ତୋ ଆଖିରେ ମୋର - ପ୍ରଣତି ମହାପାତ୍ର

0
ତୋ ଆଖିରେ ମୋରଆଖି ମିଶିଗଲେ
ଦୁନିଆଁ ମୁଁ ଭୁଲିଯାଏ,
ନିତି ପ୍ରଭାତରୁ ନିଶି ଶେଷ ଯାଏ
ତୋ ସ୍ମରଣେ ଦିନ ଯାଏ ,
ତୋହରି ଭାବନା କାହିଁକି ମନେ ମୋ
ଧସେଇ ଯେ ପସୁଥାଏ।
ତୋ ଆଖିରେ...
ତୁ ଦୀନବାନ୍ଧବ ବୋଲି ଜଗତରେ
ହୁରି ପଡେ ମହାବାହୁ,
ତୋର ବଡ଼ଦାଣ୍ଡେ ତୋ ସିଂହଦୁଆରେ
ଭକତଙ୍କ ହାଉହାଉ,
ମୁଁ କି ନୁହେଁ ତୁମ ଶ୍ରୀପଦର ଦାସୀ
କେମିତି ବିଚାର ଇଏ।
ତୋ ଆଖିରେ...
ଜିତିବା ହାରିବା ଭିତରେ ଆଜି ମୁଁ
ପରାଜିତ ହୁଏ ସତ,
ତୁ ମୋ ପାଖରେ ନଥାଆ ପଛକେ
ତୁ ମୋ ଜୀବନ ମିତ,
ପ୍ରତିଟି ମୂହୁର୍ତ୍ତ ମୋ ପାଶେ ତୁ ଥାଉ
ଏମିତି ଭାବନା ହୁଏ।
ତୋ ଆଖିରେ ମୋର...
ଧନ ଜନ,ସୁଖ, ସମ୍ପତ୍ତି ,ଆସନ
କିଛି ଲୋଡାନାହିଁ ମୋର,
ତୋ ଚକାଆଖିରେ ମୋ ନୟନ ମିଶୁ
ଏହି ବାଞ୍ଛା ପୂର୍ଣ୍ଣ କର,
ତୋକୈବଲ୍ୟ ଆଉ ତୋର ଦରଶନ
ଶେଷ ଇଚ୍ଛା ମୋର ଇଏ।
ତୋ ଚକାଆଖିରେ ମୋଆଖି ମିଶିଲେ
ଦୁନିଆଁ ମୁଁ ଭୁଲିଯାଏ।


ପ୍ରଣତି ମହାପାତ୍ର, ଫକୀରମୋହନ ନଗର, ବାଲେଶ୍ଵର

Post a Comment

0Comments
Post a Comment (0)