OUR READERS STATUS AROUND THE GLOBE : INDIA-369114 CANADA-450 CHINA-889 FRANCE-2506 GERMANY- 2255 QATAR - 61 SINGAPORE - 1114 UNITED STATES - 15666 UNITED KINGDOM - 602 UNITED ARAB EMIRATES - 934 UKRAINE-47 UNKNOWN REGIONS-5943 (As On 31st May 2019)

ଅନୁଭୂତି ଗଳ୍ପ - ଏଡ଼ିକି ଏଡ଼ିକି ଲାଉ - ମିନାକ୍ଷୀ ପାଢୀ

ଅନୁଭୂତି ଗଳ୍ପ - ଏଡ଼ିକି ଏଡ଼ିକି ଲାଉ - ମିନାକ୍ଷୀ ପାଢୀ


ମୋର ବୟସ ସେତେବେଳକୁ ୭ କି ୮ ବର୍ଷ ହେବ । ତୃତୀୟ ଶ୍ରେଣୀରେ ପଢୁଥାଏ । ନାନା ଥାଆନ୍ତି ଜେଲର । ଜେଲ କୋଲୋନୀର କ୍ଵାର୍ଟରରେ ଆମେ ରହୁଥାଉ । କଲୋନୀର ଚାରିଜଣ ଆମେ ଗୋଟିଏ ବିଦ୍ୟାଳୟରେ ପଢୁଥାଉ ।  ଜଣେ ମୋର କ୍ଲାସ୍ସମେଟ, ଜଣେ ତଳ ଆଉ ଜଣେ ଉପର ଶ୍ରେଣୀର । ମୋର କ୍ଲାସମେଟଟି ଗୋଟିଏ ପୁଅ ସଚ୍ଚିନ୍, ଆଉ ବାକି ସୁକନ୍ୟା, ନିଶି ଓ ମୁଁ ।  ସ୍କୁଲରୁ ଫେରିବା ପରେ ଖାଇସାରି ଧୂମ ଖେଳୁ । ଏବେପରି ଟିଉସନ ଫିଉସନର ଜଞ୍ଜାଳ ହିଁ ନାହିଁ । ପାଠ ବୁଝୁନି ତ ଶ୍ରେଣୀରେ ଶିକ୍ଷକ ବା’ ଘରେ ବାପା, ମା କି ବଡ ଭାଇ ଭଉଣୀଙ୍କୁ ପଚାରୁ । ସଞ୍ଜ ହୋଇ ଘରୁ ବୋଊର ପାଟି ଶୁଭିଲେ ଏଡ଼ିକି ଏଡ଼ିକି ଲାଉ, ଯା’ ଘରକୁ ସିଏ ଯାଉ... ପାଟି କରି ଧାଉଁ। ପାଠ ନ ବୁଝିଲା ନାଇଁ, ଟେନ୍ସନ ନେବାର ନାଇଁ, କି ମଜା ଅଛି ସେ ବନ୍ଧନରେ ।

ସ୍କୁଲରୁ ଫେରି ଆମେ ଚାରିଜଣ ଖେଳ ଆରମ୍ଭ କରିଦେଉ ମାଟିରେ ବନେଇଥିବା ଚୁଲି, ହାଣ୍ଡି, କଡେଇ, ନଡିଆ ଶଢେଇର ନିକିତି, ମାଟିଶିଳ ପେଷଣା ଓ ବହୁ ଦୁର୍ମୁଲ୍ୟ ରଥଯାତ୍ରାରୁ କିଣିଥିବା କିଛି ପ୍ଲାଷ୍ଟିକ ବାସନକୁସନ ଫ୍ରୀଜ, ଡ୍ରେସିଂଟେବୁଲ ଥାଏ ଆମର ଘରକରଣା ସାମଗ୍ରୀ । ବର୍ଷା ଯୋଗୁଁ ଖଳୁଆ ଜାଗାରେ ପାଣି ଜମିଥିଲେ ଖାଲି ବୋତଲରେ ସୁତୁଲି ବାନ୍ଧି ପାଣି କାଢୁ ।  ଆଃ କି ଉପଭୋଗ ସତରେ! ଦରଜିକୁ ନେହୁରା ହୋଇ ଗୋଟାଇଥିବା ଟୁକୁଡ଼ା କପଡ଼ାରେ ପ୍ରସ୍ତୁତ ହୁଏ କଣ୍ଢେଇ ବାପା, ମା ଓ ଛୁଆ ଏବଂ ସେମାନଙ୍କର ପୋଷାକପତ୍ର ତେନ୍ତୁଳୀ ମଞ୍ଜିକୁ ଘୋରି, ଭଙ୍ଗାଚୂଡ଼ି ସଂଗ୍ରହ କରି କାଚ କଉଡି ଘର ଟାଣି ଖେଳ ବା ଗୋଡି ଡିଆଁ । ଖରାଛୁଟିରେ ମା’ ମାନଙ୍କ ଶାଢୀ ଗୁଡେଇ ଯାତ୍ରା ସଂଳାପ କହି ଅଭିନୟ । ସ୍ନେହ ବୋଲି ଝିଅଟି ।  ଆମ ସହିତ ମିଶେନି । ଛାତି ଉପରେ ହାତ ଛନ୍ଦି ଦୂରରୁ ଖେଳ ଦେଖେ । ଡାକିଲେ ଆସେନି ।  ଆମକୁ ଖରାପ ଲାଗେ ।  ତା’ ଭାଇ କୁଆଡ଼େ କଟକରେ ପୋଲିସ । ଆଣିଥାନ୍ତି ତା’ ପାଇଁ ଗୋଟେ ଲୁଡୁପାଳି ପଟା । ସେ ଆମକୁ ଫୁଲେଈ ହୋଇ ଦେଖାଇଲା କିନ୍ତୁ ଛୁଆଁଇ ଦେଲା ନାହିଁ ... । କେଡ଼େ ସୁନ୍ଦର ଖେଳ ପଟାଟି । ଏପଟେ ସାପସିଡ଼ି ସେପଟେ ଲୁଡୁ...। ମନ ଅଥୟ । ଭବିଲୁ, ଚାରି ଜଣ ମିଶି ଲୁଡୁପାଳି କିଣିବୁ । ବଜାର ସାରା ବୁଲିବୁଲି ଗୋଟିଏ ବହି ଦୋକାନରେ ସନ୍ଧାନ ପାଇଲୁ । ଦୋକାନୀ କହିଲା ୨ ଟଙ୍କା ରେଟ ଅଛି । ସେତେବେଳେ ୨ଟଙ୍କା ବହୁତ ବେଶୀ ।  ଦୋକାନୀ ଚାରେଣୀଟିଏ ବି କାଟି ପାରିବନି ବୋଲି ରୋକଠୋକ ମନାକଲା । ଜଣେକା ୫୦ ପଇସା ପଡିବ । ମୁଁ ଜାଣେ, ବୋଊ ରୋଷେଇଘରେ ଗିନାରେ କିଛି ଖୁଚୁରା ପଇସା ରଖିଥାଏ । ଆମକୁ ଦିଏ ବା ଫେରିବାଲାଠୁ କିଣେ । ମାଗିଲେ ତ ଦେବ ନାହିଁ ।  ‘ପାଠପଢ’ କହିବ । ଚୋରେଇଲେ ଜାଣିଦେବ । ତା’ ଛଡ଼ା ହସ୍ତାକ୍ଷରରେ ଲେଖାଅଛି ମିଛ କହିବା ଓ ଚୋରୀ କରିବା ମହାପାପ ବୋଲି । ମୋର ଗୋଟିଏ ସରାଗାତ ଥାଏ ।  ବୋଊ ଖରାବେଳେ ଶୋଇଛି । ଚୁପ୍ କରି ନେଇଆସି ସେଥିରୁ ଝାଙ୍କି ଝାଙ୍କି ପଚାଶ ପଇସା ବାହାର କଲି । ଦୌଡିଲି ସଚ୍ଚିନ ଘରକୁ । ସେମାନେ କେମିତି ପଇସା ଆଣିଲେ ପଚାରିବାକୁ ତାର ନାହିଁ... ।

