Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ପ୍ରେମ ତୁମେ ମରୁଭୂମିର - ରାଜେନ୍ଦ୍ର ଗିରି

ପ୍ରେମ ତୁମେ ମରୁଭୂମିର କଣ୍ଟାର ଫୁଲ,
ମରୀଚିକାର ପ୍ରହେଳିକା ବେଳ ,
ହଠାତ ଆସ,ଖୁସିକର, ପୁଣି
ଉଭେଇ ଯାଅ ।।
ନୟନର ନିଭୃତ କୋଣରୁ ସୃଷ୍ଟି ହୋଇ,
ହୃଦୟ ବେଦନରେ ଅପସରି ଯାଅ । ।

ପ୍ରେମ ତୁମେ ମରୁଭୂମିର ଶୀତଳପବନ,
ଉଷ୍ମ ଅଭିମାନୀ ଗଗନ,
ବରଷାର ଆଶା ଆଣି ଖୋସି ଦିଅ,ପୁଣି
ଉଭେଇ ଯାଅ ।।
ଉନମୁକ୍ତତାର ପ୍ରଗଲ୍ଭତାରୁ ସୃଷ୍ଟିହୋଇ,
ବାସ୍ତବତାର ସତ୍ୟତାରେ ନିଶ୍ଚିହ୍ନ ହୋଇ ଯାଅ । ।

ପ୍ରେମ ତୁମେ ମରୁଭୂମିର ଦୃଶିତ ପଥ,
ଭଗ୍ନ ଦିଗ ହଜା ରଥ,
ଖୋଜି ପାଇବାର ଆଲୋକ ଆଣ, ପୁଣି
ଉଭେଇ ଯାଅ । ।
ମନର ଆକାଂକ୍ଷାରୁ ସୃଷ୍ଟି ହୋଇ,
ଭାବନାର ଆରପଟ ଲୀନ ହୋଇ ଯାଅ ।।

ପ୍ରେମ ତୁମେ ମରୁଭୂମିର ଆଶାର ଝରଣା,
ବିବ୍ରତ ସ୍ବେଦର ଗହଣା,
ତୃଷ୍ଣା ମେଣ୍ଟାଇବାର ଲୋଭ ଦେଖାଅ, ପୁଣି
ଉଭେଇ ଯାଅ । ।
ଭବିଷ୍ୟତ ଗଢିବାର ସ୍ବପ୍ନରୁ ସୃଷ୍ଟି ହୋଇ,
ନିସଂଗତା ସହ ବାଟବଣା କରି ଦେଇ ଯାଅ ।।

ପ୍ରେମ ତୁମେ ମରୁଭୂମିର ବାଲିର ଶେଯ,
ଜୀବନର ଶେଷ ସଜ,
ଘୋର ନିଦ୍ରାର ସ୍ବପ୍ନ ଦେଖାଅ,ପୁଣି
ଉଭେଇ ଯାଅ । ।
ଜିତିବାର ଜିଦିରୁ ସୃଷ୍ଟି ହୋଇ,
ଦୁନିଆରେ ଜିଅନ୍ତା ଶବ କରିଦେଇ ଯାଅ ।


ରାଜେନ୍ଦ୍ର ଗିରି
ଭୋଗରାଇ,ବାଲେଶ୍ୱର
ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ, ବାଲେଶ୍ୱର
ଦୂରଭାଷ-୭୮୭୩୫୭୦୯୩୮

Post a Comment

0 Comments