ଆଗୋ ବରାନନା ଶୋଭାଙ୍ଗୀ,
ବଲ୍ଲରୀ ଲଳନା ରୁଷୁ କାହିଁକି? ।୦।
ବିକଚ ନେତ୍ର ନୋହେ ଶାଣିତ
ବିଳାସ ବାପିକା ଆଜ ନୋହେ ତ
ନତ ଆନନେ କି ଅଭିମାନେ
ରମଣି ରତନ ଭାବୁ କାହିଁକି ? ।୧।
ଆଗୋ ଛଇଳି ତନୁ ପାତଳି
ବିକମ୍ପିତ ହୃଦେ ଯାଉଛୁ ଜଳି
ନୟନ ବାରି ଯାଉଛି ଝରି
କରି ଆକୁଞ୍ଚନ ନେତ୍ର ଯୋଡ଼ି କି ।୨।
ତୋ'ର ଶିଶୁତା ସ୍ଵଭାବ ଜିତା
ସଲଜ୍ଜ ଆଳାପ ହୋଇଛି ପିତା
ଚାରୁ ହାସିନୀ ସୁଦତୀ ମାନୀ
ମଦନେ ସ୍ପରଧା କରିଅଛୁ କି? ।୩।
ପ୍ରେମ ପୀୟୂଷ କଲୁ କି ଗ୍ରାସ !
ସୁମନ ଦଗଧେ ହୋଇଛି ବିଷ
ଶରୀରେ ତୋ'ର ଭାବ ଜୁଆର
ଅନ୍ତର ଅତଳେ ଗଲୁ ବୁଡ଼ି କି ? ।୪।
ନିର୍ଜଳ ବରି ହେବ କି ପାରି
ପ୍ରେମ ପୟୋଧିରେ ତୋ' ମନ ତରୀ
ମଉନ ଦ୍ଵୀପେ ରସିକ ତପେ
ବିରହ ଅନଳେ ଯିବୁ ଜଳି କି ? ।୫।
କର ଯତନ ସଖୀ ରତନ
ରମ୍ୟ ଅଙ୍ଗରାଗ ମୋହିବ ମନ
ମୁଗ୍ଧ ମାନସେ ରତି ଲାଳସେ
ନୟନ ଭାରତୀ ପ୍ରକ୍ଷାଳିବ କି ? ।୬।
ବଡ଼ ସଙ୍ଗୀନ ପ୍ରେମ ନିଦାନ
କହ ସଖୀ କିଏ ସେ ଭାଗ୍ୟବାନ !
ଯିବି ସହସା କର ଭରସା
ଆଣିବି ମଦନ ବାଣ ବିନ୍ଧି କି ! ।୭।
ବରାନନା-ସୁମୁଖୀ, ବଲ୍ଲରୀ-ଲତା , ବାପିକା-ରୋଇବା (ବିଶେଷ ସ୍ନେହ ସମ୍ବୋଧନ), ସୁଦତୀ-ସୁନ୍ଦରୀ, ଅତଳ-ଗଭୀର, ଭାରତୀ-ବଚନ, ଅଙ୍ଗରାଗ-ଚନ୍ଦନ କୁଙ୍କୁମାଦି ପ୍ରସାଧାନ ଦ୍ରବ୍ୟ
ଛତ୍ରଗଡ, ବାଲୁଗାଁ, ଖୋରଧା
ଦୂରଭାଷ - ୯୯୩୭୩୦୦୪୧୨
ଆପଣ ଯଦି ଏହି ବିଷୟଟି ପଢି ସାରିଛନ୍ତି, ତେବେ ଗଠନ ମୂଳକ ପ୍ରତିକ୍ରିୟା ପ୍ରଦାନ କରନ୍ତୁ ।