Information

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ଏ ପ୍ରତୀକ୍ଷାର ଅନ୍ତ କେବେ - ପରମିତା ମିଶ୍ର

Paramita Mishraପରମିତା ମିଶ୍ର
ଆମ୍ବପୁଆ, ବ୍ରହ୍ମପୁର, ଗଞ୍ଜାମ
ଦୂରଭାଷ: ୭୦୬୪୧୭୨୩୮୦

ମୋ ଜେଜେ ବାପାଙ୍କର ଗାଁ ରେ ଭଲ ନାଁ ଥାଏ । ଆଖପାଖ ଲୋକେ ନାଁ କହିଲେ ଚିହ୍ନନ୍ତି । ମୋ ପିଲାଦିନ ଗାଁ ରେ ବିତିଛି । ସହରର ଛଳନାରୁ ଦୁରେ ଗାଁ ର ବାସ୍ତବ ଦୁନିଆରେ ସରଳ ଲୋକ ମାନଙ୍କ ଭିତରେ ବଢିଛି । ପିଲାବେଳୁ ମୁଁ ତାକୁ ଦେଖି ଆସିଛି । ଯୌଥ ପରିବାର ଯେତେବେଳେ ସବୁ ଭଲମନ୍ଦ, ପୁଜାପର୍ବ, ବିଭାବ୍ରତରେ ତା'ର ଉପସ୍ଥିତି ଅନିବାର୍ଯ୍ୟ । କୁଅରୁ ପାଣି କଢାଠୁ ନେଇ ପରିବାକଟା ତଥା ସାହିରେ ନୁଆଁ ବୋହୁର ଭାର ବଣ୍ଟି ସବୁଥିରେ ନିପୁଣ ସେ । କୋଉ କାମ ବଳି ଯାଏନି ତମ୍ପା ନାନିକୁ ।


ତମ୍ପା କେଉଁ ଜୀବର ନାମ ନୁହେଁ ଏଠି ତାହା ଏକ ସୁସ୍ଵାଦୁ ଓଡିଆ ମିଷ୍ଟାନ୍ନର ନାମ । ଆମ ଗାଁ ଏକ ଚାଷ ବହୁଳ ଗାଁ, ତେଣୁ ଏଠି ଲୋକ ମାନେ ସାରା ଦିନ ଚାଷ ଜମିରେ ଖଟନ୍ତି । ସେମାନଙ୍କ ନିତି ଦିନିଆ ଆହାର ହେଲା ମାଣ୍ଡିଆ ଜାଉ । ମାଣ୍ଡିଆକୁ ଘୋରି ପଖାଳରେ ତୋରାଣି ଦେଇ ତା ସାଥିରେ କଞ୍ଚା ପିଆଜ କି ପୋଡ଼ା ଶୁଖୁଆ ଆଃ, ସାରା ଦିନ ଆଉ ଭୋକ ନାଇଁ । ଏଇ ମାଣ୍ଡିଆରେ ଆଉ ଏକ ମିଠା ବ୍ୟଞ୍ଜନ ବନେ । ମାଣ୍ଡିଆ ଚୁନାକୁ ଫୁଟିଲା କ୍ଷୀରରେ ଚିନି, ଅଲେଇଚ ଆଉ ଶୁଖିଲା ଫଳ ଦେଇ ସେଥିରେ ଘଣ୍ଟାଯାଏ । ଥାଳିରେ ଗୁଆ ଘିଅ ଲଗେଇ ତାକୁ ସେଥିରେ ସମତଳ କରି ରଖାଯାଏ । ସମ୍ପୂର୍ଣ୍ଣ ଥଣ୍ଡା ହେଲା ପରେ ତାକୁ ଗଡି ଗଡି କରି ଖିଆଯାଏ । ସତରେ ଭାରି ସୁଆଦିଆ ଏ ବ୍ୟଞ୍ଜନଟି । କହିବା ବାହୁଲ୍ୟ ପାଠକ କେହି କେହି ଏହି ତମ୍ପା ନାମ ସହ ପରିଚିତ ନଥିବେ ତେଣୁ, ଯଦିଓ ତମ୍ପା ରୁପରେ ଅତ୍ୟନ୍ତ କୁରୁପ କିନ୍ତୁ ସେ ଗୁଣର ଖଣି । ବଡ ଆଶ୍ଚର୍ଯ୍ୟର କଥା ଯେ ମୋ କାହାଣୀର ନାୟିକା ତମ୍ପା ନାନି ଦେଖିବାକୁ ଖୁବ୍ ସୁନ୍ଦର ଗୁଣରେ ବି ଭଲ କିନ୍ତୁ ତା ନାଁ ଟି ଯେ କାହିଁକି କେଜାଣି ତମ୍ପା !


