ଆଧୁନିକ ଜୀବନର ବ୍ୟର୍ଥତା, ଏକାକୀତ୍ୱ ବୋଧ ଜୀବନଚର୍ଯ୍ୟାକୁ ନେଇ, ସାମ୍ପ୍ରତିକ ମଣିଷର ମନକୁ ବିଶ୍ଲେଷଣ କଲେ ସତ୍ୟକାମ ମିଶ୍ରଙ୍କ ଜୀବନ କରୁଣ, ମଧୁର ଇତିବୃତ୍ତି ଜୀବନ, ଜୀବିକାଗତ ବୃତ୍ତି ଅତ୍ୟନ୍ତ ଦାରୁଣମୟ । ତାଙ୍କର ଗୋଟିଏ ଚକ୍ଷୁରେ ଜଗତିକ ସଂସାରର ନିତ୍ୟ ବ୍ୟବହାରରେ ସମ୍ମୁଖୀନ ହେଉଥିବା ବେଳେ ଅନ୍ୟ ଚକ୍ଷୁରେ ସେ ଆଧ୍ୟାତ୍ମିକ ଜାଗରଣର ମାର୍ଗ ସନ୍ଧାନ କରନ୍ତି । ଜୀବନର ଏଇ ଦୁଇ ମାର୍ଗକୁ ଦେଖାଇବାକୁ ଯାଇ ଏକପକ୍ଷରେ ନାରୀଟିଏ ସଂସାରକୁ ଲୋଡ଼ା ତା'ର ଶରୀରଟେ ଲୋଡ଼ା ଦିଅ ତାକୁ । ସାଂସାରିକ ଜଂଜାଳର କୋଳାହଳ ବି ଆବଶ୍ୟକ । ଅନ୍ୟ ପକ୍ଷେ ଲୌକିକ ଜଗତରୁ ଉପରକୁ ଉଠିବାର ପ୍ରଚଣ୍ଡ ବାସନା । ଏଇ ଦୁଇ ବିପରୀତ ଧର୍ମୀ ଚିନ୍ତାଧାରର ଅଦ୍ଭୁତ ସମନ୍ଵୟ ହେଉଛି ସତ୍ୟକାମ ମିଶ୍ରଙ୍କର ଜୀବନ ।
ସାତ ପ୍ରାଣୀ କୁଟୁମ୍ବକୁ ନେଇ ସୀମିତ ରୋଜଗାରରେ ପରିବାର ଚଳାଇବା ଅନେକ କଷ୍ଟ ହୋଇପଡ଼ିଥିଲେ ସୁଦ୍ଧା ସତ୍ୟକାମ କେବେ ବ୍ୟସ୍ତ ହୋଇ ନାହାନ୍ତି । ମାସର ଅଧିକାଂଶ ସମୟ ଉଧାର କରଜରେ ଚାଲୁଥାଏ । ବ୍ୟସ୍ତ ହୋଇପଡ଼ନ୍ତି ଶ୍ରାବଣୀ । ସତ୍ୟକାମ ବୁଝାଇ ଦିଅନ୍ତି, ଏତେ ବଡ଼ ବ୍ରହ୍ମାଣ୍ଡର ସ୍ଥାବର, ଜଙ୍ଗମ, କୀଟ, ପତଙ୍ଗ, ପ୍ରାଣୀଜଗତ ଓ ମଣିଷ ଜଗତକୁ ଯୋଉ ବିଶ୍ଵନିୟନ୍ତା ରହିବା, ଖାଇବା ପିଇବାର ବନ୍ଦୋବସ୍ତ କରିଛନ୍ତି ସେ କଣ ଆମ କଥା ବୁଝିବେନି । ତୁମେ ଥରେ ତାଙ୍କୁ ବିଶ୍ୱାସ କର ଦେଖିବ ଆମର କିଛି ଅସୁବିଧା ହେବନାହିଁ । ଶ୍ରାବଣୀ ଚୂପ ରହନ୍ତି । ବଡିଭୋରରୁ ସତ୍ୟକାମ ଫୁଲ, ଚନ୍ଦନ, ଧୂପକାଠି ଓ ପାଣି ଢାଳଟିଏ ସାଙ୍ଗରେ ଧରି ପାଖ ସହରକୁ ବାହାରି ଯାଆନ୍ତି । ଅଧିକାଂଶ ଦୋକାନରେ ଫୁଲ ଚନ୍ଦନ ଧୂପ ଦେଇ ପୂଜା କରନ୍ତି । ତା ବ୍ୟତୀତ ନୂଆ ଗାଡ଼ିମଟର ପୂଜା, ସହରରେ ଚାଲୁଥିବା ଗାଡ଼ିମଟରରେ ଫୁଲ ଚନ୍ଦନ ଧୂପ ଦେଇ ଯେତିକି ପଇସା ପାଆନ୍ତି, ସନ୍ଧ୍ୟା ପୂର୍ବରୁ ସାଙ୍ଗରେ ଧରି ଘରକୁ ଫେରନ୍ତି । ସନ୍ଧ୍ୟାରେ ଗାଁ ରାଧାକୃଷ୍ଣ ମନ୍ଦିରରେ ପୂଜା ସନ୍ଧ୍ୟା ଆଳତୀ କରନ୍ତି । ଗାଁର ଅଧିକାଂଶ ସ୍ତ୍ରୀ ଓ ପୁରୁଷ ଲୋକ ଆଳତୀ ସମୟରେ ଏକାଠି ହୋଇ ଆଳତୀ ଦର୍ଶନ କରନ୍ତି । ରାଧାକୃଷ୍ଣ ମନ୍ଦିର ତରଫରୁ ସତ୍ୟକାମଙ୍କୁ କିଛି ମାସିକ ପାଉଣା ମିଳେ । ରାଧାକୃଷ୍ଣଙ୍କ ସେବାରେ ନିଜକୁ ସମର୍ପଣ କରି ସେ ନିଜକୁ ଧନ୍ୟ ମଣି ଅପାର ଆନନ୍ଦ ଉପଲବ୍ଧି କରନ୍ତି ।
