
ପ୍ରଥମ ଦେଖାରେ ତୁମ ହାବଭାବ
ତୁମର ଚୋରା ଚାହାଣୀ,
ଲାଗିଲା ଯେମିତି ଭଲପାଅ ମତେ
ମନ ନେଇଗଲ କିଣି ।
ଚିଠିରେ ଲେଖିଛ କହି ପାରିଲନି
ତୁମର ଏ ମନ କଥା,
ମତେ ତୁମେ ଭାରି ଭଲ ପାଉଥିଲ
ମନେ ରହିଗଲା ବ୍ୟଥା ।
ତୁମ ସାଥେ ପଦେ କଥା ହେବା ପାଇଁ
ତୁମକୁ ଦେଖିବା ପାଇଁ ,
ମିଛ ବାହାନାରେ ତୁମ ଘରକୁ ମୁଁ
କେତେ ଥର ଯାଇନାହିଁ ?
ଶୋଷ ନଥିଲେବି ତୁମ ଘରେ ଯାଇ
ପିଇବାକୁ ମାଗେ ପାଣି,
ପାଣି ବାହାନାରେ ତୁମ ଆଙ୍ଗୁଳିକୁ
ଛୁଇଁବାକୁ ଜାଣି ଜାଣି ।
ଦିନେ ସଂଜ ବେଳେ ଏକା ଏକା ତୁମେ
ଲଣ୍ଠନ ଟିଏ ଧରି,
ପଢୁଥିଲ ବସି ମୁଁ ଗଲା ବେଳକୁ,
ଅନ୍ଧାରେ ଚାନ୍ଦ ପରି ।
କେହି ନଥିବାରୁ ତୁମ ଘର ଲୋକ
ମନରେ ସାହସ ଭରି,
ତୁମ ପାଖେ ବସି କି ବହି ପଢୁଛ,
ହେଳେ ମୁଁ ଦେଲି ପଚାରି ।
କିଛି କହିଲନି ଟେକି ଦେଲ ବହି
ମୁହଁକୁ ତଳକୁ କରି,
କମ୍ପିତ ହାତୁ ନେଲାବେଳେ ବହି
ହାତ ପକାଇଲି ଧରି ।
ଶରୀରରେ ତୁମ କଦମ୍ବର କଢ଼ି,
ମୁଦ୍ରିତ ଆଖି ପତା,
ଛାତି ତଳେ କିନ୍ତୁ ଉଷ୍ମ ରୋମାଞ୍ଚ,
ଅଦ୍ଭୁତ ନୀରବତା ।
ଛୁଇଁବାକୁ ତୁମ କଜ୍ଵଳ ଧାର
କମ୍ପିତ ଓଠ ଦୁଇ,
ଉଦ୍ୟତ ମନ, ଆକୁଳ ପ୍ରାଣକୁ
ରୋକି ମୁଁ ପାରିଲି ନାହିଁ ।
ରକ୍ତରେ ତୁମ ଅନଳର ଶିଖା
କପାଳରେ ସ୍ଵେଦ ବାରି,
ପୌଷ ମାସର ଶୀତଳ ସନ୍ଧ୍ୟାରେ
ଉଷ୍ମତା ଦେଲା ଭରି ।
ଦୁଆର ନିକଟେ ହଠାତ କାହାର
ଅସ୍ପଷ୍ଟ ପାଦ ଧ୍ଵନି,
କଳାମେଘ ପରି ପ୍ରଣୟ ନାଟକେ
ଯବନିକା ଦେଲା ଟାଣି ।
ତରବର ହେଇ ଉର୍ଦ୍ଧ ନିଶ୍ୱାସେ
ଏକୁଟିଆ ଛାଡି ମତେ,
ଅପସରି ଗଲ କୁଣ୍ଠିତ ମନେ
ତ୍ରସ୍ତା ହରିଣୀ ସତେ ।
କାମ ନଥିଲେବି ସେଇଥି ପାଇଁକି
ମାଗି ତୁମ ପଢା ବହି,
କବିତା ରୂପରେ ମନ କଥା ଦିନେ
ତା ଭିତରେ ଦେଲି ଥୋଇ ।
ଜାଣି ପାରିଲିନି ତୁମ ମନ କଥା
ଯେତେ ବି ଉପାୟ କଲି,
ଚିଠି ମିଳିଲାନି, ମିଳିଲା ତ ଖାଲି
ତୁମ ବାପାଙ୍କର ଗାଳି ।
ସେହିଦିନ ଠାରୁ ସବୁଦିନ ପାଇଁ
ତୁମ ଘର ହେଲା ମନା,
ତୁଚ୍ଛାଟାରେ ଖାଲି ବଦନାମ ହେଲି,
ତୁମରି ପାଇଁକି ସିନା ?
ଚିଠିରେ ଲେଖିଛ ମୋ ପାଇଁ ତୁମର
ସଚ୍ଚା ପ୍ରେମ ଥିଲା ବୋଲି,
କାହିଁକି ଏକଥା କହି ପାରିଲନି
ତୁମର ହ୍ରୁଦୟ ଖୋଲି ?
କି ଲାଭ ପାଇଲ ମନ କଥା ଚାପି,
ଏଇମିତି ବାହା ହେଇ,
ଜୀଵନଟା ଯାକ ନିଜେ ବି କାନ୍ଦୁଛ
ମୋ ଜୀବନ ଜାଳିଦେଇ ?
ରଙ୍ଗମାଟିଆ, ମଞ୍ଚେଶ୍ଵର, ଭୁବନେଶ୍ଵର
ମୋ - ୯୮୯୨୦୦୦୨୨୪