OUR READERS STATUS AROUND THE GLOBE : INDIA-369114 CANADA-450 CHINA-889 FRANCE-2506 GERMANY- 2255 QATAR - 61 SINGAPORE - 1114 UNITED STATES - 15666 UNITED KINGDOM - 602 UNITED ARAB EMIRATES - 934 UKRAINE-47 UNKNOWN REGIONS-5943 (As On 31st May 2019)

ପ୍ରବନ୍ଧ - ଉତ୍କଳ ଦିବସ - ନୃସିଂହ ଚରଣ ବେହେରା

ପ୍ରବନ୍ଧ - ଉତ୍କଳ ଦିବସ - ନୃସିଂହ ଚରଣ ବେହେରା


ଅପ୍ରେଲ ମାସର ଏକ ତାରିଖକୁ ଉତ୍କଳ ଦିବସ ଅବା ଓଡ଼ିଶା ଦିବସ ରୂପେ ପାଳନ କରାଯାଉଛି । ୧୯୩୬ ମସିହାର ଏହି ଦିନରେ ଭାଷା ଭିତ୍ତିରେ ପ୍ରଥମ ରାଜ୍ୟ ରୂପେ ଗଠିତ ହୋଇଥିଲା । ଆମର ଏଇ ଓଡ଼ିଶା ରାଜ୍ୟ । ଯାହାର ଅନ୍ୟନାମ ହେଉଛି ଉତ୍କଳ ଅବା କଳିଙ୍ଗ । ଏହି ଭୂଖଣ୍ଡରେ ଅତୀତରେ ଗଙ୍ଗବଂଶ, ସୂର୍ଯ୍ୟବଂଶ, ମୋଗଲ, ମରହଟ୍ଟା, ବ୍ରିଟିଶ ମାନେ ଶାସନ କରିଛନ୍ତି । ଇଂରେଜ ମାନଙ୍କ ଶାସନ କାଳରେ ଓଡ଼ିଶାକୁ ଭାଗଭାଗ କରି ଅନ୍ୟାନ୍ୟ ରାଜ୍ୟ ସହିତ ରଖା ଯାଇଥିଲା । ବୀର ଓଡ଼ିଆ ଜାତିର ଜାତୀୟତାକୁ ଲୋପ କରି ଏକ ଗୋଲମ ସଂସ୍କୃତି ସୃଷ୍ଟି କରିବା ପାଇଁ ଇଂରେଜମାନେ ଦକ୍ଷିଣ ଓଡ଼ିଶାକୁ ତତ୍କାଳୀନ ମାନ୍ଦ୍ରାଜ ପ୍ରଦେଶରେ, ପଶ୍ଚିମ ଓଡ଼ିଶାର ସମ୍ବଲପୁର, ଫୁଲଝର, ସାରଙ୍ଗଗଡ, ଶକ୍ତି, ରାୟଗଡ଼ ପ୍ରଭୃତି ଅଞ୍ଚଳକୁ ମଧ୍ୟପ୍ରଦେଶରେ, ସିଂହଭୂମି ଓ ଛୋଟ ନାଗପୁର ଆଦି ଅଞ୍ଚଳକୁ ବିହାର ଓ ବଙ୍ଗଳା ସହିତ ରଖିଥିଲେ । ସେତେବେଳେ ବିପଦ ଦେଖା ଦେଇଥିଲା ଓଡ଼ିଶା ଭାଷାର ସୁରକ୍ଷା କ୍ଷେତ୍ରରେ ।  ଏପରିକି ‘ଓଡ଼ିଆ ଏକଟା ଭାଷା ନଏ’ ବୋଲି କହିସାରିଥିଲେ କାନ୍ତିଲାଲ ଭଟ୍ଟାଚାର୍ଜ୍ୟ ନାମ୍ନୀ ଜଣେ ବଙ୍ଗାଳୀ ସ୍କୁଲ ଶିକ୍ଷକ ।

୧୯୩୬ ଅପ୍ରେଲ ପହିଲାରେ ଓଡ଼ିଶା ବିହାର ପ୍ରଦେଶରୁ ମୁକ୍ତି ପାଇ ଗଠିତ ହେଲା ଏକ ସ୍ଵତନ୍ତ୍ର ପ୍ରଦେଶ ରୂପରେ । ମାତ୍ର ତତ୍କାଳୀନ ଇଂରେଜ ସରକାର କୂଟନୀତି ସହିତ ସେ ସମୟର କଂଗ୍ରେସ ସରକାରଙ୍କ ଦୁର୍ବଳ ନୀତି ଯୋଗୁଁ ସିଂହଭୂମି, ମେଦିନୀପୁର, ଫୁଲଝର, ସାରଙ୍ଗପୁର, ଶକ୍ତି, ରାୟଗଡ଼, ବିନ୍ଦ୍ରା, ନୂଆଗଡ, ଇଚ୍ଚାପୁର, ମଞ୍ଜୁଷା, ଟେକ୍କାଲି, ଷଢେଇକଳା ଓ ଖରସୁଆଁ ପରି କେତେକ ଦୁର୍ବଳ ଅଞ୍ଚଳ ସବୁଦିନ ପାଇଁ ବିଚ୍ଚିନ୍ନ ହୋଇଗଲା ଓଡ଼ିଶାରୁ । ଦେଶ ସ୍ଵାଧୀନ ହେଲାପରେ ବହୁ ଗୁଣୀଜନ ଏପରିକି ଡଃ ରାଜେନ୍ଦ୍ର ପ୍ରସାଦ ମଧ୍ୟ ବାହାରି ପାରିଲେ ନାହିଁ ଆଞ୍ଚଳିକ ସଙ୍କିର୍ଣ୍ଣତାରୁ । କୋରାପୁଟ, ପୁରୀ, ଗଞ୍ଜାମ, କଟକ, ବାଲେଶ୍ଵର ଓ ସମ୍ବଲପୁର । ଏହି ଛଅଟି ଜିଲ୍ଲାକୁ ନେଇ ଗଠିତ ହୋଇଥିଲା ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ । ୧୯୪୮ରେ ଗଡଜାତ ମିଶ୍ରଣ ପରେ ସମୁଦାୟ ୧୩ଟି ଜିଲ୍ଲାକୁ ନେଇ ଓଡ଼ିଶା ପ୍ରଦେଶ ଗଠିତ ହେଲା । ପରବର୍ତ୍ତୀ ସମୟରେ ଅବଶ୍ୟ ସେହି ୧୩ଟି ଜିଲ୍ଲାକୁ ପ୍ରଶାସନିକ ସୁବିଧା ପାଇଁ ୩୦ଟି ଜିଲ୍ଲାରେ ପରିଣତ କରାଯାଇଛି । ପୁନଃଶ୍ଚ ଇଂରେଜ ମାନଙ୍କର ଇଂରାଜୀ ଭାଷାରେ ଆମ ମାତୃଭୂମି ଏବଂ ମାତୃଭାଷାକୁ ଓରିଆ (Oriya) ଲେଖିବାର ଅସଙ୍ଗତିକୁ ଦୂର କରିବାପାଇଁ ସ୍ଵତନ୍ତ୍ର ପ୍ରଦେଶ ହେବାର ୭୩ ବର୍ଷ ପର୍ଯ୍ୟନ୍ତ ଉଦ୍ୟମ କରିବାକୁ ପଡିଲା । ପରିଶେଷରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅନୁମୋଦନ ପରେ ଇଂରାଜୀ ଭାଷାରେ ଓଡ଼ିଶାକୁ Odisha ଏବଂ ଓଡ଼ିଆ ଭାଷାକୁ Odia ଭାବେ ଲେଖାଯାଇ ପାରିଲା ।

