
ତୁମ ନାମ ଦୟା ନଦୀ
କିଏ ଦେଲା, କାହିଁକି କେଜାଣି ?
ଇତିହାସେ ଲୋକ ମୁଖେ
ନାହିଁ ତାର ତଥ୍ୟ କି କାହାଣୀ ।
କେଉଁ ଏକ ଅଶୁଭ ବେଳାରେ
ବିଭୀଷିକା ଭରିଗଲା
କଳିଙ୍ଗର ଗ୍ରାମେ ଗ୍ରାମେ ପ୍ରତି ଘରେ ଘରେ ।
କଳିଙ୍ଗ ବିଜୟ ପାଇଁ ସମ୍ରାଟ ଅଶୋକ
ବିଶାଳ ବାହିନୀ ସହ
ଧଉଳି ପାହାଡ ତଳେ ହେଲେ ଉପସ୍ଥିତ ।
କଳିଙ୍ଗ ବି ନୁହେଁ ହୀନ ବଳ
ଯୁଦ୍ଧ ହେଲା ନର ରକ୍ତେ
ଲାଲ୍ ହେଲା ଦୟା ନଦୀ ଜଳ ।
ଲକ୍ଷ ଲକ୍ଷ ସୈନିକଙ୍କ ନିର୍ଜୀବ ଶରୀର
କ୍ଷତାକ୍ତ ଆହତଙ୍କର କ୍ରନ୍ଦନର ମର୍ମଭେଦୀ ସ୍ୱର
ଦେଖି ଶୁଣି କମ୍ପୁଥିଲା ଅପାଦମସ୍ତକ
ଭାଙ୍ଗିଗଲା ସମ୍ରାଟଙ୍କ ଗର୍ବ ଅହଙ୍କାର ।
ହାତରୁ ଖସିଲା ଅସି ଘୁରି ଗଲା ମଥା
ଏ ବିଜୟ ଜୟ ନୁହେଁ ବୃଥା ଅହମିକା ।
ବିଶ୍ବରେ ବିରଳ କେଉଁଠି ବି ଘଟିନାହିଁ
ଯାହା ଏଠି ଘଟାଇଲା ମୋ ମାଟି ଉତ୍କଳ ।
ସବୁ ପାପ ଧୋଇଦେଇ ଦେଲା ତାଙ୍କୁ ଦୀକ୍ଷା
ବୁଦ୍ଧଙ୍କ ଶରଣ ନେଇ କଲେ ଧର୍ମ ରକ୍ଷା ।
"ବୁଦ୍ଧମ୍ ଶରଣମ୍ ଗଛାମି"
ବୌଦ୍ଧ ଧର୍ମବାଣୀ ହେଲା ଶିଳାରେ ଖୋଦିତ
ଧଉଳିର ଶାନ୍ତି ସ୍ତୁପ ଘୋଷେ ସେହି ମନ୍ତ୍ର ଅବିରତ ।
ଦୟାମୟୀ ଦୟା ନଦୀ ଯାଏ ବହି ବହି
ଧୋଇ ପାପ ଚଣ୍ଡାଶୋକ ହେଲେ ଧର୍ମାଶୋକ
ଏହି ବାର୍ତ୍ତା ଦେଉଛି ଚେତାଇ ।
ଦୃହୟ ଜିତିବା ପାଇଁ ଅସ୍ତ୍ର ଲୋଡା ନାହିଁ ।
ଅବସରପ୍ରାପ୍ତ ପ୍ରଧାନଶିକ୍ଷକ
ମହାଳପଡ଼ା, କଖଡି, କଟକ
ମୋ - ୯୪୩୭୮୬୪୫୬୨
VOL.IX, ISSUE.VI, JUNE-2025
Published By Banamallira Mahak
ପ୍ରକାଶିତ ଲେଖାଟି ଯଦି ପଢି ସାରିଛନ୍ତି, ଆପଣଙ୍କ ପ୍ରତିକ୍ରିୟା ଏଠାରେ ନିଶ୍ଚୟ ରଖନ୍ତୁ ।