
ଆମେରିକାର ଗୋଟିଏ କଲେଜରେ ନର୍ସିଙ୍ଗ ପଢା ପାଇଁ ନିଷ୍ପତ୍ତି ନେବାରେ ମୋ ବାପାଙ୍କର ଅବଦାନ ବହୁତ ଥିଲା । ସେଦିନ ଆମ କଲେଜ ଗୁନେଡ଼୍ ମରସିର ବାର୍ଷିକ ପତ୍ରିକାରେ ଦେଖିଲି ମୋ ନାଁ ଆଉ ପାଖରେ ଲେଖା ହୋଇଥିଲା ଉତ୍ତର ଆମେରିକାର ପ୍ରଥମ ଓଡ଼ିଆ ନର୍ସ l ମନେ ମନେ ଖୁସି ହେଲି କାରଣ ଆମେରିକାରେ ନିଜ ପାଇଁ ମୁଁ ଗୋଟିଏ ପେଶା ବାଛି ପାରଛି ବୋଲି, ଆଉ ମନରେ ଭାବିଲି କେମିତି ଆଉ କାହିଁକି ମୁଁ ଦୁଇଟି ପିଲାଙ୍କ ସହ ଏଇ ଅଜଣା ଦେଶରେ ନର୍ସିଙ୍ଗ ପେଶାକୁ ଆଦରି ପାରିଲି l
ମୁଁ ଜାଣିବାରେ ୧୯୬୦-୭୦ ମସିହାରେ ଆମେରିକାକୁ ଓଡିଶାରୁ ଲୋକ ମାନେ ଉଚ୍ଚ ଶିକ୍ଷା ପାଇଁ ଆସୁଥିଲେ l କିଛି ଲୋକ ପାଠପଢା ସରିଲା ପରେ ଏଠି କାମ ନେଇ ରହି ଯାଉଥିଲେ । ମୋ ସ୍ୱାମୀ ସୁଧାଂଶୁ ମିଶ୍ର ଆମେରିକାରେ ପୋଷ୍ଟଡ଼କ୍ଟରେଟ୍ କରି ଫେରିଯାଇଥିଲେ l ପରେ ସେ ଆମ ଦେଶରେ କାମ କରିଥିଲେ ଆଉ ଆମର ବାହାଘର ହୋଇଥିଲା l ବାହାଘର ପରେ ଆମେ ଓଡିଶା ବାହାରେ ମୁମ୍ବାଇରେ ସାତବର୍ଷ ରହିଲା ପରେ ସୁଧାଂଶୁ ଆମେରିକାକୁ ଫେରି ଆସିଥିଲେ ଚାକିରୀ ପାଇ l ତାଙ୍କ କହିବା ଅନୁସାରେ ଆମ ପିଲାମାନଙ୍କୁ ଆମେରିକାରେ ଅଧିକ ସୁଯୋଗ ମିଳିବ ପାଠ ଆଉ ପରେ ଚାକିରୀ ପାଇଁ l ମୁଁ ତାଙ୍କ ସ୍ତ୍ରୀ ଭାବେ ଆମେରିକା ଆସିବାକୁ ତିଆରି କଲି ଯଦିଚ ମୁମ୍ବାଇରେ ସାତବର୍ଷ ରହି ମୁଁ ସେଠାରେ ରହିବାରେ ଅଭ୍ୟସ୍ତ ହୋଇଥିଲି ଓଡିଶାରୁ ଆସି l ସେତେବେଳକୁ ଆମର ଦୁଇଟି ପିଲା ହୋଇଥିଲେ l ଝିଅ ସୀମାକୁ ଛ'ବର୍ଷ ଆଉ ପୁଅ ବବିକୁ ଚାରିବର୍ଷ ହୋଇଥିଲା l
ଆମେରିକାକୁ ଆସିଲା ପରେ ମୋ ପିଲାମାନେ ସ୍କୁଲକୁ ଯିବାକୁ ଆରମ୍ଭ କଲେ l ସୁଧାଂଶୁ ନିଜ କାମ ନେଇ ସକାଳ ଆଠଟାରୁ ରାତି ଛଅଟା ଯାଏଁ ବ୍ୟସ୍ତ ରହିଲେ l ଏଠି କାହାକୁ ଜାଣି ନଥିବା ଯୋଗୁ ମତେ ଦୁଇ ପହରେ ଭାରି ଏକୁଟିଆ ଲାଗେ l ମନେ ପଡେ ମୁମ୍ବଈ ରେ ବିତୁଥିବା ସମୟ ଆମ ଯେ: ବି ନଗର କଲୋନୀରେ l ଦୁଇ ପହରରେ ସେଠାରେ ଆମେ ସ୍ତ୍ରୀ ଲୋକ ମାନେ ଏକାଠି ହୋଇ କେବେ କିଟି ପାର୍ଟି କରୁ ତ କେବେ ମାଟିନ୍ ସିନେମା ସଙ୍ଗମ ବା ବହାର୍ ସିନେମା ହଲ୍ ରେ ଦେଖିବା ପାଇଁ ଯାଉ l ବେଳେ ବେଳେ ସମସ୍ତେ ମିଶି ଗାନ୍ଧୀ ମାର୍କେଟ ଯାଇ ୬୩୬ ନମ୍ବର ବା ଟେରିନ୍ ଶାଢ଼ୀ କିଣୁ, ଗୋଲଗପା ଖାଉ ଆଉ ଠିକ୍ ସମୟରେ ପିଲାମାନେ ସ୍କୁଲରୁ ଫେରିବା ପୂର୍ବରୁ ଘରେ ହାଜର ହେଉଥିଲୁ l ଆମେରିକାରେ କିନ୍ତୁ ସେ ସବୁ ନ ଥିଲା l ପ୍ରାୟ ଲୋକମାନେ ଏଠାରେ ଦୋକାନ ବା ଅଫିସ୍ ରେ କାମ କରନ୍ତି ସମୟ କଟାଇବାକୁ ! ତେଣୁ ମୁଁ ବି ଭାବି ନେଲି କିଛି ଗୋଟେ କାମ କରିବି l ଚିକାଗୋ ଉପନଗରୀରେ ଆମ ଘର ପାଖରେ ଥିବା କମ୍ୟୁନିଟି କଲେଜ ହାରପର୍ କଲେଜରେ ନାଁ ଲେଖାଇ କିଛି କୋର୍ସ କଲି l ଭାବିଲି ତା ଦ୍ୱାରା ପାଖରେ ଥିବା ଅଫିସରେ ମତେ କିଛି କାମ ମିଳିଯିବ ଆଉ ଦିନବେଳେ ମୋର ସମୟ ଭଲରେ କଟିବ l
ଚିକାଗୋ ଉପନଗରୀରେ ହାରପର୍ କଲେଜରେ କିଛି ପାଠ୍ୟକ୍ରମ କଲାପରେ ମତେ ଘର ପାଖରେ ମୋଟରୋଲା କମ୍ପାନୀ ରେ ଆନ୍ତର୍ଜାତୀୟ ବିଲିଂ ବିଭାଗରେ ଚାକିରୀ ମିଳିଗଲା l କାମକୁ ଯିବା ଆସିବା ସମୟବି ଠିକ୍ ଥିଲା l ମୁଁ ସକାଳ ସାତ ଟା ବେଳକୁ ଘରୁ ବାହାରି ପନ୍ଦର ମିନିଟ ଭିତରେ କାମ ଜାଗାରେ ପହଁଚି ଯାଏ ଗାଡି ନେଇ l ଅଳ୍ପ ସମୟ ପରେ ସୁଧାଂଶୁ ପିଲା ଦୁହିଁଙ୍କୁ ସ୍କୁଲରେ ଛାଡି ନିଜ କାମକୁ ଚାଲି ଯାଆନ୍ତି l ମୁଁ କାମରୁ ଫେରିବା ବେଳକୁ ପିଲାମାନଙ୍କୁ ନେଇ ଘରକୁ ଆସେ l ଘରେ ଜଳଖିଆ ଦେଇ ପିଲାଙ୍କ ସ୍କୁଲ କାମ ଦେଖି ଦେଲା ପରେ ରାତି ରୋଷେଇର ବନ୍ଦୋବସ୍ତ କରେ l ମୋର ନିତ୍ୟକର୍ମ ଅଫିସ୍ ଚାକିରୀରେ କିଛି ବିଲ୍ ଟାଇପ୍ କରିବା, ଜେରକ୍ସ କପି କରିବା ଆଉ ବିଲ୍ ସବୁକୁ ଡାଟାବେସ୍ ରେ କମ୍ପୁଟର ରେ ଟାଇପ୍ କରିବା ଥିଲା l ତା ଛଡା ଅନ୍ୟ ବିଭାଗରେ ଯେତେବେଳେ ଯାହା ଦରକାର ହେଉଥିଲା ମୁଁ ତାଙ୍କୁ ସାହାଯ୍ୟ କରୁଥିଲି l ଏଇସବୁ ରୁଟିନ୍ କାମ କରିବା ଦ୍ୱାରା ମତେ ସମୟ କାଟିବାରେ ଅସୁବିଧା ହେଉନଥିଲା ଆଉ ଏକୁଟିଆ ଲାଗୁ ନଥିଲା ଦିନ ଦୁଇପହରେ ଆଗପରି l
ଅଫିସ୍ କାଫେଟେରିଆ ରେ ମଧ୍ୟାହ୍ନ ଭୋଜନ କଲା ବେଳେ ଦିନେ ଆଉ ଜଣେ ଭାରତୀୟ ମହିଳା ଯାହାଙ୍କ ନାଁ ସ୍ୱଦେଶ୍ ତାଙ୍କ ସାଙ୍ଗେ ଦେଖା ହେଲା l ତା ପରଦିନ ଠାରୁ ଆମେ ଏକାଠି ଲଂଚ ଖାଇବାକୁ ଯାଉଥିଲୁ କମ୍ପାନୀ ର କାଫେଟେରିଆରେ l ସ୍ବଦେଶ୍ ହିମାଚଳ ପ୍ରଦେଶର ଲୋକ ଥିଲେ ଆଉ ତାଙ୍କ ପରିବାର ଆମ ଆଗରୁ ଚିକାଗୋ ରେ ରହୁଥିଲେ l ସିଏ ନିଜେ ଗାଡି ଚଲାଉ ନଥିଲେ ସେ ସମୟରେ l ଯେମିତି ଜାଣିଲେ ମୁଁ ନିଜେ ଗାଡି ଚଲାଉଛି ବୋଲି ଭାରି ଖୁସିରେ କହିଲେ ଚନ୍ଦ୍ରା ବହୁତ ଭଲ କରିଛ l ଏଠିତ ଗାଡି ଟା ଆମର ଗୋଡ଼, ହାତ ସବୁ l ଗାଡି ଚଲାଇ ଜାଣିଥିଲେ ବହୁତ ସ୍ୱାଧୀନତା ମିଳେ l ନହେଲେ କୁଆଡେ ଯାଇ ହୁଏନି l କଲେଜ୍ ରେ କିଛି ପାଠ୍ୟକ୍ରମ ବି କରି ହୁଏନି l ତାଙ୍କର ଇଛା ଥିଲା ଆଭ୍ୟନ୍ତରୀଣ ଡିଜାଇନ୍ ବିଭାଗରେ କାମ କରିବାକୁ l କିନ୍ତୁ ଗାଡି ଚଲାଉ ନଥିବାରୁ ଆମ କଂପାନୀରେ କିରାନୀ କାମ କରୁଥିଲେ ଆଉ ଭାରି ମନ ଦୁଃଖ ବି କରୁଥିଲେ l ଦିଲ୍ଲୀ ରେ ସିଏ ବଡ଼ ବୁଟିକ୍ ରେ ମ୍ୟାନେଜେର ଥିଲେ ଏମ. ବି. ଏ. ପାଠ ପଢି l ସେ ତାଙ୍କ ସ୍ୱାମୀଙ୍କ ସଂଗେ ସବୁଦିନ କାମକୁ ଆସୁଥିଲେ ଆଉ କାମ ସରିଲା ପରେ ଅପେକ୍ଷା କରନ୍ତି, ତାଙ୍କ ସ୍ୱାମୀ ଆସି ତାଙ୍କୁ ଘରକୁ ନେବା ପର୍ଯ୍ୟନ୍ତ l ପ୍ରାୟ ସବୁଦିନ ତାଙ୍କର ସେ ଫରିୟାଦ ଶୁଣିବାକୁ ଆମକୁ ପଡୁଥାଏ ଯେ ସିଏ ଗାଡି ଚଲାଉ ନାହାନ୍ତି ବୋଲି l ସିଏ ପ୍ରାୟ ମତେ କହୁଥିଲେ, ଚନ୍ଦ୍ରା ତୁମେ ଗାଡି ଚଲାଇ ପାରୁଛ, ତେଣୁ କଲେଜ ଯାଇ ଆମେରିକାରେ ଗୋଟେ ଡିଗ୍ରୀ ନେଇ ବୃତ୍ତିଗତ କାମ କର, ଏଇ ସାଧାରଣ ଅଫିସ୍ କାମରେ କାହିଁକି ଲାଗିଛ l ମୁଁ ବି ଭାବୁଥିଲି ସେଇ କଥା କିନ୍ତୁ କୋଉ ବୃତ୍ତି ରେ ଯିବି କିଛି ଠିକ୍ କରିପାରୁ ନଥାଏ l ବେଳେ ବେଳେ ହାରପର୍ କଲେଜରେ ପଢିଲାବେଳେ ଉପଦେଷ୍ଟା ନିଲ୍ କହିଥିବା କଥା ମନେ ପଡେ, ସିଏ କହିଥିଲେ ଆମେରିକା ବୁଦ୍ଧିଥିବା ପରିଶ୍ରମୀ ମଣିଷକୁ ସଫଳତା ର ସୁଯୋଗ ଦିଏ l ଏ ଦେଶରେ ଯେ କୌଣସି ଲୋକ, ଯେ କୌଣସି ବୟସରେ ପାଠ ପଢି ଉଚିତ ଶିକ୍ଷା ପାଇ ଚାକିରୀ କରି ପାରନ୍ତି l ତେଣୁ ବୟସ ହେଉ ବା ପିଲା ଥାଆନ୍ତୁ, ଲୋକମାନେ ନିଜ ଆବେଗକୁ ନେଇ ଉଚିତ ଶିକ୍ଷା ପାଇଁ ଚେଷ୍ଟା କରନ୍ତି ଆଉ ପରେ ମନ ମୁତାବକ କାମ କରି ପାରନ୍ତି l ଆମେରିକାରେ ଯେ କୌଣସି ବୟସରେ ଲୋକମାନେ ପାଠ ପଢି ଚାକିରୀ କରି ପାରିବlର ଉଦାହରଣ ଅଛି l ତାଙ୍କ କଥା ମତେ ଏଠାରେ କଲେଜ ଯାଇ ଡିଗ୍ରୀ ଆଣିବା ପାଇଁ ପ୍ରେରଣା ଦେଇଥିଲା ଆଉ ମୁଁ କଲେଜ ଯାଇ ଡିଗ୍ରୀ ପାଇଁ କଣ କରିବାକୁ ପଡିବ ତାହା ଜାଣିବାକୁ ଚେଷ୍ଟା କଲି l
ହାରପ୍ ର କଲେଜରେ ଆଡ୍ମିଶନ ଅଫିସର ବିଭିନ୍ନ ପ୍ରକାର କଲେଜ ଡିଗ୍ରୀ ପାଇଁ କଣ ସବୁ ବିଷୟ ନେବାକୁ ହେବ ମତେ ପାଠ୍ୟସୂଚୀ ରେ ଦେଖାଇ ଦେଲେ। କେତେ ଖର୍ଚ୍ଚ ପଡିବ ତା ମଧ୍ୟ ଲେଖି ଦେଲେ l କିଛି କମ୍ ଖର୍ଚ୍ଚ ଏଠି କଲେଜ ପଢା ନୂହେଁ ମୁଁ ଯାହା ଶୁଣିଲି ତାହା ମନେ ମନେ ଦୋହରାଇଲି । ଆଗ ମୁଁ କମ୍ପୁଟର ବା ଆକାଉଣ୍ଟିଙ୍ଗ ପାଠ୍ୟକ୍ରମ ନେବାପାଇଁ ଭାବିଲି। ତାପରେ ଦେଖିଲି ସେଠି ନର୍ସିଙ୍ଗ ପ୍ରୋଗ୍ରାମ ଥିଲା। ଗୋଟିଏ ନର୍ସିଂ ଛାତ୍ରୀକୁ ଦେଖି ମୋର ମନେ ପଡିଲା ପିଲାଦିନର କଥା l ରୋଗୀ ମାନଙ୍କର ସେବା କରିବା ପାଇଁ ମୁଁ ସବୁବେଳେ ଚାହୁଁଥିଲି l ମୁଁ କାଉନସେଲର୍ ଙ୍କୁ ପଚାରିଲି