ବଡପୁଅ ଗୌତମ ଗ୍ରାମ୍ୟ ବିଦ୍ୟାଳୟରୁ ଶିକ୍ଷା ସମାପ୍ତ ଅନ୍ତେ, ଉଚ୍ଚ ଶିକ୍ଷା ପାଇଁ ଶ୍ରାବଣୀ ସତ୍ୟକାମଙ୍କୁ ଅନୁରୋଧ କରିଲା । ନିଜର ଆର୍ଥିକ ସ୍ୱଚ୍ଛଳତାର ଅଭାବ ଦେଖାଇ ସତ୍ୟକାମ ଗୌତମର ପାଠପଢାର ଡୋରି ବାନ୍ଧିଦେଲେ । ଏଣିକି ଗୌତମ ପିତାଙ୍କ ସହ ପାଖ ସହରକୁ ଯାଇ ପିତାଙ୍କୁ ସାହାଯ୍ୟ କରିଲା । ଦୈନିକ ରୋଜଗାର ସାମାନ୍ୟ କିଛି ବଢିଥିଲେ ସୁଦ୍ଧା ଶ୍ରାବଣୀର ମନରେ ସୁଖ ନଥିଲା । ତା'ର ସ୍ୱପ୍ନ ନଭଚୁମ୍ବି ଥିଲା । ଆର୍ଥିକ ପରିସ୍ଥିତି ଦେଖି ସେ ବାଧ୍ୟ ହୋଇ ଚୂପ ରହିଲା ।
ଶ୍ରାବଣୀର ଅନୁରୋଧରେ ରାମହରି ସାର ଗୌତମକୁ ସଙ୍ଗୀତ ଶିଖାଉଛନ୍ତି । ଶ୍ରାବଣୀର ଇଛା ଗୌତମ ସଙ୍ଗୀତ ଶିଖିଗଲେ ରାଧାକୃଷ୍ଣ ମନ୍ଦିରରେ ସନ୍ଧ୍ୟା ଆଳତୀ ପରେ କିଛି ଭଜନ ଜଣାଣ ଗାଇବ । ଯଦି ଭଲ ଗାଇଲା ତେବେ ରାମହରି ସାର ଙ୍କ ସହ ସହରକୁ ଯାଇ କିଛି ରୋଜଗାର ବି କରିପାରିବ । ଗୌତମ ମନ ଧ୍ୟାନ ଦେଇ ସଙ୍ଗୀତ ଶିଖିଲା । ରାମହରି ସାର ବି ତା'ର ଆଗ୍ରହକୁ ଦେଖି ଅଧିକ ସମୟ ଦେଇ ସଙ୍ଗୀତ ଶିଖାଇଲେ । ଏମିତି ଦିନ ବର୍ଷ ଗଡିଚାଲିଲା । ଏଇ ଭିତରେ ଗୌତମ ସଂଗୀତ ଶିକ୍ଷାର ଶେଷ ପରୀକ୍ଷାରେ ଭଲ କରି ଉତ୍ତୀର୍ଣ୍ଣ ହେଲା । ଶ୍ରାବଣୀ ମନରେ କେତେ ସ୍ୱପ୍ନ ସେ ଖୁସିରେ ଆତ୍ମହରା ହୋଇଗଲା । ସତ୍ୟକାମଙ୍କ ମନରେ ଅନେକ ଖୁସି । ରାଧାକୃଷ୍ଣଙ୍କ ପାଦତଳେ ମୁଣ୍ଡିଆମାରି କୃତଜ୍ଞତାରେ କଇଁ କଇଁ ହୋଇ କାନ୍ଦୁଥାନ୍ତି । ଆଖିରୁ ତାଙ୍କର ଆନନ୍ଦାଶ୍ରୁ ଧାର ଧାର ହୋଇ ବୋହିଯାଉଥାଏ ।
ଏବେକୁ ରାମହରି ସାର ଗୌତମକୁ ସଙ୍ଗରେ ନେଇ ପାଖ ସହରରେ ହେଉଥିବା ଭଜନ ସନ୍ଧ୍ୟାରେ ଗାଇବାର ସୁଯୋଗ ଦେଲେଣି । ତା' ଭଜନ ଶୁଣି ଶ୍ରୋତାମାନେ କରତାଳିରେ ତାକୁ ଉଚ୍ଚ ପ୍ରଶଂସିତ କରୁଥାନ୍ତି । ଗୌତମ ଘରକୁ ଫେରି ମା କୁ ସମସ୍ତ କଥା କୁହେ । ଶ୍ରାବଣୀ ଆଖିରୁ ଲୁହଝରି ଯାଏ । ଏବେ ସତ୍ୟକାମଙ୍କ ପରିବାରର ଆର୍ଥିକ ଅବସ୍ଥା ଟିକେ ସୁଧୁରିଲାଣି । ଶ୍ରାବଣୀ ମନ ବି ବହୁତ ଖୁସି ।