ତା ସହ ମୋର ସମ୍ପର୍କ ଯେ କଣ ମୁଁ ବିଶେଷ ଜାଣେନା । ମୋ ଜେଜେଙ୍କୁ କକା ଡାକେ, ମୋ ବୋଉ, ଖୁଡୀକୁ ସେ ଭାଉଜ ଡାକେ ଆଉ ଘରେ ସବୁ ତାକୁ ନାନୀ ଡାକନ୍ତି ତ ମୁଁ ବି ତାକୁ ନାନି ଡାକେ । ବୋଉ ତା'ର ପରିଚୟ ଥରେ କହିଥିଲେ କିନ୍ତୁ ସେସବୁ କଥା ମୋ ମୁଣ୍ଡ ଉପର ଦେଇ ଚାଲିଗଲା । ତେଣୁ ମୁଁ ବି ଆଉ ତା ପରିଚୟ ଜାଣିବାକୁ ଚାହିଁଲିନି । ସେ ଥିଲା ଆମ ତମ୍ପା ନାନି । କପାଳରେ ମେଞ୍ଚାଏ ସିନ୍ଦୁର ଯେ ଚୁଟି ଧୋଇଲେ ବି ତା'ର ସେ ସିନ୍ଦୁର ଯାଏନି । ଗୋଡରେ ଅଳତା ରଙ୍ଗ କେବେ ଫିକା ପଡ଼େନି ତା'ର, ଗଭାରେ ନିତି କି ନାଇଁ କି ଫୁଲଟେ ମାରି ହିଁ ଥିବ, ଆଉ ଦେହ ତ ତାର ଏମିତିରେ ବି ହଳଦୀ ରଙ୍ଗର । ଆମ ଘରଠୁ ଅଳ୍ପ ଦୁରରେ ତା'ର ଘର । ନିତି କାଖରେ ଗୋଟେ ଲୁଗାକୁ ଜାକି ଆର ହାତରେ ମେଞ୍ଚେ ଗୁଡାଖୁ ଧରି ଆମରି ଘର ଦେଇ ବନ୍ଧକୁ ଗାଧେଇବାକୁ ଯାଏ । ମତେ ଦେଖିଲେ ପଚାରିବ "ଝିଅ ବଇଚୁ, ଅଇଥା ମୁଁ ଆଉଚି ତୋ ମୁଣ୍ଡ ଆମ୍ପିଦେବି"।