ନର୍ସିଙ୍ଗ ପାଇଁ କଣ ସବୁ କୋର୍ସ ନବାକୁ ପଡିବ ? ସାଇନ୍ସ ବିଷୟଗୁଡିକ ଆଉ ଆପଟିଚୁଡ଼୍ ପରୀକ୍ଷା ଦେବାକୁ ହେବ ବୋଲି କହିଲେ ପରାମର୍ଶଦାତା l ପିଲାଟି ଦିନରୁ ମୋର ଡାକ୍ତରୀ ପାଠ ପଢିବାକୁ ବହୁତ ଇଛା ଥିଲା l ଘରର ପରିସ୍ଥିତି ଯୋଗୁ ମୋର ବାହାଘର ଜଲ୍ଦି ହୋଇ ଯାଇଥିଲା l ମନେ ମନେ ଭାବିଲି ଡାକ୍ତର ନହେଲେବି ନର୍ସ ହେଲେ ଭଲ ହେବ ମୋ ପାଇଁ । ରୋଗୀ ଲୋକ ମାନଙ୍କୁ ସାହାଯ୍ୟ କରି ପାରିବି । ସବୁବେଳେ ବୃଦ୍ଧ ଆଉ ରୋଗୀଙ୍କର ସାହାଯ୍ୟ କରିବା ପାଇଁ ମୋର ପିଲାଟି ଦିନରୁ ଇଚ୍ଛା ଥିଲା। ମୋର ଆଗ୍ରହ ଦେଖି ଆଡ୍ମିଶନ ଅଫିସ୍ ରେ ଥିବା କାଉନସେଲର୍ ମତେ କହିଦେଲେ କଣ ସବୁ କରିବାକୁ ପଡିବ ନର୍ସିଙ୍ଗରେ ଆଡ୍ମିଶନ ପାଇଁ ଆଉ ଜୋରରେ କହିଲେ ନର୍ସିଙ୍ଗ ପ୍ରୋଗ୍ରାମ୍ ପାଇଁ ବହୁତ ଚାହିଦା ଛାତ୍ରୀ ମାନଙ୍କ ମଧ୍ୟରେ ତାଙ୍କ କଲେଜରେ l ସେଥିପାଇଁ ବହୁତ ବୁଦ୍ଧି ଆଉ ପରିଶ୍ରମ କରିବାକୁ ପଡିବ ଛାତ୍ରୀକୁ l ମନେ ମନେ ଭାବିଲି ମୋର ମନତ ନର୍ସିଙ୍ଗ ପଢିବା ପାଇଁ ହେଉଛି, ତା ହିଁ ପଢିବା ପାଇଁ ଚେଷ୍ଟା କରିବି l
କାଉନସେଲର୍ ଙ୍କ ଠାରୁ ପରିଶ୍ରମ କଥା ଶୁଣି ମୁଁ ମୋ ବାପାଙ୍କ ବିଷୟରେ ଭାବିଲି। ବାପା ଆମର ଭାରି କାମିକା ଲୋକ ଥିଲେ। ତାଙ୍କର ବୋଉ, ବାପା ପିଲାଦିନରୁ ଆର ପାରିକୁ ଚାଲି ଯାଇଥିଲେ l ପୁରୀର ସୁନାମଣି ଦେବୀ (ଘରମା, ଯାହାକୁ ଆମେ ଡାକୁ) ମୋ ବାପାଙ୍କୁ ପୁଅ କରି ପୁରୀ ଆଣିଥିଲେ। ତାଙ୍କ ଗାଁ ନାଁ ଥିଲା କଲ୍ୟାଣପୂର । ଘରମା ବାଲ୍ୟ ବିଧବା ଥିଲା । ଶୁଣିବାରେ ବାପା ତାଙ୍କ ସାହି ଇଲେକ୍ଟ୍ରିକ ଲାଇଟ୍ ତଳେ ପାଠ ପଢି ମାଟ୍ରିକ ପାସ୍ କରିଥିଲେ। ଦିନରେ ସିଏ କାମ କରୁଥିଲେ ତାଙ୍କ ଘର ଚଳେଇବା ପାଇଁ। ତାଙ୍କର ପରିଶ୍ରମ ଓ ସତର୍କ ଖର୍ଚ୍ଚ ଅଭ୍ୟାସ ଯୋଗୁ ସେ ନିଜ ଘର ଆଉ କିଛି ଜମି କିଣିଥିଲେ। ସାଇ ଲୋକ କହନ୍ତି ସେ ମୋ ବୋଉ (ହାରାମଣି) କୁ ବାହା ହେଲା ପରେ ଆମ ଘରକୁ ଲକ୍ଷ୍ମୀ ଆସିଗଲେ। ମାଟ୍ରିକ ପାଶ୍ କଲା ପରେ ବାପାଙ୍କୁ ପୁରୀ ଅଦାଲତ ଅଫିସ୍ ରେ କାମ ମିଳି ଯାଇଥିଲା । ତାପରେ ତାଙ୍କର ଗୋଟିକ ପରେ ଗୋଟିଏ ପିଲା ହେଲେ। ସେ କାଳରେ ପ୍ରାୟ ସମସ୍ତଙ୍କ ଘରେ ଚାରିରୁ ଦଶଟି ପିଲା ହେଉଥିଲେ। ଆମେ ନ ଭାଇ, ଭଉଣୀ । ତେଣୁ ବୋଉ ପିଲାଙ୍କୁ ନେଇ ସବୁବେଳେ ବ୍ୟସ୍ତ ଥିଲା । ବାପା ତାଙ୍କ ଗାଁରୁ ତାଙ୍କ ବିଧବା ଖୁଡି(ଖୁଡିମା) ଙ୍କୁ ଆଣି ଆମ ଘରେ ରଖିଥିଲେ। ବୋଉର ଘର କାମ ଆଉ ପିଲାଙ୍କ କାମରେ ସାହାଯ୍ୟ କରିବାକୁ। ଖୁଡ଼ିମାବି ଖାଇପିଇ ଖୁସିରେ ପିଲାଙ୍କୁ ବଡ଼ କରିବାରେ ବୋଉର ସାହାଯ୍ୟ କରି ଖୁସିରେ ଥିଲେ l ବେଶୀ ଧନ ନଥିଲେବି ବାପା ସବୁବେଳେ ତାଙ୍କ ଗାଁର ପୁତୁରା ଝିଆରୀ ମାନଙ୍କୁ ସାହାଯ୍ୟ କରିବା ପାଇଁ କୁଣ୍ଠିତ ନଥିଲେ। ତାଙ୍କ ପୁତୁରାମାନେ ଅଳସୁଆ ଥିଲେ । ଗଞ୍ଜେଈ ଖାଇବାରବି ଅଭ୍ୟାସ ସେମାନଙ୍କର ଥିଲl । ବାପା ତାଙ୍କ ଉପରେ ବିରକ୍ତ ହେଲେ ବି ଦରକାର ବେଳେ ତାଙ୍କୁ ସାହାଯ୍ୟ କରୁଥିଲେ ।
ମୋର ମନେ ପଡିବାରେ ବାପା ମୋର କେବେ ଚପଲ ହଳେ ପିନ୍ଧି ନଥିଲେ। ସବୁ ମିଶାଇ ଦୁଇଟି ବା ତିନିଟି ଶାର୍ଟ ଓ ତିନି, ଚାରିଟା ଧୋତି ତାଙ୍କର ଥିଲା। ଯୋଡ଼େ ଗାମୁଛାରେ ସେ ସାରା ବର୍ଷ ଚଳାଇ ଦିଅନ୍ତି । ପୁରୀରେ ଆମର ଶୀତ ନଥିବା ଯୋଗୁ ବାପା ସ୍ବେୱାଟର୍ ଓ ମଫଲର୍ କେବେ ପିନ୍ଧିବାର ମୋର ମନେ ନାହିଁ। ଆମ ବାଡ଼ିରେ ନାନା ପ୍ରକାର ପରିବା ବାପା ନିଜେ ଲଗାନ୍ତି । ଆମ ପକା ଘର ତିଆରି ବେଳେ ସିଏ ନିଜ ହାତରେ ମିସ୍ତ୍ରୀ ମାନଙ୍କ ସାଙ୍ଗରେ କାମ କରିବାକୁ ପଛଉ ନଥିଲେ। ସବୁବେଳେ କହୁଥିଲେ ମୋର ଛଅ ଝିଅ। ତାଙ୍କୁ ବାହାଦେବାକୁ ପଇସା ରଖିବି। ନହେଲେ ସେମାନଙ୍କ ଜୀବନ ଆଗକୁ କେମିତି ହେବ ? ତିନି ପୁଅଙ୍କୁ କଲେଜ୍ରେ ପଢେଇବାକୁ ସବୁବେଳେ ଭାବୁଥିଲେ । ପିଲାଦିନେ ମତେ ଭାରି ଖରାପ ଲାଗେ ବାପା ବିନା ଚପଲ୍ ରେ ଆମ ସ୍କୁଲ କୁ ଆସିଲା ବେଳେ। ସାଙ୍ଗ ମାନେ ହସିବି ଦିଅନ୍ତି । ମୁଁ ମନା କରେ ବାପାଙ୍କୁ ସ୍କୁଲକୁ ଆସିବା ପାଇଁ। ସିଏ କହନ୍ତି ନାଇଁ, ମା ଛେଉଣ୍ଡ ପିଲା । "ମୁଁ ଯାଇ ସାର୍ ମାନକୁ ତୋର ପଢା କଥା ପଚାରି ଦେଇ ଆସେ" । ଟ୍ୟୁସନ୍ ତ ତୁ ହଉନୁ । ମୁଁ ମୁହଁ ଫୁଲାଇ କହେ ମୁଁ ଫେଲ୍ ତ ହଉନି । ତୁମର ସ୍କୁଲ୍ କୁ ଆସିବା କଣ ଦରକାର? ଅସଲ କଥା ବାପା ଚପଲ୍ ନପିନ୍ଧି ଖାଲି ଗୋଡ଼ରେ ଆସିଲେ ମତେ ଲାଜ ଲାଗେ। ସାଙ୍ଗମାନେ ତଳୁଆ ଆଖିରେ ବାପାଙ୍କୁ ଅନାନ୍ତି, କେତେ ଜଣ ହସିବି ଦିଅନ୍ତି। ଏବେ ଭାବୁଛି ମୋ ବାପା ଆମକୁ କେତେ ଭଲ ପାଉଥିଲେ। ନିଜେ ଅଳ୍ପ ପିନ୍ଧି ଆମ ପାଇଁ ପଇସା ରଖିବାକୁ ସବୁବେଳେ ଭାବୁଥିଲେ । ବୋଉ ନଥିଲେ ବି ଆଉ ଥରେ ବାହା ହେଲେନି, କେବଳ ଆମର ସାବତ ମା ନହେଉ ବୋଲି। ଆମ ଛଅ ଭଉଣୀ ମାନଙ୍କ ପାଇଁ ଉପଯୁକ୍ତ ପାତ୍ର ବାଛିବା ସହଜ କାମ ନଥିଲା । ଲୋକମାନେ ଗୋଟିଏ ଝିଅକୁ ବାହା ଦେବାରେ କେତେ ଅସୁବିଧା ଦେଇ ଯାଆନ୍ତି । ଆମେତ ଛ ଝିଅ। ବେଶୀ ଅର୍ଥ ନଥିବା ସତ୍ୱେବି ସିଏ ଆମ ସମସ୍ତଙ୍କୁ ବଡ଼ କଲେ ଆଉ ଉପଯୁକ୍ତ ଜାଗାରେ ବାହା ଦେଲେ ।
