
ଗୁରୁ ହୋଇ ଯଦି ଜାଳିପୋଡ଼ି ଦେଲେ
ଗୁରୁ ବନିବାର ଆଶା,
କିମ୍ପାଇ ପୂଜିବା ଆଜିର ଗୁରୁଙ୍କୁ
ହେବା କାହିଁ ଲୋକହସା ।।
ଗୋଟେ ହାତେ ତାଳି ବାଜେ ନାହିଁ କବେ
ଦୋଷୀ ଚାଲିଯାଏ ଖସି,
ନିରୀହ ଛାତ୍ରୀଟି ଜଳିପୋଡ଼ି ଯାଏ
ବିଭାଗ ସାଜିଲେ ଦୋଷୀ ।।
ଦେଖିଯାଅ ଥରେ ବ୍ୟାସ ବାବୁ ତୁମେ
ଏଇ ତୁମ ଜନ୍ମ ମାଟି,
ରେବ ପରି କେତେ ଜଳି ଚାଲିଛନ୍ତି
ନିଜ ସ୍ଵପ୍ନ କରି ମାଟି ।।
ଆଇନ୍ କାନୁନ୍ ଗୋଲାମ ସାଜିଛି
ବଡ଼ବାବୁ ପାଦ ତଳେ,
ଶିକ୍ଷକଙ୍କୁ ଶିକ୍ଷା ଦେବା ପାଇଁ ଏଠି
ନୀରିହ ଜୀବନ ଟଳେ ।।
ଏବେ ବି ଚାଲିଛି ଶିକ୍ଷା ମନ୍ଦିରରେ
କୁ-ଶିକ୍ଷାର ରାଜନୀତି,
କେତେ କେତେ ସୈମ୍ୟା ବଳି ପଡ଼ୁଛନ୍ତି
ଶୁଣିଲେ ଥରଇ ଛାତି ।।
ଶିକ୍ଷା ପରି ଏକ ପବିତ୍ର ମନ୍ଦିରେ
ଶିକ୍ଷକ ସାଜିଲେ ଦୋଷୀ,
ରେବ ପରି କେତେ ଛାତ୍ରଛାତ୍ରୀ ଗଣ
ପାଇ ଚ଼ାଲିଥିବେ ଫାଶୀ ।।
ବଦଳାଅ ବ୍ୟାସେ, ତୁମ କାହାଣୀରେ
ରେବ ଜୀବନର ଝଡ଼,
ଶିକ୍ଷକଙ୍କ ଶିକ୍ଷା ଉପଯୁକ୍ତ ହେଉ
ନେଉ ପୁଣି ନୂଆ ମୋଡ଼ ।।
କଣ୍ଟିପୁର, ବିଞ୍ଝାରପୁର, ଯାଜପୁର
ମୋ - ୭୮୯୪୦୬୦୬୬୬
VOL.IX, ISSUE.IX, SEPTEMBER-2025
Published By Banamallira Mahak