ପ୍ରେମରେ ଶ୍ରାବଣ - ପ୍ରଶାନ୍ତ କୁମାର ପଧାନ

0
ମେଘ ଢାଙ୍କିଥିଲା ନୀଳ ଆକାଶକୁ
ଶ୍ରାବଣର ଆଗମନେ
ବିରହ ନିଆଁରେ ଯାଉଥିଲି ଜଳି
ସତେ କିବା ପ୍ରତିକ୍ଷଣେ ।।
ମନେଅଛି ଆଜି ଯାଇଥିଲେ ଭିଜି
କେଉଁ ଏକ ଶ୍ରାବଣରେ
ବାଟ ଚାଲୁଥିଲେ ନିରୋଳା ରାସ୍ତାର
ସୀମାହୀନ ଦିଗନ୍ତରେ ।।
ଅବେଳରେ ଆସି ଶ୍ରାବଣ ଢାଳିଲା
ପ୍ରଣୟର ମିଠାମହୁ
ମନ ଚାହୁଁଥିଲା ନ ଫେରୁ ବରଷା
ଆଉ କିଛି କ୍ଷଣ ରହୁ ।।
ଓଠରେ ତୁମର ଲୁଚି ରହିଥିଲା
କେତେ ଯେ ଅକୁହା କଥା
ଛାତି ସ୍ପନ୍ଦନର ବଢ଼ୁଥିଲା ବେଗ
ଭାଙ୍ଗୁଥିଲା ନୀରବତା ।।
ନିଆରା ଥିଲା ସେ ମିଠା ଅନୁଭୂତି
ଖେଳୁଥିଲା ଶିହରଣ
ଯାଦୁଥିଲା କିବା ତୁମ ମୃଦୁ ସ୍ପର୍ଷେ
ହୋଇଥିଲି ସମ୍ମୋହନ ।।
ଗୋଟେ ଛତା ତଳେ ଅଧାଭିଜା ଦେହ
ମନ ବି ତ ଥିଲା ଓଦା
ମେଘ ଫେରିଥିଲା ଇନ୍ଦ୍ରଧନୁ ଆଙ୍କି
ରଖିଦେଇ ପ୍ରେମ ଅଧା ।।




ପ୍ରଶାନ୍ତ କୁମାର ପଧାନ,
ଗ୍ରାମ -ବୁରୋମୁଣ୍ଡା, ଥାନା-ଗାଇସିଲାଟ, ଜିଲ୍ଳା-ବରଗଡ, ମୋ-୯୯୩୭୭୪୫୪୯୭

Post a Comment

0Comments
Post a Comment (0)