ଆହେ ବିନାୟକ ବିଦ୍ୟା ପ୍ରଦାୟକ
କି ବର୍ଣ୍ଣବି ତୁମ ଗାଥା,
ମୁଁ ଯେ ବୁଦ୍ଧିହୀନ ଦିଅ ଦିବ୍ୟଜ୍ଞାନ
ଖୋଜି ପାଏ ନାହିଁ ପନ୍ଥା।
ଗୌରୀ ନନ୍ଦନ ଆହେ ଗଜାନନ
ମୂଷିକ ବାହନେ ବସି,
ଭାଦ୍ରବ ମାସରେ ଶୁକ୍ଳ ଚତୁର୍ଥୀରେ
ଉଭା ହୁଅ ତୁମେ ଆସି।
ବିଦ୍ୟାଳୟେ ଅବା ମହାବିଦ୍ୟାଳୟେ
ହେଉ ଅବା ଅନୁଷ୍ଠାନ,
ପୁର ବା ପଲ୍ଲୀରେ ଗାଁ ଅବା ସହରେ
ସର୍ବତ୍ର ତୁମ ପୂଜନ।
ଗଣଙ୍କର ପତି ଆହେ ଗଣପତି
ତୁମ ଆବାହନ ବିନା,
ଦେବାଦେବୀ ପୂଜା ମାଙ୍ଗଳିକ କାର୍ଯ୍ୟ
ଆରମ୍ଭ କିଛି ହୁଏନା।
କୈଳାସରେ ବାସ ହେ ପ୍ରଭୁ ଗଣେଶ
ଶମ୍ଭୁନାଥଙ୍କର ସୂତ।
ତୁମ ମାତୃଭକ୍ତି ମମତାର ଶକ୍ତି
ତ୍ରିଭୂବନେ ସୁବିଦିତ।
ମାତା ଆଜ୍ଞା ପାଇଁ ଦ୍ୱାରପାଳ ହୋଇ
ଦେଇଥିଲ ଶିର ହାରି।
ସାରା ସଂସାରରେ ତୁମରି ଗୁଣରେ
କେହି ନ ହୋଇବ ସରି।
ଗଜାନନ ନାମେ ପରିଚିତ ତୁମେ
ଲଗାଇ ଗଜର ମୁଣ୍ଡ,
ଗଜର ଶୁଣ୍ଢଟି ବକ୍ର ବୋଲିଟି
ବୋଲାଇଲ ବକ୍ରତୁଣ୍ଡ।
ଆହେ ଲମ୍ବୋଦର ଆଗ୍ରହ ତୁମ୍ଭର
ରହିଥାଏ ଖାଦ୍ୟଠାରେ,
ମସ୍ତିଷ୍କର କ୍ଷୁଧା ମେଣ୍ଟିବାରେ ବାଧା
ନ ହୁଏ ତବ ଦୟାରେ।
ତୁମେ ଦୟାବନ୍ତ ଆହେ ଏକଦନ୍ତ
ଜଗତ ଉଦ୍ଧାର ପାଇଁ,
ବିଭିନ୍ନ ଯୁଗରେ ଭିନ୍ନ ଅବତାରେ
ଧରାକୁ ଆସିଛ ଧାଇଁ।
ଆହେ ପିତାମ୍ବର ଆସ ବାରମ୍ବାର
ବରଷକୁ ନୁହେଁ ଥରେ,
ଦୂରାଚାରି ଦୁଷ୍ଟ କରନ୍ତି ଅତିଷ୍ଠ
ନାଶ ତାଙ୍କୁ ନିଜ କରେ।
ବିଦ୍ୟା ବୁଦ୍ଧି ଦାତା ହେ ଦୁଃଖ ହରତା
ଶୂନ୍ୟ ଶିର କର ପୂର୍ତ୍ତି,
ହେ ଶୁଭ କରତା ସମୃଦ୍ଧି ଦାତା
ତୁମେ ହିଁ ମଙ୍ଗଳମୂର୍ତ୍ତି।
ଆହେ ଚତୁର୍ଭୁଜ ଚକ୍ଷୁ କୁ ନ ବୁଜ
ଦେଖ ଥରେ ଏ ଜଗତ,
ଅନ୍ଧବିଶ୍ୱାସରେ ନର ଧିରେ ଧିରେ
ହୋଇଲାଣି କବଳିତ।
ହେ ମୟୂରେଶ ତୁମରି ଆଶିଷ
ଢାଳିଦିଅ ନିରନ୍ତରେ,
ଅଜ୍ଞାନ ତିମିର ହୋଇଯାଉ ଦୂର
ଜ୍ଞାନ ରହୁ ସଂସାରରେ।
ବିଘ୍ନ ବିନାଶକ ଦୁର୍ଗୁଣ ନାଶକ
ମନ ନିରିମଳ କାରୀ,
କାମ-କ୍ରୋଧ-ମୋହ-ଲୋଭ-ମଦ-ଅହଂ
ଦିଅ ତୁମେ ନାଶ କରି।
ଏ କଳିଯୁଗରେ ଆସ ଆଉ ବାରେ
ପାପୀଙ୍କ ସହାଂର ପାଇଁ।
ଅନ୍ୟାୟ ଅନୀତି ହଟାଇ ଦୁର୍ନୀତି
ସତ୍ୟର ସ୍ଥାପନା ପାଇଁ।
ଭକତିର ମାନ ଏବେ ଦିନୁ ଦିନ
କମି ହୋଇଲାଣି ନୀଚ,
ଆଡ଼ମ୍ବର ସଜା ଦେଖାଣିଆ ପୂଜା
ତା' ସାଥେ ଉଦଣ୍ଡ ନାଚ।
କିଞ୍ଚିତ ମୋ ଜ୍ଞାନ ଅଟେ ତୁମ ଦାନ
ଦୟା କର ମୋହ ଠାରେ,
ଜ୍ଞାନରେ ଶାଣିତ ହୋଇବି ନିଶ୍ଚିତ
ତବ ଆଶିଷ ବଳରେ।
ଜଗତର ନାଥ ଶ୍ରୀ ଜଗନ୍ନାଥ
ଗଜାନନ ବେଶ ଧରି,
ଜ୍ୟେଷ୍ଠ ପୂର୍ଣ୍ଣମୀରେ ସ୍ନାହାନ ଯାତରେ
ଦିଶୁଥାନ୍ତି ତୁମ ପରି।
ପୁଷ୍ପାଞ୍ଜଳୀ ମୋରି ନିଅ ହେ ଆଦରି
ବନ୍ଦନୀୟ ଗଣନାଥ,
ସଭକ୍ତି ଚିତ୍ତରେ ସୁମରଣା କରେ
ଘେନ ମୋର ପ୍ରଣିପାତ।
ପ୍ରୀତିପ୍ରିୟା ମହାନ୍ତି
ମୟୂରଝାଲିଆ, ରଣପୁର, ନୟାଗଡ଼
ଆହେ ଗଜାନନ - ପ୍ରୀତିପ୍ରିୟା ମହାନ୍ତି
September 13, 2018
0