
ମୁଁ ବୈଶାଖ ର ତପ୍ତ ନିଦାଘ
ତୁମେ ସ୍ନିଗ୍ଧ ଶୀତଳ ବାଆ
ତୁମରି ପରଶେ ତୃଷିତ ପରାଣେ
ଇନ୍ଦ୍ରଧନୁର ଛୁଆଁ..
ମୁଁ ଦିବସର କ୍ଳାନ୍ତ ଅପରାହ୍ନ
ତୁମେ ଯୋଛନାର ଧାରା
ତୁମ ଆଲୋକରେ ଆଲୋକିତ ହୁଏ
ମୋ ଜୀବନ ମଧୁଝରା..
ମୁଁ ଏକ ତୃଷିତ ଆକୁଳ ଚାତକ
ତୁମେ ବରଷା ର ବିନ୍ଦୁ
ଟୋପାଏ ସୋହାଗେ ଉଛୁଳି ଉଠଇ
ମୋ ଜୀବନର ସିନ୍ଧୁ..
ମୁଁ ଫଗୁଣର ପତ୍ରଝଡ଼ା ବୃକ୍ଷ
ତୁମେ ଚଇତାଳି ବାଆ
ମୁଁ ପଲ୍ଲବିତ ଅୟୁତ ସମ୍ଭାରେ
ଲାଗେ ଯେବେ ତୁମ ଛୁଆଁ..
ଯେବେ ପଥଶ୍ରାନ୍ତ ପଥିକ ଟିଏ ମୁଁ
ତୁମେ ପଥ ପ୍ରାନ୍ତ ଛାଇ
ମୋ ଜୀବନର ଶୁଖିଲା ମରୁରେ
ତୁମେ ଚିରସ୍ରୋତା ନଈ..
ଜାଣେନା କାହିଁକି ତୁମ ଭାବନାରେ
ମୋ ହ୍ରୁଦୟ ଉଠେ ପୁରି
ତୁମେ ଥିଲ ଅଚ୍ଛ ସଦା ରହିଥିବ
ହୋଇ ମୋ ଗନ୍ଧ କସ୍ତୁରୀ..।।
କଲ୍ୟାଣ ନଗର, ସମ୍ବଲପୁର, ଓଡିଶା
VOL.IX, ISSUE.VI, JUNE-2025
Published By Banamallira Mahak
ପ୍ରକାଶିତ ଲେଖାଟି ଯଦି ପଢି ସାରିଛନ୍ତି, ଆପଣଙ୍କ ପ୍ରତିକ୍ରିୟା ଏଠାରେ ନିଶ୍ଚୟ ରଖନ୍ତୁ ।