ଆଜିକୁ ଦୁଇଦିନ ହେଲାଣି ଶ୍ରାବଣୀକୁ ଜ୍ଵର । ରାତି ହେଲେ ଜ୍ଵର ଅଧିକ ହେଉଛି । ଗାଁ ବୈଦ୍ୟ ଦୁଇ ଓଳି ଆସି ଶ୍ରାବଣୀର ନାଡୀ ଦେଖି ଓଷୁଅ ଦେଇ ଯାଆନ୍ତି । ସତ୍ୟକାମ ରାଧାକୃଷ୍ଣଙ୍କ ଛଡା ତୁଳସୀ ଆଣି ଶ୍ରାବଣୀକୁ ଦିଅନ୍ତି । ଜ୍ୱର ଛାଡିବାର ନାଁ ଧରୁନି । ଗାଁ ସାରା ସବୁଲୋକ ବ୍ୟସ୍ତ । କହିଲେ, ସତ୍ୟକାମ ତୁ ଯେତେ ଶୀଘ୍ର ପାରୁଚୁ ସରକାରୀ ଡାକ୍ତରଖାନାକୁ ନେଇ ଯା । ସଙ୍ଗେ ସଙ୍ଗେ ସତ୍ୟକାମ ରିକ୍ସାରେ ଶ୍ରାବଣୀକୁ ଡାକ୍ତରଖାନା ନେଇଗଲେ । ଡାକ୍ତର ଯନ୍ତ୍ର ପକାଇ ସବୁ ପରୀକ୍ଷା କରି ଟିକେ ଗମ୍ଭୀର ହୋଇ ଔଷଧ ଲେଖିଦେଲେ । ଗୌତମ ବଜାର ଯାଇ ଔଷଧ ଆଣିଲା । ରାତିରେ ବୋଉ ପାଖେ ରହିଲା । ରାତି ଅଧକୁ ଶ୍ରାବଣୀର ଜ୍ୱର ଅଧିକ ହେଲା । ସକାଳେ ଡାକ୍ତର ଦେଖି ପୁଣି ଔଷଧ ଲେଖିଦେଲେ । ଶ୍ରାବଣୀର ଦେହ ଖରାପ ହେବାଦିନୁ ବାପପୁଅ ବଜାରକୁ ଯାଇପାରୁନଥାନ୍ତି । ଯାହା ପଇସାପତ୍ର ଥିଲା ସବୁ ସରିଗଲାଣି । ଡାକ୍ତରଙ୍କ ଔଷଧ ତାଲିକା ଧରି ଗୌତମ ଦୋକାନକୁ ଗଲା । ଏଥରକ ଡାକ୍ତର ୩ ହଜାର ଟଙ୍କାର ଦାମୀ ଔଷଧ ଲେଖିଛନ୍ତି । କିଛି ଟଙ୍କା ନାହିଁ । ବ୍ୟସ୍ତ ହେଇ ବାପାଙ୍କ ପାଖକୁ ଦୌଡ଼ି ଗଲା । ଗୌତମ ଠାରୁ ସବୁଶୁଣି ସତ୍ୟକାମ ବୁଦ୍ଧିଶୁନ୍ୟ ହୋଇଗଲେ । ଏଣେ ଔଷଧ ଆସିବାର ଡେରି ଦେଖି ଡାକ୍ତର ବ୍ୟସ୍ତ ହୋଇପଡିଲେଣି । ପୁଅକୁ ବାକିରେ ଔଷଧ ଆଣିବାକୁ କହି ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତୀ ଆଗରେ ଠିଆ ହୋଇ ରହିଲେ ସତ୍ୟକାମ । ହଠାତ ତାଙ୍କ ମନରେ କଣ ହେଲା କେଜାଣି, ବେକରେ ପକାଇଥିବା ଗାମୁଛାକୁ ଖୋଲି ଦୁଇ କାନୀକୁ ଧରି ରାଧାକୃଷ୍ଣଙ୍କୁ ଭିକ ମାଗିଲେ । କହିଲେ ଆପଣତ ପୂର୍ଣ୍ଣ, ପୂର୍ଣ୍ଣିରୁ ଯେତେନେଲେ ବି ଆପଣ ସେମିତି ପୂର୍ଣ୍ଣ ରହିବେ । ମୋ ଗୁହାରୀ ଟିକେ ମଞ୍ଜୁର କରନ୍ତୁ । ଏଇ ସମୟରେ ଗୌତମ ଧଇଁ ସଇଁ ଆସି ଭୋ ଭୋ କାନ୍ଦି କହିଲା ବାପା... 'ବୋଉ ଚାଲିଗଲା' । ନିର୍ବାକ ହୋଇଗଲେ ସ୍ଥାଣୁ ପାଲଟିଗଲେ ସତ୍ୟକାମ । ଗୌତମ ବାପାଙ୍କୁ ହଲାଇ ଦେଇ କହିଲା, 'ବାପା ଆସ ଡାକ୍ତରଖାନା ଯିବା' । ସତ୍ୟକାମ ପ୍ରକୁସ୍ଥିତ ହୋଇ ରାଧାକୃଷ୍ଣଙ୍କୁ କହିଲେ ଶେଷରେ ମୋତେ ଭିକ ମଗାଇଦେଲ । ମୋ ବିଶ୍ୱାସ ଭାଙ୍ଗି ଦେଲ ।
