Information

"ସ୍ଵାଗତିକା" ସାହିତ୍ୟ ପତ୍ରିକା ନିମନ୍ତେ ଇ-ମେଲ, ହ୍ଵାଟସଆପ ଓ ଡାକ ମାଧ୍ୟମରେ କବିତା ପଠାନ୍ତୁ । କବିତା ପଠାଇବାର ଶେଷ ତାରିଖ ୩୦/୧୧/୨୦୧୮ ଏବଂ କବିତାର ପରିଧି ୧୬ ରୁ ୨୦ ଧାଡି ମଧ୍ୟରେ ରହିବା ଆବଶ୍ୟକ । Email - swagatika.nishikanta@gmail.com / WhatsApp - 8018646704 / By Post - The Chief Editor, Swagatika, At - Lokipur, PO - Gadamanatir, Dist - Khordha, Pin-752062, Odisha.

ପୁରାଣ କଥା - ମହାଭାରତର ଏକ ରୋଚକ ତଥ୍ୟ - ସନ୍ତୋଷ ପଟ୍ଟନାୟକ

ସନ୍ତୋଷ ପଟ୍ଟନାୟକ
ତିରିଡା, ବେଗୁନିଆପଡା, ଗଞ୍ଜାମ

ମହାଭାରତର ଅନେକ ରୋଚକ କଥା ରହିଛି । ଯାହା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯାଇପାରନ୍ତି । ଆଜି ସେମିତି ଗୋଟିଏ କଥା ଏଠି ଦର୍ଶାଉଛି ଯାହାକୁ ଜାଣିଲେ ଆପଣଙ୍କ ଆଶ୍ଚର୍ଯ୍ୟର ସୀମା ରହିବନି । ହସ୍ତିନାପୁର ଯୁବରାଜ ତଥା ପଞ୍ଚୁ ପାଣ୍ଡବ ଓ ତାଙ୍କ ପତ୍ନୀ ଦ୍ରୌପଦୀଙ୍କ କଥାକୁ ନେଇ ମହାଭାରତ ଗତିଶୀଳ ହୋଇଥିବା ବେଳେ ସେମାନଙ୍କ ପ୍ରେମ କାହାଣୀକୁ ଅନେକ ରୋଚକ ଢଙ୍ଗରେ ବିଭିନ୍ନ ପ୍ରାଦେଶିକ ପୁରାଣରେ ଉପସ୍ଥାପନ କରାଯାଇଛି । ସେମିତି ଏକ ପୁରାଣରେ ଦ୍ରୌପଦୀଙ୍କ ପ୍ରେମକଥାକୁ ଭିନ୍ନ ଢଙ୍ଗରେ ଉପସ୍ଥାପନା କରାଯାଇଛି । ଯେଉଁଥିରେ ରହିଛି ତାଙ୍କ ଜୀବନର ଷଷ୍ଠ ପୁରୁଷଙ୍କ ପ୍ରତି ଥିବା ଦୁର୍ବଳତାର ଉପାଖ୍ୟାନ । ଏକଥା ଶୁଣି ଆପଣଙ୍କ ମନରେ ନିଶ୍ଚିତ ପ୍ରଶ୍ନ ଉଠିବଣି, ସେ ଷଷ୍ଠ ପୁରୁଷ ଜଣଙ୍କ କିଏ, ଯାହାଙ୍କ ପ୍ରତି ଦ୍ରୌପଦୀଙ୍କ ଥିଲା ଅହେତୁକ ଦୁର୍ବଳତା । ପାଣ୍ଡବଙ୍କ ଭଳି ସୌମ୍ୟ, ସୁଦର୍ଶନ ଓ ପରାକ୍ରମୀ ପତି ଥାଉ ଥାଉ କାହିଁକି ଦ୍ରୌପଦୀ ସେହି ପୁରୁଷଙ୍କୁ ଭୁଲି ପାରୁ ନ ଥିଲେ ? ଜଙ୍ଗଲରେ ୧୨ ବର୍ଷର ନିର୍ବାସନ ଦଣ୍ଡ ଭୋଗୁଥିବା ବେଳେ ପାଣ୍ଡବଙ୍କ ପ୍ରିୟ ପତ୍ନୀ ଦ୍ରୌପଦୀ ଦିନେ ଗଛରେ ଫଳିଥିବା ଏକ ପାଚିଲା ଜାମୁକୋଳି ପେନ୍ଥାକୁ ଦେଖି ମୋହିତ ହୋଇପଡିଥିଲେ । ନାରୀର ଚଞ୍ଚଳ ସ୍ୱଭାବ ଆଉ ମନର ଆବେଗକୁ ବାନ୍ଧି ନପାରି ଯାଜ୍ଞସେନୀ ଦ୍ରୌପଦୀ ଏହାକୁ ଗଛରୁ ଛିଣ୍ଡାଇ ଦେଇଥିଲେ । ଏହି ସମୟରେ ଭଗବାନ ଶ୍ରୀକୃଷ୍ଣ ସେଠାରେ ଉପସ୍ଥିତ ହୋଇ ଏହା ଅନୁଚିତ୍‌ ବୋଲି କହିଥିଲେ ।


