Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ପ୍ରବନ୍ଧ - ପ୍ରକୃତିର ଦାନ ଜଳ ଜୀବଜଗତର ପ୍ରାଣ - ଅଧ୍ୟାପକ ଡକ୍ଟର ଲକ୍ଷ୍ମଣ ସାହୁ

ମୌସୁମୀର ଆଗମନ, ବର୍ଷା ଋତୁର ଲହର, କେବେ କେବେ କଳାହାଣ୍ତିଆ ମେଘର ଘୂମନ୍ତ ଆକାଶ ଖଣ୍ତଖଣ୍ତ ବାଦଲରେ ଆଚ୍ଛାଦିତ ହୋଇ ପଡିଛିତ, ପୁଣି କେତେବେଳେ ସପ୍ତରଙ୍ଗର ଇନ୍ଦ୍ରଧନୁରେ ରଙ୍ଗିନ୍ ପାଲଟି ମନ୍ତ୍ରମୁଗ୍ଧ ପାଲଟି ଯାଉଛି । ସତରେ ଫୁଲେଇ ବର୍ଷାରାଣୀର ରୁଦ୍ରରୂପ କେତେବେଳେ ଚିତ୍ତ ଥରାଇଦିଏତ, ପୁଣି ତାର ଅନୁପମ ମନଲୋଭା ଦୃଶ୍ୟରେ ଆତ୍ମହରା ହେବାକୁ ପଡେ । ପ୍ରତ୍ୟେକ ପ୍ରାଣୀର ଅଙ୍ଗେ ପୁଲକ ସୃଷ୍ଟିକରେ, ଶିହରଣ ଭରି ଉନ୍ମାଦନାରେ ନଚାଇଦିଏ । ଦୀର୍ଘ ଆଠମାସ ଧରି ତୃର୍ଷିତ ଜୀବ ଜଗତ ଠାରୁ ପ୍ରକୃତି ଜଗତ ପର୍ଯ୍ୟନ୍ତ ଟୋପାଏ ଜଳ ପାଇଁ ଚାତକ ପରି ଚାହିଁ ରହିଥିବା ବେଳେ, ଏହି ସମୟରେ ନୀଳ ଆକାଶରେ କଳାମେଘ ଦେଖି ମୟୁରୀ ମହାନନ୍ଦରେ ପୁଚ୍ଛମେଲାଇ ନାଚି ଉଠିଥିଲା, ବସୁଧା ବୁନ୍ଦାଏ ଜଳରେ ନିଜକୁ ଥରେ ଭିଜାଇ ଦେଇ ଅତୃପ୍ତ ତୃଷ୍ଣା ନିବାରଣକୁ ଉତ୍ସାହିତ ହୋଇ ଆତୁର ନୟନରେ କଳାମେଘରାଶିକୁ ଚାହିଁ ରହିଥିଲା । ମନୋହର, ମନଭାବନା, ମନମୋହନ, ଏମନର ତୃପ୍ତିକୁ ତୃପ୍ତ କରିବାକୁଯାଇ ଆକାଶରେ କେତେବେଳେ ଝମ୍ ଝମ୍ ବର୍ଷାତ, କେତେବେଳେ ରିମ୍ ଝିମ୍, ଟପ୍ ଟପ୍ ବର୍ଷା, କୁଆପଥର ରୂପେ ବର୍ଷିଯାଏ । ବର୍ଷା ଜଳରେ କେହି ଭିଜିଭିଜି ମସ୍ତିରେ ମାତିଯାଏ ଓ କିଏ ଗୁଣୁଗୁଣୁ ଗୀତଗାଇ ବିବଶ ହୋଇପଡେ । ଚର୍ତୁଃପାର୍ଶ୍ୱ ଶୀତଳତାରେ ଭରିଯାଏ, ସକଳ ଜୀବ ଭୀଷଣ ତାତିରୁ ମୁକ୍ତି ପାଆନ୍ତି, ମତୁଆଲା ହୋଇ ଉଠନ୍ତି । ଚକୋର ଚକୋରୀ ମିଳିତ ହୁଅନ୍ତି । ଏହି ସମୟଟି ସକଳ ଜୀବମାନଙ୍କ ପାଇଁ ରୋମାନସର ପ୍ରତୀକ, ପ୍ରେମର ରଙ୍ଗରେ ରଙ୍ଗେଇ ଯାଏ ମନ । ଏବର୍ଷାର ଆଗମନତ, ତୃଣ ଠାରୁ ଜଳଚର ପ୍ରାଣୀ ସଭିଏଁ ନବ ଉନ୍ମାଦନା ଶିହରି ଉଠୁଥିବାର ଦେଖି ପ୍ରକୃତି ରାଣୀ ବର୍ଣ୍ଣ ବିଭାରେ ପୁଲକିତ ହୋଇଉଠେ । ଜଳଚର ସରୀସୃପ୍ତ ନବ ଶୃଙ୍ଗାରରେ ମାତିଥିବା ବେଳେ ବନ ପାହାଡର ବୃକ୍ଷଲତା ପଲ୍ଲବିତ ହୋଇ ଉଠନ୍ତି । ସବୁଜ ବନାନୀ ପୁଷ୍ପ ଫଳରେ ମଣ୍ତିତ ଜନମନ ହରଣ କରିନିଏ । ଅତଏବ କୁହାଯାଇଛି "ବରଷା କାଳ ଅଟେ ମଙ୍ଗଳକାରୀ, ପାଳଇ ପରଜାଙ୍କୁ ବରଷା ବାରି ।" ସତରେ, ଏ ମୌସୁମୀର ଆଗମନରେ ରହିଛି ଅଜବ ମାଦକତା, ଏହାର ଯାଦୁ ସ୍ପର୍ଶରେ ମନୁଷ୍ୟ କେବଳ ନୁହେଁ, ସକଳ ପଶୁ, ପକ୍ଷୀ, ପାଦପ ଜୀବନ୍ୟାସ ପାଏ ।

କଥାରେ ଅଛି "ଜଳ ବହୁଳେ ସୃଷ୍ଟି ନାଶ, ଜଳ ବିହୁନେ ସୃଷ୍ଟି ନାଶ ।" ମହାକାଶରୁ ପୃଥିବୀକୁ ଦେଖିଲେ ସତେ ମନେହେବ ପୃଥିବୀ ବୋଧହୁଏ ଜଳଦ୍ୱାରା ଆଚ୍ଛାଦିତ । ପୃଥିବୀରେ ଜୀବନର ଯେଉଁ ବୈଚିତ୍ର୍ୟ ପରିଲକ୍ଷିତ ତାହାର ଆରମ୍ଭ ପ୍ରଥମେ ଜଳରେହିଁ ହୋଇଥିଲା । ପୃଥିବୀର ପ୍ରଥମ ଜୀବକୋଷଟି ପ୍ରଥମେ ସମୁଦ୍ର ବକ୍ଷରେ ହିଁ ଭାସି ଉଠିଥିଲା । ପ୍ରଥମ ମାନବ ବସତି ନଦୀ କୂଳମାନଙ୍କରେ ହିଁ ଘଟିଥିଲା । ସମୁଦ୍ର, ନଦୀ, ପୋଖରୀ, ଝରଣା ଓ ମେରୁ ଅଞ୍ଚଳରେ ଥିବା ବରଫ ଏକତ୍ରିତ ହୋଇ ସୃଷ୍ଟି ହୋଇଛି ଜଳମଣ୍ତଳ । ପୃଥିବୀର ତିନିଭାଗ ଜଳ ଓ ଗୋଟିଏ ଭାଗ ସ୍ଥଳ ଅଛି । ପୁନଶ୍ଚ ପୃଥିବୀର ସମଗ୍ର ଜଳର ପ୍ରାୟ ସତୁରୀ ଭାଗ ହେଉଛି ସମୁଦ୍ର ଜଳ ଓ ବାକି ତିରିଶ ଭାଗ ନଦୀ, ନାଳ, ଝରଣା ଓ ଭୂମିତଳ ଜଳ । ତେବେ ବର୍ଷା ଆକାରରେ ଯେଉଁ ଜଳ ଭୂପୃଷ୍ଠରେ ସଞ୍ଚିତ ପ୍ରାଥମିକ ସ୍ତରରେ ମଧୁର ଜଳ ବୋଲି କୁହାଯାଏ । ବାକି ସମସ୍ତ ଜଳକୁ ପରବର୍ତ୍ତୀ ମଧୁର ଜଳ କୁହାଯାଇଥାଏ । କିନ୍ତୁ ମାଟିତଳେ କେତେଯେ ଜଳ ଭରି ରହିଛି, ତାହାର ସଠିକ୍ ହିସାବ ମାନବ ନିକଟରେ ରହସ୍ୟାବୃତ୍ତ । ଏହି ଜଳର ପରିମାଣ ନିର୍ଭର କରେ କେତେ ବର୍ଷା ଜଳ ଶୋଷିତ ହୋଇ ମାଟି ତଳକୁ ଯାଇପାରୁଛି ।