ସାବିତ୍ରୀ କି ଦଶହରା ପୁଜା ଆମ ଘରେ ହୁଏ । ସମସ୍ତଙ୍କ ଆଗରେ ଆସି ସବୁ ଗଲା ପରେ ସେ ଯାଏ । ବଡ ସୁନ୍ଦର ଦିଶୁଥାଏ ସେ ସେଦିନ ସତେ । ସାହି ମାଇକିନା ମାନେ ତାକୁ ଦେଖି ଟୁପୁରୁଟାପର ହୁଅନ୍ତି "ଉହହ୍ ତୁଛାକୁ ଏତେ, ମୁଦି ନାହିଁ ଗୋଡ କଚାଡୁ କେତେ। ଗେରସ୍ତ ମଲାଣି କି ଗଲାଣି ମାଇପ ର ରଂଗ ସରୁନି । ଦେଖୁନ ବୁଢିଟେ ହେଲାଣି ଆହୁରି କେତେ ସଜେଇ ହେବାକୁ ମନ ।" ତମ୍ପା ନାନି ସତେକି ଶୁଣି କି ବି ନଶୁଣିଲା ପରି ଅଭିନୟ କରେ । ହଁ ଏଇ ଦାନ୍ତ ନେଫେଡେଇ ହସିହସି କଥାକହି ସବୁଥିରେ ଧୁରନ୍ଧର ନାନୀର ଜୀବନ କିନ୍ତୁ ଭାରି ଦୁଃଖଦାୟକ । ପିଲାଟେ ହେଇଥିଲା ବିଭା ହୋଇ ଗେରସ୍ତ ସାଙ୍ଗେ ଏ ଗାଁ କୁ ଆସିଥିଲା । ସାନ ପୁଅ ଜନ୍ମ କରିବାକୁ ମାଆ ଘରେ ଅଛି ଶୁଣିଲା ତା ସ୍ଵାମୀ କୁଆଡେ ଚାଲିଯାଇଛି । ଶାଶୁ ତ ତଣ୍ଟିଆ ଦେଇ ଘରୁ କାଢୁଥିଲା ହେଲେ ହାତରେ ସୁନ୍ଦର ଗୁଲୁଗୁଲିଆ ନାତି ଟୋକାକୁ ଦେଖି ତା ମନ ତରଳିଗଲା । ଅଛି ଯେ ଅଛି ସେ ଏବେ ଆସି ବୁଢିଟେ ହେଲାଣି । ଯୋଡିଏ ପୁଅ ଜନମ କରିଥିଲା । ସାନ ପୁଅଟି ମାଇପକୁ ଧରି ଆଉ କୋଉଠି ଯାଇ ରହୁଛି, ଆଉ ବଡ ପୁଅଟା ଭଲକୁ ନାଇଁ କି ଭାଲକୁ ନାଇଁ । ତା ନାଁ ଟା ବି ଭୁଲା । ଗୋଟେ ହାତ ପୁଣି କେମ୍ପା । ହେଲେ ଧକ୍କା ମାରିଲେ ବି ମାଆକୁ ଛାଡିକି ଯାଏନି । ନାନି କେତେ ଥର ତାକୁ ଘଉଡାଏ "ତୁ ଯା ତୋ ଜୀବନ ତୁ ଜିଁ" ରାଗିକି ଚାଲିଯାଏ । ଭିକଭୁକା ମାଗି କେତେ ଜିନିଷ ଏକାଠି କରି ପୁଣି ଫେରିଆସେ ଭୁଲା ତା ମାଆ ପାଖକୁ । ପଚାରିଲେ କହେ ମୋ ନନାକୁ ଖୋଜି ଯାଇଥିଲି । ଏ ଜିନିଷ ସବୁ ମୋ ନନା ଦେଇଚି ମୋ ବୋଉ ପାଇଁ । "ନାନି କାନିରେ ଭୁଲାର ମୁହଁ ଦେହକୁ ପୋଛିପକାଏ ଆଉ ପାଛୋଟି ଘରକୁ ନିଏ ତାକୁ । ଆଖିର ଲୁହକୁ ଠଙ୍ଗୀରେ ପୋଛି ପକାଏ ନାନୀ ।