ଦ୍ରୌପଦୀ ଝଡାଇ ଦେଇଥିବା ପାଚିଲା ଜମୁକୋଳି ପେନ୍ଥାଟି ଜଣେ ସାଧୁଙ୍କ ଉଦ୍ଦେଶ୍ୟରେ ରହିଥିଲା । ସାଧୁ ଜଣକ ଏହାକୁ ସେବନ କରିବା ପରେ ନିଜ ବ୍ରତ ଭାଙ୍ଗିଥାନ୍ତେ । ହେଲେ ଦ୍ରୌପଦୀ ନିଜ ଲାଳଶାକୁ ସମ୍ବରଣ ନ କରି ପାରି ଏହାକୁ ଝଡାଇ ଦେବାରୁ ଏହା ପାଣ୍ଡବଙ୍କ ପ୍ରତି ବିପଦ ଆଣିପାରେ ବୋଲି ସେ କହିଥିଲେ । କଥାଶୁଣି ପାଣ୍ଡବ ପାଞ୍ଚଭାଇ ଉପସ୍ଥିତ ହେବା ପରେ ଏହାର କିପରି ସମାଧାନ ହେବ ସେ ନେଇ ଚିନ୍ତାରେ ପଡିଥିଲେ । ଭଗବାନ ଶ୍ରୀକୃଷ୍ଣ ଏହାର ସମାଧାନ ପନ୍ଥା ବାହାର କରିବାକୁ ଯାଇ କହିଲେ ଯେ, ପଞ୍ଚୁ ପାଣ୍ଡବ ଓ ଦ୍ରୌପଦୀ ନିଜ ଜୀବନର ସବୁ ଗୁପ୍ତ କଥା ଯଦି ଏହି ବୃକ୍ଷ ପାଖରେ କୁହନ୍ତି, ତା ହେଲେ ପେନ୍ଥାକଯାକ ଫଳ ପୁଣି ଗଛରେ ଲାଗିଯିବ । ଏହା ଶୁଣି ସମସ୍ତେ ନିଜ ଜୀବନର ସଂଗୋପିତ ଇଚ୍ଛା ଓ ଗୁପ୍ତ କଥା କହିବାକୁ ଆରମ୍ଭ କଲେ । ଧର୍ମରାଜ ଯୁଧିଷ୍ଠୀର ଧର୍ମ ଓ ସତ୍ୟ ସମ୍ପର୍କରେ ନିଜ ମତ ରଖିବା ସହ ଧର୍ମସ୍ଥାପନ ହିଁ ତାଙ୍କ ଜୀବନର ଲକ୍ଷ୍ୟ ବୋଲି କହିବାରୁ ଭୂମିରେ ପତିତ ଫଳଟି କିଛି ମାତ୍ରାରେ ଉପରକୁ ଉଠିଲା । ଏହାପରେ ମହାବଳୀ ଭୀମ କହିଥିଲେ ଯେ, ନିଦ୍ରା, ଆହାର, ଯୁଦ୍ଧ ଓ ଯୌନ ପିପାସାରୁ କେବେ ହେଲେ ମୁକ୍ତ ହୋଇପାରନ୍ତି ନାହିଁ । ସେ ଧ୍ରୁତରାଷ୍ଟ୍ରଙ୍କ ସମସ୍ତ ଶହେ ପୁତ୍ରଙ୍କୁ ହତ୍ୟା କରିବାକୁ ପ୍ରତିଜ୍ଞାବଦ୍ଧ । ଏହା କହିବା ପରେ ଜାମୁପେନ୍ଥା ପୁଣି ଉପରକୁ ଉଠିଲା । ଏହାପରେ ପାଳିଥିଲା ଅର୍ଜୁନଙ୍କର । ସେ ନିଜ ମନ କଥା ପ୍ରାଞ୍ଜଳ ଭାବେ କହିଥିଲେ । ନିଜର ପ୍ରତିଷ୍ଠା ତାଙ୍କ ଜୀବନଠାରୁ ମଧ୍ୟ ପ୍ରିୟ ବୋଲି ସେ କହିବା ସହ କର୍ଣ୍ଣଙ୍କୁ ହତ୍ୟା କରିବା ତାଙ୍କ ଜୀବନର ସର୍ବଶ୍ରେଷ୍ଠ ଲକ୍ଷ୍ୟ ବୋଲି କହିଥିଲେ । ଏହାପରେ କନିଷ୍ଠ ପାଣ୍ଡବ ଭ୍ରାତା ନକୁଳ ଓ ସହଦେବ ନିଜ ମନର ଗୁପ୍ତ କଥା କହିଦେବା ପରେ ଫଳ ଉପରୁକ ଉଠି ଚାଲିଲା । ମାତ୍ର ଗଛ ଡାଳରେ ପୂର୍ବବତ୍‌ ଲାଗିପାରିଲା ନାହିଁ ।


