
ଗାଁ ଦାଣ୍ଡରେ
ଦେଖୁନି ତ ଆଉ କାହିଁ
ସେଇ ଦୃଶ୍ୟ ଏତେ ଏତେ ବେଶୀ
ନୂଆ ଯୋଡ ପିନ୍ଧି
ବେତ ପାଛିଆରେ ଅକ୍ଷିମୁଠି ଧରି
ମନଖୋଲା ହସ ହସି ଯାଉନାହିଁ ଚାଷୀ...
ସକାଳୁ ଉଠି ନୂଆ ବୋହୂ
ସେଦିନ ପରି
ଆଙ୍କୁନାହିଁ କୁଟିକମ ଝୋଟି
ଖୋଜୁନି ଆମ୍ବଡ଼ାଳ
ବସାଉନି ଦୁଆରେ କଳସ
ମା କହେ କିଏ ଆଉ ଘରେ ଅଛି ଯେ
କରିବ ଚାଷବାସ
ସବୁତ ବିଦେଶୀ ।।
ଏକାଳର ଝିଅ ବୋହୂ
ସିଏ କ'ଣ ଵୁଝୁଛନ୍ତି ଏସବୁ,
ମୁଁ କୋଉ ଥିବି ସବୁଦିନ
ପାରୁନି ତ ଆଉ
ମନେ ପକେଇ ଦୋଉଛି ସିନା
ଏମିତି ସେମିତି କରାହୁଏ
ତୁ ବି କରିବୁ....
ମନେପଡେ ସେଦିନର କଥା
ଆମ କାଳିଗାଈ
ତା କ୍ଷୀର ଭାରି ମିଠା
ତା ସହ ସୁଆଦିଆ
ସରୁ ସରୁ ଚକୁଳି ପିଠା
ବିଲରୁ ଅକ୍ଷିମୁଠି ଅନୁକୁଳ ସାରି
ଖାଉଥିଲେ ମନଭରି ବାପା
ଆଜି ନକଲି ଭିତରେ
ହଜିଯାଇଛି ସେଇ ବାସ୍ନା
ସେଇ କଥା ମନେ ପକେଇବାକୁ
କାଁ ଭାଁ ହୁଏ ଘରେ ପିଠା ପଣା
ଅଳସେ ଉଠି ବୋହୂ
ଗାଁ ଦାଣ୍ଡରେ ଦିଏ ଟିକେ
ଧୂପ ଦୀପ ପଣା ....
ବଦଳି ଯାଇଛି ଖୁବ୍ ଜୀବନ
ଆଦଵ କାଇଦା ଚଳନ
ହେଲେ ଖୁବ୍ ଶୂନ୍ୟ ଶୂନ୍ୟ ଲାଗେ
ହୃଦୟ କି ମନ
ତଥାପି ଅକ୍ଷି ତୃତୀୟା ଆସିଲେ
ସ୍ମୃତିରେ ସଜଳ ହୁଏ ସେଇ ସବୁ ଦିନ
କୋହଭରା ଶବ୍ଦ କିଛି ଉତୁରି ଆସେ ତା ପାଇଁ
କହେ ଆମ ସଂସ୍କୃତି ଆମ ପରମ୍ପରା
ସତରେ କେତେ ମହାନ୍ !!
ଓରାଳି, ହାଟଡିହି, କେନ୍ଦୁଝର
ମୋ - ୯୪୩୮୧୯୧୮୫୦
VOL.IX, ISSUE.V, MAY-2025
Published By Banamallira Mahak
ପ୍ରକାଶିତ ଲେଖାଟି ଯଦି ପଢି ସାରିଛନ୍ତି, ଆପଣଙ୍କ ପ୍ରତିକ୍ରିୟା ଏଠାରେ ନିଶ୍ଚୟ ରଖନ୍ତୁ ।