ଓଡ଼ିଆ ଜାତି ଓ ଓଡ଼ିଆ ଭାଷାର ବର୍ତ୍ତମାନ ଅବସ୍ଥା ତା’ ନ ହୋଇଥିଲେ କ’ଣ ହୋଇଥାନ୍ତା ତାହା କହିହେବ ନାହିଁ । କାରଣ ଉତ୍କଳ ବା ଓଡିଶାର ସ୍ଥିତି ସ୍ଵତନ୍ତ୍ରତା ଆଗକୁ ସେମିତି କିଛି ନଥିଲା । ତେବେ ସେ ଜାତିର କର୍ଣ୍ଣଧାର ଜାତୀୟ ବୀର ଓଡ଼ିଶାର ପ୍ରାଣ ପ୍ରତିଷ୍ଠାତା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରଚେଷ୍ଟାରେ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ହୋଇପାରିଥିଲା । ମଧୁବାବୁଙ୍କ କଥାରେ ଏପରି ଏକ ଯାଦୁକାରୀ ଶକ୍ତି ଥିଲା ଯାହା ଶୁଣିଲା ପରେ ମନ ଭିତରେ ଭାସି ଉଠେ ଏକ ଦାମ୍ଭିକ ଓ ତେଜୀୟାନ ଅଭିଜାତ ବ୍ୟକ୍ତିତ୍ବ, ସ୍ଵାଭିମାନ ଓ ଆତ୍ମସମ୍ମାନର ଏକ ଉଜ୍ଜ୍ଵଳ ଅଗ୍ନିଶିଖା । ଏ ଉତ୍କଳମାତା ବୀର ପ୍ରସବିନୀ ।  ଯୁଗେ ଯୁଗେ ସବୁଜିମା, ଶସ୍ୟ ଶ୍ୟାମଳା ଓ ସୌନ୍ଦର୍ଜ୍ୟରେ ଋଦ୍ଧିମନ୍ତ ।  ସେଇ ଜନନୀ କୋଳରେ ଜନମି ମଧୁବାବୁ ଏ ଜାତିର ପ୍ରାଣ କେନ୍ଦ୍ର ।  ତାଙ୍କରି ଉଦ୍ଦେଶ୍ୟରେ କବି ନନ୍ଦ କିଶୋର ଲେଖିଥିଲେ, ‘ଯେତେ କାଳଥିବ ଓଡ଼ିଆ ଜାତି ଇତିହାସରେ ତୁମରି ନାମ ଅଙ୍କିତ ହୋଇ ରହିଥିବ ହେମମୟ ଅକ୍ଷରରେ’ । ସେ ଥିଲେ ଏ ମାଟିର ଜଣେ ଜ୍ଞାନୀ, ମାନୀ, ବୁଦ୍ଧିଜୀବୀ, ଓ ପଣ୍ଡିତ ।  ଓଡ଼ିଶାର ଭାଷା, ସାହିତ୍ୟ, ସଂସ୍କୃତି ଓ ପରମ୍ପରା ପ୍ରତି ତାଙ୍କର ଥିଲା ଗଭୀର ଅନୁରାଗ । ତାଙ୍କର ପ୍ରଚେଷ୍ଟା ଆଉ ପ୍ରଗାଢ ଅଧ୍ୟବସାୟ ଫଳରେ ସ୍ଵତନ୍ତ୍ର ଓଡ଼ିଶା ଗଠନ ହୋଇପାରିଲା । ସତ୍ୟଭାମାପୁର ପରି ଏକ ଅଖ୍ୟାତ ପଲ୍ଲୀରେ ଜନ୍ମ ଏବଂ ଶିକ୍ଷା ଆରମ୍ଭ ଗାଁ ଚାଟଶାଳୀରୁ । ନାନା କଷ୍ଟ ସାହି ପାଠ ପାଢୀ ଶେଷରେ ଜଣେ ବିଖ୍ୟାତ ଓକିଲ ହୋଇପାରିଥିଲେ। ହେଲେ ଓକିଲ ହିସାବରେ ସେ ଯେତିକି ଖ୍ଯାତି ଏବଂ ପ୍ରଶଂସା ପାଇଛନ୍ତି ତା’ଠାରୁ ଅଧିକ ପାଇଛନ୍ତି ଦେଶ ଓ ଜାତିର ସେବକ ହିସାବରେ । ଆବାଲ୍ଯରୁ ନିର୍ଭୀକ, ସ୍ପଷ୍ଟବାଦୀ, ସ୍ଵାଧୀନଚେତା ତଥା ଉଦାର ହୃଦୟ ବିଶିଷ୍ଟ ଜଣେ କର୍ମଯୋଗୀ, ଶିଳ୍ପୋଦ୍ଯୋଗୀ ।  ସେ ବଳିଷ୍ଠ ପଦକ୍ଷେପ ନେଇଥିଲେ ଓଡିଶାରେ ଶିଳ୍ପ ପ୍ରସାର କ୍ଷେତ୍ରରେ । ଚାଟଶାଳୀ ପାଠ ପରେ ସେ କଟକର ସରକାରୀ ଜିଲ୍ଲା ଇଂରାଜୀ ସ୍କୁଲରେ ପାଠ ପଢିଥିଲେ ।  ସେତେବେଳେ ଓଡ଼ିଆ ମାନେ ବିଦେଶୀୟ ଜୀବନ ଜାପାନ କରିବାକୁ କୁଣ୍ଠାବୋଧ କରୁଥିବାରୁ ବଙ୍ଗାଳୀମାନେ ଘୃଣା କରୁଥିଲେ ଓଡ଼ିଆଙ୍କୁ । ମଧୁସୂଦନ ମଧ୍ୟ ସେଥିରୁ ବାଦ ଯାଇନଥିଲେ । ଏହାହିଁ ଥିଲା ତାଙ୍କ ମନରେ ଉତ୍କଳୀୟ ଜାତୀୟତା ଗଠନ କରିବାର ଫଳପ୍ରଦ କାରଣ । ସେଥିପାଇଁ ଷୋହଳ ବର୍ଷ ବୟସରେ ସେ କଲିକତା ଯାଇ ଶିକ୍ଷାଲାଭ କରିଥିଲେ । ସେ ଉଚ୍ଚଶିକ୍ଷା ପାଇଁ ଆର୍ଥିକ ଅନାଟନ ଦୂର  କରିବା ପାଇଁ ଖ୍ରୀଷ୍ଟଧର୍ମ ଗ୍ରହଣ କରିଥିଲେ । ନିଜର ଶିକ୍ଷା ସମାପନ କରି ଓକିଲାତି କରିଥିଲେ ।  କିନ୍ତୁ ସେ କେବେବି ତାଙ୍କ ଆଦର୍ଶରୁ ବିଚ୍ୟୁତ ହୋଇନାହାନ୍ତି ।  ଓଡ଼ିଆ ଜାତିପାଇଁ ସେ ଯେପରି ନିଃସ୍ଵାର୍ଥପର ଭାବେ ସଂଗ୍ରାମ କରିଥିଲେ ତାହା ଅନ୍ୟ କେଉଁ ଜାତୀୟ ବୀରଙ୍କଠାରେ ବିରଳ ।