ଏହାଦେଖି ସମସ୍ତେ ଚିନ୍ତିତ ହୋଇପଡିଥିଲେ । ଶେଷରେ କୃଷ୍ଣ ଦ୍ରୌପଦୀଙ୍କୁ ଇସାରା କରି ନିଜ ଜୀବନର ଗୁପ୍ତ କଥା କହିବା ପାଇଁ ପ୍ରବର୍ତ୍ତାଇଲେ । ଦ୍ରୌପଦୀ କହିଥିଲେ ଯେ, ତାଙ୍କ ପାଞ୍ଚ ପତି ତାଙ୍କ ପଞ୍ଚ ଜ୍ଞାନେନ୍ଦ୍ରୀୟ ସଦୃଶ । ସେ ସେମାନଙ୍କୁ ଖୁବ୍‌ ଭଲପାଆନ୍ତି । ମାତ୍ର ଦୁର୍ଭାଗ୍ୟ ସେମାନଙ୍କ ଦୁର୍ଭାଗ୍ୟର କାରଣ ମଧ୍ୟ ସେ ନିଜେ । ନିଜର କେତେକ ଭୁଲ କଥା ଯୋଗୁ ଆଜି ପାଣ୍ଡବ ପାଞ୍ଚଭାଇ ଅସୁବିଧାରେ ପଡିଛନ୍ତି ବୋଲି ସେ ସ୍ୱୀକାର କରନ୍ତି । ଏତେ ସବୁ କହିବା ପରେ ମଧ୍ୟ ଜାମୁକୋଳି ପେନ୍ଥା ଉପରକୁ ଉଠୁ ନଥାଏ । ଭଗବାନ କୃଷ୍ଣ ଏହା ଦେଖି ଦ୍ରୌପଦୀଙ୍କୁ ଆଉ କିଛି ଲୁଚାଉଥିବା କଥା କୁହନ୍ତୁ ବୋଲି କହିଥିଲେ । କୃଷ୍ଣଙ୍କ ମନ୍ଦ ମନ୍ଦ ହାସ୍ୟ ଦେଖି ଦ୍ରୌପଦୀ ବିସ୍ମିତ ହୋଇପଡନ୍ତି । ଏହାପରେ ସେ ଯାହା କୁହନ୍ତି ତାହା ଶୁଣି ପଞ୍ଚୁ ପାଣ୍ଡବ ଚକିତ ହୋଇପଡିଥିଲେ । ନିଜ ପତିମାନଙ୍କ ଆଡକୁ ଦୃଷ୍ଟି ଦେଇ ଦ୍ରୌପଦୀ କୁହନ୍ତି, “ମୁଁ ଆପଣ ପାଞ୍ଚଭାଇଙ୍କୁ ପ୍ରେମ କରେ ଏ କଥା ମିଥ୍ୟା ନୁହେଁ, କିନ୍ତୁ ଆପଣମାନଙ୍କ ବ୍ୟତୀତ ଅନ୍ୟ ଜଣେ ପୁରୁଷ ଅଛନ୍ତି, ଯାହାଙ୍କୁ ମୁଁ ମନ ଭିତରୁ ପ୍ରେମ କରେ । ସେ ହେଉଛନ୍ତି ଅଙ୍ଗରାଜ କର୍ଣ୍ଣ । ସେ ହିଁ ମୋ ଜୀବନର ଷଷ୍ଠ ପୁରୁଷ । ଜାତି ଆଧାରରେ ମୁଁ ତାଙ୍କୁ ବିବାହ କରି ନଥିବାରୁ ଆଜି ଦୁଃଖିତ। ଯଦି ମୁଁ ତାଙ୍କୁ ବିବାହ କରିଥାନ୍ତି ହୁଏତ ଆଜି ଏଭଳି ସ୍ଥିତିରେ ପଡି ନଥାନ୍ତି କି ଏତେ କଷ୍ଟ ଭୋଗି ନ ଥାନ୍ତି ।” ଏହାଶୁଣି ପଞ୍ଚୁ ପାଣ୍ଡବ ଆଶ୍ଚର୍ଯ୍ୟ ହୋଇଯାଆନ୍ତି । ଅସୁବିଧା ବେଳେ ନିଜ ପତ୍ନୀଙ୍କୁ ସୁରକ୍ଷା ଦେଇ ନପାରିବାର ଗ୍ଲାନି ତାଙ୍କୁ ଲଜ୍ଜିତ କରେ । ଅନ୍ୟପକ୍ଷରେ ଦ୍ରୌପଦୀ ନିଜ ମନକଥା ସମସ୍ତଙ୍କ ସମ୍ମୁଖରେ କହି ନିଜକୁ ଅପମାନିତ ବୋଧ କରନ୍ତି ସତ ହେଲେ ଭୂମିରୁ ଉଠି ଶୂନ୍ୟରେ ରହିଥିବା ଉକ୍ତ ଜାମୁକୋଳି ପେନ୍ଥା ଏହି ସତ୍ୟ ଶୁଣି ପୁଣି ଗଛରେ ଲାଗିଯାଏ ।

Post a Comment

1 Comments

  1. Ramesh Kumar Mallika12/23/2017

    ଏ ତଥ୍ୟ ଟି କେଉଁ ମହାଭାରତରୁ ସଂଗ୍ରୃହୀତ। ସାରଳା ମହାଭାରତରେ ତ ସତ୍ୟ ଆମ୍ବ କଥା ରହିଛି।ହେଲେ ଏ ତଥ୍ୟ କେଉଁ ମହାଭାରତରେ ଅଛି।

    ReplyDelete

ଉପରୋକ୍ତ ବିଷୟଟି ଆପଣଙ୍କୁ କେମିତି ଲାଗିଲା ଦୟାକରି ନିଜର ମତାମତ ରଖନ୍ତୁ । ଆପଣଙ୍କ ଗଠନ ମୂଳକ ମତାମତ ନିଶ୍ଚୟ ବଣମଲ୍ଲୀର ମହକର ସମସ୍ତ ଲେଖକ ଲେଖିକା ମାନଙ୍କ ନିମନ୍ତେ ପ୍ରେରଣାଦାୟକ ହୋଇ ପାରିବ । ନିମ୍ନୋକ୍ତ କୋଠରୀ ମଧ୍ୟରେ ଆପଣଙ୍କ ମତାମତ ପ୍ରଦାନ କରନ୍ତୁ ।