ପ୍ରତିବର୍ଷ ଆମଘରୁ ଚାରି ଛଅ ଖଣ୍ଡ ଲୁଗା ତା ପାଇଁ ହେଉଥିଲା । ସେମିତି ଗାଁ ର ଆଉ କେତେ ଘରେ ବି ତାର ଆଦର ଥିଲା । ନହେଲେ ବି ସେ ଅଧିକାର ଦେଖେଇ ମୋ ଜେଜିମା କୁ କହେ ଏ ଖୁଡୀ, ଏ ବର୍ଷ ଭଲ ଲୁଗା ଖଣ୍ଡେ କରି ଦେବୁ ଯେ, ତୋ ଜୋଇଁ ଆଇବ କଇଚି "। ଧିରେ ଧିରେ ସମୟ ବଦଳୁ ଥିଲା । ମୁଁ ବି ପାଠ ଶାଠ ପାଇଁ ବାହାରକୁ ଚାଲିଆସିଲି । ମଝିରେ ମଝିରେ ଗାଁ କୁ ଗଲେ ବି ବେଶି ସମୟ ନଥାଏ । କିଛି ବର୍ଷ ଉତାରୁ ଥରେ ଗାଁ କୁ ଯିବାର ସୁଯୋଗ ମିଲିଲା । ଏକ ଭୋଜିର ମଉକା ଥିଲା । ଘରେ କଥାହେଉଥିବା ମୋ କାନରେ ପଡିଲା" ତମ୍ପା ନାନି ଥିଲେ ତାକୁ ଏତକ କାମ ବଳକା, ଖାଲି ସୁନ୍ଦର ଲୁଗା ଖଣ୍ଡେ ଦେଇଦେଲେ ଉଛୁଳି ଉଛୁଳି ସବୁ କାମ କରିଦେଇଥାନ୍ତି ।" ମୋ ଆଖି ଆଗରେ ନାନୀର ରୁପଟେ ଆଙ୍କି ହୋଇଯାଉଥିଲା । ମନେ ପଡି ଯାଉଥିଲା ତା'ର ମୋ ପ୍ରତି ସ୍ନେହ । ମୋ ମୁଣ୍ଡରେ ତେଲ ଲଗେଇ ଦେବା, ମୁଣ୍ଡ କୁଣ୍ଡାଇ ଦେବା, ଆଉ ପିଲା ବେଳର ସେ ସବୁ ସ୍ମୃତି । ଅକସ୍ମାତ ମୁଁ ଦୌଡି ଗଲି ନାନୀର ଘର ଆଡକୁ । କିନ୍ତୁ ସେଠି ଯେ ମାଟି ଉଇର ଏକ ଧ୍ଵଂସସ୍ତୁପ ଥିଲା ଯାହା । ମୁଁ ଭାବିଲି ନିଶ୍ଚୟ ଅନ୍ୟ କୋଇଠି ଘରତୋଳି ଚାଲିଗଲା । ନହେଲେ ମୋ ଜେଜେମା ଠୁ କେତେ ସାନ ସେ, ଆଉ ମରି ନଯିବ । ମନଟା ଭଲ ଲାଗୁ ନଥିଲା । ଘରକୁ ଆସି ଜେଜେମା କୁ ପଚାରିଲି ତ ଜେଜେମା କହିଲେ "କହନା ତା କଥା, ତା'ର କଣ ହେଲା କିଏ ଜାଣିଛି । କେତେ ଦିନ ଯାଏଁ ଖାଲି ସଜଧଜ ହୋଇ ଆସି ଓଳଗି ହୁଏ, କହେ ଖୁଡୀ ଗୋ ତାଙ୍କେ ଆସିବେ କଇଛନ୍ତି । ମୁଁ ଯାଉଛି ରାନ୍ଧବାଢ କରିବି । ଦିନେ ତ କୁଅ ଭିତରେ ଡେଇଁଥିଲା । କହିଲେ କୁଅରେ ଭୁଲା ନନା ଅଛି । ଡାକୁଛି ମତେ । ବନ୍ଧମୂଳେ କେତେ ଲୋକ ଥିଲେ ବୋଲି ତା'କୁ କାଢିଲେ । ସେଠୁ କେତେ ଦିନ ପରେ ତିନି ସଂଧ୍ୟା ବେଳଟାରେ ଧାଇଁ ଆସିଲା । ମୁଁ ଯାଉଛି, ଭୁଲା ନନା ଖବର ପଠେଇଛି ଆସିବାକୁ । ଆଜି ରାତିରେ ଦି ଘଡିକି ମୁଁ ଯିବି । ଓଳିଗି ହେଉଛି, ଆଉ ଭାଉଜ ଆଉ ପିଲା ମାନଙ୍କୁ ଭଉତୁ କିରି କଇବ । ଝିଅଟାକୁ ଟିକେ ଦେଖିଥାନ୍ତି । ଏଡେ ଜୋରରେ ତା'କୁ ଶ୍ଵାସ ଉଠୁଥିଲା, ନିଶ୍ଵାସ ନେଇପାରୁନଥିଲା । ଓଳିଗି ହୋଇ ଚାଲିଗଲା, ତା ବାସୀ ଦିନ ଘରେ ମରିକି ପଡିଚି ଲୋ ଝିଅ । କୋ କାଳେ ତା ଗେରସ୍ତ ଶାଢୀଟେ ଆଣିଥିଲା ତା'କୁ ଗୁଡେଇ ହେଉଛି, ପାଦ ହାତ ସବୁ ଅଳତା, ମୁହଁ ସାରା ସିନ୍ଦୁର ବୋଳିକି ବଡ ବିକଟାଳ ଦିଶୁଥିଲା । ଜେଜେମା ର କଥା ଶୁଣି ସ୍ତବ୍ଧ ହୋଇ ବସି ଯାଇଥିଲି । ତଥାପି ଜେଜେମା କହୁଥିଲା, ଯେଉଁ ମାନେ ତଳ ଦିନେ ତମ୍ପା ନାନୀକୁ ଟାହିଟାପରା କରୁଥିଲେ ସେଠି ଠିଆ ହୋଇ କହୁଥିଲେ" କେଡେ ଭଲ ମାଇକିନାଟା ଥିଲା ଲୋ, କେଡେ ଦୁଃଖ ଜନମ ତା'ର ମରି ଗଲାନି ଯେ ତରିଗଲା" ।


