ଅବିରାମ ତା'ର ଗତି,
ଆଷାଢ ଶ୍ରାବଣ ବର୍ଷାଋତୁ ଜାଣ
ଚିରାଚରିତ ଏ ରୀତି ॥୧॥
ବରଷକ ବାର ମାସ ଲୋ ବଉଳ
ବାର ମାସେ ତେର ଯାତ,
ଆମ ଜଗନ୍ନାଥ ସଂସ୍କୃତିରେ ଏହା
ବିଶେଷ ପରିଲକ୍ଷିତ ॥୨॥
ବିଶ୍ଵାସର ମାପକାଠି ଲୋ ବଉଳ
ଉତ୍କଳୀୟ ପରମ୍ପରା,
ଶ୍ରଦ୍ଧା ଭକ୍ତି ସହ ପାଳନ କରନ୍ତି
ହୃଦେ ଜନ୍ମେ ଭାଇଚାରା ॥୩॥
ଶ୍ରାବଣ ମାସର ମହତ୍ଵ ବଉଳ
କହୁଛି ତୋତେ ବୁଝାଇ,
ମନ ଦେଇ ଶୁଣ ଶ୍ରାବଣର ଗୁଣ
ସାହା ହେବେ ଉମାସାଇଁ ॥୪॥
ପୂଣ୍ୟ ଏ ଶ୍ରାବଣ ମାସ ଲୋ ବଉଳ
ମାହାତ୍ମ୍ୟ ତା'ର ଅନେକ,
ମାସର ପ୍ରତ୍ୟେକ ସୋମବାର ଦିନ
ଶିବଙ୍କ ଜଳାଭିଷେକ ॥୫॥
କାନ୍ଧରେ କାଉଡି ଭାରକୁ କାନ୍ଧେଇ
କେତେ କାଉଡିଆ ଭକ୍ତ,
ପାଣି ଭାର ଧରି ମହେଶଙ୍କୁ ସ୍ମରି
ଚାଲନ୍ତି ଦୁର୍ଗମ ପଥ ॥୬॥
ଶିବଙ୍କ ମନ୍ଦିର ଉତ୍ସବମୁଖର
ହୋଇଥାଏ ଏହି ଦିନ,
ମନ ଜାଣି ବର ଦିଅନ୍ତି ଭକତେ
ଆଶୁତୋଷ ତ୍ରିଲୋଚନ ॥୭॥
ଦକ୍ଷିଣାୟନ ବା କର୍କଟ ସଂକ୍ରାନ୍ତି
ପଡିଥାଏ ଏହି ମାସେ,
ଚିତାଲାଗି ହୁଏ ଅମାବାସ୍ୟା ଦିନ
ଶ୍ରୀଜଗନ୍ନାଥଙ୍କ ପାଶେ ॥୮॥
ପ୍ରଭୁଙ୍କ ଲଲାଟେ ସୁବର୍ଣ୍ଣର ଚିତା
ଦିଶେ କେଡ଼େ ଝଟଝଟ,
ଓଡ଼ିଆଣୀ ହାତ ତିଆରି ଚିତଉ
ପିଠା ଲାଗଇ ସ୍ଵାଦିଷ୍ଟ ॥୯॥
କୃଷିଭିତ୍ତିକ ଏ ଉତ୍କଳୀୟ ପର୍ବେ
ନିଜ ହସ୍ତେ ଚଷା ଭାଇ,
ଚିତଉ ପିଠାକୁ କ୍ଷେତରେ ପକାଏ
ଗେଣ୍ଡା କୋଚିଆଙ୍କ ପାଇଁ ॥୧୦॥
ଶ୍ରାବଣ ଶେଷରେ ଗହ୍ମାପୂର୍ଣ୍ଣିମା ଯେ
ଅନ୍ୟ ଏକ କୃଷି ପର୍ବ,
ବଳଭଦ୍ରଙ୍କର ଜନମ ଦିନ ଲୋ
ଗୋମାତା'ର ପୂଜା ହେବ ॥୧୧॥
ଭାଇର ହାତରେ ଭଉଣୀ ବାନ୍ଧିବ
ରେଶମ ସୁତାର ଡୋର,
ସ୍ନେହଁ ସମ୍ପର୍କର ଏହି ପରବଟି
ପ୍ରତ୍ୟେକ ଯୁଗେ ଅମର ॥୧୨॥
ଅଳପ ଜ୍ଞାନରେ କବିତା ଛଳରେ
କହିଲି ଯାହା ଜାଣିଛି,
ଗୁରୁଙ୍କୁ ପଚାରି ବୁଝିବୁ ଭଲରେ
ଅବୁଝା ରହିଲେ କିଛି ॥୧୩॥
ବ୍ରହ୍ମପୁରା, ବାଙ୍କୀ, କଟକ