ

Post a Comment

0 Comments