ମୁଁ ବାପାଙ୍କର କାମ କରିବାରେ ନିପୁଣ ଗୁଣ ଆଦରେଇ ନେଇଥିଲି । ତେଣୁ ବାହାଘର ପରେବି ଶାରୀରିକ ପରିଶ୍ରମ କରିବାକୁ କେବେ ପଛେଇ ନଥିଲି । ବାହାଘର ପରେ ପିଲାଙ୍କ ସଂଗେ ମୁଁ ସକାଳ କଲେଜ ରେ ନାଁ ଲେଖେଇ ବି. ଏ. ପାସ୍ କଲି ମୁମ୍ୱାଇରେ । ସେଥିପାଇଁ ମତେ ରାତି ଚାରିଟାରେ ଉଠି ଯୋଡିଏ ବସ୍ ନେଇ କଲେଜ୍ ଯିବାକୁ ପଡ଼ୁଥିଲା l ମୁମ୍ବଈର ମୂଷଳ ବର୍ଷl ରେ ମୋର ଶାଢ଼ୀ ଛତା ଥିଲେବି ଓଦା ସର ସର ହୁଏ ବସ୍ ରେ ଚଢି କଲେଜ ଯିବା ବେଳେ l କେବେ, କେବେ ଭାବେ ମୋର କଣ ଦରକାର ହଇରାଣ ହୋଇ ଏମିତି ପଢିବା ? କିନ୍ତୁ କଲେଜ ରୁ ପାସ୍ କରିବା ଭାବିଦେଲେ ସେ କଷ୍ଟ କିଛି ବଡ଼ ନଥିଲା ମୋ ପାଇଁ l ଆମେରିକା ଆସି ମୁଁ ଦେଖିଲି ଏଠି ଯାହା ଜଣେ ଇଛା କରେ ତାହା ପଢି ପାରିବ ଯେ କୌଣସି ବୟସରେ। ମୁଁ ପିଲା ଦିନରୁ ଡାକ୍ତରୀ ପଢିବାକୁ ଚାହୁଁଥିଲି ଆଉ ଭଲ ଛାତ୍ରୀ ଥିଲି l ସେଇଟା ହୋଇ ପାରିନଥିଲା, ତେଣୁ ନର୍ସିଙ୍ଗ ପଢା ଆରମ୍ଭ କରିବା ପାଇଁ ବିଭିନ୍ନ ପାଠ୍ୟକ୍ରମ ନେବାକୁ ଭାବି ନେଇଥିଲି l ମନେ ମନେ ଭାବିଲି ଡାକ୍ତର ନହେଲେ କଣ ହେଲା ମୁଁ ଏଭଳି ବୃତ୍ତି କରିବି ଯାହା ପାଇଁ ମୋର ମନରେ ଆବେଗ ଅଛି l ସେଇଟା ନର୍ସିଙ୍ଗ ନିଶ୍ଚୟ ଭାବେ ବୋଲି ମନେ ମନେ ଭାବି ନେଲି l
ପରିସ୍ଥିତିର ସୁବିଧା ଥିଲେ ମୁଁ ଡାକ୍ତରୀ ପାଇଁ ନିଶ୍ଚେ ଚେଷ୍ଟା କରିଥାନ୍ତି। ମୋ ସାଙ୍ଗ ରେଖା, କମଳିନୀ, ଇରା ଆଉ ଇନ୍ଦ୍ରାଣୀ ସମସ୍ତେ ଆଜି ଡାକ୍ତର ହୋଇଛନ୍ତି । ଆମେ ସ୍କୁଲରେ ଏକା ନମ୍ବର ଆଣୁଥିଲୁ। ଆମେରିକା ରେ ନର୍ସିଙ୍ଗ ପାଇଁ କଲେଜ ଏଣ୍ଟ୍ରାନ୍ସ ପରୀକ୍ଷା ରେ ନାନା ପ୍ରକାର ପ୍ରଶ୍ନ ପଚରା ଯାଇଥିଲା। ଶେଷରେ ପଚାରିଲେ କାହିଁକି ନର୍ସିଙ୍ଗ ପଢ଼ିଵ ? ମୋର ମନେ ପଡିଗଲା "ଦିଲ ଅପନା ପ୍ରୀତ ପରାୟା" ସିନେମା କଥା। ମୀନା କୁମାରୀ ଯିଏ ଏଇ ସିନେମାରେ ନାୟିକା ହୋଇଥିଲେ ତାଙ୍କୁ ବି ଏଇ ପ୍ରଶ୍ନ କରା ଯାଇଥିଲା । ସେ କହିଥିଲେ ତାଙ୍କ ବାପା ନଥିବାରୁ ସେ ଡାକ୍ତର ନହୋଇ ନର୍ସ ହେଲେ ଘରେ ଅର୍ଥ ର ଅଭlଵ ଆଉ ପରିସ୍ଥିତି ଯୋଗୁ । ହଠାତ୍ ମୁଁ କଲେଜ ର ସାକ୍ଷାତକାରଙ୍କୁ କହିଲି, ମୋର ଲୋକ ମାନଂକୁ ସାହାଯ୍ୟ କରିବାକୁ ସବୁବେଳେ ମନ ଥିଲା । ବୋଉ ନଥିବାରୁ ଜଲ୍ଦି ବାହା ହୋଇଗଲି। ତାପରେ ପିଲା ବି ଦୁଇଟି ହୋଇଗଲେ। ଏବେ ଆଉ ଡାକ୍ତରୀ ପଢିବାକୁ ସମୟ,ସମ୍ବଳ ହବନି। କାରଣ ମୋର