କାନ୍ଦିବାକୁ ଭାରି ଇଚ୍ଛା ହେଉଥାଏ । ମୁଁ ଧୀରସ୍ଥିର ବସି କେବଳ ତା'ର ରୂପଟିକୁ ମନରେ ଭାବୁଥାଏ, ଜେଜେମା କହୁଥିଲା ତମ୍ପା ନାନୀକୁ ଅହ୍ୟସୁଲକ୍ଷଣୀ କରି ଶ୍ମଶାନକୁ ନେଲେ । ତା ପୁଅ ଭୁଲା ଠେଙ୍ଗା ଧରି ସମସ୍ତଙ୍କୁ ମାରି ଗୋଡାଉ ଥିଲା ତା ମାଆ ଶୋଇଛି । ତା'କୁ ପୋଡିଦେଲେ ବୋଲି ରାଗିକି ଦରପୋଡା ନାନୀକୁ ଟାଣି ଆଣିଥିଲା ସେ । ନାନୀର ସ୍ଵାମୀର କିଛି ଖୋଜଖବର ନାହିଁ, ସେଥିପାଇଁ ନାନୀ ସଂସ୍କାର ପୁର୍ବରୁ କଦଳୀ ଗଛଟିଏ ତା ସ୍ଵାମୀ ବୋଲି ପୋଡିଦେଲେ । ଭୁଲାର ସେବେଠୁ ଆଉ କିଛି ଅତା ପତା ନାହିଁ ।


ବହୁତ ସମୟ ପର୍ଯ୍ୟନ୍ତ ସେ ବିଷୟରେ ଭାବୁ ଭାବୁ ମୋ ମନ ଶେଷରେ ମତେ ଗୋଟିଏ କଥା କହିଲା, "ପ୍ରତୀକ୍ଷାର ଅନ୍ତ ହେଲା... ।"


 

Post a Comment

2 Comments

ଉପରୋକ୍ତ ବିଷୟଟି ଆପଣଙ୍କୁ କେମିତି ଲାଗିଲା ଦୟାକରି ନିଜର ମତାମତ ରଖନ୍ତୁ । ଆପଣଙ୍କ ଗଠନ ମୂଳକ ମତାମତ ନିଶ୍ଚୟ ବଣମଲ୍ଲୀର ମହକର ସମସ୍ତ ଲେଖକ ଲେଖିକା ମାନଙ୍କ ନିମନ୍ତେ ପ୍ରେରଣାଦାୟକ ହୋଇ ପାରିବ । ନିମ୍ନୋକ୍ତ କୋଠରୀ ମଧ୍ୟରେ ଆପଣଙ୍କ ମତାମତ ପ୍ରଦାନ କରନ୍ତୁ ।