ବିନା ଆଶ୍ରେ ନ ବଞ୍ଚନ୍ତି
କବିତା ବନିତା ଲତା,
ଏହା କଣ ନୁହେଁ ନାରୀକୁ
ଦୁର୍ବଳ କି ଅବଳା କରିଦେବାର
ରୀତିମତ ଗୋଟେ ଷଡ଼ଯନ୍ତ୍ର
କିଏ ନଜାଣେ ।
ସହନଶୀଳତା ଲଜ୍ୟାଶୀଳା ଆସୂର୍ଯ୍ୟାପଶାମ
ଏମିତି କେତେ ଭୂଷଣରେ
ମୋତେ ସଜେଇ ଦେଇଚି ପୁରୁଷ
ଆଉ କେଉଁ ଅଳଙ୍କାର ମୋର ଲୋଡା ଯେ,
ଖରା ବାଜିଗଲେ ଦେହରେ କାଳେ
ଝାଉଁଳି ଯିବି କି କଳା ପଡ଼ିଯିବି
ଚତୁରତାରେ କରିଦେଇଛି ଅବଗୁଣ୍ଠନାବତୀ
କେବଳ ଲାଳସାର ଆକୁଣ୍ଠ ଉପଭୋଗ ପାଇଁ ।
ସକଳ ଦେବଗଣ ଏବେ ଲୋଡ଼ୁଛନ୍ତି ମୋତେ,
ମହିଷାସୁର ନିଧନ ପାଇଁ,
ନିଜ ନିଜର ଜ୍ୟୋତିରୁ ସୃଷ୍ଟି କରିଦେଲେ ମୋତେ
ବିନା ଅସ୍ତ୍ରେ କେମିତି ବଧିବି ମୁହିଁ ଦୁର୍ଦ୍ଦାନ୍ତ ରାକ୍ଷସ,
ଖଞ୍ଜି ଦେଲେ ମୋ ହସ୍ତରେ
ତେତ୍ରିଶ କୋଟି ଦେବତାଙ୍କ ଅସ୍ତ୍ର ।
ମିଛରେ ବାହା ବାହା ନେବା ପାଇଁ
ଗୋଟିଏ ରାକ୍ଷସ ମାରିବା ଲାଗି,
କି ଲଜ୍ୟା........
କୋଉ କାମରେ ଲାଗିଲା ସେମାନଙ୍କର ଅସ୍ତ୍ର
ତଥାପି ନିଅଁଟ ହେଲା ଯେ
ମୋତେ ବିନ୍ଧିବାକୁ ହେଲା
ମୋ ଶେଷତମ ଅସ୍ତ୍ର ।
ଯାହା ନିର୍ବୀର୍ଯ୍ୟ କରିଦେଲା ଦୁର୍ଦ୍ଧାନ୍ତ
ପୁରୁଷକାରକୁ........
ମୋ ରୂପକୁ ନେଇ କେତେ ଯୁଦ୍ଧ
କେତେ ହଣାକଟା,
ମେଢ଼ରେ ବି ମୋ ରୂପକୁ ନେଇ
କେତେ ପ୍ରତିଯୋଗିତା,
ତା ପୁଣି କ୍ଷଣିକ ପାଇଁ
ଆବାହନ ପରେ ବିସର୍ଜନ ।
ଋଷି ଦେବତା ଗୁଡ଼ାକ କୋଉ ସତ୍ ପୁରୁଷ
ଛଦ୍ମ କପଟେ ଚରିତାର୍ଥ କରନ୍ତି
ନିଜର ଲାଳସା,
ମୋତେ ଆଦରିବାକୁ ପଡ଼େ ପଥର ଭାଗ୍ୟ
କୁହୁଡି ଢାଙ୍କି ନଦୀଗର୍ଭରେ ଧର୍ଷିତା ହେବା
ମତ୍ସ୍ୟଗନ୍ଧାରୁ ଯୋଜନଗନ୍ଧା,
କି ପରମାର୍ଥ ମୋର ।
ଅଗ୍ନିସ୍ନାନରୁ ବାହାରି ଆସିଥିବା ମୋର
ଦୀର୍ଘଶ୍ୱାସରେ ଦିନେ ତରଳି ଯିବ ଏ ମିଛ
ବରଫ ଘେରା ପୃଥିବୀ,
ସେଦିନ ସଭିଏଁ ବୁଝିବେ ନାରୀ ଅବଳା ନୁହେଁ
କେବଳ ଅପେକ୍ଷା........
ମଲ୍ଲୀପୁର, ନିଆଳ, ଖୋର୍ଦ୍ଧା
ଦୂରଭାଷ : ୯୪୩୯୦୧୧୦୬୩
VOL.IX, ISSUE.IX, SEPTEMBER-2025
Published By Banamallira Mahak