ତମେ ଗାଅ ଯେବେ ମିଠା ମିଠା ଗୀତ
ତାପିତ ପରାଣ ତୀରେ,
ଖୋଜେ ଏ ହୃଦୟ ତମ ପଣତକୁ
ଟୋପା ଟୋପା ବର୍ଷାଧାରେ ॥
ବରଷା ରାଣୀ ଗୋ ବଧୂ ସାଜିବ କି
ବନ୍ଧୁ ସାଜିବ କୁହ?
ଆଖିର ଲୁହକୁ ଦୁହେଁ ବାଣ୍ଟିନେବା
ବରଷିକି ମିଠା ମୋହ ॥
ବର୍ଷା ଗୋ ତୁମେ ଦରଦୀ ଓଠର
ଭିଜାଭିଜା ହସଫୁଲ,
ଯାହାର ପରଶେ ହୁଏ ମୁଁ ହରଷେ
ସପନରେ ଝଲମଲ ॥
ବରଷାରେ ସିନା ତମେ ଭିଜୁଥିଲ
ଅଧା ରହିଗଲି ମୁହିଁ,
କେମିତି କୁହତ କହିବି ଶ୍ରାବଣୀ
ତମେ ମୋର ପ୍ରୀତିନଈ ?
ମୁକୁଳା କରିଛି କେଶକୁ ମୋହର
ବରଷାରେ ଭିଜିଭିଜି,
ମାନ କି ନମାନ ତାହା ହିଁ ମୋହର
ପ୍ରତୀକ୍ଷାର ଚେରାପୁଞ୍ଜି ॥
ଭାବରେ ଭିଜୁଛି ନିଜକୁ ହଜାଇ
ସାରାରାତି ବରଷାରେ,
ତମେ ଅଛି ବୋଲି ତୃଷ୍ଣା ତଟିନୀ ମୁଁ
ଛୁଇଁବାକୁ ସିନ୍ଧୁନୀରେ ॥
ବରଷାରେ ଯେବେ ତମେ ଭିଜୁଥାଅ
ମୋ ଦେହରେ ଶିହରଣ,
ବୋଧେ ସେଥିପାଇଁ ବସନ୍ତ ଋତୁର
ଅଦିନରେ ଆଗମନ ॥
ଜନାର୍ଦ୍ଦନପୁର ଶାସନ, କେନ୍ଦୁଝର
ମୋ - ୭୬୮୩୮୬୭୭୪୨
VOL.IX, ISSUE.IX, SEPTEMBER-2025
Published By Banamallira Mahak