ଅଣୁଗଳ୍ପ - ଚିତ୍ରକର - ଶ୍ୟାମା କିଙ୍କର ମହାନ୍ତି

0

ବାତ୍ୟାର ତାଣ୍ଡବଲୀଳା କମି ଆସିଥିଲା । ଟିଭିରେ ନିଉଜ ଦେଖୁଦେଖୁ ଚିତ୍ରକର ବିଜନ ବାବୁ ଭାବିଲେ ଏମିତି ସୁଯୋଗକୁ ହାତଛଡା କରିବା ଉଚିତ ନୁହେଁ । ରଙ୍ଗ, ତୁଳୀ, କାନଭାସ ସହ କିଛି ଫାଷ୍ଟଫୁଡ଼ ଓ ସିଗ୍ରେଟ ଧରି ସହରତଳି ଅଞ୍ଚଳକୁ ବାଇକ ନେଇ ପହଞ୍ଚିଗଲେ ଅଳ୍ପ ସମୟ ମଧ୍ୟରେ । ଚାଳ ଛପର ଉଡିଯାଇଥିବା ଓ କାନ୍ଥ ଅଧା ଧସି ଯାଇଥିବା ଗୋଟେ ଘରର ପାଣିଭର୍ତ୍ତି ମାଟି ବାରଣ୍ଡାରେ ଅସହାୟ ଅବସ୍ଥାରେ ଗୋଟେ କୁନିଝିଅ ବସିଥିଲା । କୋଳରେ ଥିଲା ତା'ର ଗୋଟେ ଛେଳିଛୁଆ ଆଉ ପାଦ ପାଖରେ ଗୋଟେ ବୁଲା କୁକୁର । ନିହାତି ଭୋକିଲା ଲାଗୁଥିଲେ ସେମାନେ । ଖୁବ ମନପ୍ରାଣ ଦେଇ ଖୁବ ନିଖୁଣ ଭାବରେ ସେମାନଙ୍କର ଚିତ୍ର ଆଙ୍କିଲେ ବିଜନ ବାବୁ । ଅବଶ୍ୟ ଫେରିଲା ବେଳେ ନିଜେ ଖାଉଥିବା ପନିର ପିଜ୍ଜାରୁ ଝିଅଟିକୁ ଟୁକୁଡ଼ାଏ ଦେବାକୁ ଭୁଲି ନ ଥିଲେ । ମାସେ ପରେ ବିଜନ ବାବୁଙ୍କ ସେଇ ଚିତ୍ରଟି ଦିଲ୍ଲୀର ନ୍ୟାସନାଲ ଆର୍ଟ ଗ୍ୟାଲେରିରେ ଉଚ୍ଚ ପ୍ରଶଂସିତ ହେଲା ପରେ ଦୁଇ ଲକ୍ଷ ଟଙ୍କାରେ ବିକ୍ରୀ ହୋଇ ସାରିଥିଲା । ହେଲେ ସେପର୍ଯ୍ୟନ୍ତ ବାତ୍ୟା ପ୍ରପୀଡିତା ସେଇ କୁନିଝିଅ ପାଖରେ ସରକାରୀ ସାହାଯ୍ୟ ପହଞ୍ଚି ପାରି ନଥିଲା ।

ଯମୁନା ରୋଡ଼, ମାର୍କଣ୍ଡେଶ୍ଵର ସାହି , ପୁରୀ
ଦୂରଭାଷ - ୯୮୬୧୧୯୧୩୮୦

Post a Comment

0Comments
Post a Comment (0)

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