ଶ୍ରାବଣୀ ଚାଲିଯିବା ପରେ, ସତ୍ୟକାମ ଚୁପଚାପ ହୋଇଗଲେ । ପାଖ ବଜାରରକୁ ଆଉ ଗଲେନି । କେବଳ ରାଧାକୃଷ୍ଣ ମନ୍ଦିର ଯାଇ ସନ୍ଧ୍ୟା ଆଳତୀ ସାରି ଘରକୁ ଫେରି ଆସନ୍ତି । ଗୌତମ ଉପରେ ଏବେ ଘର ସମ୍ଭାଳିବା ଦାୟୀତ୍ୱ ଟିକେ ଅଧିକ ହେଲାଣି । ବାପାଙ୍କ ନୀରବତା ତାକୁ ବହୁତ କଷ୍ଟ ଦଉଚି । ଥରେ ବାପାଙ୍କୁ କହିଲା, ତୁମେ କିଛି ତୀର୍ଥ ସ୍ଥାନକୁ ଯାଇ ବୁଲାବୁଲି କରି ଆସିଲେ ତୁମ ମନର କିଛି ପରିବର୍ତ୍ତନ ହୁଅନ୍ତା । ସତ୍ୟକାମ କହିଲେ ପଇସା କୋଉଠୁ ଆଣିବି । ଗୌତମ କହିଲା ତୁମେ ବ୍ୟସ୍ତ ହୁଅନା ସେକଥା ମୁଁ ବୁଝିବି । ତା'ପର ଦିନ ରାଧାକୃଷ୍ଣ ମନ୍ଦିର ପ୍ରାଗଣରେ ଏକ ଭଜନ କାର୍ଯ୍ୟକ୍ରମ ହେଲା । ରାମହରି ସାର ଓ ଅନ୍ୟାନ୍ୟ କଣ୍ଠଶିଳ୍ପୀ ସହ ଗୌତମ ଏ କାର୍ଯ୍ୟକ୍ରମରେ ଯୋଗଦେଲା । ବାପାଙ୍କୁ କହିଲା ଏ କାର୍ଯ୍ୟକ୍ରମ ଦେଖି ଯିବାପାଇଁ । ସତ୍ୟକାମ ସନ୍ଧ୍ୟାରେ ଆଳତୀ ସାରି ଅପେକ୍ଷା କରି ବସିଲେ । ଜଣଙ୍କ ପରେ ଜଣେ ସୁମଧୁର କଣ୍ଠରେ ଭଜନ ଗାଉଥାନ୍ତି । ଯେତେବେଳେ ଗୌତମ ନାମ ଡକା ହେଲା, ସତ୍ୟକାମ ନିଜକୁ ସଜାଡି ହୋଇ ଚାହିଁ ରହିଲେ । ଗୌତମ ଗାଇଲା...
ଯମୁନା କୂଳେ ତମାଳ ବନେ
ବସନ୍ତ ଆସିଛି ଛପିଛପି
ଆସ ହେ ଶ୍ୟାମ ସଖୀର ରାଣ
ଉତ୍ତଳା ହେଲାଣି ରାଧାରାଣୀ
କି ମଧୁର ତା ସ୍ୱର ! ସଭିଙ୍କ ଆଖିରୁ ଲୁହଝରିଗଲା...
ଭଜନଟି ସରିବା ମାତ୍ରେ ଗୌତମ ଭୋ ଭୋ କାନ୍ଦି ପକେଇଲା । ମାଆ କଥା ତା'ର ମନେ ପଡିଗଲା । ଆଜି ଯଦି ତା' ମାଆ ବଞ୍ଚି ଥାଆନ୍ତା, କେତେ ଖୁସି ହୋଇ ନଥାନ୍ତା ସତେ । ତା' ମାଆର ଇଛା ପୂରଣ କରି ପାରିଥିବାରୁ ରାଧାକୃଷ୍ଣଙ୍କ ପାଦତଳେ ମୁଣ୍ଡିଆମାରି କୃତଜ୍ଞତା ଜଣାଇଲା । ସତ୍ୟକାମ ଲୁଚେଇ ଲୁଚେଇ ଆଖିରୁ ଲୁହ ପୋଛୁଥାନ୍ତି । ଶ୍ରୋତାଙ୍କ ଅନୁରୋଧରେ ଗୌତମ ଆଉ ଗୋଟିଏ ଗୀତ ଗାଇବାର ସୁଯୋଗ ପାଇଲା । ଏଥରକ ସେ ଗାଇଲା...