ମାତୃଭୂମି ଏବଂ ମାତୃଭାଷାର ଉନତି ବୀନା ଓଡ଼ିଆ ଜାତିର ଉନ୍ନତି ଅସମ୍ଭବ ବୋଲି ସେ ହୃଦୟଙ୍ଗମ କରି ଉତ୍କଳୀୟ ମାନଙ୍କ ସ୍ଵାର୍ଥରକ୍ଷା ପାଇଁ ଉତ୍କଳ ସମ୍ମିଳନୀ ଗଠନ କରିଥିଲେ ୧୯୦୩ ମସିହାରେ। ତାଙ୍କର ଏକମାତ୍ର ଲକ୍ଷଥିଲା ଉତ୍କଳର ସଂଗଠନ ଏବଂ ଉଡିଆମାନଙ୍କୁ ଏକ ଶାସନାଧୀନ କରିବା ।  ତେଣୁ ଅକ୍ଟୋବର ୨୫, ୧୯୦୩ ରେ ସେ କଟକର କନିକା ରାଜବାଟୀରେ ପ୍ରାରମ୍ଭିକ ଅଧିବେଶନ ଡକାଇଥିଲେ ।  ଉତ୍କଳ ସମ୍ମିଳନୀ ଗଠନ କରି, ପ୍ରାକୃତିକ ଉତ୍କଳର ଏକତ୍ରିକରଣ, ଉତ୍କଳର କୃଷି ବାଣିଜ୍ୟ ଓ ଶିଳ୍ପର ଉନ୍ନତି ସାଧନ ଏବଂ ଉତ୍କଳର ଶିକ୍ଷା ଏବଂ ସାହିତ୍ୟର ପ୍ରଚାର ଦିଗରେ କାର୍ଯ୍ୟ ଆରମ୍ଭ କରିଥିଲେ । ମଧୁବାବୁଙ୍କ ପରି ଉତ୍କଳମଣି ଗୋପବନ୍ଧୁଙ୍କର ଜୀବନ ଦର୍ଶନ ଥିଲା ନବ ଓଡ଼ିଶା ଗଠନ । ଛିନ୍ନ ବିଛିନ୍ନ ହୋଇ ରହିଥିବା ଓଡ଼ିଆ ଅଞ୍ଚଳକୁ ଏକାଠି କରିବା ଉଦ୍ଦେଶ୍ୟରେ ଉତ୍କଳ ସମ୍ମିଳନୀର ସେ ଥିଲେ ଅନ୍ୟତମ କର୍ଣ୍ଣଧାର । ସେ ବିଛିନ୍ନାଞ୍ଚଳରେ ଓଡ଼ିଆ ଭାଷା ଓ ସଂସ୍କୃତିର ବିକାଶ ପାଇଁ କାର୍ଯ୍ୟ କରିଥିଲେ । ସମସ୍ତ ଉତ୍କଳ ପ୍ରଦେଶ ଗଠନ ପୂର୍ବରୁ ସେ ସିନା ଇହଲୀଳା ସମ୍ବରଣ କାଲେ ହେଲେ ସୁପ୍ତପ୍ରାୟ ଓଡ଼ିଆଙ୍କୁ ଜାଗ୍ରତ ଓ କ୍ରିୟାଶୀଳ କରିବା ପାଇଁ  ଶତ ସିଂହର ବଳ ସୃଷ୍ଟି କରିବା ପାଇଁ ସେ ଲେଖନୀ ଚାଳନା କରି ଜାତୀୟ କବି ହୋଇପାରିଥିଲେ । ସେ ଉତ୍କଳ ସମ୍ମିଳନୀର ମହତ ଉଦ୍ଦେଶ୍ୟ ସମ୍ବନ୍ଧରେ ଲେଖିଛନ୍ତି ।
            
