Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

କ୍ଷୁଦ୍ରଗଳ୍ପ - ଭିକାରୀ - ଶ୍ରୀକାନ୍ତ ବେହେରା

ଶ୍ରୀକାନ୍ତ ବେହେରା
ନୂଆପାଳ, ଧର୍ମଶାଳା, ଯାଜପୁର

ଆଲ୍ଲାଃ ହୋ ଆକବର୍ ଆଲ୍ଲାଃ...ହୋ..ଆକବର୍..... ମସଜିଦ୍ ରୁ ଆଜାନ୍ ର ପରିଚୟରେ ଶୋର୍ କରି ଡାକ ଛାଡିଲା ହାଟପଡିଆର ମସଜିଦ୍ ଉପରୁ ମାଇକିଟା । ନୀଳ ଆକାଶର ଭସା ବାଦଲ ପର୍ବତର ଶୃଙ୍ଗରେ ପିଟିହେଲା ପରି ପିଟିହେଉଥିଲା ଆସି ଆଜାନ୍ । ପବନର ଘୋଡାଗାଡିରେ ମୋ କାନ ପରଦାରେ । ଦୋକାନ୍ ବନ୍ଦ୍ କରି ବାହାରୁଥାଉ । ଆଉ ତା ସହ ପ୍ରକୃତି ତା ମଧୁର ବର୍ଷାର ଅତର ଛିଞ୍ଚି ମହ ମହ ଓଦାର ବାସନାକୁ ମହକେଇ ଚାଲିଯାଇଚି ଆଉ କୋଉ ରାଇଜକୁ । ଆକାଶ ସୁନୀଳ କାଚକେନ୍ଦୁ ପରି ସଫା ଚକ୍ ଚକ୍ ଦିଶୁଚି । ସଙ୍ଗେ ସଙ୍ଗେ ବର୍ଷା ଛାଡିଥାଏ । ରାସ୍ତା ଘାଟ ଓଦା ଚର ଚର । ପାଣି ରାସ୍ତା କାଟି ଚୁରୁ ଚୁରୁ ହେଇ ବୋହି ଚାଲିଯାଉଥାଏ ତା' ଲକ୍ଷସ୍ଥଳ ଆଡକୁ । ହେଲେ ସେଇ ଚୁରୁ ଚୁରୁ ପାଣିରେ ଛୋଟ କାଗଜ ଡଙ୍ଗାଟିଏ ଭାସିଆସି ଆମ ଦୋକାନ ସାମ୍ନାରେ ଲାଗିଲା । ଠିକ୍ ଯେମିତି ମୁଁ ଛୋଟଥିବା ବେଳେ ବାପାଙ୍କୁ ଯିଦ କରି କହୁଥିଲି, ବାପା କାଗଜ ଡଙ୍ଗା କରିଦିଅ ମୁଁ ଏ ବର୍ଷାପାଣିରେ ଭସେଇବି । ମୁଁ କାଗଜ ଡଙ୍ଗାଟିଏ ତିଆରି କରି ଭସେଇବାକୁ ଆମ ଘର ଦୁଆର ନାଲି ଗୋଡି ମରମ ରାସ୍ତାର ମାଲରେ ଲାଗିପଡୁଥିଲି । ହେଲେ, ସେ କାଗଜ ଡଙ୍ଗା ସବୁବେଳେ ଯାଇ ଆମ ଘର ଆଗ ପଲେଇ ଘର ଦୁଆରେ ଲାଗୁଥିଲା । ଠିକ୍ ସେମିତି ଆଜି ଏ କଂକ୍ରିଟ୍ ରାସ୍ତାରେ ସେ ଛୋଟ କାଗଜ ଡଙ୍ଗାଟି ଆମ ଦୋକାନର ଆଗେ ଆସି ଲାଗିଥିଲା । ହଁ ସେ ଛୋଟ କାଗଜ ଡଙ୍ଗାଟି ଥିଲା ଗୋଟାଏ ଛୁଆ ଭିକାରୀ । ପ୍ରାୟ ବୟସ ସେଇ ୭ ରୁ ୮ ହବ, ଶୈଶବ ଦୁଇ ବାହୁରେ ଆଲିଙ୍ଗନ କରି ଧରିଚି ତାକୁ । ହେଲେ ଓଦା ଜୁଡୁବୁଡୁ ହେଇ ମୁଣ୍ଡରୁ ବର୍ଷା ପାଣି ଟୋପା ଟୋପା ତା' ମଥା ଛୁଇଁ ନିଗିରି ପଡୁଚି ତା ଫୁଙ୍ଗୁଳା ଦେହକୁ । ବ୍ୟାକୁଳ କଣ୍ଠସ୍ୱରରେ କହିଲା ବାବୁ ୨୦ ଟଙ୍କା ଦିଅ ବାବୁ । ମାଗୁଣି କରି ପିଲାଟି ମାଗିବାକୁ ଲାଗିଲା ବହୁତ କାକୁତି ବିନତୀ ହେଇ । ହେଲେ, ମୋ ଦୋକାନ ମାଲିକଙ୍କ ରାକ୍ଷସ ହୃଦୟଟି କୁତ୍ସିତ କଣ୍ଠସ୍ୱରରେ କହିଲା କ'ଣ କରିବୁ... ୨୦ ଟଙ୍କା.. ? ଯା ଯା ପଳା ପଳା ନାହିଁ ନାହିଁ, କୋଉଠୁ କୋଉଠୁ ଚାଲି ଆସୁଚନ୍ତି ସବୁ ୨୦ଟଙ୍କା ଦିଅ । ହେଲେ ବାବୁଙ୍କ କଥାକୁ ଖାତିର ନକରି ତା ଲୁହଗଡା ଆଖି, ତା ଶ୍ୱାସରୁଦ୍ଧ ସ୍ୱର, ତା ବିକଳାଙ୍ଗ ମୁହଁ, ତା କୋମଳ ହୃଦୟ ଉତ୍ତରରେ କହି ବସିଲେ.. ?



ବାବୁ.. ମୁଁ ଖାଇବାକୁ ପଇସା ମାଗୁନି ବାବୁ । ମୁଁ ନଖାଇ ରହିଯିବି ବାବୁ ଏ ରାସ୍ତାକଡ ପାଇପର ଆଞ୍ଜୁଳାଏ ଆଞ୍ଜୁଳାଏ ପାଣି ପିଇକି । ଆଉ ଯୋଉଦିନ ଏ ପେଟଟାକୁ ଖାଇବାକୁ ଦି'ଟା ମିଳିଯାଏ ପେଟଟି ଠୋ ଠୋ କରି ହସିବାକୁ ଲାଗେ ବାବୁ । ମୁଁ ଖାଇବାକୁ ପଇସା ମାଗୁନି ବାବୁ। ବାବୁ ମୋ'ର ଆଜି ସେ ଇସୁକୁଲ ପିଲାଙ୍କୁ ଦେଖି କାଇଁ ଭାରି ମନେ ହେଉଛି ପାଠ ପଢିବାକୁ । ଇସୁକୁଲକୁ ଯାଇଥିଲି ସାର୍ କହିଲେ ଖାତା ପେନ୍ସିଲ୍ ନାହିଁ କେମିତି ପଢିବୁ..? ମୁଁ ଡୌଡି ଆସିଚି କଅଁଳା ବଛୁରୀଟି କୁଦାମାରିଲା ପରି । ଖାତା ପେନ୍ସିଲ୍ ପାଇଁ ବାବୁ । ବାବୁ ୨୦ଟଙ୍କା ଦିଅ ବାବୁ ମୁଁ ଖାତା ଆଉ ପେନ୍ସିଲ୍ ଆଣି ପଢିବାକୁ ଯିବି ସେ ଇସୁକୁଲକୁ । ମୋ ପାଖେ ନାହିଁ ବାବୁ ପଇସାଟିଏ । ଆଉ ସେ ବହି ଦୋକାନୀଟାବି ଜମା ଦେଲାନି ଯେତେ ଯେତେ ମାଗିବାରୁ । ଫଁ ଫଁ ହେଇ ଦନ୍ତା ଖେଦିଲା ପରି ଖେଦିଲା । ବାବୁ କ'ଣ ତମେ ସେ ବହି ଦୋକାନ ପରି ମୋତେ ଫେରେଇ ଦବ ବାବୁ..? ତା କଥା ଫୁଲର ମହକତା ରେ ବିବେକର ଭ୍ରମରଟା ଉଡିଆସିଲା । ତା ହୃଦୟର ଚିତ୍କାର, ତା ଲୁହବୁହା ଆଖିଟି ସାଙ୍ଗକୁ ଥର ଥର କୋମଳ ଅଧର ଦୁଇଟିର ପାଗଭରା ଦିଗନ୍ତକୁ ।


ମୋ ବାବୁଙ୍କ ରାକ୍ଷସ ହୃଦୟଟି ଯେମିତି ଅଗ୍ନିର ସଞ୍ଜୋଗେ ମହମବତୀଟି ତରଳିବାକୁ ଲାଗେ । ସେ ଭିକାରୀର କଥା ସଂଯୋଗେ ବାବୁଙ୍କ ରାକ୍ଷସ ହୃଦୟର ମହମରବତୀଟି ତରଳି ମଣିଷ ପଣିଆର ହୃଦୟଟିଏ ହବାପରି ବାବୁ ୨୦ଟଙ୍କା ତା ହାତକୁ ବଢେଇଦେଲେ । ତା'ପରେ... ସେ ଭିକାରୀଟି ଖୁସିର କହିଲେ ନସରେ । ସତେ ଯେମିତି ଝରଣାର ସ୍ଥିର ଜଳରାଶି କଳ କଳ ନାଦରେ ବହିଯାଉଛି ବାଟ ଅବାଟକୁ ନ ମାନି । ଯେମିତି ବାବୁ ତା ପାଇଁ ସ୍ୱୟଂ ପାଲଟିଯାଇଛନ୍ତି ଶୂନ୍ୟତାରେ ଅନୁଭବ କରୁଥିବା ବିଶ୍ୱାସରେ ବିଶ୍ୱାସ ହେଉଥିବା ଦେବତାଙ୍କ ଏକ ରକ୍ତ, ମାଂସ, ଅସ୍ତିରେ ଗଢ଼ା ତା ପାଇଁ ଦେବତାଟିଏ । ଭିକାରୀଟି ତା ଅନ୍ତରରୁ ଖୁସିର ଲହଡିର ସ୍ୱରରେ କହିଲା, ବାବୁ... ଆମ୍ବ ବଉଳକୁ କୁହୁଡି ପୋଡିଲାପରି ତମେ ସେ କୁହୁଡି ନୁହଁ ବାବୁ । ଅନ୍ୟମାନଙ୍କ ଅପେକ୍ଷା ତମେ ବହୁତ ଭଲ ବାବୁ । ତମ ହୃଦୟର ଚାରିପାଖେ ଯୋଉ ତାର ବାଡ ଜାଲି ଦିଆଯାଇଛି ସେଇ ଜାଲିଟା ବାବୁ ଦେଖାଣିଆ ବାବୁ । ଆଉ ତମ ହୃଦୟର ତାଟିଘର ତଳେ ଲୁଚିରହିଚି ଏକ ରାଜପ୍ରସାଦର ବିବେକ ପଣିଆ ।