ସମୁଦ୍ରର ଜଳକୁ ମଣିଷ ତା'ର ଦୈନିକ କାର୍ଯ୍ୟକଳାପରେ ବ୍ୟବହାର କରିପାରୁନଥିବା ବେଳେ, ସାଧାରଣତଃ ମଧୁର ଜଳକୁ ବ୍ୟବହାରର ଲଗାଇଥାଏ । ଟିକିଏ ତଳେଇ ଦେଖିଲେ, ଭାରତରେ ଏଇ ମଧୁରଜଳ ଅର୍ଥାତ୍ ଭୂମିଜଳର ସଙ୍କଟ ଏକ ପ୍ରମୁଖ ସମସ୍ୟା ପାଲଟିଛି । କାରଣ ଭୂମି ଜଳସ୍ତର ଲଗାତାର ନିମ୍ନଗାମୀ ହୋଇ ପଡୁଥିବାରୁ ପାନୀୟ ଜଳର ଉତ୍କଟ ଅଭାବ ଦେଖା ଦେଇଛି । ପରିବେଶର ଅସୁରକ୍ଷତା ଏହାର ପ୍ରମୁଖ କାରଣ । ପାରିପାଶ୍ୱିକ ଜଙ୍ଗଲ ଯେତେ ବ୍ୟାପକ ହୋଇପାରିବ, ସେତିକି ପର୍ଯାପ୍ତ ବର୍ଷାଜଳ ହାସଲ କରିହେବ । କାରଣ ବୃକ୍ଷହିଁ ଭୂମିଗତ ଜଳସ୍ତରକୁ ଟାଣି ରଖିବାର ଭୂମିକା ନିର୍ବାହ କରିଥାଏ । କିନ୍ତୁ ଦ୍ରୁତ ଗତିର ବିକାଶ ନାମରେ ସବୁଜ ବନାନୀ ବୃକ୍ଷକୁ କାଟି ଦିଆଯାଉଛି । ଫଳତଃ ଭୂମି ଜଳସ୍ତର ଦିନକୁ ଦିନ ତଳକୁ ତଳ ନିମ୍ନଗାମୀ ହେବାରେ ଲାଗିଛି । ବର୍ଷାବି ଏବେ ଲଗାତାର କମି କମି ଆସୁଛି । ଏକଥା ମଧ୍ୟ ସତଯେ, ଭାରତରେ ଆଗ ଅପେକ୍ଷା ପୋଖରୀ, ଗାଡିଆ, ନଈ, ନାଳ, କୂପ ଆଦି କମି କମି ଗଲାଣି, ଅନେକ ଗର୍ଭଭରା ନଦୀ ଶୁଷ୍କ, ଟୋପାଏ ଜଳ ନାହିଁ । ପୋଖରୀ ଗାଡିଆ କୂପ ଜଳବିହୁନ ହୋଇପତୁଛି ।

ଯେଉଁ ଭାରତରେ ସତର ପ୍ରତିଶତ ପାଣି ଘେର ମଧ୍ୟରେ ରହେ, ସେଇ ସ୍ୱଚ୍ଛ ଜଳ ଆଜି ଉପଲବ୍ଧ ନହେବାରୁ ବିକଟ ସମସ୍ୟା ଦେଖା ଦେଇଛି । ଦେଶର କୋଟି କୋଟି ଜନତା ଜଳ ଅଭାବକୁ ଉପଲବ୍ଧ କରୁଛନ୍ତି । ସ୍ୱଚ୍ଛଜଳର ଅଭାବରୁ ଗାଁ ଗଣ୍ତା ମାନଙ୍କରେ ନିତ୍ୟ କଳହ, ବୈଠକରେ ବିଚାର ବିମର୍ଷ ଚାଲୁଛି । ଏପରିକି ନୀତି ଆୟୋଗ ଦର୍ଶାଇଛିଯେ 2030 ମସିହା ସୁଦ୍ଧା ଦେଶରେ ଜଳର ଉପଲବ୍ଧ ଅଭାବ ଓ ଜଳ ବିତରଣର ସମସ୍ୟା ପ୍ରାୟତଃ ଦୁଇଗୁଣ ବଢିଯିବ । ଏକଥା କହିବାର ମୂଳ ଉଦ୍ଦେଶ୍ୟ ହେଉଛି କୋଟି କୋଟି ଲୋକଙ୍କ ପାଇଁ ଜଳର ଗଭୀର ସଙ୍କଟ ଦେଖା ଦେବ ଓ ଦେଶରେ ପ୍ରାୟ ଛଅ ପ୍ରତିଶତ କମ୍ ଦେଖାଯିବ । ଏଭଳି ଏକ ବଡ ଜଟିଳ ସମସ୍ୟାକୁ କେହି ଜଣେ ଏକାକୀ ସମାନ୍ଧନ କରିବା ସହଜ ନୁହେଁ । ଜଳର ଅଭାବି ସମସ୍ୟାର ଦୂରୀକରଣ ନିମନ୍ତେ ଜଳ ସଂରକ୍ଷଣର ବ୍ୟାପକ ଅଭିଯାନ ଦରକାର । ଜଳ ସଂରକ୍ଷଣ ଅର୍ଥାତ୍ ଜଳ ବଞ୍ଚାଇବା ବା ସଂଚୟନକୁ ବୁଝାଇ ଥାଏ । ଜଳ ସଂଚୟନ କରାନଗଲେ ତାର ବିବିଧ ବ୍ୟବହାର କେବେ ସମ୍ଭବ ହୋଇପାରିବ ନାହିଁ । କାରଣ ଭାରତ ଏକ କୃଷି ପ୍ରଧାନ ଦେଶ ହୋଇଥିବାରୁ ଉନ୍ନତ ଚାଷ ପାଇଁ ବର୍ଷା ପାଣି ପର୍ଯ୍ୟାପ୍ତ ନୁହେଁ । ଅନ୍ୟ କୃତ୍ରିମ ଉପାୟରେ ଚାଷ ଜମିକୁ ଜଳସେଚନ କରିବାକୁ ହୁଏ । ଜଳସେଚନ ପାଇଁ ଜଳର ଉତ୍ସ ଦରକାର । ତେଣୁ ଏହି ଉତ୍ସ ସଂଗୃହୀତ ଜଳ ଅବା ଭୂମିତଳ ଜଳ ହୋଇପାରେ । ଏପରିକି ଚାଷ ପାଇଁ ବହି ଯାଉଥିବା ନଦୀ ନାଳ ଜଳକୁ ଆଡିବନ୍ଧ ବା ଡ୍ୟାମ୍ ନିର୍ମାଣ କରି ଅଟକାଇ ଦିଆଯାଇ ପାରେ । ପରେ ସଂଗୃହୀତ ସେହି ଜଳକୁ କେନାଲ ମାଧ୍ୟମରେ ଚାଷ କାର୍ଯ୍ୟରେ ବ୍ୟବହୃତ କରାଯାଏ । ଚାଷ ଜଳସେଚନ ବ୍ୟତୀତ ଅଧିକ ଜଳ ଶିଳ୍ପ ଉଦ୍ୟୌ ମାନଙ୍କରେ ବ୍ୟବାହାର କରାଯାଏ । ବିଶେଷତଃ ବିଦ୍ୟୁତ୍ ଶକ୍ତି ଉପ୍ରାଦନ ପାଇଁ ପ୍ରଚୁର ଜଳର ଆବଶ୍ୟକ ରହିଛି । ଉଭୟ ତାପଜ ଓ ଜଳଜ ବିଦ୍ୟୁତ ଉପ୍ରାଦନରେ ଜଳର ବ୍ୟବହାର ନିହାତି ଅପରିହାର୍ଯ୍ୟ । ଏହାସତ୍ତ୍ୱେ ମଣିଷର ନିତ୍ୟ ବ୍ୟବହାର୍ଯ୍ୟ ପାଇଁ ଜଳର ଆବଶ୍ୟକତାକୁ କେହି ଅସ୍ୱୀକାର କରି ପାରିବେ ନାହିଁ । ତୃଷ୍ଣା ନିବାରଣ ଠାରୁ ଆରମ୍ଭ କରି ସ୍ନାନ, ଶୌଚ, ପାକ ପ୍ରସ୍ତୁତ ଆଦି ଜଳ ବିନା କରିବା ସମ୍ଭବ ନୁହେଁ ।