ପିଲାମାନେ କଲେଜ ଯିବାକୁ ତିଆରି ହେଲେଣି l ଏଠି ତ କଲେଜ ଖର୍ଚ୍ଚ ବହୁତ ଆଉ ଡାକ୍ତରୀ ପଢିବା ପାଇଁ ସମୟ ବହୁତ ଦରକାର l ତେଣୁ ନର୍ସ ହେବାକୁ ଇଛା କରୁଛି। ପ୍ରଫେସର ଜଣେ ପଚାରିଲେ ଏଠି ଶାରୀରିକ କାମ ବି କରିବାକୁ ହେବ। ତୁମେ ପାରିବ? ସାଙ୍ଗେ ସାଙ୍ଗେ ମୁଁ କହିଲି ନିଃସନ୍ଦେହ । ମୁଁ ଆମ ବାପାଙ୍କୁ ଇଟା ବଢେଇବାରେ ସାହାଯ୍ୟ କରିଛି ଆମ ପକା ଘର ତିଆରି ହେଲା ବେଳେ । କିଛି ଅସୁବିଧା ହେବନି। କେବଳ ମୁଁ ଘର ପାଖରେ ଥିବା କଲେଜ୍ ଯିବାକୁ ଚାହେଁ । ମୋ ପିଲାମାନେ ସ୍କୁଲ ରୁ ଆସିଲା ବେଳେ ମୁଁ ତାଙ୍କ ପାଖେ ରହିବା କୁ ଚାହେଁ । ସବୁ ବିଷୟ ରେ ମୋର ଭଲ ନମ୍ବର ଥିବାରୁ ନର୍ସିଙ୍ଗ ପାଇଁ ଆଡ୍ମିଶନ ହୋଇ ଯିବାର ସମ୍ଭାବନା ଥିଲା l ତେବେ ଅପେକ୍ଷା କରିଥିଲି କଲେଜ୍ ରୁ ଗ୍ରହଣ ଚିଠି ଆସିବା ପାଇଁ ଆଗ୍ରହ ସହ ! ସବୁଦିନ ମେଲ୍ ଆସିବ ବୋଲି ଅନେଇ ଥାଏ l ବେଳେ ବେଳେ ବଡ଼ ପାଟିରେ ଘର ଭିତରେ ଥାଇ କହେ ଡାକ୍ତର ନହେଲେ କଣ ହେଲା ମୁଁ ନର୍ସ ହେବି l ମୋ ମନରେ ଯେଉଁ ଭାବ ମହୁମାଛି ପରି ଯାହା ଘୁରି ବୁଲୁଚି (ରୋଗୀ ମାନଙ୍କର ଯତ୍ନ ନେବା) ସେଇଥି ପାଇଁ କଲେଜରେ ପଢ଼ିବି l ତାପରେ ଚୁପ୍ ହୋଇଯାଏ ଚାରି ଆଡ଼କୁ ଅନାଇ, ଭାବେ କାଳେ କିଏ ଶୁଣୁନିତ ?
କିଛି ଦିନ ପରେ ସୁଧାଂଶୁ ଅଲଗା କାମ ନେଇ ଫିଲାଡେଲ୍ଫିଆ କୁ ଆସିବାକୁ ନିଶ୍ଚୟ କଲେ l ଆମେ ସମସ୍ତେ ତାଙ୍କ ସାଙ୍ଗେ ନୂଆ ଜାଗା ଫିଲାଡେଲ୍ଫିଆ ଉପନଗରୀକୁ ଆସିଲୁ l ପୂର୍ବରୁ ଦିନେ ହାରପ୍ ର କଲେଜ ରୁ ଗୋଟିଏ ବଡ଼ ଚିଠି ଆସିଥିଲା l ସେଇଟାରେ ଲେଖା ଥିଲା ମୁଁ ତାଙ୍କର ନର୍ସିଂ ପ୍ରୋଗ୍ରାମ୍ ରେ ଭର୍ତି ହେଲି ବୋଲି ଆଉ ମତେ ଅଭିନନ୍ଦନ l ମୋର ଆଖିରେ ଲୁହ ଆସିଗଲା, କାରଣ ଆମେ ଫିଲାଡେଲ୍ଫିଆ ଆସିବାକୁ ସବୁ ଠିକ୍ କରିଦେଇଥିଲୁ ସୁଧାଂଶୁ ଙ୍କର କାମ ଯୋଗୁ l ଭାବିଲି ଏତେ କଷ୍ଟରେ ଆଡ୍ମିଶନ ମିଳିଥିଲା ପୁଣି କିଏ ଜାଣିଛି ନୂଆ ଜାଗାରେ କଣ ପଢିବାକୁ ମିଳିବ ? ଭାବିଲି କଲେଜ ର ଆଡମିଶନ ଅଫିସ୍ କୁ ଲେଖି ଜଣାଇଦେବି ଆମର ଫିଲାଡେଲ୍ଫିଆ ଯିବା କଥା l ଖୁସିର କଥା ଯେ ହାରପ୍ ର କଲେଜ୍ ରେ ଆମର ଫିଲାଡେଲ୍ଫିଆ କୁ ଯିବା କଥା ଆଡମିଶ୍ନ ଅଫିସ୍ ରେ କହିଲା ପରେ ସେମାନେ ମତେ ଗୋଟିଏ ସୁପାରିଶ ଚିଠି ଦେଇ କହିଲେ ନୂଆ ଜାଗାରେ ଯେ କୌଣସି କଲେଜରେ ନର୍ସିଙ୍ଗ ପାଇଁ ପ୍ରୟୋଗ କଲlବେଳେ ସେଇ ଚିଠି ଦେଖାଇବାକୁ l
