
ମାଆ କୋଳେ ମୁହିଁ ମାଆ ମୁହଁ ଚାହିଁ
କ୍ଷୀର ପିଉଥିଲି ଯେବେ
ସେବେଠୁ ଶୁଣୁଛି ତା' ଓଠରୁ ଭାଷା
ବୁଝୁ ନ ଥିଲେ ବି ତେବେ ।
ହସିଲେ କାନ୍ଦିଲେ ଉଠିଲେ ଶୋଇଲେ
ଝରେ ମା ମୁହଁରୁ ବାଣୀ
ମନ୍ତ୍ର ମୁଗ୍ଧ ପରି ହୋଇ ଯାଇଥାଏ
ସେହି କଥାପଦ ଶୁଣି ।
ପରିଚିତ ହୋଇ ସେଇ ଭାଷା ସହ
ଲାଗେ ଅତି ଆପଣାର
ମହୁଠୁ ମଧୁର ଗଠନ ସୁନ୍ଦର
ପରିଚୟ ଓଡ଼ିଶାର ।
ଭାଷା ମହାରଥୀ ସାହିତ୍ୟ ସାଧକ
ଭାଷା ସୁରକ୍ଷା ସକାଶେ
ରଚି ଇତିହାସ ରଖିଛନ୍ତି ଯଶ
ଜାଣି ମନେ ଗର୍ବ ଆସେ ।
କାବ୍ୟ ପୁରାଣରେ ଶାସ୍ତ୍ର ଦର୍ଶନରେ
ରହିଅଛି କେତେ ଜ୍ଞାନ
ପଢିଲେ ଲେଖିଲେ ଜାଣି ହୁଏ ସିନା
ଓଡ଼ିଆ ଭାଷାର ମାନ ।
ସାହିତ୍ୟ କ୍ଷେତ୍ରରେ ଅନ୍ୟ ଭାଷାଠାରୁ
ମୋ ଭାଷା ଅଟେ ଉତ୍କୃଷ୍ଟ
ପ୍ରାଚୀନ ଐତିହ୍ୟ ଇତିହାସ ନେଇ
ହୋଇଅଛି ପରିପୁଷ୍ଟ ।
କାନନ କୁସୁମ ନୁହେଁ ଏଇ ଭାଷା
ଏଇତ ଉଦ୍ୟାନ ରାଣୀ
ମଧୁଠୁ ମଧୁର ରୂପେ ଗୋଲାକାର
କି ସୁନ୍ଦର ତା'ର ଠାଣି ।
ଭାଷାର ସମ୍ଭାର ବିଶ୍ୱ ଦରବାର
ସବୁଠୁ ମୋ’ଭାଷା ପ୍ରିୟ
କେହି ନୁହେଁ ସରି ଏହି ଭାଷା ପରି
ତା ଠାରେ ସଦା ମୋ ଲୟ।
ସମ୍ବଲପୁର, ଓଡିଶା
ମୋ - ୭୯୭୮୫୬୮୩୨୨