ବର୍ଷା ଜଳ ସଂଚୟନ ସବୁଠୁ ମହତ୍ୱପୂର୍ଣ୍ଣ କାର୍ଯ୍ୟ । ବର୍ଷା ଜଳର ଉପଯୋଗ ଘରର କାମ, ଘରର ସଫାଇ, ଲୁଗା କପଡା ଧୋଇବା ଓ ଖାଦ୍ୟ ପ୍ରସ୍ତୁତ ଆଦିରେ ବ୍ୟବହୃତ କରାଯିବା ଉଚିତ । ଏପରିକି ଶିଳ୍ପ ଉଦ୍ୟୌଗିକ କାର୍ଯ୍ୟରେ ମଧ୍ୟ ଲଗାଯାଇ ପାରିବ । ଗ୍ରୀଷ୍ମର ଅହେତୁକ ତାତି ସମୟରେ ବାଷ୍ପୀକରଣ କାରଣରୁ ସଂଚିତ ଜଳସ୍ତର କମି କମି ଆସେ । ତେଣୁ ଧ୍ୟାନ ଦେଇ ବଡ ବଡ ବୋତଲରେ ରଖାଯିବା ଆବଶ୍ୟକ । ଯଦି ସଂଚୟ ପାଇଁ ଟାଙ୍କିର ବ୍ୟବସ୍ଥା ହୋଇପାରନ୍ତା , ଦୁଇବର୍ଷ ପରେ ଜଳ ସଂଚୟନ ପୂର୍ତ୍ତି ପାଳନ କରାଯିବା ସହ ଜଳ ବିଭାଗର ବିଲ୍ ମଧ୍ୟ କମ୍ କରିବାର ସହାୟକ ହୋଇପାରିବ । ବର୍ଷା ଜଳ ସଂଚୟନ ଛୋଟ ଛୋଟ ପ୍ରକଳ୍ପ ଦ୍ୱାରା ଗାଁ ଗଣ୍ତାରେ ଏକତ୍ରୀତ୍ର ହୋଇ କରାଗଲେ ଜଳ ସମସ୍ୟାର ସମାନ୍ଧନ ହୋଇପାରନ୍ତା । ଏହି ଜଳ ସଂରକ୍ଷଣ ସମ୍ପର୍କରେ ରାଲେଗଣ ସିଦ୍ଧି ଗାଁର ଉଦାହରଣ ଦିଆଯାଇ ପାରେ । ଜନ ସହଯୋଗବିନା ଜଳ ସଂରକ୍ଷଣ ସମ୍ଭବ ନୁହେଁ । ମହାରାଷ୍ଟ୍ରର ଅହମ୍ମଦ ନଗର ଜିଲ୍ଲାରେ ରାଲେଗଣ ସିଦ୍ଧି ଗାଁଟି ପାହାଡ ଘେରା ମଧ୍ୟରେ ଅବସ୍ଥିତ । ନିପଟ ପାହାଡ ଘେରା ଗାଁଟିରେ ଘରେ ଘରେ ଦାରିଦ୍ର୍ୟ, ନାନା ବେମାରୀ, ଅଜ୍ଞତା, ଦୁଃଖ, ଯନ୍ତ୍ରଣା, ଅଶାନ୍ତି ଲାଗିରହିଥିଲା । ଗାଁ'ର ଜନସଂଖ୍ୟା ପ୍ରାୟ 1982 ତୁଳନାରେ ଦଶ/ବାରଟି କୂଅରୁ ଅତିକଷ୍ଟରେ ତିନିମାସ ଜଳ ମିଳୁଥିବା ବେଳେ ପାଞ୍ଚଶହ ହେକ୍ଟର ଜମିରେ ଗୋଟିଏ ମାତ୍ର ଫସଲ କରାଯାଉଥିଲା । ତେଣୁ ଗ୍ରାମବାସୀମାନେ ପ୍ରଥମେ ଜଳ ସଂରକ୍ଷଣ ଓ ଜଳର ଉପଯୁକ୍ତ ବ୍ୟବସ୍ଥା ପରିଚାଳନା କଲେ । ସେଥିପାଇଁ ପାହାଡ ଶିଖରରୁ ଉପତ୍ୟକା ନାମରେ ( Ridge to Valley ) ଅଭିଯାନ ଆରମ୍ଭ କରାଯାଇ ପାହାଡ ଢାଲୁ ଅଞ୍ଚଳରେ ବୃକ୍ଷରୋପନ କରି, ଖାଇ ଖୋଳି ବର୍ଷାଦିନେ ବୋହି ଯାଉଥିବା ଜଳକୁ ସଠିକ୍ ବ୍ୟବହାରରେ ଲଗାଇବା ଫଳରେ ସେହି ଗାଁରେ ଏବେ ବର୍ଷସାରା ଜଳ ସଂଚିତ ହୋଇ ରହିବା ସହ ଦୁଇ ଦୁଇଟି ଭଲ ଫସଲ ହୋଇପାରୁଛି । ଏପରିକି ଆବଶ୍ୟକ ଠାରୁ ଅଧିକ ଚରାଘାସ ଥିବାରୁ ଗାଈ ରଖାଯାଇ ଦୁଗ୍ଧ ଉପ୍ରାଦନ ବଢି ଗାଁଟିରେ ଆର୍ଥିକ ସମୃଦ୍ଧି ଘଟିପାରିଛି ।