ଶ୍ରୀକୃଷ୍ଣଙ୍କ ବଂଶୀ ଧ୍ୱନି ଶୁଣି
ଥକିତ ହେଲେ ଯମୁନା ପାଣି..
ଏ ଗୀତରେ ସମସ୍ତ ଶ୍ରୋତା ଭାବବିହ୍ଵଳ ହୋଇ କରତାଳିରେ ମଞ୍ଚ ଦୋହଲାଇ ଦେଲେ । ସତ୍ୟକାମ ଆଉ ସ୍ଥିର ହୋଇ ବସି ପାରିଲେ ନାହିଁ । ସିଧା ଘରମୁହାଁ ହୋଇ ଚାଲି ଆସିଲେ । ଭଜନ ସରିବା ପରେ ଗୌତମ ଘରକୁ ଆସିଲା । ଦେଖିଲା ବାପା ଏବେ ବି କାନ୍ଦୁଛନ୍ତି । ଗୌତମକୁ କହିଲେ ତୁ କେତେ ସୁନ୍ଦର ଭଜନ ଗାଇଲୁ । ସତରେ ତୋ' ମାଆ ଆଜି ଥିଲେ କେତେ ଯେ ଖୁସି ହୋଇଥାନ୍ତା... ତା ମୁଁ ଭାବିପାରୁନି ।
ଏଇ ଭିତରେ କିଛି ଦିନ ବିତିଯାଇଛି । ଗୌତମ ବାପାଙ୍କୁ ବୁଝାସୁଝା କରି ବୃନ୍ଦାବନ ପଠାଇ ଦେଇଛି । ସତ୍ୟକାମ ଏବେ ବୃନ୍ଦାବନରେ । ଆଜି ବାଙ୍କବିହାରୀଙ୍କୁ ଦର୍ଶନ କରିବାକୁ ଗଲେ । ଏକି ଆଶ୍ଚର୍ଯ୍ୟର କଥା ବାଙ୍କବିହାରୀ ତାଙ୍କ ସିଂହାସନରୁ ଅନ୍ତର୍ଦ୍ଧାନ ହୋଇଯାଇଛନ୍ତି । ସତ୍ୟକାମ ସେ ସ୍ଥାନରେ ଶ୍ରାବଣୀକୁ ଦେଖୁଛନ୍ତି । ଆଖିକୁ ଯେତେ ମକଚି ଗାମୁଛାରେ ପୋଛିଲେ ସୁଦ୍ଧା ଶ୍ରାବଣୀ ଛଡା ସେ ଆଉ କିଛି ଦେଖି ପାରୁନାହାନ୍ତି । କାନ୍ଦି କାନ୍ଦି କହୁଥାନ୍ତି, ହେ ଶ୍ୟାମସୁନ୍ଦର ମୋର ଆଜି ଏକି ଦଶା । ତୁମ ରୂପ ଲାବଣ୍ୟକୁ ଦେଖି ଶ୍ରାବଣୀର ଦୁଃଖ ଭୁଲିବା ପାଇଁ କେତେ ଯେ ବ୍ୟର୍ଥ ଅର୍ଥ ଓ ଶ୍ରମ କରି ତୁମର ସେ ଦିବ୍ୟ ଦର୍ଶନ କରିବାକୁ ଆସିଥିଲି, ଏ ସବୁ କଣ ମୋର ବୃଥା ହୋଇଗଲା କହି କଇଁକଇଁ କାନ୍ଦୁଥାନ୍ତି । ସତ୍ୟକାମ ଅନୁଭବ କଲେ, କେହି ଜଣେ ତାଙ୍କ କାନ୍ଧରେ ହାତ ପକାଇଦେଲେ । ପଛକୁ ବୁଲି ଦେଖିଲେ ଜଣେ ସାଧୁ ମହାତ୍ମା ତାଙ୍କୁ ଚାହିଁ ହସୁଛନ୍ତି । ସାଧୁ ସତ୍ୟକାମଙ୍କୁ ପଚାରିଲେ, ତୁମେ ବାଙ୍କବିହାରୀଙ୍କୁ ଦେଖି ଏତେ ଭାବ ବିହ୍ଵଳ ହୋଇଯାଉଚ । ସତ୍ୟକାମ କହିଲେ, ନା ମହାରାଜ ମୁଁ ବାଙ୍କବିହାରୀଙ୍କୁ ଜମା ଦେଖିପାରୁନି । ତାଙ୍କ ସିଂହାସନ ଉପରେ ମୁଁ ମୋର ମୃତା ସ୍ତ୍ରୀ କୁ ହିଁ ଦେଖିପାରୁଛି । ମୋର ଏ ବିଲକ୍ଷଣ କାହିଁକି ଘଟୁଛି ମହାରାଜ । ସାଧୁ ମହାରାଜ ସତ୍ୟକାମଙ୍କୁ ମନ୍ଦିର ବାହାରକୁ ଆସିବାକୁ ଇସାରା ଦେଲେ । ସତ୍ୟକାମ ସାଧୁଙ୍କ ପଛେ ପଛେ ଆସିଲେ..।
