କଟିର ମେଖଳା ରୂପେ ବିନ୍ଧ୍ୟ ଗିରିବର
ହିମାଳୟ ଶୋହେ ମୁକୁଟ ରୂପରେ
ବକ୍ଷ ଅମୃତ ହୋଇ ବହେ ପୁଣ୍ୟ ଗଙ୍ଗାଧାର
ସେଇ ମୋର ପ୍ରିୟ ଜନନୀ ଜନ୍ମଭୂମି
କଳପ କଳପ ତପ ମୁଁ କରିଛି
ସେଥିପାଇଁ ସିନା ପୁଣ୍ୟ ଏ ମାଆ
କୋଳେ ପାରିଛି ଜନମି ॥୧॥
ଯାହାର ବକ୍ଷ ଓଁ କାର ନାଦ
ଗଗନ ପବନ ଉଚ୍ଛୁଳାଇ ଦେଇଥାଏ
ସେଇ ଓଁ କାର ଦସ୍ୟୁ ହୃଦୟ
ବିଗଳିତ କରି ମହାକବି କରିଦିଏ
ସେହି ମୋର ପ୍ରିୟ ଜନନୀ ଜନ୍ମଭୂମି
ଜଡ ଚେତନରେ ପରମ ସତ୍ତା
ସନ୍ଧାନିବାକୁ ଶିଶୁକାଳୁ କାନେ
ଢାଳିଛି ଅମିୟ ବାଣୀ ॥୨॥
ମହାଚେତନାର ମନ୍ଦ୍ର ଭାବନା
ସାରା ଏ ବସୁଧା ଆପଣାର ପରିବାର
ବିଶ୍ଵରେ ମହାଗୁରୁର ଆସନ
ଲଭିଅଛି ସିନା ଅନାୟାସେ ଦେଶ ମୋର
ସେହି ମୋର ପ୍ରିୟ ଜନନୀ ଜନ୍ମଭୂମି
ଜ୍ଞାନର ସ୍ଫୁରଣ, ପ୍ରେମ ବିତରଣ,
ଶିକ୍ଷା ସଂସ୍କୃତି, ସବୁଠି କରିଛି
ଭ୍ରାତୃତ୍ଵର ଜୟଧ୍ଵନି ॥୩॥
ଏଇ ମାଟି ଗନ୍ଧ ପ୍ରଲୁବ୍ଧ କରିଛି
ସରଗୁ ଦେବତା ଅବତାରୀ ହୋଇ ଆସେ
ପାପ ଅନାଚାର ସମୂଳେ ବିନାଶି
ମାନବ ସମାଜେ ନିୟନ୍ତ୍ରଣ ଡୋର କଷେ
ସେହି ମୋର ପ୍ରିୟ ଜନନୀ ଜନ୍ମଭୂମି
ଧର୍ମର ଧ୍ଵଜା ଉଡେ ସଦା ଏଠି
ଗୀତା, ଭାଗବତ, ବେଦ ଓ ପୁରାଣ
ଗାଏ ସଦାଚାର ଆବାହନୀ ॥୪॥
କବି ବାଲ୍ମୀକି ବ୍ୟାସ କାଳିଦାସ
ରାମ କୃଷ୍ଣ ବୁଦ୍ଧ ନରସିଂହ ଅବତାର
ଭୀଷ୍ମ ଦ୍ରୋଣ କର୍ଣ୍ଣ ସୀତା ଗାନ୍ଧାରୀ
ଅଶୋକ ଚନ୍ଦ୍ରଗୁପ୍ତ ଆକବର ଖାରବେଳ
ସେହି ମୋର ପ୍ରିୟ ଜନନୀ ଜନ୍ମଭୂମି
କେତେ ମୁନି ଋଷି ଶୁର ବୀର ତାର
କୋଳେ ଧରି ମଥା ଉଚ୍ଚ କରିଛି
ହୋଇଛି ଜ୍ଞାନର ଖଣି ॥୫॥
ଏ ମାଟିର କବି, ଏ ମାଟିର ବୀର
କଳା, ସଂସ୍କୃତି, ପରମ୍ପରା ବହୁ ଉଚ୍ଚରେ
ନଦୀ ବନ ଗିରି ଝରଣା ସରିତ
ମୋ ଦେଶ ଗରିମା ପବନେ ପବନେ ସଞ୍ଚରେ
ସେହି ମୋର ପ୍ରିୟ ଜନନୀ ଜନ୍ମଭୂମି
ଭିନ୍ନତା ମଧ୍ୟେ ରହିଛି ଏକତା
