
ଛୋଟ ମୋର ଗାଆଁ ଚିଲିକା କୂଳରେ ପାହାଡ ପର୍ବତ ଘେରା
ସବୁଠୁ ସୁନ୍ଦର ରମ୍ୟ ମନୋରମ ଦିଶୁଥାଏ ବଡ ତୋରା
ଏମାଟି ମାଆ ମୋ ସର୍ବ ସୁଲକ୍ଷଣୀ ଅନିନ୍ଦ୍ୟ ତା ରୂପ ଶୀରି
ସବୁଜ ବନାନୀ ସୁନୀଳ ଚିଲିକା କେହି ନୁହେଁ ତାର ସରି ।।
ମନ୍ଦିର ମାଳିନୀ ଗାଆଁ ଠାକୁରାଣୀ ବାବା ନୀଳକଣ୍ଠେଶ୍ଵର
ପତିତପାବନ କେତନ ଉଡଇ ନୀଳଚକ୍ରେ ନିରନ୍ତର
ଶୀତ କାଳେ ସାତ ଦରିଆ ପାରିର ପକ୍ଷୀଯୁଥ ସମାବେଶ
କଳ କାକଳିର ଶଦ୍ଦେ ଶଦ୍ଦାୟୀତ ହୋଇ ଉଠେ ପରିବେଶ ।।
ସକାଳ ଅରୁଣ କିରଣ ରେ ମୋର ଗାଆଁ ଆନନ୍ଦରେ ହସେ
ବନବୀଥି ଗାଆଁ ବନାନୀ କନ୍ଦରୁ ଫୁଲ ମହମହ ବାସେ
ସକାଳୁ କୃଷକ ହଳ ଲଙ୍ଗଳକୁ ସଜାଡି କେଦାର ମାଳେ
କାଳିଆ କସରା ବଳଦ ଯୋଚିଣ ଚାଷ ଦୃଶ୍ୟ ମନହରେ ।।
ସଞ୍ଜ ହେଲେ ଫୁଟେ ଜହ୍ନି ଫୁଲ ଜହ୍ନ ଢାଳଇ କିରଣ ରାଶି
ସଞ୍ଜବତୀ ଜାଳେ କୁଳ ଭୁଆସୁଣୀ ବୃନ୍ଦାବତୀ ମୂଳେ ବସି
ମନ୍ଦିରରୁ ଘଣ୍ଟ ଘଣ୍ଟା ଭେରି ତୂରୀ ଉଚ୍ଚ ଓଁକାର ଶବଦ
ଭାଗବତ ଟୁଙ୍ଗୀ ଭିତରୁ କିର୍ତ୍ତନ ଭାଗବତ ଗୀତ ଛନ୍ଦ ।।
ରବେ ରବମୟ ହୋଇଉଠେ ମୋର ଏଇ ଟିକି ପଲ୍ଲୀ ଗାଆଁ
ତା'କୋଳେ ଜନମି ମୁହିଁ ଭାଗ୍ୟବାନ ସେମାଟି ମୋହର ମାଆ
ତା'ପଦେ ପ୍ରଣତି ଢାଳେ ମୁହିଁ ନିତି ଜନମିଛି ତାର କୋଳେ
ଶେଷ ଶଯ୍ୟା ମୋର ଗାଁ ଶ୍ମଶାନରେ ଜୀବନର ଅନ୍ତକାଳେ ।।
ମଙ୍ଗଳାଯୋଡି, ଖୋର୍ଦ୍ଧା
VOL.IX, ISSUE.IX, SEPTEMBER-2025
Published By Banamallira Mahak