ସତ୍ୟକାମଙ୍କ ଠାରୁ ସମସ୍ତ ବୃତାନ୍ତ ଶୁଣିସାରିବା ପରେ ସାଧୁ କହିଲେ, ନିଜ ଦୁର୍ବଳ ଚେତନାର ମିଞ୍ଜି ମିଞ୍ଜି ଆଲୁଅରେ ମଣିଷ ସବୁ ପରିସ୍ଥିତିର ମୂଲ୍ୟାୟନ କରେ । ସେ ପ୍ରତାରିତ ହୁଏ । ଅଜ୍ଞାନ ମଣିଷ ପ୍ରାୟତଃ ଭଗବାନଙ୍କ କରୁଣାକୁ ନିଜର ହିସାବି ଜ୍ଞାନର ତରାଜୁରେ ମପାମପି କରି ନିଜର ଅକ୍ଷମତା ଦୃଷ୍ଟିରୁ ସେ କରୁଣା ତାର ପ୍ରାପ୍ୟ ନୁହେଁ ବୋଲି ଫେରାଇ ପକାଏ, ଯାହା ତୁମ କ୍ଷେତ୍ରରେ ସମ୍ଭବ ହୋଇଛି । ହତାଶାରେ ବ୍ୟାକୁଳ ହୋଇ ସତ୍ୟକାମ ସାଧୁଙ୍କୁ ପଚାରିଲେ ମୁଁ କଣ ବଙ୍କବିହାରୀଙ୍କ ଦର୍ଶନ ପାଇ ପାରିବି ନାହିଁ । ଅବଶ୍ୟ ପାଇବେ, ଯେତେବେଳେ ଏ ମାୟା ଅନ୍ଧକାରରୁ ଆଲୋକ ଆଡେ ଯିବାର ପ୍ରୟାସ କରିବେ । ମହାରାଜ ମୁଁ ମୋ ଜୀବନରେ କାହାରି ଅନିଷ୍ଟ କରିନାହିଁ । ମୋ ଦ୍ୱାରା ଯାହାକୁ ଯେତିକି ସାହାଯ୍ୟ କରିବା କଥା କରିଛି । କାୟମନବାକ୍ୟରେ ରାଧାକୃଷ୍ଣଙ୍କ ସେବାରେ ନିଜକୁ ସମର୍ପଣ କରିଦେଇଛି । ଆଜି ଏ ଦଶା ମୋର କାହିଁକି ହେଲା । ସାଧୁ କହିଲେ, ସ୍ଥୂଳ କାର୍ଯ୍ୟକଳାପ ନୁହେଁ ତହିଁ ପଶ୍ଚାତରେ ଥିବା ଚେତନା ହିଁ ପ୍ରକୃତ ପ୍ରତିକ୍ରିୟା ନିର୍ଣ୍ଣୟ କରେ । କିନ୍ତୁ ନିଜକୁ ପବିତ୍ର ଓ ପୁଣ୍ୟାତ୍ମା ମନେକରୁଥିବା ନୀତି ସର୍ବସ୍ଵ ମାନଙ୍କ ପ୍ରତି ଏହା ଏକ ବିଦ୍ରୁପ । ତୁମେ ଏକ ଆଧ୍ୟାତ୍ମିକ ବ୍ୟକ୍ତି ମୋ କଥା ସହଜରେ ବୁଝି ପାରୁଥିବ । ଆଛା କହିଲ, ତୁମେ ସତରେ ତୁମ ସ୍ତ୍ରୀ ଶ୍ରାବଣୀକୁ ଭଲ ପାଉଥିଲ ? କି କଥା କହୁଛନ୍ତି ମହାରାଜ ! ତା' ବିନା ମୋ ଜୀବନ ଅନ୍ଧାର । ଗୋଟିଏ ମୁହୂର୍ତ୍ତ ତା' ବିନା ମୋର ବଞ୍ଚିବା ସମ୍ଭବ ହେଉଥିଲା ନା ଏବେ ହଉଚି ।
ସାଧୁ କହିଲେ, ତୁମେ ଯାହା କହୁଛ ତା ସମ୍ପୂର୍ଣ୍ଣ ସତ୍ୟ । କିନ୍ତୁ ଶ୍ରାବଣୀ ବୋଇଲେ ତୁମେ ଯାହା ବୁଝ ତୁମେ ତାକୁ ହିଁ ଭଲ ପାଉଥିଲ । ପ୍ରକୃତରେ ଶ୍ରାବଣୀ ବୋଇଲେ ଶ୍ରାବଣୀ ଯାହା ତାର ସତ୍ତାକୁ ତୁମେ ଭଲ ପାଉ ନଥିଲ । ଶ୍ରାବଣୀର ଚେହେରା, ତା'ର ହସ, ତା'ର କଣ୍ଠସ୍ୱର ଓ ତା'ର କର୍ମଚାତୁରୀ ଏ ସବୁର ସମାହାରରେ ତୁମେ ତୁମ ନିଜ ଧାରଣାରେ ନିର୍ମିତ ଏକ ଶ୍ରାବଣୀକୁ ଭଲ ପାଉଥିଲ । ଆଉ ତୁମ ଅଜ୍ଞାତସାରରେ ନିଜର ବହେ କଳ୍ପନାର ଖାଦ ମିଶାଇ ଶ୍ରାବଣୀକୁ ଭଲ ପାଉଚ ବୋଲି ଭାବି ସଂସାରିକ ମଣିଷଟେ ପାଲଟି ଯାଇଛ । ପ୍ରେମ ତ ଅଦୃଶ୍ୟ ଅଟେ । ପ୍ରେମରେ ମୋହ ହିଁ ଦୃଶ୍ୟମାନ ଅବସ୍ଥାରେ ଥାଏ । ମୋହ ବିହୀନ ପ୍ରେମ ହିଁ ଚିରନ୍ତନ । ତେଣୁ ତୁମେ ଯେତେ ଚେଷ୍ଟା କଲେ ସୁଦ୍ଧା ସଂସାରରୁ ବାହାରି ପାରିବନି । ତୁମେ ତୁମ ଛାଇକୁ ତୁମ ଶରୀରରୁ ଅଲଗା କରିପାରିବ କି ? ତୁମେ ଅଛ ବୋଲି ତୁମ ଛାଇ ଅଛି । ସେମିତି ସଂସାର ବି ତୁମ ସହ ଅଛି । ତୁମେ ଆଧ୍ୟାତ୍ମିକ ଦିଗକୁ ଆଗେଇଲେ ଏଇ ଛାଇ ରୂପକ ସଂସାର ଉପରଦେଇ ଆଲୋକ ନିକଟକୁ ଯିବାକୁ ହିଁ ପଡିବ । ତୁମେ ଯେତିକି ଆଲୋକର ନିକଟବର୍ତ୍ତୀ ହେବ ଛାଇ ତୁମଠାରୁ ସେତିକି ଦୁରେଇ ଦୁରେଇ ଯିବ । ତୁମେ ଦେଖିବ ଦିନେ ସଂସାର ରୂପକ ଛାଇ ଓ ଶ୍ରାବଣୀର ଚିନ୍ତା ତୁମକୁ ନେଇ ଦିବ୍ୟ ଆଲୋକ ନିକଟରେ ପହଞ୍ଚାଇ ଦେବ । ସେତେବେଳେ ତୁମେ ସେଇ ଚିନ୍ମୟ ପୁରୁଷଙ୍କ ସାକ୍ଷାତ ପାଇଯିବ । ଥରେ ତାଙ୍କ ସହ ସାକ୍ଷାତ ହୋଇଗଲେ, ନା ସଂସାର ଥିବ ନା ଶ୍ରାବଣୀ ଚିନ୍ତା ଥିବ । କାରଣ ସଂସାର ସତ୍ୟ, ଆଧ୍ୟାତ୍ମିକତା ସତ୍ୟ ଓ ବ୍ରହ୍ମ ସତ୍ୟ ।
ସାଧୁଙ୍କ କଥାରେ ସମ୍ମୋହିତ ହୋଇଗଲେ ସତ୍ୟକାମ । ତା'ପର ଦିନ ବାଙ୍କବିହାରୀ ମନ୍ଦିର ଗଲେ । ଦେଖିଲେ ମୁରଲୀ ମନୋହର ବାଙ୍କବିହାରୀଙ୍କୁ ତ୍ରିଭଙ୍ଗୀ ଛନ୍ଦରେ ସିଂହାସନ ଉପରେ ବିଜେ ହୋଇଛନ୍ତି । ଆଖିରୁ ଆନନ୍ଦାଶ୍ରୁ ବୋହିଗଲା । ପାଦତଳେ ମୁଣ୍ଡିଆଟିଏ ମାରି ସିଧା ଫେରିଆସିଲେ ରହୁଥିବା ଆଶ୍ରମକୁ । ଆଜି ମନେହୁଏ ମୋର ସେ ତଥାକଥିତ ବ୍ୟର୍ଥ, ଅର୍ଥ ଓ ଶ୍ରମ ମୋଟେ ବ୍ୟର୍ଥ ନୁହେଁ । ତାହାଥିଲା ମୂଳଧନ ବିନିଯୋଗ ଜୀବନରେ ଏହି ସାର୍ଥକତାର ଅନୁଭବ ପାଇଁ । ସମଗ୍ର ସାମାଜିକ ସାଫଲ୍ୟ ଯଦି ମୋତେ ଏହି ଅନୁଭବ ଠାରୁ ଦୁରେଇ ରଖିଥାନ୍ତା, ତେବେ ଜୀବନ ହିଁ ହୋଇଥାନ୍ତା ବୃଥା କହିଥିଲେ ସତ୍ୟକାମ ।