“ଏହି ସମ୍ମିଳନୀ ଜାତି ପ୍ରାଣ ସିନ୍ଧୁ
                        କୋଟି ପ୍ରାଣ ବିନ୍ଦୁ ଧରେ,
            ତୋର ପ୍ରାଣ ବିନ୍ଦୁ ମିଶାଇ ଦେ ଭାଇ
                        ଡେଇଁ ପଡ଼ି ସିନ୍ଧୁ ନୀରେ ।“

ଓଡ଼ିଆ ଜାତିକୁ ଆଗେଇ ନେବାର ସେ ଯେଉଁ ଆଶା ପୋଷଣ କରିଥିଲେ ସେଥିପାଇଁ ସେ ବ୍ୟକ୍ତିଗତ ସ୍ବାର୍ଥକୁ ଗୌଣ କରି ଜାତିଗତ ସ୍ବାର୍ଥକୁ ମୁଖ୍ୟସ୍ଥାନ ଦେଇଥିଲେ । ସେଥିପାଇଁ ସେ କହିଛନ୍ତି –
            
“ଜାତି ପ୍ରେମ ବହ୍ନି ପ୍ରଜାଳିତ କର
                        ସ୍ଵାର୍ଥକୁ ଦିଅ ଆହୁତି,
            ସ୍ଵାର୍ଥ ମେଧ ଯଜ୍ଞେ ଚାରିଆଡ଼େ ନାଚ
                        ଛାତିରେ ମିଶାଇ ଛାତି ।“

ଉତ୍କଳର କୋଣାର୍କ, ଶ୍ରୀଜଗନ୍ନାଥ ଓ ଲିଙ୍ଗରାଜ ମନ୍ଦିରର ଅପୂର୍ବ କାରୁକାର୍ଯ୍ୟକୁ ନେଇ ଗର୍ବ କରୁଥିଲେ ମଧୁବାବୁ । ସେ ଶିଳ୍ପର ପ୍ରସାର ପାଇଁ ଉତ୍କଳ ଟ୍ୟାନେରୀ, ଓଡ଼ିଶା ଆର୍ଟ ୱର୍କ୍ସର ଗଠନ କରିଥିଲେ ଯାହା ବିଶ୍ଵ ବଜାରରେ ଚହଳ ସୃଷ୍ଟି କରିଥିଲା । ମଧୁବାବୁଙ୍କ ଆମନ୍ତ୍ରଣ କ୍ରମେ ୧୯-୦୮-୧୯୨୫ରେ ମହାତ୍ମାଗାନ୍ଧି ତାଙ୍କ ଓଡ଼ିଶା ଗ୍ରସ୍ତ ସମୟରେ ଉତ୍କଳ ଟ୍ୟାନେରୀ ବୁଲି ଦେଖିଥିଲେ । ଓଡ଼ିଆମାନେ ଖଟନ୍ତୁ ଆଉ ମଥା ଉପରକୁ କରି ସୁଖରେ ଚଳନ୍ତୁ ଥିଲା ତାଙ୍କର ଉଦ୍ଦେଶ୍ୟ । ମାତୃଭାଷାର ମର୍ଯ୍ୟାଦା ମାତୃଭୂମି ସହିତ ଓତଃପ୍ରୋତ ଭାବେ ଜଡ଼ିତ । ମାତୃଭାଷାର ତାଜାପଣ ସବୁଠୁ ଅଧିକ । ମାତୃଭାଷାର ଜନ୍ମ ନିଜ ଅନ୍ତରର ଶିରା ପ୍ରଶିରାରୁ । ତାହା ଜୀବନ୍ତ ଏବଂ ପ୍ରାଣସ୍ପର୍ଶୀ   ସୁତରାଂ ମାତୃଭାଷାର ଉନ୍ନତି ବିନା ଦେଶର ତଥା ଜାତିର ଉନ୍ନତି ଅସମ୍ଭବ  ଭାଷାବିତ ଡାକ୍ତର ଆଶୁତୋଷ ମୁଖାର୍ଜୀ ଯଥାର୍ଥରେ କହିଛନ୍ତି, ‘ପ୍ରକୃତ ଜ୍ଞାନ ଲାଭ ବିଦେଶୀ ଭାଷା ଦ୍ଵାରା ହୁଏନାହିଁ । ମାତୃଭାଷା ଅଧ୍ୟୟନ ହିଁ ବଳିଷ୍ଠ ମାଧ୍ୟମ ।‘ ସେଥିପାଇଁ ମଧୁବାବୁ ଆଜୀବନ ଓଡ଼ିଶା ଏବଂ ଓଡ଼ିଆଙ୍କ ଉନ୍ନତି ବିଷୟରେ ଚିନ୍ତା କରୁଥିଲେ ।