ଆମ ଦାଣ୍ଡପିଣ୍ଡାରେ ଆରମ୍ଭ ହେଲା ଖେଳ । ଭାରି ମଜା ଆସୁଥାଏ । ଖେଳ ଜମିଲା । ଭୋକଶୋଷ ଗାୟବ । ସ୍ନେହ ମୁହଁରେ ଚୂନକଳା ...। ସମସ୍ତେ ତ ଲୁଡୁପାଲିର ଅଧିକାରୀ ।  ସମସ୍ୟା ହେଲା, ରହିବ ଏଇଟା କୋଉଠି? ପ୍ରତିଦିନ ଜଣେ କରି ସେଇଟା ପାଖରେ ରଖିବେ ବୋଲି ନିଷ୍ପତ୍ତି ହେଲା । କଟିଗଲା  ୪ ଦିନ । ହଠାତ୍ ଦିନେ, ନିଶା ଖେଳରେ ଗୋଳିଆ କାଢିଲା ।  କଥା କଟାକଟିରୁ ରାଗରୁଷା, କଳି । ତା’ଠୁ ଚୁଟି ଝିଙ୍କା ଖାଇ ଲୁହ ଲାଳ ହୋଇଥିବା ସୁକନ୍ୟା ତା’ର ପଇସା ଦାବି କଳା ।  ପଇସା ଦବ କିଏ? ଲୁଡୁପାଲି ଟଣାଟଣି । ଦୋକାନୀ ଲୁଡୁପାଲି ଫେରସ୍ତ ନେବାକୁ ମନାକଲା । ଅନୋନ୍ୟପାୟ ହୋଇ ଲୁଡୁପାଲି ଚାରିବଣ୍ଟା ହେବ ବୋଲି ନିଷ୍ପତ୍ତିହେଲା । କଇଁଚି, ଛୁରୀ ଖୋଲିବାକୁ ତାର ନାହିଁ । ମୁଁ ଆମ ଘର ପରିବାକଟା ପନିକି ଧରି ଆସିଲି । ସଚ୍ଚିନ ସମାନ ଚାରିଖଣ୍ଡ କରି କାଟିଦେଲା ଲୁଡୁପାଲିଟା କର୍ର କର୍ର କରି ... ।  ପିକ ସବୁ ଭାଗ ବଣ୍ଟା ।  ଲୁଡୁ ଗୋଟି ଛେଚି ଛେଚି ଗୁଣ୍ଡ । ଆହା! ଛାତି ଭିତରଟା ଦୁଃଖରେ କଣ ହେଇଯାଉଥାଏ । ଆଖି ଲୁହ ଟଳମଳ  ମୁଣ୍ଡପୋତି ସେ ଦିନ ସଞ୍ଜ ଆଗରୁ ଯିଏ ଯା’ ଘରକୁ ଗଲୁ ଭାଗ ନେଇ । ଦେଖିଲି, ସ୍ନେହ ତାଙ୍କ ଘର ଗେଟ ପାଖରେ ତାର ଲୁଡୁପାଲି ଧରି ପ୍ରସନ୍ନ ମୁଦ୍ରାରେ ଚାହିଁ ରହିଛି ... ॥

ମିନାକ୍ଷୀ ପାଢୀ, ବ୍ରହ୍ମପୁର

0 Comments