ତେଣୁ ଭାରତରେ ଜନସଂଖ୍ୟା ବୃଦ୍ଧି ତୁଳନାରେ ସହ ଜଳର ଯଥେଷ୍ଟ ଆବଶ୍ୟକ ରହିଛି । ଫଳତଃ ଦେଶରେ ଅଶାନ୍ତି/ଅସନ୍ତୋଷ ବଢିବଢି ଚାଲିଥିଲେ ମଧ୍ୟ ସେଥିପ୍ରତି କାହାର ଧ୍ୟାନ ନାହିଁ । ନିକଟରେ ସିମିଳାରେ ଦେଖା ଦେଇଥିବା ଉତ୍କଟ ଜଳ ସଙ୍କଟ ତାର ତାଜା ଉଦାହରଣ । ଏବେ ମଧ୍ୟ ଚିନ୍ତା ପ୍ରକଟ କରାଯାଉ ନାହିଁ । ବିଶ୍ୱର ଦକ୍ଷିଣ ଆଫ୍ରିକା ସହରର କେପଟାଉନ୍ ଭଳି ଭାରତ ବି ଜଳରେ ରାସାୟନିକ କରିବାକୁ ପଡିବ ଓ ସ୍ୱଇଚ୍ଛାନୁସାରେ ବ୍ୟବହୃତ ଜଳ ପାଇଁ ଜନସାଧାରଣଙ୍କୁ ଘଣ୍ଟା ଘଣ୍ଟା ଠିଆହେବା ନପଡେ । ପୃଥିବୀରେ ତିନି/ଚାରି ଭାଗ ଜଳ ଘେରରେ ଥିବା ବେଳେ, ସେଥିରୁ ସତାନବେ ପ୍ରତିଶତ ଜଳ ଲୁଣି ଓ ଖାର ଅଟେ, ଯାହା ବ୍ୟବହୃତ ନୁହେଁ । ପୁଣି ସେଥିରୁ ଦୁଇଶତ ଜଳ ବରଫାବୃତ୍ତ ହୋଇ ରହିଛି । ସମସ୍ତଙ୍କୁ ମାନିନେବାକୁ ହେବଯେ, କେବଳ ଏକ ପ୍ରତିଶତ ଜଳ ମଣିଷ ଲାଗି ଉପଲବ୍ଧ । ଏସବୁ ସ୍ଥିତିରୁ ପ୍ରତ୍ୟେକ ମଣିଷର ନୈତିକ ଦ୍ୱାୟିତ୍ୱ ନିଜେ ନିଜର ବ୍ୟବହୃତ ପାଇଁ ଜଳ ସଂଗ୍ରହ କରିବାକୁ ପଡିବ । ରାଜସ୍ଥାନ ଓ ଗୁଜୁରାଟର କିଛି ଅଞ୍ଚଳରେ ପାରମ୍ପାରିକ ରୂପରେ ଘରର କୋଣରେ ଭୂମିଗତ ଟାଙ୍କି ଗଢାଯାଇ ଜଳ ସଂଗ୍ରହ କରାଯାଉଛି । ଏହି ପାରମ୍ପାରିକ ନୀତି ପ୍ରକ୍ରିୟା ପ୍ରତ୍ୟେକ ରାଜ୍ୟରେ ଲାଗୁ କରାଯାଇ ଜଳ ସଙ୍କଟର ଗମ୍ଭିରତାକୁ କମ କରିହେବ । କଠିନ ଆଇନ୍ ଦ୍ୱାରା ନଦୀକୁ ଛାଡି ଦିଆଯାଉଥିବା ଅପରିଷ୍କାର ବଜ୍ୟବସ୍ତୁକୁ ବନ୍ଦ କରାଗଲେ ଜଳ ପ୍ରଦୂଷଣ ବନ୍ଦ ହେବ ଓ ବର୍ଷାଜଳକୁ ସଂଗ୍ରହକରି ରଖିବାକୁ ପଡିବ । ଏଥିପାଇଁ ଅର୍ଥର ବ୍ୟବସ୍ଥା ଜରୁରୀ ଅଟେ । ସମୟର ସ୍ରୋତ୍ରରେ ଜୀବନ ରକ୍ଷକ ଜଳ ସମସ୍ୟା ପ୍ରତି ଗମ୍ଭୀରତାର ସହ ବିଚାର ବିମର୍ଷ କରାଗଲେ ସହଜରେ ସମସ୍ୟା ଦୂରହେବ । ଜଳ ସକଳଙ୍କର ନିତ୍ୟ ବ୍ୟବହାର୍ଯ୍ୟ, ମଣିଷ ଠାରୁ ପଶୁପକ୍ଷୀଙ୍କୁ ନେଇ ଉଦ୍ଭିଦ ଜଗତ ପର୍ଯ୍ୟନ୍ତ । ଏହାର କୌଣସି ବିକଳ୍ପ ପନ୍ଥା ନାହିଁ । ଜଳ ଜଳର କାର୍ଯ୍ୟ ଅନ୍ୟ କୌଣସି ପଦାର୍ଥ ଦ୍ୱାରା ସମାନ୍ଧନ କରିହେବ ନାହିଁ, ଜଳକୁ ବୈଜ୍ଞାନିକ ପଦ୍ଧତିରେ ସ୍ୱଚ୍ଛ କରାଯାଇ ପାରେ । କିନ୍ତୁ ଉତ୍ପାଦନ କରିହେବ ନାହିଁ । କେବଳ ବୃକ୍ଷ ରୋପଣ, ପରିବେଶ ପ୍ରଦୂଷଣ ମୁକ୍ତ କରାଗଲେ ବର୍ଷା ଘଟିବ ଓ ପ୍ରକୃତି ରାଣୀର ଓଢଣା ତଳେ ନାଲି ଟୁକୁଟୁକୁ ସାଧବ ବୋହୂଟି ପାଦ ଥାପିବ ।




ଅଧ୍ୟାପକ ଡକ୍ଟର ଲକ୍ଷ୍ମଣ ସାହୁ
ଓଡିଆ ଭାଷା ଓ ସାହିତ୍ୟ ବିଭାଗ
ମହାନଦୀ ବିହାର ମହିଳା ସ୍ନାତକ ମହାବିଦ୍ୟାଳୟ, କଟକ

Post a Comment

1 Comments

  1. ହେମନ୍ତ କୁମାର ବରାଇ9/19/2018

    ଏକ ମହତ ଲେଖା,ସମାଜ କୁ ଭଲ ସନ୍ଦେଶ ଦେଇଛନ୍ତି,ନମସ୍କାର ମହାଶୟ

    ReplyDelete

ଉପରୋକ୍ତ ବିଷୟଟି ଆପଣଙ୍କୁ କେମିତି ଲାଗିଲା ଦୟାକରି ନିଜର ମତାମତ ରଖନ୍ତୁ । ଆପଣଙ୍କ ଗଠନ ମୂଳକ ମତାମତ ନିଶ୍ଚୟ ବଣମଲ୍ଲୀର ମହକର ସମସ୍ତ ଲେଖକ ଲେଖିକା ମାନଙ୍କ ନିମନ୍ତେ ପ୍ରେରଣାଦାୟକ ହୋଇ ପାରିବ । ନିମ୍ନୋକ୍ତ କୋଠରୀ ମଧ୍ୟରେ ଆପଣଙ୍କ ମତାମତ ପ୍ରଦାନ କରନ୍ତୁ ।