ଆସନ୍ତା କାଲି ସେ ବୃନ୍ଦାବନ ଛାଡି ଗାଁକୁ ଯିବେ । ସତ୍ୟକାମ ଆଜି ଗାଁ ରେ ପହଞ୍ଚି ଗଲେ । ବୃନ୍ଦାବନରୁ ଫେରି ଦେହ ତାଙ୍କର ଭଲ ରହୁନି । ଥଣ୍ଡା କାଶ ଲାଗି ରହୁଛି । ରାତିହେଲେ କାଶଟା ଅଧିକ ହେଉଛି । ଭଲରେ ଶୋଇ ପାରୁନାହାନ୍ତି । ଗୌତମ ଡାକ୍ତର ଦେଖାଇ ଔଷଧ ଆଣି ଦଉଚି । ଦିନକୁ ଦିନ କାଶ ଅଧିକ ହେଲାଣି । ଗୌତମର ବ୍ୟସ୍ତତା ଦେଖି ସତ୍ୟକାମ ତାକୁ ପାଖକୁ ଡାକି କହିଲେ ତୁ ଏତେ ବ୍ୟସ୍ତ ହୁଅନା । ବାହାର ଦେଶକୁ ଯାଇଥିଲି ସେଠାକାର ପାଣିପବନ ଦେହରେ ଗଲାନି ତେଣୁ ଥଣ୍ଡା କାଶ ହଉଚି । ତୁ କାହିଁକି ବ୍ୟସ୍ତ ହଉଛ । ଭଲ ହୋଇଯିବନି । କାଶ ଅଧିକ ହେଲା ସିନା କିଛି କମିଲାନି । ପାଞ୍ଚ ପୁଅଙ୍କୁ ପାଖକୁ ଡାକି ସତ୍ୟକାମ କହିଲେ ମୋର କଣ ହୋଇଗଲେ ତୁମେମାନେ ବ୍ୟସ୍ତ ହବନି । ବୋଉ ତୁମର ଡ଼ାକିଲାଣି । ସମସ୍ତେ କାନ୍ଦି କାନ୍ଦି କହିଲେ ବାପା ତୁମେ ଏମିତି କଥା କୁହନା । ସତ୍ୟକାମ ଗୌତମକୁ କହିଲେ ତୁ ଗୋଟିଏ ଭଜନ ଗାଇଲୁ ମୁଁ ଶୁଣିବି । ଗୌତମ ଭଜନଟିଏ ଗାଇଲା...
ଶ୍ରୀକୃଷ୍ଣଙ୍କ ବଂଶୀ ଧ୍ଵନି ଶୁଣି
ଥକିତ ହେଲେ ଯମୁନା ପାଣି.
ମୃଗମାନେ ତୃଣ ଚାପିଣ ଧରିଲେ
ଭାଙ୍ଗିଗଲା ତାଙ୍କ ବାଙ୍କ ଚାହାଁଣି
ବଂଶୀ ସ୍ଵନ ଆଉ ନବଜା ନବଜା ଶ୍ୟାମଘନ ହେ...
ଏଇ ଗୀତ ଶୁଣୁ ଶୁଣୁ ସତ୍ୟକାମଙ୍କ ଆଖିରୁ ଲୁହ ଝରିପଡିଲା । ଭଲ କହି ସତ୍ୟକାମ ନୀରବ ହୋଇଗଲେ । ଗୌତମ ପଚାରିଲା କଣ ଭଲ ବାପା । ସେ ଆଉ କଥା କହି ପାରିଲେ ନାହିଁ । ଗୌତମ ପୁଣି ପଚାରିଲା କଣ ଭଲ ବାପା । ସତ୍ୟକାମ ବହୁତ ଅସ୍ପଷ୍ଟ ସ୍ୱରରେ କହିଲେ ଭଲ ଗା...
ତାଙ୍କ ଶରୀର ଧୀରେ ଧୀରେ ନିର୍ଜୀଵ ହୋଇଗଲା । ସବୁ ପୁଅମାନେ ଭୋ ଭୋ କାନ୍ଦି ବାପା... ବାପା... ରଡି ବୋବାଳି ପକେଇଲେ । ସେମାନଙ୍କର ବାପା ଶବ୍ଦ ଯେମିତି ସହସ୍ର ହୃଦୟ ଚମକାଇ ଜଗାଇ ଦଉଚି ସୁସୁପ୍ତ ଆତ୍ମାକୁ । ସେ ଘରର ଛାତ, ଚତୃପାର୍ଶରେ ବୃକ୍ଷଲତା ସବୁ କିଛି ଅତିକ୍ରମ କରି ଯେମିତି ସେ ଆତ୍ମାର ଅଦୃଶ୍ୟ ତରଙ୍ଗ ବ୍ୟାପି ଯାଉଛି ବ୍ୟାପକ ବାତାବରଣ ବ୍ୟାପି...।
ମଲ୍ଲୀପୁର, ନିଆଳ, ଖୋର୍ଦ୍ଧା
ଦୂରଭାଷ : ୯୪୩୯୦୧୧୦୬୩