ସେଇ ଚିଠିକୁ ଦେଖାଇ ମୁଁ ଫିଲାଡେଲ୍ଫିଆ ରେ ଏଠିକାର ପ୍ରସିଦ୍ଧ କଲେଜ ଗୁନେଡ଼୍ ମର୍ସି ନର୍ସିଙ୍ଗ କଲେଜ ରେ ଭର୍ତି ହେଲି ୧୯୮୪ ମସିହାରେ l ଚାରି ବର୍ଷ ପରେ ମୁଁ ଗ୍ରାଜୁଏଟ୍ ହୋଇ ଗଲି ଭଲ ନମ୍ବର ରଖି। ମତେ ବହୁତ ହସପିଟାଲ୍ ରୁ ଚାକିରୀ ମିଳିଥିଲା । କିନ୍ତୁ ମୁଁ ଇଣ୍ଟେନ୍ସିଭ୍ କେୟାର ୟୁନିଟ୍ ରେ କାମ ନବାକୁ ଚାହୁଁ ଥିଲି ଭଲ ଚାଲେଞ୍ଜିଙ୍ଗ ହେବ ବୋଲି l ଇଣ୍ଟେନସିବ୍ କ୍ୟାର୍ ୟୁନିଟ୍ ରେ କାମ ପାଇଁ ବହୁତ ପରିଶ୍ରମ କରିବାକୁ ପଡେ, ଶାରୀରିକ ଆଉ ମାନସିକ। ଲୋକମାନେ ବହୁତ ବେମାର ନହେଲେ ଏ ଡିପାର୍ଟମେଣ୍ଟକୁ ଆସନ୍ତିନି। ସେମାନଙ୍କ ପରିବାର ଲୋକଙ୍କୁ ବି ସମ୍ଭାଳିବାକୁ ପଡେ। ଏଠାରେ ଡାକ୍ତର ଆଉ ରୋଗୀ ମାନଙ୍କ ଭତରେ ନର୍ସ ମାନେ ହେଲେ ମଧ୍ୟସ୍ତ । ସାରା ସମୟ ଦଉଡି ଦଉଡି କାମ କରିବାକୁ ପଡେ। ମୁଁ ଦିନକୁ ବାର ଘଣ୍ଟା କାମ କରିବାକୁ ସ୍ଥିର କରିଥିଲି ତାହାଲେ ବାକି ଦିନ ଘରେ ରହି ପାରିବି l ବେଶୀ କଷ୍ଟ ହେଲା ବେଳେ ବାପାଙ୍କର ଇଟା ଖଣ୍ଡି ଖଣ୍ଡି ଆମ ପକା ଉପରକୁ ଉଠାଇ ନବା କଥାମନେ ପଡ଼ିଯାଏ । ତାପରେ ହସି ଭାବେ ମୋ କାମତ କିଛି କଷ୍ଟ ନୁହଁ । ମତେତ ଦରମା ଭଲ ମିଳୁଛି । ମତେ ସବୁବେଳେ ରୋଗୀ ମାନଙ୍କ ଘର ଲୋକମାନେବି ଭଲ ପାଆନ୍ତି । ମୋ ମ୍ୟାନେଜେର ଙ୍କୁ ଅନୁରୋଧ କରନ୍ତି ତାଙ୍କ ରୋଗୀର ଯତ୍ନ ମୁଁ କରେ ବୋଲି ଲ ଘରକୁ ଆସି ପିଲା ମାନକୁ ଦେଖେ। ସବୁ ବେଳେ ଭାବେ ମୋ ବାପା କେତେ କାମ କରୁଥିଲେ। ମୁଁ ଆରାମରେ ଗାଡି ଚଢି କାମକୁ ଯାଉଛି । କାମ କରିବାରେ କ୍ଷତି କଣ? ଏବେ ଭାବୁଛି ବାପାଙ୍କ ଯୋଗୁ ମୁଁ ଏତେ ପରିଶ୍ରମୀ ହୋଇ ପାରିଲି । ବିନା କିଛି ଅସୁବିଧାରେ ମୋର ନର୍ସିଙ୍ଗ ପଢା ସାରି ଭଲ କାମ କରି ପାରିଲି l ନିଜ ଦେଶରୁ ଦୂରରେ ରହି ମୁଁ ମୋର ଇଛା ପୂରଣ କଲି ଯାହାକି ଲୋକଙ୍କ ସେବା କରିବା ଯେତେବେଳେ ସେମାନେ ଅସୁସ୍ଥ ଥାଆନ୍ତି l ମୋ ବାପାଙ୍କର ପରଶ୍ରମ କରିବାର ଗୁଣକୁ ପାଇ ମୁଁ ମୋର ବୃତ୍ତିରେ ଅନେକ ସୁନାମ ପାଇଛି l ତାଙ୍କର ଅବଦାନ ମୋର ବୃତି ପାଇଁ ଅନେକ l ମୁଁ ଉତ୍ତର ଆମେରିକାର ପ୍ରଥମ ଓଡ଼ିଆ ନର୍ସ (ସେବିକା) ବୋଲି ବହୁତ ଖୁସି ହୁଏ ଆଉ ଅନେକ ସମ୍ମାନ ସାଉଁଟିଛି l
ଫିଲାଡେଲ୍ଫିଆ, ଯୁକ୍ତରାଷ୍ଟ୍ର ଆମେରିକା
ଦୂରଭାଷ - +୧୨୬୭୨୪୭୨୪୭୧
VOL.IX, ISSUE.VI, JUNE-2025
Published By Banamallira Mahak
ପ୍ରକାଶିତ ଲେଖାଟି ଯଦି ପଢି ସାରିଛନ୍ତି, ଆପଣଙ୍କ ପ୍ରତିକ୍ରିୟା ଏଠାରେ ନିଶ୍ଚୟ ରଖନ୍ତୁ ।