ବାବୁ ଯାଣିଚ ..? ଏଇ ଲୋକେମାନେ କୁହନ୍ତି ହାତ ଗୋଡ ଭଲଥିବା ଭିକାରୀ ମାନେ କାମ ଖୋଡିଆ, କାମ ନକରି କଷ୍ଟ ନକରି ସରଳ ସହଜ ଉପାୟ ବାଛି ନେଉଛନ୍ତି ଏ ଭିକ ମାଗିବା ରାସ୍ତାଟିକୁ । ସତ କହିବ ବାବୁ ..? ସବୁ ଫୁଲ କ'ଣ ଏକାପରି ବାସ ଦେଇଥାନ୍ତି ନା ସବୁଫୁଲ ମନ୍ଦିରରେ ପୂଜାପାଇଥାଏ ବାବୁ...? ନା ସବୁ ଫୁଲ ମାଳିର ଭାଗ୍ୟରେ ଥାଏ ବାବୁ...? ବାବୁ କ'ଣ ଭିକାରୀ ମାନେ କଷ୍ଟ କରନ୍ତିନି..? ବାବୁ... ଗ୍ରୀଷ୍ମର ଧୂ ଧୂ ତାତି ଖରା ସାଙ୍ଗକୁ ଟାଇଁ ଟାଇଁ ଝାଞ୍ଜି ପବନ ସାଥିରେ, ଯେତେବେଳେ ଗୋଟାଏ ଭିକାରୀ ଏ ଦାଣ୍ଡରୁ ସେ ଦାଣ୍ଡ, ଏ ଦୋକାନରୁ ସେ ଦୋକାନ, ଏ ଗାଁ'ରୁ ସେ ଗାଁ, ଏ ଗଳିରୁ ସେ ଗଳି ବୁଲି ବୁଲି ତା ପାଦକୁ ଥକିବାକୁ ନଦେଇ ଧାଇଁ ଯାଉଥାଏ, ସେଇଟା କ'ଣ ବାବୁ କଷ୍ଟ ନୁହଁ ..? ସେଇଟା କ'ଣ ବାବୁ ଯନ୍ତ୍ରଣା ନୁହଁ..? ଆଉ ଗୋଟେ ମାଆ ଯାତେବେଳେ ତା ବାପ ଛେଉଣ୍ଡ ଛୁଆକୁ ତା ଅଣ୍ଟିରେ ଧରି ଚାଲି ବୁଲୁଥାଏ ବର୍ଷାର ଥୁଆକୁ ଥୁଆ ସାଙ୍ଗକୁ କୁଆପଥରର ମାଡକୁ ସହ୍ୟକରି ତା ଛୁଆ ସହିତ । କେହି ଭିକାରୀ ବୋଲି କହି ଆଶ୍ରୟ ଦବାକୁ କୁଣ୍ଠିତ ହୁଅନ୍ତି । ଆଉ ସେତେବେଳେ ଯାଇ ସେ କୋଉ ଗାଁ'ର ଠାକୁର ଘରେ କି ବଜାରର ପୋହ୍ଲ ତଳେ ଛେଳି ଗାଈ କୁକୁର ସହିତ ମା' ଛୁଆ ମଣିଷ ଦୁଇଟି ପଶୁ ହୁଅନ୍ତି । ଏ ଦୁନିଆକୁ ଭଲକରି ଦେଖିନଥିବା ଶିଶୁଟି ଓ ତା ମା'ର ଏଇଟା କ'ଣ ଛାତିଫଟା କଷ୍ଟ ନୁହଁ ବାବୁ..? ଯନ୍ତ୍ରଣା ନୁହଁ...? ଆଉ ଯେତେବେଳେ କଳା କିଟି କିଟି ଅନ୍ଧାରକୁ ଚାଦରକରି ରାତିରେ ଘୋଡେଇ ହେଇ ଜୁଳୁଜୁଳିଆ ପୋକର ଆଲୁଅରେ ଖୋଲା ଆକାଶ ତଳେ କୌଣସି ଏକ ଅଚିହ୍ନା ଅଜଣା ଠିକଣାରେ ଦାନ୍ତକୁ ଦାନ୍ତ ବାଡେଇ ହାଡ ଭଙ୍ଗା ଜାଡ ସାଙ୍ଗକୁ ବରଷା ଛିଞ୍ଚା କାକର ବୁନ୍ଦା ସହ ମଶା ମାଛି ସାପ ବନ୍ୟ ଜୀବଯନ୍ତୁଙ୍କ ସହ ତା ଜୀବନଟିକୁ ଧରି ଲଢେଇ କରେ, ସେଇଟା କ'ଣ ବାବୁ ତା ଜୀବନର ପରିଶ୍ରମ ନୁହଁ..? ସେଇଟା କ'ଣ ଗୋଟାଏ ଭିକାରୀର କଷ୍ଟ ନୁହଁ...? ବାବୁ ଜଣେ ଦିନ ମଜୁରିଆଟେ କି ହାକିମ ବାବୁଟେ, ଯେତେବେଳେ ଯାଇ ତା ବଳ ଖର୍ଚ୍ଚକରୁଚି, ରକ୍ତ ନିଗାଡୁଚି ପରିଶ୍ରମ କରୁଚି, କ'ଣ ତା ଯୋଗ୍ୟତାଟା ଖାଲି କଠୋର ପରିଶ୍ରମ ଆଉ ଉଚିତ୍ ପରିଶ୍ରମ..? ଆଉ ଭିକାରୀଟେ ତା ଯୋଗ୍ୟତା ଅନୁସାରେ ଗରମ ପାଣିପରି ତା ଦେହରୁ ନିଗାଡୁଥିବା ଝାଳ କ'ଣ ତା'ର କଠୋର ପରିଶ୍ରମ ନୁହଁ ବାବୁ..? ବାବୁ ଜଣେ ମଣିଷ ଯେତେବେଳେ ତା ବଳତକ ଖର୍ଚ୍ଚ କରେ... କୋଉଠୁ.? ବାବୁ ସେଇ ଲାଲ୍ ମନ୍ଦାର ରକ୍ତ ସାଙ୍ଗକୁ ମାଂସ ଅସ୍ତି ଗଢା ସେଇ ଶରୀରରୁ କରିଥାଏନା ବାବୁ..? ଆଉ ଯେତେବେଳେ କଠୋର ପରିଶ୍ରମବି କରିଥାଏ ସେଇ ଦେହରୁ ନା ବାବୁ..? ବାବୁ...ଯେତେବେଳେ ଜଣେ ସାଧାରଣ ମଜୁରିଆ କି ମୁଲିଆଟେ କି ଭିକାରୀଟେ କି ହାକିମ ବାବୁଟେ । ତା ଯୋଗ୍ୟତାର ପାରିଶ୍ରମିକ ପ୍ରାପ୍ୟ ତାକୁ ତା ପରିଶ୍ରମରୁ ନିର୍ଦ୍ଧାରି ମିଳିଥାଏନା ବାବୁ...? ଆଉ ଯେତେବେଳେ ଗୋଟାଏ ଭିକାରୀଟେ ତା ନିର୍ଦ୍ଧାରିତ ଯୋଗ୍ୟତାକୁ ନେଇ ଦେହରୁ ସବୁ ରକ୍ତକୁ ନିଗାଡି ବଳକୁ ଓଜାଡି ପରିଶ୍ରମ କରି ଲହୁ ଲୁହାଣ ହେଇ ତା ପ୍ରାପ୍ୟକୁ ତା ପାପୁଲିରେ, ପ୍ରକୃତ୍ତି ସବୁ ରୂତୁକୁ କୋଳେଇ ନେବାପରି କୋଳେଇ ନେଇ ତା ଅନ୍ତର ସହିତ ଆଲିଙ୍ଗନ କରେ ତା'ହେଲେ ଏ ଲୋକମାନେ ଆଉ ଏ ଦୁନିଆଁ କାହିଁକି ତାକୁ ଭିକାରୀ କହି ଖୋଡିଆ, ନିକର୍ମା ବୋଲି ସୁଚେଇଦିଏ ବାବୁ...? ବାବୁ କ'ଣ ସେଇ ଭିକାରୀ ଯଦି ହାକିମ କି କୌଣସି ସ୍ଵୀକୃତି ପ୍ରାପ୍ତ କର୍ମଚାରୀ ପରି ଏ ଦୁନିଆର ଉଚ୍ଚ ସ୍ଵୀକୃତି ପାଇଥା'ନ୍ତା ସେ କ'ଣ ବାବୁ ଭିକ ମାଗିବାକୁ ଚାହିଁଥା'ନ୍ତା ନା ଖରା ବର୍ଷା ଶୀତ କାକର ଅନ୍ଧାର ସହି ତା ପରିଚୟ ସେ ନିଜେ ତିଆରି କରନ୍ତା ଯାହାକୁ ଏ ଦୁନିଆଁ କୁହନ୍ତା ଭିକାରୀ..।


ଏତେ ବୁଦ୍ଧି କୋଉଠିଥିଲା କେଜାଣି ସବୁତକ ଓଯାଡିଦେଇ ମୁଣ୍ଡିଆଟେ ମାରି ଚାଲିଯାଇଥିଲା ସେ ଆମ ପାଖରୁ । ହେଲେ ଆଜି ଯେତେବେଳେ ଦିନ ୧ଟା ନ୍ୟୁଜ୍ ଦେଖିବାକୁ ଟିଭିଟି ଲଗେଇଚି । ଓଟିଭିର ନ୍ୟୁଜରେ ଦେଖିଲି ଜୀବନର ଜୀବନୀ କଥାଟି । ନିଜକୁ ଗର୍ବିତ ଅନୁଭବ କରୁଥିଲି.... ସାମ୍ବାଦିକାଙ୍କ ପାଟିରୁ ତା ଜୀବନୀଟି ଶୁଣି । ହଁ ସେଇ ଭିକାରୀ ଯିଏ ୪ବର୍ଷ ବୟସରେ ଗାଡି ଦୁର୍ଘଟଣାରେ ବାପା ମା'କୁ ହରେଇଥିଲା । ଏକ ସମ୍ଭ୍ରାନ୍ତ ପରିବାରର ଥିଲା ସେ । ସେଇ ବାପା ମା' ଛେଉଣ୍ଡ ଜୀବନ ମହାରଣା । ସେଦିନରୁ ସେ ଭିକାରୀ ସାଜିଗଲା ତା ବାପା ମା'ଙ୍କୁ ହରେଇ କୁସୁମପୁର ଜଙ୍ଗଲ ପାଖେ ଦୁର୍ଘଟଣାରେ ଶୀକାର ହେଇ । ହେଲେ, କଥାରେ ଅଛି ଯାହାକୁ ରଖିବେ ଅନନ୍ତ କି କରିପାରେ ବଳବନ୍ତ । ସେ ଦିନ ଦୁର୍ଘଟଣାରୁ ବାପା ଆଉ ମା'ଙ୍କୁ ହରେଇ ନିଜ ଜୀବନକୁ ରକ୍ଷା ପାଇଥିଲା ସେ । ହେଲେ ଏତେବଡ ଦୁନିଆଁଟିରେ ଠିକଣାର ବାଟ ଭୁଲି ଅଜଣା ରାଇଜେ ସେ ଭିକାରୀ ସାଜିଗଲା ତା ପରିବାରକୁ ହରାଇ । ଆଉ ଏକ ଭିକାରୀର କୋଳରେ । ସିଏ ବି କିଛିଦିନ ପରେ କାଉ ବସାରେ କୋଇଲି ଅଣ୍ଡା ଛାଡିବା ପରି ସେ ସ୍ତ୍ରୀଲୋକ ଭିକାରୀ ଜଣକ ସବୁଦିନ ପାଇଁ ଆଖିବୁଜି ଦେଇଥିଲା । ଏ ଦୁନିଆଁରୁ ଜୀବନକୁ ଏକାକରି । ହେଲେ ସେଇ ଭିକାରୀଟି ଆଜି ମ୍ୟାଟ୍ରିକ୍ ପରୀକ୍ଷାରେ ଓଡିଶାରେ ପ୍ରଥମ ସ୍ଥାନ ଅଧିକାର କରିଚି ସେ ସଂଗଠନ ସହାୟତାରେ । ଯୋଉ ସଂଗଠନଟି ସେଦିନ ଜୀବନକୁ ରାସ୍ତାକଡରୁ ଅଚେତ ଅବସ୍ତାରେ ପାଇ ଆଉ ଏକ ନୂଆ ଜୀବନ ଦେଇଥିଲା । ହଁ ସେଇଦିନ ପାଠ ପଢିବ ବୋଲି ଖାତା ଆଉ ପେନ୍ସିଲ୍ ପାଇଁ ଖୁସି ମନରେ ଧାଇଁ ଯାଉଥିଲା ଆମ ଦୋକାନ ପାଖରୁ ଯୋଉଦିନ, ସେଇଦିନ । ନିୟତିର ଇଚ୍ଛାକୁ କିଏବା ବଦଳେଇପାରିବ..? ସେଦିନ ୧୦ ବର୍ଷ ତଳେ ସମାଜ ଦର୍ପଣ ସ୍ୱେଚ୍ଛାସେବୀ ସଂଗଠନର ଗାଡିଟି ଧକ୍କା ଦେଇଥିଲା ଜୀବନକୁ । ଆଉ ଜୀବନ ଛିଟିକି ପଡିଥିଲା ରାସ୍ତା କଡକୁ । ତା'ପରେ ଅଚେତ ଅବସ୍ତାରେ ଜୀବନକୁ କଟକ ମେଡିକାଲ ନେଇଯାଇଥିଲା । "ସମାଜ ଦର୍ପଣ" ସଂଗଠନ ନିଜ କୋଳକୁ କୋଳେଇ ନେଇ ତା’ର ସବୁ ଦାୟୀତ୍ତ୍ୱ ଗ୍ରହଣ କରିଥିଲା । ଶେଷରେ ଚେତା ଫେରିଥିଲା ଜୀବନର ପରଦିନ ନୂଆ ଏକ ସକାଳରେ । ସେଇ ଜୀବନ ମହାରଣା ଆଉ ଏକ ନୂତନ ଜୀବନ ପାଇଲା କଟକ ମେଡିକାଲରେ ।


ଯାହାକୁ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧନା ଜଣେଇ ସେଇ ଜୀବନକୁ ପୁରଷ୍କୃତ କରିଛନ୍ତି । ଓଡିଶାରେ ଯିଏ ୧ମ ସ୍ଥାନ ଅଧିକାର କରିଚି ମ୍ୟାଟ୍ରିକ୍ ପରୀକ୍ଷାରେ । ସେଇ ଭିକାରୀଟି ଜୀବନ ମହାରଣା ଯିଏ ସ୍କୁଲ୍ ପିଲାଙ୍କୁ ଦେଖି ପଢିବାକୁ ଇଚ୍ଛା କରିଥିଲା । ସେଇ ଭିକାରୀ ଜୀବନ ମହାରଣା । ଆଜି ଓଡିଶାରେ ଟପ୍ପର ହେଇଚି ମ୍ୟାଟ୍ରିକ୍ ପରୀକ୍ଷାରେ । ସମାଜ ଦର୍ପଣ ସ୍ୱେଚ୍ଛାସେବା ସଂଗଠନର ସହାୟତାରେ ଆଉ ତା ମନୋବଳରେ । ଜୀବନର ପାଠ ପଢାପଢି ଠାରୁ ଆରମ୍ଭ କରି ତା’ର ସବୁ ଦାୟୀତ୍ତ୍ୱ ଗ୍ରହଣ କରି ଆଗେଇ ଆସିଥିଲା ସେଇ ସମାଜ ଦର୍ପଣ ସଂଗଠନ । ଆଜି ଯାହାପାଇଁ ଜୀବନ ଆଉ ଏକ ନବ ଜୀବନ ପାଇଛି ।

Post a Comment

0 Comments