ମଧୁବାବୁଙ୍କ ଶେଷଜୀବନ ଦୁଃଖମୟ । ଋଣଭାର ଏବ ଅର୍ଥାଭାବ ଭିତରେ ସେ କାଳାତିପାତ କରିଥିଲେ । ଉତ୍କଳମାତାର ସମ୍ମାନ ପାଇଁ ମଧୁବାବୁ ନିଜର ସମସ୍ତ ସ୍ଥାବର ସମ୍ପତ୍ତିକୁ ବିକିଦେଇ ସର୍ବସାନ୍ତ ହୋଇଯାଇଥିଲେ । ଆଉ ସେତେବେଳେ ତାଙ୍କୁ ଆର୍ଥିକ ସହାୟତାର ହାତ ବଢାଇଥିଲେ ପ୍ରକ୍ଷାତ ସମାଜସେବୀ ଓ ଜାତୀୟତାବାଦୀ ଶ୍ରୀଯୁକ୍ତ ଲକ୍ଷ୍ମୀନାରାୟଣ ପଟ୍ଟନାୟକ, ଆଧୁନିକ ଓଡ଼ିଶାର ଅନ୍ୟତମ ନିର୍ମାତା ବିଜୁ ପଟ୍ଟନାୟକଙ୍କ ପିତା। ତାଙ୍କରି ପ୍ରେରଣାରେ ଉଦ୍ବୁଦ୍ଧ ହୋଇ ବିଜୁବାବୁ ଉତ୍କଳର କଳିଙ୍ଗ ନାମରେ ତାଙ୍କର ସବୁ କାର୍ଯ୍ୟ କରୁଥିଲେ । ଓଡ଼ିଶା ଏକ ଶାନ୍ତିପ୍ରିୟ ରାଜ୍ୟ ।  ପ୍ରତ୍ୟେକ କ୍ଷେତ୍ରରେ ଓଡ଼ିଶା ଆଜି ବିଶ୍ଵରେ ପରିଚିତ । ଏହାର ଭାଷା ଓଡ଼ିଆ, ଯାହା ସବୁ ଭାଷାଠୁ ବଢିଆ ଏବଂ ଅତି ପୁରାତନ ଭାଷା ଭାବରେ ଶାସ୍ତ୍ରୀୟ ମର୍ଯ୍ୟାଦା ପାଇଛି । ଆମେ ଉତ୍କଳଦିବସ ପାଳନ କରୁଚେ ସତ ହେଲେ ଦୁଃଖ ଲାଗେ ଯେ ଓଡ଼ିଆ ପଢିବା ମନା। ଗାଁ ହେଉକି ସହର ସବୁଆଡ଼େ ଇଂରାଜୀ ମାଧ୍ୟମ ଶିକ୍ଷାଶାଳ ।  ଆମେ ଭୁଲି ଯାଉଛେ ସାବତ ମା’ କେବେହେଲେ ମା’ ସହିତ ସମାନ ହୋଇ ପାରିବନାହିଁ । ଅନ୍ୟଭାଷା ଶିଖିବାରେ ବାଧା ନାହିଁ ମାତ୍ର ମାତୃଭାଷାକୁ ହତାଦର କରିବା ଅନ୍ୟାୟ ।  ଉତ୍କଳ ଦିବସ ପାଳନ ଅବସରରେ ଆସ ଆମେ ସମସ୍ତେ ଏକାଠି ମିଶି ମାତୃଭୂମି ଓ ମାତୃଭାଷାର ସମ୍ମାନ ରକ୍ଷାପାଇଁ ସଂକଲ୍ପ ନେବା । “ବନ୍ଦେ ଉତ୍କଳ ଜନନୀ” ॥

ନୃସିଂହ ଚରଣ ବେହେରା, ଭୁବନେଶ୍ଵର

0 Comments