ମୋ ଦେଶ ଆକାଶେ ଗୁଞ୍ଜରୁଥାଏ
ସତ୍ୟ ଧର୍ମର ବାଣୀ ॥୬॥
ଆସିଥିଲା ଦିନେ ଅନ୍ଧାରି ଝଡ
ଏଇ ମୋ ମାଆର ଶାନ୍ତ ସରଳ ବୁକେ
ପରାଧୀନତାର ବେଡି ପିନ୍ଧି ମାଆ
ସନ୍ତାନ ଦୁଃଖେ ଘାରିହେଲା ଖାଲି ଶୋକେ
ସେହି ମୋର ପ୍ରିୟ ଜନନୀ ଜନ୍ମଭୂମି
ମାଆ ମୁଖେ ହସ ଫୁଟାଇବାପାଇଁ
ପ୍ରାଣରେ ପ୍ରାଣରେ ସଞ୍ଚରିଗଲା
ବିପ୍ଳବ ମନ୍ଦ୍ର ଧ୍ଵନି ॥୭॥
ହିଂସା ବିରୁଦ୍ଧେ ଅହିଂସା ଅସ୍ତ୍ର
ଇଂରେଜପାଇଁ ବହୁତ ଭାରି ପଡିଲା
କାଶ୍ମୀର ଠାରୁ କୁମାରିକାଯାଏଁ
ପ୍ରତିଟି ପ୍ରାଣରେ ଜାଗରଣ ଖେଳିଗଲା
ସେହି ମୋର ପ୍ରିୟ ଜନନୀ ଜନ୍ମଭୂମି
ଅଣ୍ଟାଭିଡିଲେ ଆବାଳ ବୃଦ୍ଧ,
ମହିଳା ଶକ୍ତି ବି ସ୍ଵାଧୀନତା ଯୁଦ୍ଧେ
ତୋଳିଲେ ବଜ୍ର ବାଣୀ ॥୮॥
ଗାନ୍ଧୀ ଗୋପବନ୍ଧୁ ସର୍ଦ୍ଦାର ସୁବାସ
ଉଦ୍ଦାମ, ସୁରେନ୍ଦ୍ର ସାଏ, ଲକ୍ଷ୍ମଣ ନାୟକ
ଲକ୍ଷ ଲକ୍ଷ ବୀର ମାଆର ସମ୍ମାନେ
ହସି ହସି ଶିରେ ପିନ୍ଧିଲେ ମୃତ୍ୟୁ ତିଳକ
ସେହି ମୋର ପ୍ରିୟ ଜନନୀ ଜନ୍ମଭୂମି
ପରାଧୀନତାର ଶୃଙ୍ଖଳ ଫେଡି
ମାଆ ମୁଖେ ହସ ଦେଇଛନ୍ତି ଭରି
କରିଲେ ଜୈତ୍ର ଧ୍ଵନି ॥୯॥
ସ୍ୱାଧୀନତା ମନ୍ତ୍ରେ ପ୍ରମତ୍ତ ଭାରତ
ଆବାଳ ବୃଦ୍ଧ ବନିତା ଉଠିଲେ ମାତି
ବାର ବରଷର ବାଜିରାଉତ ସେ
ବନ୍ଧୁକ ଆଗେ ପାତି ଦେଇଥିଲା ଛାତି
ସେହି ମୋର ପ୍ରିୟ ଜନନୀ ଜନ୍ମଭୂମି
ଜୟୀ ରାଜଗୁରୁ, ବକ୍ସି ଜଗବନ୍ଧୁ
ଆଦି କେତେ ବୀର ଜୀବନ ଝାସିଲେ
ଗାଇ ମାଆ ଜୟଧ୍ୱନି ॥୧୦॥
ଆୟାସଲବ୍ଧ ସ୍ଵାଧୀନତା ଆମ
ଲକ୍ଷ ଜୀବନ ବଳିଦାନ ବିନିମୟେ
ସ୍ମରଣ କରିଲେ ଥରଇ ବକ୍ଷ
ପ୍ରାଣର ଧମନୀ ଦୋହଲାଇ ଦେଇଥାଏ
ସେହି ମୋର ପ୍ରିୟ ଜନନୀ ଜନ୍ମଭୂମି
ସେ ସିନା ହୋଇଛି ଇତିହାସ ଆଜି
ଶିଖିବାର ଅଛି ଏକତା ବଳରେ
ବିଶ୍ଵ ପାରିବା ଜିଣି ॥୧୧॥
ତାପସ କୁଟୀର, ବଇଣ୍ଡା, ଅନୁଗୋଳ
ଦୂରଭାଷ - ୯୪୩୮୪୮୧୧୩୬