ସେକାଳ - ଲକ୍ଷ୍ମୀନାରାୟଣ ପଟ୍ଟନାୟକ

0

ସେକାଳର କଥା ଯାଇଅଛି ହଜି
ନାହିଁ ସେ ମଉଜ ଦିନ
ସ୍ନେହ ପ୍ରୀତି ସବୁ ଯାଇଛି ଉଭେଇ
ବଦଳି ଯାଇଛି ମନ ॥୧॥

ଗାଁ ଦାଣ୍ଡ ଖେଳ ସାଙ୍ଗସାଥି ମେଳ
ମନେପଡେ ସବୁ ଆଜି
ଭାବ ଦିଆନିଆ ସଞ୍ଜ ସକାଳର
ମିଳୁନାହିଁ ଖୋଜି ଖୋଜି ॥୨॥

ପୋଖରୀ ତୁଠରେ ଥଟା ପରିହାସ
ନଣନ୍ଦ ସାଙ୍ଗରେ ଗୋରୀ
ହାତେ ଓଢଣାରେ ଲାଜେଇ ବୋହୁଟି
ସରମରେ ଯାଏ ମରି ॥୩॥

ନାହିଁ ଗାଆଁ ସଭା ଅବା ଭାଇଚାରା
ଘରେ ଘରେ ଦିଆ ନିଆ
ଉତୁରି ଯାଇଛି ଭାବର ପୀରତି
ସବୁ ଲାଗେ ନୂଆ ନୂଆ ॥୪॥

କେଡେ ସୁନ୍ଦର ମୋ ଗାଁ ତୋଟାମାଳ
ବିଲ ବଣ ବୁଦା ନଈ
ଝୁରୁଛି ଏ ମନ ଅତୀତର ଦିନ
ମନୁ କିଛି ଲିଭି ନାହିଁ ॥୫॥

ଚାଟଶାଳୀ ଘରେ ଖଡି ସିଲଟରେ
ଲେଖୁଥିଲି ବର୍ଣ୍ଣମାଳା
ଅବଧାନଙ୍କର ବେତମାଡ ଖାଇ
ଶିଖୁଥିଲି ସବୁ କଳା ॥୬॥

ଘରଚଟିଆର କିଚିରି ମିଚିରି
ଆଜି ଆଉ ଶୁଭୁନାହିଁ
ପ୍ରକୃତି କୋଳରେ ହୋଇଅଛି ଲୀନ
ଆଉ ଦେଖା ଯାଉନାହିଁ ॥୭॥

ନଈପଠାର ସେ କଅଁଳ ପବନ
ଆଜି ଆଉ ବହୁ ନାହିଁ
ତାଲା ପଡିଅଛି ଭଗବତ ଟୁଙ୍ଗୀ
ନବାକ୍ଷରୀ ଶୁଭୁନାହିଁ ॥୮॥

ଘଣ୍ଟ ମର୍ଦ୍ଦଳର ଶବଦ ଶୁଭୁନି
ସବୁ ଲାଗେ ଖାଆଁ ଖାଆଁ
ଚକୁଳିଆ ପଣ୍ଡା ଜାନୁଘଣ୍ଟି ଭାଇ
ବୁଲୁନାହିଁ ଆଉ ଗାଆଁ ॥୯॥

ମଙ୍ଗଳାଯୋଡି, ଖୋରଧା

Post a Comment

0Comments

ଆପଣ ଯଦି ଏହି ବିଷୟଟି ପଢି ସାରିଛନ୍ତି, ତେବେ ଗଠନ ମୂଳକ ପ୍ରତିକ୍ରିୟା ପ୍ରଦାନ କରନ୍ତୁ ।

Post a Comment (0)